ଭାବର ଠାକୁର
ଭାବର ଠାକୁର
ଭାବର ଠାକୁର
"ଭକତ ଭାବକୁ ଅନାଇ ବସନ୍ତି
ନୀଳାଚଳେ ଭବଦୀଶ
ସବୁ ତୁଚ୍ଛ କଲେ ପ୍ରାପ୍ତ ହ୍ୱନ୍ତି ସେ ହିଁ
ଢାଳି ଅମାପ ଆଶିଷ...।!"
ଅଗତିର ଗତି, ଅଶରଣ ଶରଣ, ଅଘଟନ ଘଟନ, ଚିର ଚିନ୍ମୟ, ଆନନ୍ଦ ଘନମୂର୍ତ୍ତି, ଅକର୍ତ୍ତା କର୍ତ୍ତା କର୍ମନିୟନ୍ତା, ଚିର ପରିବ୍ୟାପ୍ତ, ସର୍ବବ୍ୟାପକ, ସର୍ବଦେବମୟ... ଆଦି ଜାଗତିକ ବିଶେଷ୍ୟ, ବିଶେଷଣରେ ସେ ନିରାକାର ବ୍ରହ୍ମ ହୋଇପାରନ୍ତି ସତ ; ମାତ୍ର ତାଙ୍କୁ ସାକାର ରୂପରେ ସନ୍ଦର୍ଶନ କରିବାକୁ ହେଲେ ତାଙ୍କୁ ନିଜର ବା ଆପଣାର କରିବାକୁ ହୁଏ । ଜୀବନୀୟ କୃଷ୍ଣା ସାଜି କୃଷ୍ଣଙ୍କ ବନ୍ଧନରେ ନିଜକୁ ରୁନ୍ଧିବାକୁ ପଡ଼େ, ସେଇ ନିରାକାର-ସାକାର ବାସ୍ତବ ସନ୍ଧିକ୍ଷଣରେ ହୁଏ 'ଭାବ'ର ଉଦୟନ ।
'ଭାବ'କୁ ଆଧାର କରି ତାଙ୍କ ଦୟାକୁ ବଖାଣିବାର କ୍ଷମତା ଏ ମରଦୁନିଆଁରେ ହୁଏତ କାହାର ନାହିଁ; କାରଣ ସେ ଅସୀମ ! କିନ୍ତୁ ଚେନାଏ ହୃଦୟର ଭାବ ତାଙ୍କୁ ସସୀମ-ସାକାରରେ ରୂପାୟଣ ହେବାକୁ ବାଧ୍ୟ କରେ ! ଭାବ ହିଁ ବାସ୍ତବ ରୂପକାର ତାଙ୍କ ସ୍ୱରୂପରେ..! କିନ୍ତୁ ଅନ୍ତରର ଅନୁଭବରେ ଭାବ ଆପେ ଆପେ ଅଙ୍କୁରିତ ହୋଇଥାଏ । ଯାହାର ବିନା ଆଜ୍ଞାରେ ଚନ୍ଦ୍ରସୂର୍ଯ୍ୟ ଆତଯାତ ହୋଇପାରନ୍ତିନି-ଗଛର ପତ୍ରଟିଏ ମଧ୍ୟ ହଲେନାହିଁ- ସମୁଦ୍ର ବି ମରୁଭୂମି ପାଲଟିଯାଏ ; ସେହି ସର୍ବକର୍ତ୍ତାଙ୍କ କିଞ୍ଚିତ ଇଙ୍ଗିତରେ ନିର୍ଜୀବରେ ପ୍ରାଣ ଭରେ ! ଜଟିଳ ହୋଇ ମଧ୍ୟ ଏହି ସାବଲୀଳ ପ୍ରକ୍ରିୟାରେ "ସର୍ବଧର୍ମାନ୍ ପରିତ୍ୟଜ୍ୟ..."ର ଅନନ୍ତ ନିର୍ଘୋଷକୁ ଅନ୍ତରରେ ମର୍ମେ ମର୍ମେ ଅନୁଭବ କରିବା ଆବଶ୍ୟକ । ହିନ୍ଦୁ-ମୁସଲମାନ-ଖ୍ରୀଷ୍ଟ-ବୌଦ୍ଧ-ଜୀନ ଆଦି ସାମ୍ପ୍ରଦାୟିକ ବିଭେଦୀକରଣରେ ସେ ସୀମିତ ନୁହନ୍ତି...ଅନନ୍ତ ଯେ, ସେ ପୁଣି ଧର୍ମଗତ ପଦ୍ଧତିରେ ଭିନ୍ନ ହେବେ କିପରି ? ସେଥିପାଇଁ ତ ଶତପ୍ରମାଣିତ ସେ ହିଁ ସର୍ବପୂଜିତ ପରମପିତା । ପିତା କେବଳ କତିପୟ ସୃଷ୍ଟିର ସୃଜନକର୍ତ୍ତା ହୋଇପାରନ୍ତି । କିନ୍ତୁ ସଚରାଚର ବିଶ୍ୱବ୍ରହ୍ମାଣ୍ଡ, ଜୀବନିର୍ଜୀବ ନିର୍ବିଶେଷରେ ସର୍ବସୃଜନୀର ପରମସ୍ରଷ୍ଟା- ପରମଉଦ୍ଧାତା ଯେ, ସେ ହିଁ "ପରମପିତା" !
ଷାଠିଏ ପଉଟି-ଛପନ ଭୋଗର ନୈବେଦ୍ୟାର୍ପଣରେ ସେ ଦୃଶ୍ୟମାନ ନହୋଇ କରମାବାଇର ଦାନ୍ତକାଠି ଘଣ୍ଟା ଜାଉ ଖାଇବାରେ ପିଲାଙ୍କ ପରି ଟାଉକା ହୋଇଉଠନ୍ତି,କାରଣ ସେଠି ଥାଏ ହୃଦ୍ୟ ସମର୍ପଣ ଭାବ । ମହାଲକ୍ଷ୍ମୀଙ୍କ ରାନ୍ଧଣାରେ ତାଙ୍କ ଉଦର ପୂରେନା ଯେ,ବନ୍ଧୁଗାଁ ଦାସିଆ ନଡ଼ିଆକୁ ହାତବଢ଼େଇ ନେଇଯାଆନ୍ତି,ଯେହେତୁ ସେଠି ଥାଏ ଅବର୍ଣ୍ଣନୀୟ ଭାବ ! ଅସରନ୍ତି ଗୀତିଜଣାଣ ତାଙ୍କୁ ଆନନ୍ଦ ଦେଇପାରେନି ଯେ ଗୁଣୁଗୁଣୁ ଶୁଭୁଥିବା ଗୀତଗୋବିନ୍ଦ ଶୁଣିବାକୁ ବାଇଗଣ କିଆରୀରେ ପଶିଯାଆନ୍ତି,କାରଣ ସେଇ ସ୍ୱର ସେଇ ରଚନାରେ ଭରିଥାଏ ଭକ୍ତିର ଭାବ ! ରାତ୍ରିର ବଡ଼ସିଂହାର ତାଙ୍କୁ ସୁଖ ଦେଇପାରେନା ଯେ,ସେ ନିଜ ସୁନାଥାଳି ନେଇ ବନ୍ଧୁମହାନ୍ତି ପାଖକୁ ଛୁଟିଯାଆନ୍ତି,କାରଣ ସେଠି ମିଶିଯାଏ ବନ୍ଧୁପଣର ଭାବ ! କୋଟି ମାଧୁର୍ଯ୍ୟଭରା ସୁଉଚ୍ଚ ନନ୍ଦିଘୋଷ ତାଙ୍କୁ ଯାତ୍ରାସୁଖ ଦେଇପାରେନି ଯେ,ବଳରାମ ଦାସଙ୍କର ହାତତିଆରି ବାଲିରଥକୁ ଆବୋରି ବସନ୍ତି,କାରଣ ବାଲିରଥର ପ୍ରତିଟି ବାଲୁକାରାଶି ଭାବମିଶ୍ରିତ ଥାଏ । ନିଷ୍ପାପ ଶିଶୁର "ଆସ ଅଲାରେ ଖାଅ ଖିରି"ର ଉଚ୍ଚାରଣରେ ତରବରିଆ ଭାବେ ଖିରି ଖାଇବସନ୍ତି ଯେହେତୁ ସେଠି ଥାଏ ବିଶ୍ଵାସର ଗଭୀରତା ! କୋଟିଏ ହିନ୍ଦୁର ଆରାଧନାରେ ସନ୍ତୁଷ୍ଟି ମିଳେନି ଯେ,ଯବନ ସାଲବେଗର "ଆହେ ନୀଳଶୈଳ.."ରେ କାନ ପାତିଥାଆନ୍ତି
। ବର୍ଣ୍ଣିଳ ରାତ୍ରପହୁଡ଼ ତାଙ୍କୁ ସୁଖନିଦ୍ରା ଦେଇପାରେନି ଯେ,ଦେବଦାସୀର ନୃତ୍ୟକୁ ଅବଲୋକନ କରନ୍ତି ; କାରଣ ତା' ନୂପୁର ନିକ୍ଵଣ-ଚିନ୍ତାଚେତନାର ପ୍ରତିଟି ମୁଦ୍ରାରେ ଜଡ଼ିତ ଥାଏ ସମର୍ପଣର ଭାବ !
ଆଜିର ଏ କାଳଗ୍ରାସୀ ଦୁନିଆଁରେ ଭାବର ବିବିଧତା ପରିଦୃଶ୍ୟ ହେଉଥିଲେ ମଧ୍ୟ ଭାବର ଆସ୍ଥାନ କେବଳ 'ହୃଦୟ' ; ମୁଖର ଚାତୁର୍ଯ୍ୟଭରା ଦେଖାଣିଆ ବାକ୍ୟ ନୁହେଁ । କାରଣ ପୂଜାପାର୍ବଣ, ନାନା ଯାଗଯଜ୍ଞ-ଶ୍ଳୋକ ଉଚ୍ଚାରଣରେ ସେ ନଥାନ୍ତି ; କେବଳ ହୃଦୟର ଭାବରେ ହିଁ ଚିରଜାଗ୍ରତ ଥାଆନ୍ତି । ତାଙ୍କୁ କେନ୍ଦ୍ରକରି ତାଙ୍କ ଲୀଳା ମାଧୁର୍ଯ୍ୟାଦିରେ ରଚିତ ହୋଇଯାଏ ଅନେକ ଭଜନ,ଜଣାଣ,ଶ୍ଳୋକ,ଉପାଖ୍ୟାନ ! ସେସବୁ ସାର୍ଥକ ରୂପ ପାଇଥାଏ ଯେବେ ତାଙ୍କ କର୍ଣ୍ଣଗହ୍ୱରରେ ପ୍ରତିଧ୍ଵନିତ ହୋଇ ତାଙ୍କୁହିଁ ଆନନ୍ଦ ଦେଇଥାଏ ! କିନ୍ତୁ ତା' ମୂଳରେ ଥାଏ ଗାୟକର ଭାବ ! ସ୍ୱରାରବିନ୍ଦ ଅରବିନ୍ଦ ମୁଦୁଲିଙ୍କ ଗୀତରେ...
" 'ଭାବ' ନ ଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା..
ଭାବରେ ଭଜେଇ ଭକ୍ତିରେ ମଜେଇ
ପ୍ରଭୁଙ୍କୁ ଭଜିଲେ ସିଏ 'ଭଜନ'..."
କେ କହେ ଅଲୌକିକ.. ପୁଣି ଲୌକିକ; କିଏ କହେ ଅବତାର.. ପୁଣି ଅବତାରୀ ! କିନ୍ତୁ ତାଙ୍କର ଶାଶ୍ଵତ ପରିଚୟ "ପରମ ଭାବଗ୍ରାହକ" । 'ଆସ୍ତିକ-ନାସ୍ତିକ' ଦ୍ବନ୍ଦ୍ବର ଉର୍ଦ୍ଧ୍ବରେ ସେ ! ଜାଗତିକ ମୋହମାୟାଠାରୁ କ୍ରୋଶଦୂରରେ..! ତାଙ୍କୁ ନ ଧରି,ଅନୁସରଣ ନ କରି ଏ ଭବସଂସାର ପାରିହେବା ଦୁରୂହ ବ୍ୟାପାର ! ତାଙ୍କରି ଅନୁଶାସନ ହିଁ ଅଖଣ୍ଡ ଜୀବନବାଦ ! ଆତ୍ମାକୁ ପରମାତ୍ମା ସହ ମିଶ୍ରଣ ହିଁ ଚରମ ମୁକ୍ତି ଦେଇଥାଏ,ଯଦିଓ ଆତ୍ମା ଅବିନାଶୀ,ଅଜର,ଅମର...! ତେଣୁ ତ ଏ ଅଢ଼େଇଦିନର ଜୀବନକୁ ସାର୍ଥକ କରି ଭବରୁ ତରିବା ପାଇଁ ସେହି ଭାବଗ୍ରାହୀଠାରେ ନିରବଚ୍ଛିନ୍ନ ଭାବ ସର୍ବାଦୌ ଆବଶ୍ୟକ । କଥାକୁ ମାଜିଲେ ମୋଟ ହୁଏ; କିନ୍ତୁ ଭାବରେ ମଜ୍ଜି ଭାବକୁ ମାଜିଲେ ସେ ମିଳନ୍ତି । ପ୍ରକୃତରେ ତା'ସାଥେ ନ କରି ଭାବ ଜୀବନରେ ଆଉ କି ଲାଭ !! ଏଠି ଲାଭ-କ୍ଷତି-ପ୍ରାପ୍ତିର ତର୍ଜ୍ଜମା ନ କରି ନିଜର ମୋହ-ମାୟା-ବନ୍ଧନ ତ୍ୟାଗ କରି ସେହି ଭାବବିନୋଦିଆଙ୍କଠାରେ ଭାବଯୁକ୍ତ ହୋଇ ରହିବା ହିଁ ପ୍ରକୃତ ପ୍ରାପ୍ତି, ସର୍ବୋପଲବ୍ଧ ସାଧନା ; କାରଣ ସେହିଁ ଭାବରେ ବନ୍ଧା.. "ଭାବର ଠାକୁର" .......