ଭିନ୍ନ ଏକ ଅଭିମନ୍ୟୁ
ଭିନ୍ନ ଏକ ଅଭିମନ୍ୟୁ


ଓଃ ପେଟରେ କି ଯନ୍ତ୍ରଣା ! ନା ଆଉ ଚାଲିହେଉ ନି। ସେଇଠି ବସିପଡ଼ିଲା ଲକ୍ଷ୍ମୀ। ଆରେ ଏଇ ଲକ୍ଷ୍ମୀ କ'ଣ ବସି ପଡିଲୁ,ଉଠ୍ ମା ଶହେ କୋଶ ଚାଲି ଚାଲି ଆସିଲୁଣି, ଆଉ ୪ କୋଶ ବାକି ଗାଁ ରେ ପହଞ୍ଚିବାକୁ,ମନକୁ ଶକତ କର। ଏଇ ଧୋବି ତାକୁ ଟିକେ ପାଣି ଦେ। ୪ ଦିନ ହେଲା ପେଟରେ ଦାନାଟିଏ ପଡ଼ିନାହିଁ ଚାଲିଛୁ ଯେ ଚାଲିଛୁ...। ୧୨ବରଷର ପିଲାଟି ଆଉ କେତେ ସମ୍ଭାଳିବ ଯେ...।
ଉଠ ମା ଉଠ ଗାଁରେ ତୋ ମାଁକୁ ଦେଖିବୁ ପେଟ ଭରି ଖାଇବୁ ଆଉ ଟିକେ ସହି ଯା ମା। ନାଇଁ ଦନେଇ ମଉସା ଆଉ ପାରୁନି ସବୁ ଅନ୍ଧାର ଦିଶିଲାଣି ଆଉ କିଛି ଦେଖିପାରିବିନି ନା ମାଁ, ନା ଗାଁ । ଧୀରେ ଧୀରେ ମାଟି ଉପରେ ଢଳି ପଡିଲା ଲକ୍ଷ୍ମୀ । ଏ ସନା,ଏ ମଦନା,ପଦିଆ ଦେଖଲ କ'ଣ ହେଲା ତା'ର? ସବୁ ଦଉଡିଲେ ତା ପାଖକୁ। ନା ତା'ର ନିଃଶ୍ୱାସ ଚାଲୁନି।ଆରେ ଭଲକି ଦେଖ ! ନା ସେ ଆଉ ନାହିଁ.......।
ଆଜ୍ଞା ଏଠି ଯଉ ଲାଶ୍ ଦେଖୁଛନ୍ତି, ସେଟା ମୋର। ମୁଁ ଲକ୍ଷ୍ମୀ କହୁଛି, ମୋ ପରିବାରରେ ୫ ପ୍ରାଣୀ । ବାପା ଅକାଳରେ ବିଛଣା ଧରିଲେ,ମା ବି ରୋଗୀ ତା' ଉପରେ ସାନ ୨ ଭାଇ ଭଉଣୀଙ୍କ ଦାଇତ୍ୱ। ତେଣୁ ମୁଁ ପରିବାରର ଦାନାପାଣି ଦାଇତ୍ୱ ମୋ
କାନ୍ଧକୁ ନେଇ ଦାଦନ ଖଟିବାକୁ ପାଖ ରାଇଜକୁ ଯାଇଥିଲି। ହେଲେ ଏ ମହାମାରୀ ଯୋଗୁଁ ସବୁ ନିଜ କାମ ହରେଇ ନ ଖାଇପିଇ ଗାଁକୁ ଫେରୁଥିଲୁ । ଏଠି ଯାହା ଘଟିଲା , ମୋ ଭାଗ୍ୟଦୋଷ ଦେଇ ସବୁ ମୋତେ ଭୂଲିଯିବେ।
ହେଲେ ମୁଁ ଲକ୍ଷ୍ମୀ ନୁହେଁ, ମୁଁ ମହାଭାରତର ସେଇ ଅଭିମନ୍ୟୁ...... ନିଷ୍ପାପ ସରଳ କିଶୋର ଯିଏ କି ବଳୀ ଚଢ଼ିଯାଇଥିଲା,ମାନବସମାଜର ଅସୀମ ଉଚ୍ଚାଭିଳାଷାର, ଅପରିଣାମଦର୍ଶୀତାର , ଅମାନବିକତାର ଆଉ ସ୍ୱାର୍ଥପରତାର । ଆଜି ମୋ ପାଳି ଆସିଛି।
ଜୀବନର ଶେଷ ମୂହୁର୍ତ୍ତ ରେ ମୁଁ ଦେଖିଛି ଏ ସୃଷ୍ଟି କେତେ ସୁନ୍ଦର, କେତେ ସମ୍ବେଦନଶୀଳ। ହାତ ଯୋଡ଼ି ନେହୁରା ହେଉଛି ମୋ ବଳୀ ଦାନ ଯେମିତି ନିଷ୍ଫଳ ନ ହୁଏ।ଏବେବି ସମୟ ଅଛି ଏ ସୁନ୍ଦର ସୃଷ୍ଟି କୁ ବଞ୍ଚାଇ ରଖ। ପାରିବତ ପଶ୍ଚାତାପର ଅଗ୍ନିରେ ମୋ ଅପାଂକ୍ତେୟ ଶବକୁ ସତ୍କାର କର। ନାହିଁତ ନିଜ ହୃଦୟକୁ ଓ କାନ୍ଧକୁ ଏତେ କଠିନ କରିଦିଅ ଯେ କୁଢ କୁଢ ନିଷ୍ପାପ ଶବକୁ ବହନ କରିପାରିବ। ନିର୍ଣ୍ଣୟ ଆପଣମାନଙ୍କର......।।