ବାପା
ବାପା


ମାଙ୍କର ନୀତିବାଣୀ ଆଉ ସହନଶୀଳତା ଏବଂ ପୁରାଣ ପୋଥିରୁ ଛୋଟ ଛୋଟ ଗଳ୍ପ ଆଜି ମୋତେ ନମ୍ର ଶାନ୍ତ ସ୍ୱଭାବ ମଣିଷଟିଏ ସୃଷ୍ଟି କରିଛି କିନ୍ତୁ ମୋ ବାପାଙ୍କର କଡା ତାଗିଦ ସୁଶାସନ,ଗର୍ଜିତ କଣ୍ଠରେ ଆଦେଶ ଇତ୍ୟାଦି ମୋ ମନ ମୋତେ ଶିଖେଇ ଦେଇଛି ଭକ୍ତି,କ୍ଷମା ଏବଂ ଧର୍ଯ୍ୟ ଶକ୍ତି।
ବାପା ଦୂର ହାଟରେ ଅଦା,ରସୁଣ ଶୁଖିଲା ଲଙ୍କାର ଛୋଟ ଦୋକାନଟା ବିକ୍ରି ସାରି ବୁଗୁଚାଟା ବାମ କାନ୍ଧରେ ଓହଳି ଦେଇ ଡାହାଣ ହାତରେ ଡିବିରି ଆଲୁଅ ଧରି ଫେରନ୍ତି, ଆମେ ଭାଇ ଭଉଣୀ ଖୁସିରେ ବାପା ଆଣି ଥିବା ନାଡୀମିଠେଇ ସମାନ ଭାଗ କରି କୁଡ଼ିଆ ଘରେ ବସି ଖାଉ । ଆଜି ସେ ସମୟ,ଘର ସବୁ କିଛି ବଦଳି ଯାଇଛି ବାପା ଅଛନ୍ତି କିନ୍ତୁ ବାପାଙ୍କ(ମୁଁ ବା ବୋଲି ଡାକେ) ଶରୀରରେ ଆଉ ସେ ଶକ୍ତି ନାହିଁ କି ଉତ୍ସାହ ନାହିଁ ମୋ ବା କେବଳ ସମରୁପି ସତୀ ଅନୁସୟାର ପାଷାଣ ପରି ପାଲଟି ଯାଇଛନ୍ତି।
ଦିନେ ବା ହାଟରୁ ଫେରୁଫେରୁ ବାଇଗଣ ପଟାଳିରେ ପାଣି ଦିଆ ହୋଇ ନଥିବା ଯୋଗୁଁ ମାଙ୍କୁ ବହୁତ କର୍କଶ କଥାରେ ଯନ୍ତ୍ରଣା,ଦୁଃଖ ବି ଦେଲେ ମା ର ଦୁଇ ଆଖିରୁ କେବଳ ଲୋତକର ଅଶ୍ରୁ ଧାରା ବହି ଚାଲୁ ଥାଏ,ସେତେବେଳେକୁ ଚାରିଆଡେ ଅନ୍ଧାର ନିସ୍ତବ୍ଧ ଶୃଗାଳର ଭୋକେ ଭୋ,ପେଚାର ଶବଦ ଭିତରେ ମା ସେଇ ଚୁଲି ମୁଣ୍ଡରେ ଶୋଇଇଗଲେ ଆମେ ଭାଇଭଉଣୀର ଭୟରେ କେତେବେଳେ ରାତି ପାହିଲା ଜାଣି ପାରିନଥିଲୁ, । ପ୍ରତୁଷ୍ୟରୁ ଝାଡୁହେଉ ଥିବାରୁ ସେଇ ଶବ୍ଦରେ ଆମେ ଧଡପଡ ହୋଇଓଠି ଦେଖିଲୁ ବା କୁ ମା ହର୍ଷିତ ମୁଖରେ ଦାନ୍ତ କାଠି ଆଉ ଗୁଡାଖୁ ଦେଉଛନ୍ତି। ସତରେ ଆଜି ମୁଁ ଭାବୁଛି ସେତେବେଳର ବୈବାହିକ ଜୀବନ ଆଉ ଆଜିର ନୂତନ ପିଢ଼ି ମଧ୍ୟରେ ବହୁତ ପାର୍ଥକ୍ୟ ଅଛି।
ବାପାଙ୍କ ସାମନାରେ କେବେ କଥା ହେବାର ମୁଁ ସାହସ କରିନି ଘରର ଗୋଟିଏ ପଟେ ବାପା ଥିଲେ ଆରପଟେ ମୁଁ ଥାଏ । କେବଳ ଖାଇବା ସମୟରେ ପାଖପାଖି ବସୁ,ବାପାଙ୍କ ଥାଳିର ମାଛଭଜା ମୋତେ ଦେଇ ଦିଅନ୍ତି ମୁଁ ମାଛ ଝୋଳ ଖାଇବାକୁ ଭଲ ପାଏ ମା'କୁ କୁହନ୍ତି ମୋ ପୁଅର ତାଟିଆ ଫୁଲ କରିଦେ । ତରକାରୀ ଟିକେ ଖରାପ ହେଲେ ବାପା ଗାଳି କରନ୍ତି । ମା କହେ କାଲି ତରକାରୀ ଭଲ ରାନ୍ଧିବି ଆଜି ଚଳେଇ ଦିଅ ଏମିତି ପ୍ରାୟ ସବୁଦିନିଆ ନୀତି, ସେତେବେଳେ ଆମେ ଗରିବ ଥିଲୁ ସତ କିନ୍ତୁ ଆମକୁ କେବେ ଗରିବର ଭାବନା ଦେଇ ନାହାଁନ୍ତି।ମୁଁ ପାଠବହି କିଣିବା ପାଇଁ ପଚାଶ ଟଙ୍କା ମାଗିଲେ ମୋତେ ତିରିଶି ଟଙ୍କା ଦେଉଥିଲେ ତାର କାରଣ ମଧ୍ୟ ଆଜି ମୁଁ ବୁଝି ପାରିଛି। କିନ୍ତୁ ଆଜିକାଲି ତରକାରୀ ଯେମିତି ଯିଏ ରାନ୍ଧିଦେଲେ ବାପା ଚଳେଇ ଦିଅନ୍ତି କାହାକୁ ପଦୁଟିଏ କିଛି କୁହନ୍ତି ନାହିଁ କି ତାଙ୍କ ଥାଳିରୁ ମାଛ ଭଜାଟିଏ ପାଇବା ପାଇଁ ମୋତେ ସପ୍ନ କେବଳ ହିଁ ସ୍ବପ୍ନ,ତାଙ୍କର ଆଉ ସେ ଶାସନ ବି ନାହିଁ କି ମୋର ସେ ପିଲାଦିନ ବି ନାହିଁ ।ବାପା ଙ୍କୁଠୁ ଏବେ ମୋ ବ୍ୟସ୍ତତା ଭିତରେ ମୁଁ ବହୁତ ଦୂରରେ,ଦୁଃଖ ଲାଗେ ହେଲେ ମୁଁ ନିରୁପାୟ କେବେଳ ମୋବାଇଲରେ ହାଏ ହେଲେରେ ଦିନ ସରିଯାଏ।