ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

4  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ବିଶ୍ୱାସର ବସୁନ୍ଧରା

ବିଶ୍ୱାସର ବସୁନ୍ଧରା

8 mins
14.8K


ବିଶ୍ୱାସର ବସୁନ୍ଧରା

ତୁମେ କାହାର ? ଯିଏ ସେବା ତର୍ପଣରେ ବୁଡ଼ି ରହେ, ତା’ର. . . ନା, ଯିଏ ତୁମକୁ ନେଇ, ଭକ୍ତି ଭାବନାରେ ଭାସୁଥାଏ, ତାହାର ? ମୁଁ ତ ଚଉଦବର୍ଷ କାଳ ଭକ୍ତିରେ କି ଭାବନାରେ ତୁମକୁ ଗ୍ରହଣ କରିନଥିଲି । କ’ଣ ମୋ ଶାଶୂଙ୍କ ସବୁ ପୁଣ୍ୟର ଫଳ, ମୋରି ପେଟରେ ଅଜାଡ଼ି ଦେଲ ? . . . କିମ୍ୱା ଶାଶୂଙ୍କ କଥାରେ ମୁଁ ଅସହାୟା ଦ୍ରୌପଦୀ ପରି ହାତ ଟେକି ଦେଲି ବୋଲି. . . ମୋତେ ନିଃସନ୍ତାନ ଦୋଷରୁ ଉଦ୍ଧାର କରିଦେଲ ପ୍ରଭୁ !

ପୁଣି କହୁଥାଏ ଲୀନା- “ତୁମେ ଦୁହେଁ ଯେମିତି ଚିରକାଳ ହସହସ. . . ସେମିତି ହସ ଲଖାଇ ରଖିବ- ତୁମରି ଦାନର ଓଠରେ । ତାକୁ ଚାହିଁଲାକ୍ଷଣି. . . ଯେମିତି ମୋତେ ତୁମ ମୁହଁ ଦିଶିବ । ତୁମ ହସ ଝରିବ । କୃପା କରିବ ତ ଠାକୁରେ !”

ରାଧାଦାମୋଦରଙ୍କ ଚନ୍ଦନ ଚର୍ଚ୍ଚିତ ପଥର ଦେହରୁ ବାସ୍ନା ଝରିଆସୁଥାଏ ତ. . . ସେହି ମହକରେ ମୁଗ୍ଧା ଲୀନା ଭାବୁଥାଏ- ଠାକୁରେ କ’ଣ ଶବ୍ଦରେ ଉତ୍ତର କରନ୍ତେ । ତାଙ୍କ ଇଙ୍ଗୀତରେ ବହୁଥିବା ପବନରେ ଚନ୍ଦନର ବାସ୍ନା. . . ଯେମିତି ଚିତ୍ତ ଚମକାଇ କହୁଛି- “ତଥାସ୍ତୁ ଲୀନା. . . ତଥାସ୍ତୁ !”

ପୁଣି ଭାବନା ଅନ୍ୟ ବାଗର-

ଡାରଉଇନ୍‌ଙ୍କ ବିବର୍ତ୍ତନବାଦଠୁ, ମେଣ୍ଡାଲ୍‌ଙ୍କ ବଂଶାନୁକ୍ରମର ବିକାଶ. . . କେହି ତ କହିନାହିଁ-ପୂଜା କଲେ, ପିଲା ହୁଏ ।

ପ୍ରାଚ୍ୟ ମୁନିଋଷିଙ୍କ ସିଦ୍ଧାନ୍ତ- ପରମାତ୍ମା ଓ ଆତ୍ମାର କଥା କହିଛି । ଇଚ୍ଛାରୁ ପ୍ରାଣରସର ରେଖା. . . ରେଖାରୁ ବିନ୍ଦୁ, ବିନ୍ଦୁରୁ ରୂପ ସର୍ଜନାର କଥା କହୁଛି- ଆମ ଆର୍ଷ ସାହିତ୍ୟ । ଆହୁରି ଗହନ କଥାକୁ ସ୍ପଷ୍ଟ କରିଦେଉଛି- ରୂପ ସର୍ଜନାର ବିନ୍ଦୁ ସ୍ୱରୂପ ପ୍ରାଣବ୍ରହ୍ମ ରେଖା ହେବା ଆଗରୁ, ସର୍ପ ପରି ମୋଡ଼ି ହୋଇ, ନିଦ୍ରାରେ ଥାଆନ୍ତି ମୂଳାଧାର ଚକ୍ରରେ । ଯୋଗମାୟାଙ୍କ ଇଚ୍ଛାରେ, ନିଦ୍ରାଛାଡ଼ି ସେ ଆସନ୍ତି ସ୍ୱାଧିଷ୍ଠାନ ଚକ୍ରକୁ । ଝରିଯାଆନ୍ତି ରେଖା ହୋଇ । ରେଖାରୁ ବିନ୍ଦୁ ଓ ବିନ୍ଦୁରୁ ପ୍ରାଣ- ବ୍ରହ୍ମର ସ୍ଥାପନା ହୁଏ । ପରମ ଯୋଗୀ ପତଞ୍ଜଳୀଙ୍କ ବିଚାରରେ- ପ୍ରକୃତି ରୂପିଣୀ ଯୋଗମାୟାଙ୍କର ବିନ୍ଦୁରୁ ବ୍ରହ୍ମରୂପୀ ପରମଙ୍କ ସହିତ ମିଳନ ହିଁ

. . . ଏକ ନୂତନ ଜୀବଧାରୀର ଦେହ ସୃଷ୍ଟି କରେ । ବିଜ୍ଞାନ କହେ- “ନାରୀର ଡିମ୍ୱାଣୁ ଓ ପୁରୁଷର ଶୁକ୍ରାଣୁରୁ ମିଳନରେ ପ୍ରାଣୀର ଉତ୍ପତ୍ତି । ଏ ଦୁଇଙ୍କୁ ଯଦି ପ୍ରକୃତି ଓ ପରମ ନାମ ଦିଆଯାଏ. . . ତେବେ ବିଜ୍ଞାନ ଓ ଅଧ୍ୟାତ୍ମବିଜ୍ଞାନ ବିଚାରରେ. . . ଶରୀର ସୃଷ୍ଟିର କଥା ତ ଗୋଟିଏ ।”

ସେମିତି, ବିଜ୍ଞାନ ଯାହାକୁ ଚିତ୍ତବୃତ୍ତି କହୁଛି, ମନୋବିଜ୍ଞାନ, ଅଧ୍ୟାତ୍ମବିଜ୍ଞାନ ତାକୁ ପଚିଶ ପ୍ରକୃତି ରୂପରେ ବିଚାର କରୁଛି । ଅଧ୍ୟାତ୍ମବିଜ୍ଞାନ ମନକୁ ନେଇ, ଯେଉଁ ସୂକ୍ଷ୍ମତମ ବିଚାର କରିଛି- ତାକୁ ମନ, ଅମନ, ବିମନ, ସୁମନ ଓ କୁମନ ନାମରେ ଅଭିହିତ କରି, ବିଜ୍ଞାନ ଏହାଠୁ ଅଧିକ କ’ଣ ବା କରିଛି ? ପୁଣି. . . ବିଜ୍ଞାନ ତ ଏବର । ଅଧ୍ୟାତ୍ମ ବିଜ୍ଞାନ କେଉଁ ସୁଦୂର ଅତୀତର ।

ବିଜ୍ଞାନର ଅଧ୍ୟାପିକା ଲୀନାର ମନ ଅଧ୍ୟାତ୍ମବିଜ୍ଞାନ ପକ୍ଷରେ ରହି, ତାକୁ ବିଭୋର କରିଚାଲିଲା । ଏବେ ସେ ଏହି ସିଦ୍ଧାନ୍ତରେ ପହଞ୍ଚିଲା ଯେ- ମନର ସୂକ୍ଷ୍ମ ଓ ସ୍ଥୂଳ ଭେଦରେ ରୂପ ଦୁଇଟି । ମନ ପାଖରେ ସ୍ଥୂଳ ରୂପର ରାଧାଦାମୋଦରଙ୍କ ପଥର ମୁର୍ତ୍ତି ଯାହା, ସୂକ୍ଷ୍ମ ରୂପରେ ପ୍ରତି ଘଟରେ ଏ ଦୁହିଁଙ୍କ ଅବସ୍ଥିତି ବି ତାହା ।

ରାଧାଦାମୋଦର ହିଁ ପ୍ରକୃତି ଓ ପରମ. . . ଡିମ୍ୱାଣୁ ଓ ଶୁକ୍ରାଣୁ । ଦୁହିଁଙ୍କର ମିଳିତ ରୂପ- ଅର୍ଦ୍ଧାଙ୍ଗ ଈଶ୍ୱର, ଅର୍ଦ୍ଧାଙ୍ଗ ପାର୍ବତୀଙ୍କ ତଲ୍ଲୀନ ରୂପ. . . ଯେ କେହି ପ୍ରାଣୀ । ପରମା ଈଶ୍ୱରୀ ଓ ପରମ ଈଶ୍ୱର ରୂପରେ, ସେମାନେ ଜଗତକୁ କ୍ରିୟାଶୀଳ କରିଛନ୍ତି ।

ଇଚ୍ଛାହେଲା ପଚାରିବାକୁ, ଶାଶୂଙ୍କୁ- ପରମବ୍ରହ୍ମ ଓ ପରମ ବ୍ରହ୍ମାଣୀଙ୍କଠୁ ଆଉ କେହି ବଡ଼ ଅଛନ୍ତି କି. . . ଯେ କି, ଏ ଦୁହିଁଙ୍କ ଦ୍ୱାରା, ନିଜ ଇଚ୍ଛାକୁ ରୂପ ଦେଇଛନ୍ତି ।

ମୂଳରୁ ଲୀନା ବିଜ୍ଞାନର ଯଥାର୍ଥତା ପ୍ରତି ବିଶ୍ୱାସ ରଖୁଥିଲା । ଏବେ ସେଥିରୁ ଘୁଞ୍ଚିଆସି, ଆଧ୍ୟାତ୍ମିକତା ପ୍ରତି ଭରସା ରଖିଲା । ରାଧାଦାମୋଦରଙ୍କୁ ତା’ ବିଶ୍ୱାସର ପ୍ରତୀକ ରୂପେ ଗ୍ରହଣ କରୁଥିଲେ ବି, ଦୋଦୁଲ୍ୟମାନ ମନର ଅବସ୍ଥା ବେଳେ ବେଳେ. . . ! !

ନାନା ପ୍ରଶ୍ନ ଆସୁଛି ମନକୁ- ଆଦୌ କେହି ଦେଖିନଥିବା ବ୍ରହ୍ମ ଓ ଦେଖି ଦେଉଥିବା ବ୍ରହ୍ମାଣ୍ଡ ଭିତରୁ କିଏ ସତ. . . କିଏ ମିଛ ? ପଚାରିବାକୁ ଇଚ୍ଛା ହେଉଛି ଶାଶୂଙ୍କୁ, କିନ୍ତୁ ପଚାରିପାରୁନାହିଁ ଲୀନା । ଘରର ସବୁ ବଖରାରୁ ବୁଲିଆସି, ଜଳୁଥିବା ଆଳତିକୁ ରାଧାଦାମୋଦର ବିଗ୍ରହଙ୍କ ବିମାନ ଆଗରେ ରଖି, ଆଣ୍ଠେଇ ପଡ଼ିଲେ ଭକ୍ତିମତ ସୁଧାଦେବୀ । ଆଖିମୁଦି. . . ହାତ ଯୋଡ଼ି ଦେଇ ଗାଇଲେ-

. . . ଓଁ ସଚ୍ଚିଦାନନ୍ଦ ରୂପାୟ. . . ନମୋଽସ୍ତୁ ପରମାତ୍ମନେ

ଜ୍ୟୋତିର୍ମୟ ସ୍ୱରୂପାୟ. . . ବିଶ୍ୱ ମାଙ୍ଗଲ୍ୟ ମୂର୍ତ୍ତୟେ ।

ନୈବେଦ୍ୟ ଅର୍ପଣ ପରେ, ଜଳ ତୁଳସୀ ଓ ପଞ୍ଚାମୃତ ଦେଲେ ବୋହୂକୁ । କହିଲେ- “ଏଇ ଅବସ୍ଥାରେ, ତୋର ବିନା କାହାରି ସାହାଯ୍ୟରେ ଏଠିକୁ ଆସିବା ନଥିଲା ।”

ମୋ ରାଧାଦାମୋଦର ସାଥୀରେ ଅଛନ୍ତି, ନା । ଲୀନା କହିଲା- ତୃପ୍ତି ସ୍ୱରରେ ।

ବିଲୋକ ହସରର ରେଖାଟିଏ ଆଙ୍କି ହୋଇଗଲା- ସୁଧାଦେବୀ ଓଠ ଧାରରେ । କହିଲେ- “ଏଇ ମୋର ଆସିଲେ ଯାଇ, ସେ ସାରାକାଳ ନିଜର ହୋଇ ରହନ୍ତି ମା’ । ତାଙ୍କୁ ଆଶ୍ରା କରିଥିବ ଲୋକର ସବୁ ଦୁଃଖକୁ ସେ ନିଜର କରି, ତା’ ଓଠରେ ହସ ଭରନ୍ତି । ଏହି ପାଇଁ, ତାଙ୍କର ନାଁ- ଦୁଃଖମୋଚନ ।

. . . ତୁ ଲୀନା, ତାଙ୍କର ଏ ସ୍ଥୂଳରୂପ ଆଗକୁ ନ ଆସି, ତୋ ଶେଯରେ ଶୋଇ ବସି. . . ସୂକ୍ଷ୍ମ ରୂପର ପୂଜା ଆରାଧନା କରିପାରିବୁ । ତାଙ୍କ ଅଦୃଶ୍ୟ ଆଶୀର୍ବାଦର ସ୍ପର୍ଶ ପ୍ରତ୍ୟକ୍ଷ ଭାବରେ ପାଇପାରିବୁ ।”

– କେମିତି ବୋଉ ?

ସୁଧାଦେବୀ କହିଲେ- “ସୂକ୍ଷ୍ମଙ୍କୁ ଧ୍ୟାନର ଆଖିରେ ଦେଖିବା ସହଜ ନୁହେଁ ବୋଲି, ପ୍ରଥମେ ସ୍ଥୂଳ ରୂପର ପୂଜା ହୁଏ । ସ୍ଥୂଳ ରୂପକୁ ଆରାଧ୍ୟ ମନେକରି, ତାଙ୍କ ପୂଜାରେ ମଗ୍ନ ରହିଗଲେ, ସେ ସୂକ୍ଷ୍ମରେ ବଦଳି ଯାଆନ୍ତି । ସେହି ସୂକ୍ଷ୍ମଙ୍କୁ ଭକ୍ତିଧାରାର ପ୍ରେମ ମାର୍ଗରେ ବଦଳାଇ ଦେଲେ, ଆରମ୍ଭ ହୁଏ ମାନସପୂଜା ।”

. . . ମନେ ମନେ ସେହି ଆରାଧ୍ୟାଙ୍କ ଶଯ୍ୟାତ୍ୟାଗ, ଶୌଚାଦି କର୍ମ, ଦନ୍ତମଞ୍ଜନ, ସ୍ନାନତର୍ପଣ, ଚିତାଧାରଣ, ବସନ ଭୂଷଣ ଓ ଆହାରାଦି ନାନାକର୍ମ ସମାପନ କରାଯାଏ ଆମ ମନୁଷ୍ୟଙ୍କ ପରି । ସାରାଦିନର କର୍ମ କରାଇବା ପରେ, ପୁଣି ତାଙ୍କୁ ମଧ୍ୟାହ୍ନ ଓ ରାତିରେ ଶଯ୍ୟାରେ ଶୁଆଇ ପକାଇବା ପର୍ଯ୍ୟନ୍ତ. . . ସମସ୍ତ କର୍ମ ମନେ ମନେ କରାଯାଏ । ପୁଅ ଝିଅଙ୍କର ମା’ ପରି. . . ବାପ ପରି. . . ସ୍ୱାମୀଙ୍କର ସ୍ତ୍ରୀ ପରି. . . ପ୍ରଭୁଙ୍କର ସେବାକାରୀ ଅବା ସେବାକାରିଣୀ ପରି ସମସ୍ତ ସେବା, ନିର୍ଦ୍ଦିଷ୍ଟ ଧାରାରେ, ପ୍ରେମ ଓ ଶ୍ରଦ୍ଧାର ସହିତ, ମନେ ମନେ କରାଯାଏ । ଏହା ହିଁ ମାନସ ପୂଜା । ଏ ପୂଜା ପୁଣି ଆରମ୍ଭ ହୁଏ ପରଦିନ ପ୍ରତ୍ୟୁଷରୁ. . . ମଙ୍ଗଳ ଆଳତି ଆରମ୍ଭରୁ । ଆରାଧ୍ୟଙ୍କୁ ନିଦ୍ରାରୁ ଉଠାଇବା ସମୟରୁ । କେତେ ଯେ ମଗ୍ନ ରହିଲେ ଯାଇ, ଏ ପୂଜା ସମ୍ଭବ. . . ଅନୁମାନ କର । ଏତେ ଆନନ୍ଦ ସେପରି ପୂଜାରୁ ମିଳେ, ଯାହା ଦୁନିଆଁର କୌଣସି ସୁଖ ସମ୍ଭୋଗରେ ନଥାଏ ।

. . . ହେଉ, ଏବେ ଧର୍ ମୋ କାନ୍ଧ । ଚାଲ୍ ତୋ ବିଶ୍ରାମ ଜାଗାକୁ । ତୋ ପିଲାକୁ ଏବେ ଧୀରସ୍ଥିର ହୋଇ ରହିବାକୁ ଦେ । ସେ ତା’ ପ୍ରଭୁଙ୍କୁ ହାତଯୋଡ଼ି, ନିରବରେ ପ୍ରାର୍ଥନା କରୁଥାଉ ତ. . . ତା’ ପାଇଁ ତୋ ଗର୍ଭର କ୍ଷୀର ସାଗରରେ । ତୁ ବିଚଳିତ ହେବୁ ତ. . . ସେ ଅସ୍ଥିର ହେବ । ସେ ଅସ୍ଥିର ହେବ ତ. . . ତା’ର ପୃଥିବୀକୁ ଆସିବା ବାଟରେ ବାଧା ପହଞ୍ଚିବ । ଆଉ କେଇଟା ଦିନ ଅପେକ୍ଷା । ସେ ସମୟ ଆସିଲେ, ସେ ନିଜେ ହିଁ ବନ୍ଦ ଦ୍ୱାର ଖୋଲି, ତା’ ଈଶ୍ୱରଙ୍କ ସଂସାର ଦେଖିବା ପାଇଁ, ଅଥୟ ହେଇ ସଙ୍କେତ ଦେବ । ସେଯାଏ ଦେହ କଷ୍ଟକୁ ଦାନ୍ତଜାବି ସହିଯା’ ମା’. . . ।

ଲୀନାକୁ କମର ପାଖରୁ ଧରୁ ଧରୁ ସୁଧାଦେବୀ ପଚାରିଲେ-

“. . . ପ୍ରଣୟ କେବେକୁ ଡେଟ୍ ଦେଇଛି ?”

– ଆଉ ଚାରିଟା ଦିନ ରହିଲା ବୋଉ ।

“. . . ଫୋନ୍ କରିଥିଲା – ସେ କେବେ ଆସୁଛି ?”

ଲୀନା କ’ଣ ଉତ୍ତର କରିବାକୁ ଚାହୁଁଥିଲା ତ. . . ସୁଧାଦେବୀ କହିଲେ- “ସେ ଯେବେ ଆସୁଛି ଆସୁ । ତା’ ବୁଦ୍ଧିରେ, ମୁଁ ତତେ ନର୍ସିଂହୋମ୍‌ରେ ପୂରାଇବି ନାହିଁ । କି. . . ଡାକ୍ତରଙ୍କ ଦ୍ୱାରା ପେଟ ଚିରାଇବି ନାହିଁ । ତୋର ମୋର ରାଧାଦାମୋଦର ଅଛନ୍ତି ପରା । ସେ ସବୁକଥା ବୁଝିବେନି କି !”

– କିନ୍ତୁ ବୋଉ ! ସେ କହୁଛନ୍ତି- ବୟସ ଅଧିକ ହେଲାଣି । ଅଣ୍ଟା ଓ ଜଙ୍ଘ ପାଖର ହାଡ଼ ଖୁବ୍ ଶକ୍ତ ହେଇଥିବା ସହିତ, ମାଂସପେଶୀ ଦୃଢ଼ ହେଇଗଲାଣି । ସଞ୍ଚାଳନ କ୍ଷମତା କମିସାରିଛି । ଏଣୁ, ଡେଲିଭରୀ ସମୟରେ ସମସ୍ୟା ଦେଖାଦେବ । ପିଲାଟାର ନରମ ଖପୁରୀ ତଳେ ବ୍ରେନ୍ ଚିପି ହେଇଯିବ । ବ୍ରେନୀ ହେବ ନାହିଁ ପିଲାଟା । କିଛି ଶାରୀରିକ ଅକ୍ଷମତା ମଧ୍ୟ ଦେଖା ଦେଇପାରେ ।

ସୁଧାଦେବୀ ବିରକ୍ତ ହେଇ କହିଲେ- “ସେ ଯାହା ବି ବୁଝାଉଛି, ତତେ ବୁଝାଉ । ମୋର ସେଥିରେ ପଶିବାର ନାହିଁ, କି. . . ତତେ ମୋ ରାଧାଦାମୋଦରଙ୍କ ପାଖରୁ, ଅନ୍ତର କରିବାର ନାହିଁ । ଶୁଖିଲା ଲତାରେ ଫଳ ଧରାଇଛନ୍ତି ସେ । ଫଳ ତୋଳିବାର ଦାୟିତ୍ୱ ତାଙ୍କର ସେ ମାଳି ପରା । ତୋଳିବେ. . . କି, ଝଡ଼େଇବେ, ତାଙ୍କ ଇଚ୍ଛା । ଡାକ୍ତର କ’ଣଟା କରିବ ! ? !”

ସେଦିନ ସନ୍ଧ୍ୟାରେ ପୁଅ ପ୍ରଣୟ ପହଞ୍ଚିଲା ।

ଗାଇନିକ୍ ସ୍ପେସିଆଲିଷ୍ଟ୍ ବୋଲି, ଜିଦି ଧରିଲା- ଲୀନାକୁ ନର୍ସିଂହୋମ୍‌ରେ ଭର୍ତ୍ତି କରିବାକୁ । ବୋଉଙ୍କୁ ବିରୋଧ କରି କହିଲା- “ତୁ କ’ଣ ଗୋଟେ ମୂର୍ଖ ନାତି କି ନାତୁଣୀ ଦେଖିବାକୁ ଚାହୁଁଛୁ ? ମୁଁ ଡାକ୍ତର. . . ଜାଣେନି- କେଉଁଟା ଭୁଲ୍, କେଉଁଟା ଠିକ୍ ? ତୁ ଚାହୁଁ କି- ଯୋଉ ବୋହୂଙ୍କୁ ତୁ ଝିଅଠୁ ଅଧିକ କରୁ, ତାଙ୍କ ଜୀବନକୁ ବିପଦ ଆସୁ । ଗୋଟାଏ ମଲାଛୁଆ ଜନ୍ମ ହେଉ କିମ୍ୱା ଓ.ଟି.ରୁ ଧଳା ଚାଦର ଢାଙ୍କି ହେଇ, ଆଇସ୍ ରୁମ୍‌କୁ ପଶନ୍ତୁ- ତୋ ଗେହ୍ଲୀ ବୋହୂ ।”

– ଆରେ ପ୍ରଣୟ । ତୁ ଏମିତି କ’ଣ କହୁଚୁ ??

. . . ମୁଁ କାହାରି କଥା ଶୁଣିବି ନାହିଁ । ସେହି ପଥରକୁ ଠାକୁରମାନ. . . ମୋର କିଛି କହିବାର ନାହିଁ, କିନ୍ତୁ ତୁମେ ଶାଶୂବୋହୂ ଏମିତି କୁସଂସ୍କାରରେ ବୁଡ଼ିକି ଫସିଛ ଯେ. . . ଲୀନା ବି ମନା କରୁଛନ୍ତି- ନର୍ସିଂହୋମରେ ଏଡ୍‌ମିସନ୍ ନେବାକୁ । ଫାର୍ଶ ଲାଗିଛି, ଆଁ !

ସୁଧାଦେବୀଙ୍କ ଅଟଳ ବିଶ୍ୱାସର ଆକାଶକୁ କଳାବାଦଲ ଛାଇଗଲା । ଛଳଛଳ ଆଖିରେ ପୁଅ ମୁହଁକୁ ଚାହିଁ, କେବଳ ଏତିକି କହିଲେ- “ତୁ ଏଡ଼େ ବଡ଼ ଡାକ୍ତର ହେଲୁ । ତତେ ମୁଁ ଡାକ୍ତରଖାନାରେ ଜନ୍ମ ଦେଇ ନ ଥିଲିରେ ପ୍ରଣୟ । ମୋ ଶାଶୂ ତୋତେ ପୃଥିବୀକୁ ଆଣିବା ପାଇଁ, ମୋରି ପରି ବ୍ରତ ପାଳିଥିଲେ । ମୋ ରାଧାଦାମୋଦର. . . ତାଙ୍କର ବି ରାଧାଦାମୋଦର ଥିଲେ । ଯାହାଙ୍କୁ ପଥର କହୁଚୁ. . . ତାଙ୍କଠାରେ ଅପାର ଶକ୍ତି ଅଛି ବୋଲି ସେ ଜାଣିଥିଲେ. . . ମୁଁ ବି ଜାଣିଛି । ହେଉ. . . ତୋ ଇଚ୍ଛା । କାହିଁକି ନା. . . ତୁ ଛୁରୀ କଇଁଚି ଧରିବା ଶିଖିଚୁ. . . ଫୁଲମାଳ କି, ଚନ୍ଦନ, ଆଳତି ଧରିବା ଶିଖିନାହୁଁ । ସବୁ ମୋରି ଦୋଷରୁ ବାବା । ଏବେ ତୋ ଇଚ୍ଛା ।”

କେବଳ ଏତିକି କହି, ସୁଧାଦେବୀ ପୂଜା ଘରକୁ ପଶି, ଭିତରୁ କବାଟ କିଳି ଜଞ୍ଜିର ଲଗାଇ ଦେଲେ । ସନ୍ଧ୍ୟା ସମୟର ଜଳଖିଆ ଖାଇଲେନି କିମ୍ୱା କଫି କପେ ପିଇଲେ ନାହିଁ । ଲମ୍ୱ ହେଇ ପେଟେଇ ପଡ଼ିଲେ- ଫୁଙ୍ଗୁଳା ହାତ ଯୋଡ଼ିଏକୁ ରାଧାଦାମୋଦରଙ୍କ ପାଦ ଚାରୋଟି ଆଡ଼େ ବଢ଼େଇ ଦେଇ ।

ଆଖିରୁ ଧାର ଧାର ଲୁହ ଝରି ଚାଲିଲା. . . ।

ତେଣେ ପଲଙ୍କ ଶେଯରେ ଗର୍ଭ କଷ୍ଟରେ ଚିତ୍କାର କରୁଥାଏ ଲୀନା । ପ୍ରଣୟ ନର୍ସିଂହୋମ ଆମ୍ବୁଲାନ୍ସ ଗାଡ଼ିକୁ ତ. . . ଶହେ ଆଠ ଆମ୍ବୁଲାନ୍ସ ପାଇଁ ସରକାରୀ ହସ୍ପିଟାଲ୍କୁ ବାରମ୍ୱାର ଫୋନ୍ କରୁଥାଏ । ଯିଏ ଆଗେ ପହଞ୍ଚିବ, ସେହିଥିରେ ସେ ଲୀନାକୁ ଧରି, ବାହାରି ଯିବ ।

ରିଙ୍ଗ୍ ହେଉଥାଏ. . . କେହି ବି ଆଟେଣ୍ଡ୍ କରୁନଥାନ୍ତି ।

ପ୍ରଣୟ ବାରମ୍ୱାର ଟ୍ରାଏଲ୍ କରୁଥାଏ ।

ବ୍ୟସ୍ତ ହେଉଥାଏ ।

ପୂଜାଘର ଭିତରକୁ କିଛି ବି ଶୁଭୁନଥାଏ. . . ।

ସୁଧାଦେବୀ ବିକଳ ସ୍ୱରରେ କହୁଥାନ୍ତି- “ପ୍ରଭୁ ପଦରେ କଳଙ୍କ ଲାଗିଯିବ ହେ ରାଧାଦାମୋଦର । ଅଟଳ ବିଶ୍ୱାସର ପାହାଡ଼କୁ ଚୂନା କରିଦିଅନା । ତମେ କଂସର ବନ୍ଦୀଶାଳାରେ ବାରମ୍ୱାର ଦେବକୀଙ୍କୁ ଉଦ୍ଧାର କରିପାର । ବିଚାରୀ ଲୀନାକୁ ଥରେ ମାତ୍ର କାହିଁକି ନୁହେଁ ମହାପ୍ରଭୁ ? ପ୍ରଭୁପଣର ନିନ୍ଦା ସହିପାରିବିନି । ତମରି ଆଗରେ ପ୍ରାଣ ଛାଡ଼ିଦେବି ଠାକୁରେ । ଦୟାକର. . . କୃପାସାଗର !”

ସୁଧାଦେବୀ ଭିତରୁ କିଳିଥିବା ପୂଜାଘର କବାଟକୁ, ବାହାରୁ ଧଡ଼ଧଡ଼ କରୁଛି- ପ୍ରଣୟ । ଚିତ୍କାର କରି କହୁଛି- “ବୋଉ ! କବାଟ ଖୋଲ୍. . . ଶୀଘ୍ର ଆ. . . ! ଖୋଲ କବାଟ. . . ନ ହେଲେ, ଭାଙ୍ଗିଦେବି । ଲୀନା ମୂର୍ଚ୍ଛା ହେଇଯାଇଛନ୍ତି, ବୋଉ. . . ।

ଧ୍ୟାନ ତୁଟିଗଲା ସୁଧାଦେବୀଙ୍କର ।

ତାଙ୍କୁ ଲାଗିଲା- ଯେମିତିକି ବିଚାରୀ ଦେବକୀ ଶ୍ରୀକୃଷ୍ଣଙ୍କୁ ବନ୍ଦୀଶାଳାରେ ଜନ୍ମ ଦେଇସାରିଲେଣି । ଏବେ ଧଡ୍‌ଧାଡ୍. . . ଝଣ୍‌ଝାଣ୍ ହେଇ, ଖୋଲି ଯାଉଛି ବନ୍ଦଦ୍ୱାର । ବସୁଦେବ ଗୋପପୁରକୁ ବାହାରିଲେ ଅବା. . . ! !

. . . ଏବଂ ଏବେ ତାଙ୍କୁ ଶ୍ରୀକୃଷ୍ଣଙ୍କ ଜନ୍ମକାଳର ଆଦ୍ୟ ଓଁକାର ପରି କୁଆଁ କୁଆଁ ଧ୍ୱନି ଶୁଭିଲା । ବାରମ୍ୱାର ସେହି ହୃଦୟ ଉଲ୍ଲାସକାରୀ- କୁଆଁ. . . କୁଆଁ. . . କୁଆଁ. . . ! ! ଯେମିତିକି. . . ଅଟଳ ବିଶ୍ୱାସର ଛାତିରେ ବିନ୍ଦୁ ବିନ୍ଦୁ ଅମୃତ ଝରି ଝରି ଯାଉଛଟି ! ! ! ଝରୁଛି- ବିଶ୍ୱାସର ଗଙ୍ଗାଧାରା !

ସୁଧାଦେବୀ ପ୍ରତିଟି କୁଆଁ ଧ୍ୱନିରେ. . . ଥରକୁ ଥର ଚମକି ପଡ଼ିଲେ । ବିଭିନ୍ନ ଅଙ୍ଗକୁ ବାରମ୍ୱାର ଚିମୁଟିପକାଇ ଅନୁଭବ କଲେ- ସେ ଯେ ପ୍ରକୃତରେ ସଚେତନ ଅଛନ୍ତି ! ! ତେବେ ଏ କୁଆଁ କୁଆଁ ! !

ଚାହିଁଲେ ରାଧାଦାମୋଦରଙ୍କୁ ।

ସେ ଦୁହେଁ ହସୁଚନ୍ତି- ଆଗପରି ନିର୍ମଳ. . . ପୁଣି ରହସ୍ୟର ହସ ।

ସୁଧାଦେବୀଙ୍କ ବିଷାଦର ପାଣ୍ଡୁର ମୁହଁକୁ. . . ବାରମ୍ୱାର ତାଙ୍କ ଆନନ୍ଦର ଅଶ୍ରୁଜଳ ଧୋଇ ଧୋଇ ସୁନ୍ଦର କରିଚାଲିଲା. . . ।

ସେ ଦ୍ୱାର ଖୋଲିବା ସଙ୍ଗେ ସଙ୍ଗେ ତାଙ୍କୁ ଶୁଭିଲା- ଲୀନା ସୁସ୍ଥ ମଣିଷର ସ୍ୱରରେ କହୁଛି ପ୍ରଣୟକୁ-

“ଡାକୁଛନା ବୋଉଙ୍କୁ । ଡାକ. . . ।

ସେ ତାଙ୍କ ନାତୁଣୀକୁ ନିଅନ୍ତୁ. . . ।

ତମେ କ’ଣଟା କରିବ ଯେ ।”


Rate this content
Log in

Similar oriya story from Inspirational