STORYMIRROR

Aravinda Das

Tragedy

2  

Aravinda Das

Tragedy

ଭୋକ ଓ ପୋକ

ଭୋକ ଓ ପୋକ

4 mins
483


"ଦେଖନ୍ତୁ, ଆପଣମାନେ ସମସ୍ତେ ପୋକମରା ଅଭିଯାନରେ ସାମିଲ ହେବେ ବୋଲି ସରକାରୀ ନିର୍ଦ୍ଦେଶ ଆସିଛି। ଆଗାମୀ ସୋମବାର ଦିନ କାମ ଆରମ୍ଭ।"

   ବଡ଼ ହାକିମଙ୍କ କଥାଶୁଣି ହଲ୍ ରେ ବସିଥିବା ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ମୁହଁ ଚାହାଁଚାହିଁ ହେଲେ। ସାମ୍ନାରେ ବସିଥିବା ବୟସ୍କ ଶିକ୍ଷକ ହୃଦାନନ୍ଦ ବାବୁ ଟିକେ ଆପତ୍ତି ଉଠାଇ କହିଲେ, -" ସାର୍,ଆମେ ଟିଚର ମାନେ ସ୍କୁଲ ପାଠ ଛାଡି,ଚକଡା ପୋକ ମାରିବାକୁ ବିଲକୁ ଯିବୁ ?"

 ଉତ୍ତକ୍ଷିପ୍ତ ହୋଇ ବଡ଼ ହାକିମ କହିଲେ,"ଖାଲି ପୋକ ନୁହେଁ ଭୋକବି। ପିଲାଙ୍କୁ ପାଠ ପଢ଼ାଇବା କଥା ଏଇନା ମାନେପଡୁଛି ? ମାସ ମାସ ପରା ଭୁବନେଶ୍ବର ରେ ଧାରଣା,ଷ୍ଟ୍ରାଇକ ରେ ବସୁଛ ? ବିଲ ପୋକ ନୁହେଁ, ଦସି ପୋକ ଅର୍ଥାତ୍,ପିଲାଙ୍କ ପେଟରେ ହେଉଥିବା କୃମି ପୋକ ନାଶ ପାଇଁ ଏ ଯୋଜନା। ପୋଲିଓ ଡ୍ରପ ଭଳି ,ଏ ଔଷଧ ପିଲାଙ୍କୁ ଖୁଆଇବାକୁ ପଡିବ ଆପଣମାନଙ୍କୁ।"

 -"ସାର୍,କିଛି ସାଇଡ ଇଫେକ୍ଟ ? ଗତ ଥର ପୋଲିଓ ଡ୍ରପ ଖାଇ କିଛିପିଲା ବାନ୍ତି କରିଥିଲେ ବୋଲି ,ପିଲାଙ୍କ ଅଭିଭାବକ ମାନେ ଗଣ୍ଡଗୋଳ କରିଥିଲେ। ପ୍ରଶାସନ କିଛି ସାହାଯ୍ୟ କରିନଥିଲା। ଆମ ହାତରୁ ଟଙ୍କା ଦେଇ ଅଟୋ ରେ ହସ୍ପିଟାଲ ନେଇଥିଲୁ ପିଲାଙ୍କୁ। ସେଠାରେ ସେମାନଙ୍କ ବାପା,ମାଆଙ୍କ ଖାଇବା ପିଇବା,ଔଷଧ ଖର୍ଚ୍ଚ ପାଇଁ ଆମେ ଟିଚର ମାନେ ଚାନ୍ଦା ଆଦାୟ କରି ଭରଣା କରିଥିଲୁ। ଏସବୁ ଜିନିଷ ଡାକ୍ତରଖାନାରେ କଲେ ଭଲ ହୁଅନ୍ତା ସାର୍।" ଜଣେ ଶିକ୍ଷୟତ୍ରୀ କହିଲେ।

  ପାଖରେ ବସିଥିବା ନିଜ ସହକର୍ମୀଙ୍କ ସହ ଆଲୋଚନା କରି ହାକିମ କହିଲେ,"ଆପଣ ମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏଥର କିଛି ଅସୁବିଧା ହେବନି। ଏକ୍ସପାରୀ ଡେଟ ଭେରିଫାଇ କରାହୋଇଛି ବୋଲି ମୁଖ୍ୟଚିକିତ୍ସାଳୟରୁ ରିପୋର୍ଟ ଆସିଛି। ହସ୍ପିଟାଲ କୁ କଣ ସବୁ ପିଲା ଯିବେ ? ଆମର ଏ ପଛୁଆ ଅଞ୍ଚଳର ଅନେକ ପିଲାଗୁଡାକଙ୍କ ପେଟ ଟୁମ୍ ହୋଇ ବାହାରିଛି ବୋଲି ପେପର ରେ ଫଟ ବାହାରିଥିଲା। ଏହା କେବଳ କୃମି ହୋଇଥିବାର ଲକ୍ଷଣ। ଅତ୍ୟଧିକ ଚିନି,ମିଠା ଖାଇ ଏମିତି ହେଉଥିବ। ଅଥଚ ଲୋକଗୁଡାକ ଖାଇବାକୁ ନାହିଁ ବୋଲି ସାମ୍ବାଦିକଙ୍କ ଆଗରେ ମିଛରେ କହୁଛନ୍ତି।"

  ହୃଦାନନ୍ଦ ବାବୁ ପୁଣି ଉଠିଲେ ଏବଂ କହିଲେ,"ସାର୍, ସେଇ ଜଙ୍ଘଲିଆ ଅଞ୍ଚଳର ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷକ ମୁଁ। ଚାକିରୀ ବର୍ଷେ ରହିଲା। ନିଜ ଜିଲ୍ଲାକୁ ବଦଳି ପାଇଁ ଚାରିବର୍ଷ ହେଲା ଆବେଦନ କରୁଛି। ଏକୁଟିଆ ରହେ ମୁଁ ସେଠି। ମିଠା ପାଇଁ ନୁହେଁ ସାର୍,କୁପୋଷଣ ଯୋଗୁଁ ଏମିତି ହେଉଛି। ଭୋକ ଓପାସରେ ସେମାନେ ସଢ଼ନ୍ତି। ଆମ୍ବ କୋଇଲି,ଜଙ୍ଗଲୀ କନ୍ଦ  ,ଏମିତିକି ବର୍ଷା ବେଳେ ଝଡି ପୋକ ବି ଖାଆନ୍ତି। ମଧ୍ୟାହ୍ନଭୋଜନ ଲୋଭରେ ପିଲାଗୁଡାକ ସ୍କୁଲ ଆସନ୍ତି। ଅନେକ ସମୟରେ ମୁଁ ନିଜେ ରୋଷେଇ ବି କରେ।

ମିଠା ସେମାନଙ୍କ ପାଇଁ ସ୍ବପ୍ନ।"

  

 - "ଲାଗୁଛି ରାଜନୀତି ବେଶୀ କରୁଛନ୍ତି ଆପଣ,ପାଠପଢ଼ା ଛାଡି। ବିରୋଧୀ ଦଳଙ୍କ ଦଲାଲ ଭଳି କଥା କହିଲେ, ଡିସିପ୍ଳିନାରୀ ଆକ୍ସନ ନିଆଯିବ। ପେନ୍ସନ ,ଗ୍ରାଚୁଇଟି ମିଳିବନି। ଯାହା କୁହାଯାଉଛି ସେଇଆ କରନ୍ତୁ।"

  ମିଟିଙ୍ଗ ସରିଲା ପରେ ସହକର୍ମୀ ରମେଶ ,ହୃଦାନନ୍ଦ ବାବୁଙ୍କ କାନରେ ଧୀର ସ୍ୱରରେ କହିଲା," ସାର୍, ଭୋଟର ଲିଷ୍ଟ ତିଆରି ପାଇଁ ଘର ଘର ବୁଲିବା ଠାରୁ ଆରମ୍ଭ କରି,ସଉଦା,ଚାଉଳ କିଣା, ଜାଳେଣି କାଠ ସଂଗ୍ରହ ଓ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଆମେ ରାନ୍ଧିବୁ।କୁକୁର ବିଲେଇ ଭଳି ଆମକୁ ବ୍ୟବହାର। ଦଶ କି ପାଞ୍ଚ ବର୍ଷରେ ଦରମା ବଢ଼ାଇବାକୁ ଦାବି କଲେ ଆମେ ବିରୋଧୀ ହେଉଛୁ। ଅଥଚ ପ୍ରତିବର୍ଷ ବିଧାୟକଙ୍କ ଦରମା ଏତେଗୁଣ କାହିଁକି ବଢୁଛି ? ତା ସହିତ ଯାବତୀୟ ଭତ୍ତା। ଆମ ବଦଳି ପାଇଁ ବି ଲାଞ୍ଚ। ଶଳା ଏ ଶିକ୍ଷା ବିଭାଗ ରେ ପୋକ ଲାଗିଛି। ଆଗେ ତାକୁ ମାରିବା ଦରକାର। ପୁରା ସିଷ୍ଟମ ରେ ପୋକ ସାଲୁବାଲୁ।"

  ହୃଦାନନ୍ଦ ବାବୁ ହସିଲେ। ରମେଶ ତାଙ୍କରି ବିଦ୍ୟାଳୟରେ ସହକାରୀ ଶିକ୍ଷକ। ଭାରି ଭଲ ପିଲା। ତାଙ୍କୁ ବହୁତ ସମ୍ମାନ କରେ।

-  "ସାର୍, ମୁଁ ଭାବୁଛି ସେ ଔଷଧ ଫୋପାଡ଼ି ଦେବା।କିଏ ଜାଣିବ "?

ରମେଶ କଥା ଶୁଣି ବୁଲିପଡ଼ି ଅନେଇଲେ ହୃଦାନନ୍ଦ ବାବୁ ଓ ହସି ଦେଇ କହିଲେ, " ହୁଏତ ସେ ଗରିବ ପିଲାଗୁଡାଙ୍କର ରୋଗ ଭଲ ହେବ। ୧୦/୧୫ କିଲୋମିଟର ପାଦରେ ଚାଲି ସେମାନେ କଣ

ହସ୍ପିଟାଲ ଯାଇଁ ସେ ଔଷଧ ଖାଇପାରିବେ ?ଆମେ ସେ କାମ କରିବା।"

  ମୁଣ୍ଡ ପୋତି ଚୁପଚାପ ବାହାରି ଆସିଲେ ହୃଦାନନ୍ଦ ବାବୁ। କାମଟା ଠିକ୍ ଭାବେ କରିବାକୁ ପଡିବ। ନହେଲେ ଏ ହାକିମ ପେନ୍ସନ ବନ୍ଦ କରିଦେବ। ଆସନ୍ତା ବର୍ଷ ଦୁଇ ଝିଅ ଙ୍କ ବାହାଘର ସାରିବାକୁ ପଡିବ। ହେ ଭଗବାନ।

  ଔଷଧ ବୋତଲ ଗୁଡାକୁ ପୁଣିଥରେ ଭଲକରି ଦେଖୁଥିଲେ ହୃଦାନନ୍ଦ ବାବୁ; ଚଷମା ପାୱାର ବଢିଲାଣି। ପାଖ ଜିନିଷ ବି ଜାଲୁଆ ଜାଲୁଆ ଦିଶୁଛି। ଏଇ ଔଷଧ ଖାଇଲା ପରେ କିଛି ପିଲାମାନଙ୍କୁ ଟିକେ ସାମୟିକ ଅସୁସ୍ଥତା ଲାଗିପାରେ, ତେବେ ସବୁ ଠିକ୍ ହୋଇଯିବ ବୋଲି ସେଦିନ ହାକିମ କହିଛନ୍ତି। ଯାହା ଦୋଷ ସରକାରଙ୍କ ର ହେବ ବୋଲି ଆଶାସ୍ଵନା ମିଳିଛି ।

   ପିଲା ଧାଡିକରି ଠିଆ ହୋଇଥିଲେ। ଔଷଧ ଦିଆଯିବ ବୋଲି,କିଛି ପିଲାଙ୍କ ବାପା ମା ଅନ୍ଧବିଶ୍ବାସ ବଶବର୍ତ୍ତୀ ହୋଇ ସେମାନଙ୍କୁ ଆଜି ସ୍କୁଲ ପଠାଇନଥିଲେ। ହେଲେ ଆଜି ଯିଏ ନଆସିଵ ତା'ର ମଧ୍ୟାହ୍ନ ଭୋଜନ ବନ୍ଦ ବୋଲି କହିଲା ପରେ ଡରି କରି ପିଲାଗୁଡାକ ଆସିଛନ୍ତି।

  ହୃଦାନନ୍ଦ ବାବୁ ବଡ଼ ପାଟିରେ କହିଲେ, "ପିଲାଙ୍କ ପେଟରେ ଦସି ପୋକ ହୋଇଛି ବୋଲି ,ପେଟ ଫୁଲୁଛି ; ସେମାନଙ୍କ ସ୍ବାସ୍ଥ୍ୟର ଉନ୍ନତି ହେଉନି। ଔଷଧ ଖାଇଲା ପରେ ଭଲ ହୋଇଯିବ। ନଚେତ, ନଗଡା ପିଲାଙ୍କ ଭଳି ମରିବ। ଭୋକ ନିୟନ୍ତ୍ରଣ ହେବ।"

  ଗାଁ'ର ଟୋକା ପଞ୍ଝାଏ ଲୋକଙ୍କୁ କହୁଥିଲେ, " ଔଷଧ କମ୍ପାନୀ ଗୁଡାକ ଆମ ପିଲାଙ୍କ ଉପରେ ଏ ଔଷଧ ଆଗେ ପରୀକ୍ଷା କରୁଛନ୍ତି।"

  ଶୁକୁରୁ ବାପା ଜମା ରାଜି ହେଉନଥିଲା। "ମାଷ୍ଟ୍ରେ ଆଜ୍ଞା, ଏ ଔଷଧ ଖାଇଲେ ପୋକ ସିନା ମରିଯିବେ, ହେଲେ ଭୋକ ? ଭୋକ କେମିତି ମରିବ ? ସରକାରଙ୍କୁ କହି ଭୋକ ମରା ଔଷଧ ହେଲେ ପିଲାଙ୍କ ସହ ଆମକୁ ବି ଦିଅନ୍ତ। "

  ହୃଦାନନ୍ଦ ବାବୁଙ୍କ ଆଖି ଛଳ ଛଳ ହୋଇଯାଉଥିଲା। ଏଇ ପେଟ ପାଇଁ ଏତେ ନାଟ। ପେଟ ପାଟଣା ପାଇଁ ଏ ବୟସ ରେ ପରିବାର ଛାଡି ସେ ଆଜି ଏ ଜଙ୍ଗଲ ଜାଗାରେ। ପେଟ ପାଇଁ ଏ ଗରିବ ଲୋକ ଗୁଡାକ କେତେ ହନ୍ତସନ୍ତ ! ସେଇ ପେଟରେ ପୁଣି ପୋକ !

 - " ବଡ଼ ସାରେ , ଆମ ପିଲାଙ୍କୁ ବାଧ୍ୟକରି ଔଷଧ କାହିଁକି ଖୁଆଉଛୁ ? ତୋତେ କେତେ ଟଙ୍କା ମିଳିବ ?" ମକୁ ମାଝୀ ପଚାରିଲା।

   ଚିଡି ଯାଇ ରମେଶ କହିଲା"ସବୁ ପିଲାଙ୍କୁ ଔଷଧ ନଖୁଆଇଲେ ଆମ ଚାକିରୀ ଚାଲିଯିବ। ହେଇ ଦେଖ ମୁଁ ଆଗେ ଔଷଧ ଖାଉଛି । "କହି ନିଜେ ପାନେ ଔଷଧ ଖାଇଲା ରମେଶ।

  ଦିନ ବାରଟା ବେଳକୁ ଶୁକୁରୁ ର ଦେହ ଖରାପ ହୋଇଯାଇଥିଲା ବାରମ୍ବାର ବାନ୍ତି କରୁଥିଲା ବିଚରା। ତା ସହ ଆଉ ଦୁଇ ପିଲା ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ।

- "ଜଲଦି ଏମାନଙ୍କୁ ହସ୍ପିଟାଲ ନେବା। ହେ ଭଗବାନ କିଛି ନହେଉ ପିଲାଙ୍କର।"

  ଶିକା ବାହୁଙ୍ଗି ରେ ପିଲାଙ୍କୁ ରଖି ଗାଁ ବାଲାଙ୍କ ସହାୟତାରେ କାନ୍ଧରେ ବୋହି ସେମାନେ ଚାଲିଲେ ୧୫ କିଲିମିଟର ଦୁର ହସ୍ପିଟାଲ। ରମେଶ ଓ ହୃଦାନନ୍ଦ ବି ବାହୁଙ୍ଗି କାନ୍ଧେଇଥାନ୍ତି।

- "ସାର୍, ମିଡିଆ ବାଲା ଆମର ଏଇ କାମ ତ ଖବରକାଗଜ ରେ ବାହାର କରୁନାହାନ୍ତି। ଦରମା ବୃଦ୍ଧି ପାଇଁ ଧାରଣା ଦେଲେ ଆଗ ଫଟ ବାହାରିବ।"

 ଶୁକୁରୁ ଦେହ ନୀଳ ପଡିଆସୁଥିଲା। ହସ୍ପିଟାଲରେ ସମସ୍ତଙ୍କୁ ଆଡ଼ମିଶନ କରାଗଲା।

  ଅଧଘଣ୍ଟାଏ ପରେ ଶୁକୁରୁକୁ ମୃତ ଘୋଷଣା କଲେ ଡାକ୍ତର। ଅନ୍ୟ ପିଲା ଦୁଇଜଣଙ୍କ ଅବସ୍ଥା ଭଲ ଥିଲା।

-"ମାଷ୍ଟରଗିରି ଦେଖାଉଛି ଶଳା। ନିଜ ଚାକିରି ପାଇଁ ଆମ ଛୁଆଙ୍କୁ ମାରିବୁ ?"

 ଉତ୍ୟକ୍ତ ହୋଇ ଗାଁ ବାଲା ଠେଙ୍ଗା,ବାଡ଼ି ଧରି ଝପଟି ଆସିଲେ ହୃଦାନନ୍ଦ ବାବୁଙ୍କୁ ମାରିବା ପାଇଁ। ଠେଲାପେଲା ଆରମ୍ଭ କରିଦେଇଥିଲେ। ତାଙ୍କୁ ବଞ୍ଚାଇବାକୁ ସାମ୍ନାକୁ ଆସିଗଲା ଶୁକୁରୁ ବାପା ।

- "ତାକୁ ମାରିଲେ ମୋ ପୁଅ କଣ ଫେରି ଆସିବ ? ନିଜ କାନ୍ଧରେ ପରା ହେଡ଼ମାଷ୍ଟ୍ର ବୋହିଆଣିଥିଲା ତାକୁ ଏଠିକୁ । ଛାଡିଦିଅ ତାକୁ।"


  ଶୁକୁରୁ ଶବ ଧରି ତା ମା କାନ୍ଦୁଥିଲେ। କୋହଭରା ସ୍ୱରରେ ହୃଦାନନ୍ଦଙ୍କୁ ପଚାରୁଥିଲା ଶୁକୁରୁ ବାପା,"କାହିଁକି ତାକୁ ଔଷଧ ଦେଲୁ ମାଷ୍ଟ୍ର ? ଭୋକ ପାଇଁ ଖାଇବାକୁ ଦିଇଟା ଯାହା ମାଗୁଥିଲା ପିଲା ମୋର। ପେଟରେ ପୋକ ଥିଲେ ଥାଆନ୍ତା।"



Rate this content
Log in

Similar oriya story from Tragedy