ବୋଉ
ବୋଉ
ଶିଳ୍ପା ନିଜ ଚାକିରୀ, ସଂସାର, ସନ୍ତାନ ଭିତରେ ଭୁଲି ଯାଇଥିଲା ପିତା ମାତା ଦୁହିଁଙ୍କ ଭିତରୁ ବାପା ଚାଲିଯାଇଥିଲେ ବି ଆଉ ଜଣେ ବଞ୍ଚିଛି. ଶୁନ୍ୟ ମଥା ଓ ଶୁନ୍ୟ ହାତ ନେଇ ଭାଇ ଭଗାରୀଙ୍କ ପାଖରେ ଏକୁଟିଆ କେମିତି ରହିଛି ବୋଉ, ଭାବିବାକୁ ସମୟ ନାହିଁ ତାଙ୍କ ପାଖରେ. ଆଜି ମାତୃଦିବସରେ ସହକର୍ମୀମାନେ କିଏ କେତେ କଣ ମେସେଜ ଦେଉଥିଲେ ତ କିଏ କେତେ କଣ ବୋଉ ପାଇଁ କିଣୁଥିଲେ. ଟଙ୍କାର ଦୁଇପାର୍ଶ୍ୱ ପରି ଜୀବନର ଦୁଇ ପାର୍ଶ୍ୱର ଦୁଇ ଚଳନ୍ତି ଭଗବାନଙ୍କ ଭିତରୁ ଜଣଙ୍କ ବିନା ଅନ୍ୟ ଜଣେ କେମିତି ଅଛି ବୋଲି ଆଜି ଖୁବ ମନେପଡିଲା ଶିଳ୍ପାର. ଅଫିସରୁ ଫେରି ରାଜେଶଙ୍କ ପାଖରେ ପିଲାଦୁହିଁଙ୍କୁ ଛାଡ଼ି ଗାଁକୁ ଯାଇଥିଲା ଶିଳ୍ପା. ବୋଉ ତାକୁ ଦେଖି କହିଥିଲା ରାଜେଶ ଓ ପିଲାଦୁହିଁଙ୍କୁ ଏକୁଟିଆ ଛାଡ଼ି କାହିଁକି ଆସିଲୁ ମାଆ, ମୁଁ ଭଲ ଅଛି. ବୋଉ ଏଣିକି କାଇଁଚ ଓ କଉଡ଼ିରେ ସୁନ୍ଦର ସୁନ୍ଦର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର ଅଙ୍କନ କରୁଥିଲା. ରାତିରେ ବୋଉ କୋଳରେ ଶୋଇ ଶିଳ୍ପା ପଚାରୁଥିଲା ଆଛା ବୋଉ ମ୍ଳେଛ ସଂହାର ପାଇଁ ଭଗବାନ ଯୁଗେ ଯୁଗେ ଅବତାର ନେଇ ଅବତାରୀ ରୂପେ ରାମ, କୃଷ୍ଣ ଓ ଜଗନ୍ନାଥଙ୍କ ରୂପରେ ମଣିଷ ଜନ୍ମ ପାଇଛନ୍ତି. ରାମଚନ୍ଦ୍ର କ୍ଷେତ୍ରୀୟ ଵଂଶ ହୋଇଥିବା ବେଳେ, କୃଷ୍ଣ ଗଉଡ଼ ଘର ପୁଅ ବୋଲଉଥିଲେ. ଆଛା ବୋଉ ଜଗନ୍ନାଥ କୋଉ ଜାତିର?
ପ୍ରଶ୍ନଟି ପଚାରିଦେଇ ବୋଉ ମୁହଁର ଭାବକୁ ଦେଖି ଶିଳ୍ପା ପଚାରୁଥିଲା, ମୋ ପ୍ରଶ୍ନ ଭୁଲ କି ବୋଉ? ଜମା ଭୁଲ ନୁହେଁ ମାଆ. ମଣିଷ ପରି ଜନ୍ମ ହୋଇ ଯେତେବେଳେ ମଣିଷ ପରି କର୍ମ ଧର୍ମ ପାଳନ କରୁଛନ୍ତି ପ୍ରଭୁ ଜଗନ୍ନାଥ ତେବେ ମଣିଷ ତିଆରି କରିଥିବା ଜାତି ଭିତରୁ ଗୋଟିଏ ଜାତି ତ ରହିବା କଥା. ମୋ କ୍ଷୁଦ୍ର ବୁଦ୍ଧିରେ ମତେ ଲାଗୁଛି ଜଗନ୍ନାଥଙ୍କ ଜାତି ଶବର. ସେହି ବିଶ୍ୱାବସୁଙ୍କ ପାଖକୁ ଫେରିଗଲେ ଦେଖିବୁ ମାଆ ଭକ୍ତର ଭଗବାନ ଜଗନ୍ନାଥଙ୍କୁ ନିଜ କୂଳ ଦେବତା କରି ପ୍ରଥମେ ନୀଳମାଧବ ରୂପେ ପୂଜା କରୁଥିଲେ ସେ. ତା ପରେ ଦଇତାପତି ବିଦ୍ୟାପତି ଛଦ୍ମ ବେଶରେ ରହି ବିଶ୍ୱାବସୁଙ୍କ ଝିଅ ଲଳିତା ସହ ପ୍ରେମ ସୂତ୍ରରେ ଆବଦ୍ଧ ହୋଇ ଜଗନ୍ନାଥଙ୍କୁ ଠାଵ କରିଥିଲେ. ତେଣୁ ଉଭୟ ଦାବୀ କରନ୍ତି ଜଗନ୍ନାଥ ଶବର ଜାତିର ତ ପୁଣି ଦଇତା ଜାତିର. ମଣିଷ ହିସାବରେ ଆମେ ସିନା ଜାତି ତିଆରି କରିଛୁ ଏବଂ ମଣିଷ ପରି ଭଗବାନଙ୍କ ଲୀଳାଖେଳା ଦେଖି ତାଙ୍କୁ କୌଣସି ଜାତିରେ ଜାବୁଡି ଧରିଛୁ ହେଲେ ମାଆ ସେ ପରା ନିରାକାର, ପରଂବ୍ରହ୍ମ. ସେ ଭକ୍ତିର ଦାସ. ସେ କେବେ ଦାସିଆ ବାଉରୀର ତ କେବେ ବନ୍ଧୁ ମହାନ୍ତିଙ୍କର, କେବେ ସାଲବେଗଙ୍କର ତ କେବେ ଭୀମଭୋଇଙ୍କର ତ ପୁଣି କେବେ ଜୟଦେବଙ୍କର ତେଣୁ ଜଗନାଥଙ୍କ ଜାତି ମଣିଷ ଭିତରେ ଥିବା ମନୁଷ୍ୟତାର. ଯାହା ଭିତରେ ମଣିଷପଣିଆ ଓ ଭକ୍ତି ଯେତେ ଆବେଗମୟ ସେ ହିଁ ଜଗନ୍ନାଥଙ୍କର ଓ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ତାଙ୍କରି ଜାତିର. ବୋଉ ମୁହଁକୁ ଚାହିଁ ଶିଳ୍ପା ଭାବୁଥିଲା ଏତେ ଜ୍ଞାନ, ଗୁଣ, ବୁଦ୍ଧି କୋଉଠୁ ପାଇଲୁ ବୋଉ? ବୋଉ ଆଖି ପୋଛି କହୁଥିଲା ସବୁ ତୋ ବାପାଙ୍କଠୁ. ଛାତି ଚିରି ହୋଇଯାଉଥିଲେ ବି ଅଲକ୍ଷରେ ବାପାଙ୍କୁ କ୍ଷମା ମାଗି ବୋଉକୁ ତା ସହ ଯିବାକୁ କହିଥିଲା ଶିଳ୍ପା. ବୋଉର କିନ୍ତୁ ପଦିଏ କଥା, ସେ ବେଳ ଆସୁ ଝିଅ. ଏଠି ତୋ ବାପାଙ୍କ ପିକଦାନୀ କିଏ ଘଷି ମାଜି ଚକଚକ କରିବ, ବାପାଙ୍କ ପାନବଟୁଆ ଝଡ଼ାଝଡି କରି କିଏ ଥୋଇବ ସର୍ବୋପରି ବାପାଙ୍କୁ ଧୂପ ଦୀପ ଫୁଲ ଅର୍ପଣ କରି ତାଙ୍କ ଚଷମା, ଡାଇରୀ ଓ ପେନ ସବୁ ଅନ୍ତତଃ ମୁଁ ଥିବା ଯାଏଁ ରଖାଥୁଆ କରୁଥାଏ ମାଆ. ଶିଳ୍ପା ଚାହିଁଲା ବୋଉ ମୁଁହକୁ ଆଉ ଫେରିଆସିବା ପୂର୍ବରୁ ପଣତ ତିନ୍ତି ଯାଇଥିଲା ବୋଉର, ଶିଳ୍ପା ଲୁହ ଓ କୋହରେ ।
ଏଥର କିନ୍ତୁ ପରିସ୍ଥିତି ଭିର୍ନ୍ନ ଥିଲା. ଏ ଭିତରେ ଭଡାଘରେ ଥିବା ମାଉସୀଙ୍କର ଦେହାନ୍ତ ହୋଇସାରିଥିଲା. ହରିହର ମଉସାଙ୍କ ଅବସ୍ଥା ଦେଖି ସହି ହେଉନଥିଲା. ସବୁ ଥାଇ ମଧ୍ୟ ସାଥି ବିନା ଜୀବନ କେଡେ ଅସାର ଏକଥା ବୁଝିବାକୁ ଶିଳ୍ପାକୁ ବାକି ନଥିଲା ତ ସେ ଦଉଡି ଆସିଥିଲା ଗାଁକୁ. ବୋଉକୁ ଯେମିତି ହେଲେ ନେଇକି ଯିବ.ବୋଉ ସଜାଡୁଥିଲା ତା ଜିନିଷ ପତ୍ର ଯୋଉଥିରେ ତା ନିଜ ଅପେକ୍ଷା ବାପାଙ୍କ ବ୍ୟବହୃତ ଜିନିଷ ଅଧିକା ଥିଲା. ଏସବୁ କାହିଁକି ନେଉଛୁ ବୋଉ? ପଚାରି ଦେଇ ଶିଳ୍ପା ନିଜକୁ ଧିକ୍କାର କରୁଥିବା ବେଳେ ବୋଉ କହୁଥିଲା ମତେ ଥରେ ସେଇଠିକୁ ନେଇ ଯିବୁ ମାଆ? କୋଉଠିକୁ ବୋଉ?ସେଇ ଘାଇର ଶେଷ ମୁଣ୍ଡ, ଯୋଉଠି ତୋ ବାପାଙ୍କ ସହ ମୋର ଶେଷ ନିଶ୍ୱାସ ଏକାଠି ଚାଲିଥିଲା କିଛି ସମୟ.ଶିଳ୍ପା ଚାହିଁଥିଲା ବୋଉକୁ. ବୋଉ ଆଖିର ଲୁହକୁ ସାଇତି ରଖିବାକୁ ତା ପାପୁଲି ନିଅଣ୍ଟ ଥିଲା. ।
