TAPASWINI BEHERA

Tragedy Others

4.0  

TAPASWINI BEHERA

Tragedy Others

ନୂଆ ବାପା

ନୂଆ ବାପା

6 mins
158



ମୁଁ ଶ୍ୟାମଳି।ଜନ୍ମବେଳେ ମୋର ରଙ୍ଗ ଶ୍ୟାମଳ ଥିଲା,ସେଇଲାଗି ମୋ ନାଁ ରଖାଯାଇଥିଲା ଶ୍ୟାମଳି,ଏମିତି ମୋ ଜେଜେମା କୁହେ।ଆଜିକୁ ମୋର ବୟସ ୨୮ବର୍ଷ ଦୁଇ ମାସ ତିନି ଦିନ।ଅବଶ୍ୟ ଏସବୁ ପରିଚୟ ଦେବାର କିଛି ମାନେ ନାହିଁ କାରଣ ସମୟ ଆଉ ଆୟୁଷ କେବଳ ଆଗକୁ ଚାଲନ୍ତି କେବେ ପଛକୁ ଫେରନ୍ତିନି।ସେଇଥିପାଇଁ ବୋଧେ ମୋ ଜେଜେମା ସବୁବେଳେ କୁହେ,"ଚାଲିଯାଉଥିବା ସମୟକୁ ନା ଧରିହୁଏ,ଗଡି ଯାଉଥିବା ବୟସକୁ ନା ପଛକୁ ଭିଡିହୁଏ । କେବଳ ଯାହା ତା ସହ ତାଳ ଦେଇ ଜୀବନକୁ ଆଗକୁ ନେବାକୁ ହୁଏ।" ମୁଁ କିନ୍ତୁ ମୋ ଜେଜେମା କଥା କେବେ ଶୁଣେନି।ସବୁବେଳେ ତା' ଉପରେ ରାଗେ ଅଭିମାନ କରେ।କାହିଁକି ବା ନ କରିବି! ମୋ ଛୋଟିଆ ଦୁନିଆର ସେ ହିଁ ଥିଲା ସବୁକିଛି।ମୋ ଜେଜେମା କୁହେ ମାତ୍ର ମୋ ଜନ୍ମ ପରେ ପରେ ବୋଉ ତା' ପଣତ କାନି ମୋ ମୁଣ୍ଡ ଉପରୁ ଖସେଇ ଦେଇ ଆର ପାରିକୁ ଚାଲିଗଲା। ଆଉ ମୋ ବାପାଙ୍କ କଥା ନ କହିବା ଭଲ।ସେ ଯେମିତି ଗୋଟେ ସମ୍ପର୍କ ପରି ମୋ ଜୀବନରେ ରୁହନ୍ତି।ମୁଁ ତାଙ୍କୁ କେବେ ସାମ୍ନା ସାମ୍ନି ଦେଖିନି,ଦେଖେ କେବଳ ଫଟୋରେ।ରାତିରେ ମୁଁ ଶୋଇଲା ପରେ ସେ ଘରକୁ ଆସନ୍ତି ଆଉ ମୁଁ ସକାଳୁ ଉଠିଲା ବେଳକୁ ସେ ଚାଲି ଯାଇଥାନ୍ତି ଡ୍ୟୁଟିରେ।ସେଥିପାଇଁ ସ୍କୁଲ ଜୀବନ ଜେଜୀମା'ଙ୍କ କୋଳରେ ସରିଗଲା ଆଉ କଲେଜ ସହ ଇଞ୍ଜିନିୟରିଂ ବି ସେ ହଷ୍ଟେଲର ଚାରି କାନ୍ଥ ଭିତରେ ସରିଗଲା।ମୁଁ ବାପାଙ୍କ ଉପରେ ବହୁତ ରାଗେ ଯେତେବେଳେ ମୁଁ ଦେଖେ ହଷ୍ଟେଲକୁ ବହୁତ ପିଲାଙ୍କର ବାପା, ବୋଉ ତାଙ୍କୁ ଭେଟିବାକୁ ଆସନ୍ତି ତାଙ୍କ ପାଇଁ ସୁନ୍ଦର ସୁନ୍ଦର ଖାଇବା ଆଣନ୍ତି ଆଉ ବେଶୀ ରାଗ ଲାଗେ ଯେବେ ସେମାନେ ମୋ ବାପାଙ୍କ ବିଷୟରେ ମୋତେ ପଦେ ଅଧେ ପଚାରି ଦିଅନ୍ତି। ବହୁତ ଜୋରରେ କାନ୍ଦ ଲାଗେ ମୋତେ।ଦଉଡି ଆସି ବାଥରୁମ ଭିତରେ ପାଣି ଖୋଲି ଜୋର୍ ଜୋର୍ କାନ୍ଦେ।ଘରକୁ ଆସିବାକୁ ମୋତେ ଆଦୌ ଭଲ ଲାଗେନି।ଆସେ ତ କେବଳ ଜେଜେମା ପାଇଁ କିନ୍ତୁ ଯୋଉଦିନ ତା ସ୍ନେହର ଫାଜିଲାମୀ ଟିକେ କମିଲାଣି ବୋଲି ମୋତେ ଅନୁଭବ ହେଲା ଆଉ ଏତେଟା ଇଚ୍ଛା ହୁଏନି ଘରକୁ ଯିବାକୁ।ସେ ସବୁବେଳେ ସବୁ କଥାରେ ମୁଁ ଭୁଲ୍ ଆଉ ବାପା ଠିକ୍ ବୋଲି ଯୁକ୍ତି ବାଢେ।ସେଇଲାଗି ମୋତେ ଯେବେ ବି ଦିନେ କି ଦୁଇ ଦିନ ଛୁଟି ମିଳେ ମୁଁ ଘରକୁ ନ ଯାଇ କୋଉ ସାଙ୍ଗ ଘରକୁ ବୁଲିବାକୁ ଚାଲିଯାଏ।ଭାଗ୍ୟକୁ ଇଞ୍ଜିନିୟରିଂ ସରୁ ସରୁ ମୋର କ୍ୟାମ୍ପସ ସିଲେକସନ୍ ହେଇଗଲା।ପ୍ରଥମ ପୋଷ୍ଟିଂରେ ଦିଲ୍ଲୀର ଗୋଟେ ମଲ୍ଟି ନ୍ୟାସନାଲ କମ୍ପାନୀ।ଦରମା ଭଲ ଥିଲା ଆଉ ଘରଠୁ ବି ବହୁତ ଦୂରରେ।ଜେଜେମାକୁ ଛାଡିକି ଯିବାର ଯଦିଓ ଇଚ୍ଛା ନ ଥିଲା ହେଲେ ସେ ବି ମୋ ସାଥିରେ ଯିବାକୁ ମନା କରିଦେଲା ବାହାନା ଦେଖେଇ କି -"ତୋ ବାପାର ସେବା କିଏ କରିବ?ସେ ଏକା ହେଇ ଯିବନି!!

-ତୁ ଯା ଛୁଟି ହେଲେ ଆସିଯିବୁ।ତୁ ଏକା ଚଳି ଗଲୁଣି ହେଲେ ମୋ ପୁଅ ଆଜି ଯାଏଁ ବି ଖାଇ ସାରି ମୋ କାନିରେ ମୁହଁ ପଛେ।"

-ହୁଁ(ମୁହଁ ବୁଲେଇ ଦେଇ),ତୋ ପୁଅ ସେବା କର।ନ ଆସେ ଆଉ ଦିଲ୍ଲୀ ବୁଲି ପାରିବୁନି ଯେ ଜାଣିଥା।ଆଉ କେଇଦିନ ବଞ୍ଚିବୁ ସେତେବେଳେ ଆଉ କହିବୁନି ଦିଲ୍ଲୀ ନେଲୁନି ବୋଲି।ମୁଁ ମୋର କିଛି ସାଙ୍ଗଙ୍କ ସହ ଦିଲ୍ଲୀ ବାହାରିଲି।

     ଧୀରେ ଧୀରେ ଅଫିସ୍ ର ଗୁଡ଼ାଏ କାମ ଭିତରେ ମୁଁ ନିଜକୁ ବ୍ୟସ୍ତ ରଖୁଥାଏ ନିଜର ଏକଲାପଣର ଅନ୍ଧାର କୋଠରୀ ଭିତରେ ଆଲୋକର ଦୀପ ଶିଖାଟିଏ ଜଳେଇ ରଖିବା ପାଇଁ।ଅଫିସ କେବେ ଛୁଟି ହେଲେ ମୋତେ ବିରକ୍ତି ଲାଗେ।ସେଥିପାଇଁ ଛୁଟିରେ ବି ମୁଁ ଘରକୁ କାମ ନେଇ ଆସେ ଯେମିତି ମୋତେ ଖାଲି ସମୟ ମିଳିବନି କି ମୁଁ ମୋର ଅତୀତ କି ବର୍ତ୍ତମାନର ଚିନ୍ତାରେ ଛନ୍ଦି ହେବିନି।ସପ୍ତାହରେ ଦୁଇ ତିନିଥର ଜେଜେମା ସହ କଥା ହୁଏ ଦିଲ୍ଲୀ ଆସିଲୁନି ବୋଲି ଖୁଣ୍ଟା ଦିଏ ଚିଡାଏ ଟିକେ ତାକୁ।ସେ ବି ମୋତେ କୁହେ"-ହଉଲୋ ଟୋକି ରହ ତୋର ସେଇ ଆଡେ ଗୋଟେ କଣା ବ୍ରାହ୍ମଣ ଯୋଗାଡ଼ କରି ବାହା କରେଇବି, ତା' ପରେ ତ ମୁଁ ସବୁବେଳେ ଦିଲ୍ଲୀରେ ରହିବି ଆଉ।" ତା' କଥା ଶୁଣି ଦୁହେଁ ହସୁ ଜୋରରେ।

  

 ସନ୍ଧ୍ୟା ପ୍ରାୟ ୫ଟା ହେବ ମୋତେ ଫୋନ ଆସିଲା "-ବଡ଼ ମା'ଙ୍କ ଦେହ ଖରାପ ସାନ ମା' ଶୀଘ୍ର ଆସ।ବାବୁ ଘରକୁ ଆସିନାହାନ୍ତି ଏଯାଏଁ।ଆମେ କ୍ୟାପିଟାଲ ହସ୍ପିଟାଲରେ ଅଛୁ" -ଟୁକୁଲୁ ଭାଇ ଫୋନ କରି ଏତିକି କହିଲେ।ସେ ଆମ ଘରର ଦେଖାଶୁଣା କରନ୍ତି ଭଲମନ୍ଦ ବୁଝନ୍ତି।ମୁଁ ରାତି ୮ଟାରେ ପ୍ଲେନ ଟିକେଟ କରି ଦିଲ୍ଲୀରୁ ଭୁବନେଶ୍ୱର ଫେରିଲି।ହସ୍ପିଟାଲରେ ମୁଁ ଦୁଇ ରାତି ରହିଲି।ଟୁକୁଲୁ ଭାଇ ସବୁ ବୁଝାବୁଝି କରୁଥିଲେ।ହେଲେ ଆଶ୍ଚର୍ଯ୍ୟ!! ବାପାଙ୍କୁ ସେଠିକି ଆସିବାର ମୁଁ ଥରୁଟିଏ ବି ଦେଖିବାକୁ ପାଇଲିନି।କ୍ରୋଧ ଆଉ ଅଭିମାନରେ ମୋ ମୁହଁ ପୋଡି ଯାଉଥିଲା ଭଳି ଲାଗୁଥିଲା।ଭାବୁଥିଲି ଯୋଉ ବାପା ନିଜ ଝିଅସହ ଦୀର୍ଘ ୨୮ ବର୍ଷ ହେଲାଣି ସାମ୍ନାରେ ଛିଡା ହେଇ କଥା ହେଇନି ସେ ନିଜ ମା' ପାଇଁ ଥରୁଟିଏ ବି ହସ୍ପିଟାଲ ମାଟି କେମିତି ମାଡିବ..?ଛି! ଘୃଣା ଲାଗୁଛି ଏଭଳି ବାପାର ଝିଅ ହେଇ।ଭଲ ହେଇଛି ମୁଁ ଏଠି ରହୁନି।ଅଣଃନିଶ୍ୱାସୀ ଲାଗୁଛି ଏ ଘର ମୋତେ।

  

 ଦୁଇ ଦିନ ପରେ ଜେଜେମା ଘରକୁ ଆସିଲେ।ମୁଁ ତାଙ୍କ ପାଇଁ ସବୁ ବ୍ୟବସ୍ଥା କରିଦେଲି ଯେହେତୁ ମୋତେ ଦିଲ୍ଲୀ ଫେରିବାର ଥିଲା କିନ୍ତୁ ଫେରିପାରିଲିନି।ହଠାତ୍ ଫ୍ଲାଇଟ ସବୁ ବନ୍ଦ ହେବା ସହ ଦେଶ ଲକ ଡାଉନ୍ ଘୋଷଣା କଲେ ସରକାର।ବେଳେବେଳେ ଭଗବାନ ବି ତୁମ ସହ ସେହି ଖେଳ ଖେଳି ଦିଅନ୍ତି ଯୋଉ ଖେଳକୁ ଖେଳିବାକୁ ତୁମର ଆଦୌ ଇଚ୍ଛା ନ ଥିବ।ମୋ ସହ ବି ସେମିତି ହେଇଗଲା।ଲକ୍ ଡାଉନ ତା' ସହ ପୁଣି ଦିନ ତମାମ ଘରେ।ଓଃ!ସିଟ୍ !ଜେଜେମା ବି ଦୁର୍ବଳ ଲାଗୁଥିଲା,ସେଇଲାଗି ତାକୁ ବେଶୀ କଥା କହିବାକୁ ଦେଉ ନଥିଲି।ଏଣେ ବାପାଙ୍କ ବ୍ୟବହାର ମୋତେ ଭିତରୁ ଆହୁରି କ୍ଷୁବ୍ଧ କରୁଥିଲା ଯେବେ ଯେବେ ମୋ ନଜର ତାଙ୍କ ଉପରେ ପଡି ଯାଉଥିଲା , ସେ ନ ଜାଣିଲା ପରି କଡ଼ କରି ଚାଲିଯାଆନ୍ତି ବୋଲି ମୋତେ ଅନୁଭବ ହୁଏ।ସେ ଏବେ ବି ଡେରି ରାତିରେ ଆସନ୍ତି କିନ୍ତୁ ମୋର ଡେରିରେ ଶୋଇବା ଅଭ୍ୟାସ ହେଇ ଯାଇଥିବାରୁ ମୋର ତାଙ୍କ ସହ ଦେଖା ହେଇଯାଏ।ନା ସେ ମୋତେ କିଛି କୁହନ୍ତି ନା ମୁଁ ତାଙ୍କୁ।

  ସକାଳୁ ସକାଳୁ ଜେଜେମା ମୋତେ କହିଲେ -"ଶ୍ୟାମଳି, ଯା ଦୁଇ କପ ଚା କରି ଆଣେ।ବହୁତ ଦିନ ହେଲା ଏ ଟୁକୁଲାର ପାଣିଚିଆ ଚାହା ପିଇ ପିଇ ଚାହା ପିଇବା ଇଚ୍ଛା ମରି ମରି ଯାଉଛି।" ମୁଁ କରିକି ବି ନେଇ ଆସିଲି।ଗୋଟେ କପ ବାପା ପିଇଲେ ଆଉ ଗୋଟେ ଜେଜେମା'ର।

-"ଆଲୋ ଶ୍ୟାମଳି,ମଲା ମୁଁ ପାଶୋରିଲି ତୋ ବାପାକୁ ବା ଡାଇବେଟିସି ଚିନି ପକା ଚା' ଦେଇଦେଲୁ?"ଜେଜେମା'ଙ୍କ କଥା ନ ସରୁଣୁ ମୁଁ ଦଶ ଖେପା ମାରି ରାଗ ଗର ଗର ହେଇ କହି ଦେଇ ଆସିଲି,"ବହୁତ ହେଇଗଲା ଜେଜେମା,ମୁଁ କାହା ପାଇଁ ଚାହା କରି ପାରିବିନି।"ଏତେ ସବୁ ପରେ ବି ବାପା ପଦୁ ଟିଏ ବି କିଛି କହି ନାହାଁନ୍ତି ମୋତେ।ମୁଁ ଦେଖିଛି ସେ ଚୁପ୍ ଚାପ ଚାହା ପିଇ ଡ୍ରଇଙ୍ଗି ରୁମ ଆଡେ ଚାଲିଗଲେ।ମୁଁ ବି ରାଗିକି ଖଟ ଉପରେ ଆସି ବସିଲି।ମୋ ଜେଜେମା ଜାଣିଛି ମୁଁ ଯେତେବେଳେ ରାଗିଥାଏ ମୋ ପାଖକୁ ଯିଏ ଯାଏ ମୁଁ ଆହୁରି ରାଗିଯାଏ।ସେଇଲାଗି ପ୍ରାୟ ଗୋଟେ ଘଣ୍ଟା ପରେ ସେ ମୋ ରୁମକୁ ଗଲା।ମୋ ମୁହଁ ରାଗରେ ଝାପ୍ସା ଲାଲ ଦେଖା ଯାଉଥିଲା।ସେ ମୋ ମୁଣ୍ଡକୁ ଆଉଁସି ଦେଲା।ତା' କୋଳକୁ ଟାଣି ନେଇ କହିଲା,-"ମୁଁ ଜାଣେ ତୁ ତୋ ବାପା ଉପରେ ରାଗିଛୁ।ତୋ ରାଗିବା ବି ସ୍ୱାଭାବିକ କିନ୍ତୁ ତୁ ଭାଗ୍ୟବତୀ ସେଭଳିଆ ବାପା ପାଇଛୁ।ସେ ସିନା ହତଭାଗାଟେ ଆଜି ଯାଏଁ ଝିଅର ସ୍ନେହ ପାଇଲାନି।" ମୁଁ ଜେଜେମା' ର କିଛି ବି କଥା ବୁଝି ପାରୁ ନଥାଏ।ଓଲଟି ମୋ ରାଗ ଚରମ ସୀମାକୁ ପହଞ୍ଚିବାରେ କ୍ଷିପ୍ର ଗତିରେ ଚଢୁଥାଏ।ଜେଜେମା କିନ୍ତୁ ନୀରବ ରହି ନଥିଲା ସେ କହି ଚାଲିଥିଲା-"ଜାଣିଛୁ,ତୋ ମା' ମରିନି ସେ ତ ତୋତେ ଆଉ ତୋ ବାପାକୁ ଛାଡି ଚାଲିଗଲା।ତୋ ବାପା ଅନ୍ଧ ଆଉ ତା'ର କାନକୁ ଟିକିଏ କମ ବି ଶୁଭେ।ଟଙ୍କା,ପଇସା ଆଉ ଆମ ଘରର ଉଚ୍ଚ ଚଳଣି ଦେଖି ସେ ମୋ ପୁଅକୁ ବାହା ହେଇଥିଲା।ତୋ ବାପା ରଘୁନାଥପୁର ଗାଁ ଦେଇ ଆସିଲା ବେଳେ ତତେ ଗୋଟେ ସିଜୁ ବୁଦା ମୂଳରୁ ଆଣିଲା।ତୋ କୁଆଁ କୁଆଁ ଡାକ ତା'କୁ ବାପାର ପରିଚୟ ଦେଲା। ଯୋଉଦିନ ତତେ ପ୍ରଥମ କରି ଘରକୁ ଆଣିଲା ତୋ ମା' ରାଗିକି କହିଲା"-ଗୋଟେ ଅନ୍ଧ,କାଲର ସ୍ତ୍ରୀ ହେଇ ସେ ଆଉ ରହି ପାରିବନି କି କାହାର ବାରବୁଲା ପାପଧନକୁ ନିଜ ସନ୍ତାନ କହି ପାରିବନି।"ଏତିକି କହିଦେଇ ତୋ ବାପାକୁ ଆଉ ତତେ ଛାଡି ଦେଇ ଏ ଘର ଛାଡ଼ି ଚାଲିଗଲା।ତୋ ବାପାକୁ ଯେବେ ଦ୍ଵିତୀୟ ବିବାହ କରିବାକୁ କହିଲି ସେ ରୋକ୍ ଠୋକ୍ ମନା କରିଦେଲା।ସେ ତୋତେ ବହୁତ ଭଲପାଏ।କାଳେ ତୁ ବି ଅନ୍ଧ ବାପା କହି ତା' ଠୁ ଦୂରେଇ ଯିବୁ ସେଇ ଭୟରେ ତୋ ବାପା ତୋ ସାମ୍ନାକୁ କେବେ ବି ଆସିନି।ହେଲେ ପ୍ରତ୍ୟେକ ରାତି ସେ ତୋ ପାଇଁ କାନ୍ଦେ।ସେ ଯେତେ ରାତିରେ ବି କାମ ରୁ ଆସୁ ପ୍ରଥମେ ତୋ କଥା ପଚାରେ।ଶ୍ୟାମଳି ଖାଇଛି କି ନାହିଁ,ଆଜି କଣ କରିଛି ,କେମିତି ଅଛି।ସବୁ ବୁଝେ।ତତେ ହଷ୍ଟେଲରେ ଛାଡିଥିଲା ସତ ହେଲେ ତୋର ସବୁ ଆବଶ୍ୟକତାକୁ ପୂରଣ କରିବାରେ କୋଉଠି ବି ଅପାରଗ ହେଇନି ମୋ ପୁଅ।ମୁଁ ଅନେକ ଥର ଚାହିଁଛି ତତେ କହିଦେବି"ତୋ ବାପା ଅନ୍ଧ,ତୁ କାଳେ ତାକୁ ଘୃଣା କରିବୁ ତୋ ସାମ୍ନାକୁ ଆସିବାକୁ ସେ ଡ଼ରୁଛି।"କିନ୍ତୁ ତା' ରାଣ ମୋ ପାଟିକୁ ସବୁବେଳେ ବନ୍ଦ କରିଦିଏ।ସେ କହେ ସେ ଆଉ ଟିକେ ବଡ଼ ହଉ ବୁଝିଲା ଶୁଝିଲା ବୟସ ହେଉ କହିବୁ।ତା' ଆଖିରେ ତ ତୁ ଏବେ ବି ସେଇ ସଦ୍ୟ ଜନ୍ମିଲା କୁନି ଝିଅ ଶ୍ୟାମଳି।ହେଲେ ମୁଁ ଆଜି ଆଉ ସମ୍ଭାଳି ପାରିଲିନି ତୋର ତୋ ବାପାଙ୍କ ପ୍ରତି ଏତେ ଘୃଣା ଆଉ ମୋ ପୁଅ ପ୍ରତି ଏତେ ଅନ୍ୟାୟ ମୁଁ ସହି ପାରିଲିନି।" ଜେଜେମା'ଙ୍କ କଥା ଶୁଣି ମୋ ମନର ସବୁ ରାଗ ଏବେ ଆଖିର ଲୁହରେ ବଦଳି ସାରିଥିଲା।କଷ୍ଟ ଆଉ ଯନ୍ତ୍ରଣାରେ ମୋ ଦେହ ଥରୁଥିଲା।ଏଭଳି ମହାନ ବାପାଙ୍କ ସହ ଦୀର୍ଘ ୨୮ବର୍ଷ ଭୁଲ୍ ବୁଝାମଣାରେ କଟେଇଲା ପରେ ନିଜକୁ ଧୀକାର କରୁଥିଲି।ଜେଜମା ପାଖରୁ ଆଉ କିଛି ଶୁଣିବାକୁ ମୋ ଭିତରେ ସାହସ ନଥିଲା।ସିଧା ଦଉଡି ଯାଇଥିଲି ବାପା ବସିଥିବା ଡ୍ରଇଙ୍ଗ ରୁମକୁ।ବାପାଙ୍କ ପାଦକୁ କୁଣ୍ଢେଇ ଧରି ଜୋରରେ କାନ୍ଦିକି କହିଲି,"ବାପା ମୋତେ କ୍ଷମା କରିଦିଅ,ମୁଁ ଆଜି ଯାଏଁ ତୁମକୁ ଭୁଲ୍ ବୁଝିଲି ଯାହାର ପ୍ରାୟଶ୍ଚିତ ଏ ଜନ୍ମରେ ବି କରିପାରିବିନି।" ବାପା ହାତ ଉଣ୍ଡାଳି ମୋତେ ଧରିଲେ।ବହୁତ ଜୋରରେ ଭିଡି ଧରି ମୋତେ କେବଳ ଏତିକି କହିଲେ,-"ତୁ ଆଉ ମୋତେ ଛାଡ଼ି ଯିବୁନି ତ..?ତୋ ହାତର ଚିନି ମିଶା ଚାହା ପିଇଲେ ବି ଏବେ ମୋ ଦେହ ଖରାପ ହେବନି।" ବାପାଙ୍କର ସ୍ନେହର ପ୍ରଥମ ସ୍ପର୍ଶ ମୁଁ ସେଇଦିନ ଅନୁଭବ କଲି।ଦୁଆର ବନ୍ଧ ପାଖରେ ଜେଜେମା'ଙ୍କ ଆଖିରେ ପ୍ରଥମ ଥର ଲୁହ ବି ସେଇଦିନ ଦେଖିଲି ଆଉ ମନେ ମନେ ଭାବୁଥିଲି ଏ ଲକ ଡାଉନ କାହା ପାଇଁ କଣ ଆଣିଲା ମୁଁ ଜାଣିନି କିନ୍ତୁ ମୋ ପାଇଁ ନୂଆ ବାପା ଭେଟି ଦେଲା।ବେଳେବେଳେ ଆମେ ସମସ୍ତେ ଆମ ନିଜ ଲୋକଙ୍କ ବିଷୟରେ ଅନେକ କିଛି ଭୁଲ୍ ଭାବିଦଉ ଯାହା ସମୟକ୍ରମେ ସେ ଲୋକ ପ୍ରତି ଆମର ଭୁଲ୍ ଧାରଣା ବଢିଯାଏ ଏବଂ ପରିଶେଷରେ ସମ୍ପର୍କର ସମାପ୍ତି ହୁଏ।ତେଣୁ ବେଳେବେଳେ ଜୀବନରେ ସବୁ କିଛି ଲକ ଡାଉନ କରି ନିଜ ପରିବାର ସହ ସମୟ ବିତେଇବା ଆବଶ୍ୟକ।ହୁଏତ ଏମିତି ହେଇପାରେ କାହା ମନ ତଳର ଭୁଲ୍ ବୁଝାବଣାକୁ ଆମେ ସମ୍ପୂର୍ଣ୍ଣ ରୂପେ ଦୂରେଇ ଦେଇ ପାରିବା।


Rate this content
Log in

Similar oriya story from Tragedy