Pradeep Kumar Panda

Inspirational

3.5  

Pradeep Kumar Panda

Inspirational

ଭଗବଦ୍ ଗୀତାର ବର୍ଣ୍ଣବ୍ୟବସ୍ଥା

ଭଗବଦ୍ ଗୀତାର ବର୍ଣ୍ଣବ୍ୟବସ୍ଥା

3 mins
3.7K


ବୁଦ୍ଧ ସମାଜର ଅସମତାକୁ ଭାଙ୍ଗିବା ପାଇଁ ଠୋସ୍ ପଦକ୍ଷେପ ନେବାକୁ ଚାହୁଁଥିଲେ । ବୁଦ୍ଧଙ୍କର ଏହି ଆକ୍ରମଣ ଫଳରେ ହିନ୍ଦୁଧର୍ମ ତା’ର ତତ୍ତ୍ୱରେ କେତେକ ପରିବର୍ତ୍ତନ ଆଣିଲା । ସେ ହିଂସାକୁ ଛାଡିଲା । ବେଦର ମାନ୍ୟତାକୁ ଛାଡିବା ପାଇଁ ପ୍ରସ୍ତୁତ ହେଲେ । କିନ୍ତୁ ଚତୁବର୍ଣ୍ଣ ପ୍ରଶ୍ନ ଉପରେ ଉଭୟ ପକ୍ଷ ଆତ୍ମସମର୍ପଣ କରିବାକୁ ରାଜି ହେଲେ ନାହିଁ । ବୁଦ୍ଧ ଚତୁବର୍ଣ୍ଣ ତତ୍ତ୍ୱକୁ ତାଙ୍କର ବିରୋଧ ଛାଡିବାକୁ ପ୍ରସ୍ତୁତ ନଥିଲେ । ସେଥିପାଇଁ ବ୍ରାହ୍ମଣବାଦର ଜୈନଧର୍ମ ଅପେକ୍ଷା ବୌଦ୍ଧଧର୍ମ ବିରୁଦ୍ଧରେ ଏତେ ଘୃଣା ଓ ବିଦ୍ୱେଷ । ହିନ୍ଦୁଧର୍ମର ଚତୁବର୍ଣ୍ଣ ବିରୁଦ୍ଧରେ ବୁଦ୍ଧଙ୍କ ଯୁକ୍ତିକୁ ଗ୍ରହଣ କରିନେବାର ଥିଲା । କିନ୍ତୁ ଆତ୍ମସମର୍ପଣ କରିବା ବଦଳରେ ହିନ୍ଦୁଧର୍ମ ଚତୁବର୍ଣ୍ଣ ପାଇଁ ଏକ ନୂଆ ଦାର୍ଶନିକ ଯଥାର୍ଥତା ତିଆରି କଲା । ଏହି ନୂଆ ଦାର୍ଶନିକ ଯଥାର୍ଥତା ଭଗବଦ୍ ଗୀତାରେ ଦେଖିବାକୁ ମିଳେ । କେହି ନିର୍ଦ୍ଧିଷ୍ଟ ଭାବେ କହିପାରନ୍ତି ନାହିଁ, କଣ ଭଗବଦ୍ ଗୀତା ଶିକ୍ଷା ଦିଏ । କିନ୍ତୁ ଏହି ପ୍ରଶ୍ନ ବାହାରେ ଭଗବଦ୍ ଗୀତା ଚତୁବର୍ଣ୍ଣ ତତ୍ତ୍ୱକୁ ଅନୁମୋଦନ କରେ । ଏହା ଜଣାଯାଏ ଯେ ବାସ୍ତବରେ ଏହା ହିଁ ଗୀତା ଲେଖା ହେବାର ମୂଳ ଉଦ୍ଦେଶ୍ୟ । ଭଗବଦ୍ ଗୀତା ଏହାକୁ କିପରି ଯଥାର୍ଥ ଦର୍ଶାଏ ? କୃଷ୍ଣ କୁହନ୍ତି ଯେ ଇଶ୍ୱର ଭାବେ ସେ ଚତୁବର୍ଣ୍ଣ ବ୍ୟବସ୍ଥାକୁ ସୃଷ୍ଠି କରିଛନ୍ତି ଏବଂ ସେ ଗୁଣ-କର୍ମର ତତ୍ତ୍ୱ ପରରେ ଭିତ୍ତି କରି ଏହା ତିଆରି କରିଛନ୍ତି । ଅର୍ଥାତ୍ ସେ ପ୍ରତ୍ୟେକ ବ୍ୟକ୍ତିର ଅନ୍ତଗୁଣକୁ ନେଇ ତାର ସ୍ଥିତି ଓ ବୃତ୍ତି ସ୍ଥିର କରିଛନ୍ତି । ଏଠାରେ ଦୁଇଟି କଥା ସ୍ପଷ୍ଠ । ପ୍ରଥମତଃ, ଏହା ଏକ ନୂତନ ତତ୍ତ୍ୱ । ପୁରୁଣା ତତ୍ତ୍ୱ ଭିନ୍ନ ଥିଲା । ପୁରୁଣା ତତ୍ତ୍ୱ ଅନୁଯାଇ ଚତୁବର୍ଣ୍ଣର ଭିତ୍ତି ଥିଲା ବେଦର ପ୍ରଭୁତ୍ୱ । ବେଦର ମାନ୍ୟତା ଉପରେ ଚତୁବର୍ଣ୍ଣ ବ୍ୟବସ୍ଥା ଠିଆ ହୋଇଥିଲା । ବେଦର ମାନ୍ୟତା ଉପରେ ବୁଦ୍ଧଙ୍କ ଆକ୍ରମଣ ଚତୁବର୍ଣ୍ଣର ପୁରୁଣା ଭିତ୍ତିକୁ ଭାଙ୍ଗି ଦେଲା । ଏହା ସ୍ୱଭାବିକ ଯେ ଚତୁବର୍ଣ୍ଣକୁ ଛାଡିବାକୁ ପ୍ରସ୍ତୁତ ନଥିବା ଓ ଏହାକୁ ତାର ଆତ୍ମା ବୋଲି ଭାବୁଥିବା ହିନ୍ଦୁଧର୍ମ ଅଧିକ ଭଲ ଏକ ଭିତ୍ତି ଯୋଗାଡ କରିବାକୁ ଚେଷ୍ଟାକଲା, ଯାହା ହିଁ ଭଗବଦ୍ ଗୀତାର ଉଦ୍ଦେଶ୍ୟ । ତେବେ ଭଗବଦ୍ ଗୀତାରେ କୃଷ୍ଣ ଦେଇଥିବା ନୂଆ ଯଥାର୍ଥତା କେତେ ଭଲ ? ଅଧିକାଂଶ ହିନ୍ଦୁଙ୍କ ପାଇଁ ଏହା ଅତି ପ୍ରାଞ୍ଜଳ ମନେ ହୁଏ । ଏତେ ପ୍ରାଞ୍ଜଳ ଯେ ସେମାନେ ଏହାକୁ ଅକାଟ୍ୟ ବୋଲି ମନେକରନ୍ତି । ଏପରି କି ଅନେକ ଅଣ-ହିନ୍ଦୁମାନଙ୍କ ପାଇଁ ମଧ୍ୟ ଏହା ଯୁକ୍ତି ସଂଗତ ଓ ଆକର୍ଷଣୀୟ ମନେହୁଏ । ଯଦି ଚତୁର୍ଣ୍ଣ କେବଳ ବେଦର ମାନ୍ୟତା ଉପରେ ନିର୍ଭର କରୁଥାନ୍ତା, ମୁଁ ନିଶ୍ଚିତ ଯେ କେବେ ଠାରୁ ଏହା ଲୋପ ପାଇ ସାରିଥାନ୍ତା । ଭଗବଦ୍ ଗୀତାର ମିଛ ଓ ବଦମାସୀ ତତ୍ତ୍ୱ ଜାତିପ୍ରଥାର ଜନକ ଚତୁବର୍ଣ୍ଣକୁ ଦୀର୍ଘସ୍ଥାୟୀ କରିଦେଲା । ଏହି ନୂଆ ତତ୍ତ୍ୱର ମୂଳ ବିଷୟ ସାଂଖ୍ୟ ଦର୍ଶନରୁ ନିଆଯାଇଛି । ଏଥିରେ କୌଣସି ନୂତନତ୍ୱ ନାହିଁ । କୃଷ୍ଣଙ୍କର ମୌଳିକତା ହେଉଛି, ଏହାକୁ ଚତୁବର୍ଣ୍ଣର ଯଥାର୍ଥତା ପାଇଁ ପ୍ରୟୋଗ କରିବା । ଏହି ପ୍ରୟୋଗରେ ତର୍କଗତ ବିଭ୍ରାଟ ରହିଛି । ସାଂଖ୍ୟ ବ୍ୟବସ୍ଥାର ଲେଖକ କପିଳଙ୍କ ମତରେ ଇଶ୍ୱର ନାହାନ୍ତି । ଇଶ୍ୱରଙ୍କ ଆବଶ୍ୟକତାର କେବଳ କାରଣ ହେଉଛି, ବସ୍ତୁକୁ ମୃତ ଭାବେ ବିଚାର କରାଯାଏ । କିନ୍ତୁ ବସ୍ତୁ ମୃତ ନୁହେଁ, ଏହା ସକ୍ରିୟ । ବସ୍ତୁର ତିନୋଟି ଗୁଣ ରହିଛି : ରଜ, ତମ ଓ ସତ । ପ୍ରକୃତି ମୃତ ବୋଲି ପ୍ରତ୍ୟୟ ହୁଏ, କାରଣ ଏହି ତିନି ଗୁଣ ସମତୁଲ ହୋଇ ଥାଏ । ଯେତେବେଳେ ଏହି ସମତୁଲରେ ବିଭ୍ରାଟ ଘଟେ, ଗୋଟିଏ ଗୁଣ ଅନ୍ୟ ଦୁଇ ଗୁଣ ଉପରେ ଆଧିପତ୍ୟ ବିସ୍ତାର କରେ, ପ୍ରକୃତି ସକ୍ରିୟ ହୋଇଯାଏ । ଏହା ହେଉଛି ସାଂଖ୍ୟ ଦର୍ଶନର ସାର କଥା । ଏହି ତତ୍ତ୍ୱ ସହ ବିବାଦର କୌଣସି କାରଣ ନାହିଁ । ଏହା ହୁଏତ ଠିକ୍ । ସେଥିପାଇଁ ଏହାକୁ ବୋଧହୁଏ ଗ୍ରହଣ କରି ନିଆଯାଏ ଯେ ପ୍ରତ୍ୟେକ ବ୍ୟକ୍ତି ପ୍ରକୃତିର ଏକ ରୂପ ଭାବେ ଏହି ତିନି ଗୁଣରେ ତିଆରି । ଏହା ମଧ୍ୟ ଗ୍ରହଣ କରି ନିଆଯାଏ ଯେ ଏହି ତିନି ଗୁଣ ମଧ୍ୟରେ ଆଧିପତ୍ୟ ପାଇଁ ପ୍ରତିଯୋଗୀତା ଲାଗିରହିଥାଏ । କିନ୍ତୁ ଏହାକୁ କିପରି ଗ୍ରହଣ କରାଯାଇ ପାରିବ ଯେ ଏକ ନିଦ୍ଧିଷ୍ଟ ବ୍ୟକ୍ତି ମଧ୍ୟରେ ଏକ ସମୟରେ – ଜନ୍ମ ସମୟରେ – ଥିବା ଗୁଣ, ଯାହା ଅନ୍ୟ ଗୁଣକୁ ନିୟନ୍ତ୍ରଣ କରେ, ମୃତ୍ୟୁ ପର୍ଯ୍ୟନ୍ତ ସବୁ ସମୟରେ ସେହି ପରି ନିୟନ୍ତ୍ରଣ କରି ଚାଲିଥିବ ? ଏଭଳି ଭାବିବାର ଭିତ୍ତି ନା ସାଂଖ୍ୟ ଦର୍ଶନରେ ରହିଛି ନା ବାସ୍ତବ ଅଭିଜ୍ଞତାରେ ରହିଛି । ଦୁଃଭାଗ୍ୟକୁ କୃଷ୍ଣ ଏହି ତତ୍ତ୍ୱ ଦେବା ବେଳକୁ ହିଟଲର ବା ମୁସୋଲିନ୍ ଜନ୍ମ ନେଇ ନଥିଲେ । ନଚେତ୍ କୃଷ୍ଣଙ୍କୁ ଏହା ବୁଝାଇବା କଷ୍ଟ ହୋଇଥାନ୍ତା ଯେ କିପରି ଜଣେ ସାଇନ୍‌ବୋଡ ପେଣ୍ଟର ଓ ଜଣେ ରାଜମିସ୍ତ୍ରୀ ବିଶ୍ୱରେ ଆଧିପତ୍ୱ ବିସ୍ତାର କଲାଭଳି ଏକଛତ୍ରବାଦୀ ବନିଗଲେ । ଏଠାରେ ଆଲୋଚନା କରିବାର ବିଷୟ ହେଉଛି ଯେ ଜଣେ ବ୍ୟକ୍ତିର ପ୍ରକୃତି ସବୁ ସମୟରେ ପରିବର୍ତ୍ତନ ହେଉଥାଏ, କାରଣ ଗୁଣଗୁଡିକର ଆପେକ୍ଷିକ ସ୍ଥିତି ସବୁ ସମୟରେ ପରିବର୍ତ୍ତନ ହୁଏ । ଯଦି ଗୁଣଗୁଡିକ ସବୁ ସମୟରେ ସେମାନଙ୍କର ଆପେକ୍ଷିକ ସ୍ଥିତିକୁ ପରିବର୍ତ୍ତନ କରନ୍ତି, ତେବେ ଲୋକଙ୍କୁ ଜନ୍ମ ଭିତ୍ତିରେ ବର୍ଣ୍ଣରେ ବିଭକ୍ତ କରିବାର ସ୍ଥାୟୀ ଓ ସ୍ଥିର ବ୍ୟବସ୍ଥା ରହି ପାରିବ ନାହିଁ ଏବଂ ବୃତ୍ତିରେ ସ୍ଥାୟୀ ଓ ସ୍ଥିର ନିଯୁକ୍ତି ହୋଇପାରିବ ନାହିଁ । ଏହି କାରଣରୁ ଭଗବଦ୍ ଗୀତାର ସଂପୂର୍ଣ୍ଣ ତର୍କ ଭାଙ୍ଗିଯାଏ ।


Rate this content
Log in

Similar oriya story from Inspirational