ବିପ୍ଳବୀ ରଘୁ ଓ ଦିବାକର
ବିପ୍ଳବୀ ରଘୁ ଓ ଦିବାକର
ରଣପୁର ଗଡ଼ଜାତ ଅଞ୍ଚଳ ଥିଲା l ସେଠାକାର ଅଧିବାସୀମାନେ ରାଜା ଏବଂ ତାଙ୍କ ଅମାତ୍ୟମାନଙ୍କ ଦ୍ଵାରା ଅତ୍ୟାଚାରିତ ହେଉଥିଲେ l ରାଜା, ଦେଵାନ, ଅମାତ୍ୟମାନଙ୍କ ସହ ହାତ ମିଳାଇଥିଲେ ଦୁର୍ଦ୍ଦର୍ଷ ବ୍ରିଟିଶ ସରକାର l ରଣପୁରର ଶୋଷିତ ପ୍ରଜାଙ୍କ ପାଇଁ ରଘୁନାଥ ମହାନ୍ତି ଏବଂ ଦିବାକର ପରିଡ଼ା ନାମକ ଦୁଇ ଜଣ ଯୁବକ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ପାଠପଢ଼ା ଛାଡ଼ି ନିଜ ଜୀବନକୁ ଜନତାର ସେବାରେ ଉତ୍ସର୍ଗ କରି ରଣପୁର ପ୍ରଜାମଣ୍ଡଳ ଆନ୍ଦୋଳନର ପାଇଁ ପୁରୋଧା ହୋଇ ଥିଲେ l
ରାଜରୋଷର ଶିକାର ହୋଇ ରଘୁନାଥ ପ୍ରିୟ ମାତୃଭୂମି ଛାଡ଼ି ବାସ କରିଥିଲେ କଟକରେ l ଜନତାର ଅଧିକାର ପାଇଁ ହୃଦୟ କାନ୍ଦୁଥିବା ରଘୁନାଥଙ୍କୁ ମିଳିଥିଲା ବାଲ୍ୟବନ୍ଧୁ ଦିବାକର ପରିଡ଼ାଙ୍କ ଅପୂର୍ବ ସହଯୋଗ ଓ ସମର୍ଥନ l ଉଭୟେ ମିଳନ ରଣପୁରବାସୀଙ୍କ ପାଇଁ ଲାଗିପଡିଥିଲେ ଆନ୍ଦୋଳନକୁ ସକ୍ରିୟ କରିବା ପାଇଁ l ପ୍ରଜାମଣ୍ଡଳର ସମ୍ପାଦକ ଭାବେ ରଘୁ ଓ ଦିବାକରଙ୍କ ସହ ଯୋଗଦେଲେ ପ୍ରାଣନାଥ ପଟ୍ଟନାୟକ, ଗଙ୍ଗାଧର ପାଇକରାୟ, ଗୋକୁଳମୋହନ ରାୟଚୂଡାମଣି, ପର୍ଶୁରାମ ପଦାତିକରାୟଙ୍କ ପରି ବହୁ ନେତା l ସମସ୍ତଙ୍କର ସମର୍ଥନ ଓ ସହଯୋଗ ତଥା ରଘୁ-ଦିବାକରଙ୍କ ନିଷ୍ଠାପର ଉଦ୍ୟମର ଫଳସ୍ୱରୂପ ରଣପୁରବାସୀ ହୋଇଥିଲେ ଶୋଷଣମୁକ୍ତ, ତୀବ୍ର ତଥା ଭୟଙ୍କର ଭାବେ ରକ୍ତରଞ୍ଜିତ ହୋଇଥିଲା ପ୍ରଜାମଣ୍ଡଳ ଆନ୍ଦୋଳନ l ଏଇ ଆନ୍ଦୋଳନ କାଳରେ ଜନତା ତଥା ସଂଗ୍ରାମୀମାନଙ୍କ ଆକ୍ରୋଶର ଶିକାର ହେଲେ ଓଡ଼ିଶା ପାଇଁ ନିଯୁକ୍ତ ଇଂରେଜୀ ରାଜନୈତିକ ପ୍ରତିନିଧି ମେଜର ଆର .ଏଲ.ବାଜେଲଗେଟ l ଲୋକେ ପିଟିପିଟି ହତ୍ୟା କରିଥିଲେ ବାଜେଲଗେଟକୁ l ରକ୍ତମୁଖା ଓ ପ୍ରତିଶୋଧପରାୟଣ ବ୍ରିଟିଶ ସରକାର ରଘୁ ଦିବାକରଙ୍କୁ ଧରିବା ଅଭିପ୍ରାୟରେ ଅକଥନୀୟ ଅତ୍ୟାଚାର ଆରମ୍ଭ କଲେ ରଣପୁରବାସୀଙ୍କ ଉପରେ l ରଣପୁରବାସୀଙ୍କ ପ୍ରତି ଅତ୍ୟାଚାର ସହିନପାରି ରଘୁନାଥ ଓ ଦିବାକର ସରକାରୀ ସେନାର ମୁକାବିଲା କରୁ କରୁ ଧରାପଡିଲେ l ଭୟାତୁର ସରକାର ଚକ୍ରାନ୍ତ ରଚିଲେ ଉଭୟଙ୍କୁ ମୃତ୍ୟୁ ଦଣ୍ଡ ଦେଲେ l ୧୯୪୧ ମସିହା ଅପ୍ରେଲ ୪ ତାରିଖ ପୂର୍ବାହ୍ନରେ ରଘୁ ଦିବାକରଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲା ବ୍ରିଟିଶ ସରକାର l
