Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Ranjit pal

Tragedy Inspirational

3  

Ranjit pal

Tragedy Inspirational

କାହାଣୀ ଏକ ଗର୍ଭସ୍ଥ ଦୁର୍ଗାର

କାହାଣୀ ଏକ ଗର୍ଭସ୍ଥ ଦୁର୍ଗାର

2 mins
485



ନର୍ସିଂହୋମରେ ଜ୍ୟୋତି ନିଜ ଗର୍ଭସ୍ଥ ଶିଶୁର ଲିଙ୍ଗ ଜାଣିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରିଥିଲା । କାନ୍ଥରେ ଲେଖା ଥିଲା ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଆଇନଗତ ଭାବେ ଦଣ୍ଡନୀୟ ଅପରାଧ । ସାମ୍ନାରେ ଲାଗିଥିବା ଟିଭିରେ ବେଟି ବଚାଓ ଓ ବେଟି ପଢ଼ାଓର ବିଜ୍ଞାପନ ଦେଉଥିଲା, ବିଜ୍ଞାପନ ପରେ ଟିଭି ପରଦାରେ ନିଜ ଶାଶୁ ତଥା ପ୍ରତିଷ୍ଠିତ ନାରୀ ନେତ୍ରୀ ନିରଜା ଦେବୀଙ୍କୁ ଦେଖି ଚମକି ପଡିଲା ଜ୍ୟୋତି । ଦଶହରା ସମୟ, ଚାରିଆଡେ ମାତୃଶକ୍ତିର ଜୟଗାନ ଶୁଭୁଛି । ଟିଭି ପରଦାରେ ମହିଳା ବିରୋଧୀ ଅପରାଧ ବିରୋଧରେ ସାରଗର୍ଭକ ଚର୍ଚ୍ଚା କରୁଥିଲେ ଜ୍ୟୋତିର ଶାଶୁ । କନ୍ୟା ଭୃଣ ହତ୍ୟାକୁ ଦୃଢ଼ ନିନ୍ଦା କରିବା ସହ ସେ ନାରୀ କିଭଳି ସଫଳତାର ଶୀର୍ଷରେ ପହଁଚିଛି ତାର ଉଦାହରଣ ଦେଉଥିଲେ, ଲକ୍ଷ୍ମୀବାଈଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ରମାଦେବୀଙ୍କ ଯାଏଁ, ଭାଲେଣ୍ଟିନା ଟେରେସକୋଭାଙ୍କ ଠାରୁ କଳ୍ପନା ଚାୱଲାଙ୍କ ଯାଏଁ, ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି କିରଣ ବେଦୀଙ୍କ ଯାଏଁ ଉଦାହରଣ ଦେଇ କନ୍ୟା ଭୃଣ ହତ୍ୟା ନକରି ସେମାନଙ୍କ ପରିଚୟରେ ନିଜକୁ ଗର୍ବିତ କରିବାର ସମୟ ଆସୁଛି ବୋଲି କହିଥିଲେ । ଠିକ ଏତିକି ବେଳେ ନର୍ସର ଡାକରେ ପ୍ରକୃତିସ୍ଥ ହେଲା ଜ୍ୟୋତି । ନର୍ସ ଜୟ ମା ମଙ୍ଗଳା କୋର୍ଡ଼ ୱାର୍ଡରେ ଜଣେଇଦେଲା ଜ୍ୟୋତିକୁ । କିଛି ଦିନର ଖବର ଜ୍ୟୋତି ଆଗରେ ନାଚି ଗଲା ଖୋଦ ରାଜଧାନୀରେ ବିଭାଗୀୟ ହଷ୍ଟେଲରେ ଆଦିବାସୀ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣା ଠାରୁ ସିରିମସ୍କା ସ୍କୁଲ ଯୌନ ବ୍ୟଭିଚାର ମାମଲା । ମନେ ପଡିଯାଉଥିଲା ଟିକିରିରେ ନିଆଁରେ ଜଳେଇ ଦିଆଯାଇଥିବା ଶିକ୍ଷୟିତ୍ରୀ ଇତିଶ୍ରୀର କଥା, ଆଉ ମାଳତୀ ପାଟପୁର ରେଳଧାରଣାରେ ପଡିଥିବା ଡାକ୍ତର ମାଧବୀଲତାର କଥା, କେବଳ ସେତିକି ନୁହେଁ ମନେବି ପଡୁଥିଲା ପିପିଲି ଗଣଧର୍ଷଣ ମାମଲାରେ ସବୁ ଅଭିଯୁକ୍ତ ନିର୍ଦୋଷରେ ଖଲାସ ହେବା ଠାରୁ ଆରମ୍ଭ କରି ଦଶନ୍ଧି ଦଶନ୍ଧି କିଭଳି ଲାଗିଥିଲା ଛବିରାଣୀ ହତ୍ୟାକାଣ୍ଡର ଅଭିଯୁକ୍ତକୁ ଶାସ୍ତି ମିଳିବାରେ ।  


ମନେ ପଡୁଥିଲା ଆଜି ସକାଳର କଥା । ପୂର୍ବରୁ 3ଟି ଝିଅ ହୋଇ ସାରିଥିବାରୁ ଶାଶୁ ଏଥର ପୁଅ ନହେଲେ ଜ୍ୟୋତି ପାଇଁ ଘରର ଦାଣ୍ଡ ଦର୍ଜା ବନ୍ଦ କରିଦେବାକୁ ଧମକ ଦେଇଥିଲେ , ଯିଏକି କିଛି ସମୟ ପୂର୍ବରୁ ଟିଭିରେ କନ୍ୟା ଭୃଣ ହତ୍ୟା ବିରୋଧରେ ନିଜ ମତ ରଖୁଥିଲେ । ଚିତ୍କାର କରି ଉଠିଲା ସେ, ତା ଚିତ୍କାରରେ ସ୍ତବ୍ଧ ହୋଇଗଲା ପୁରା ନର୍ସିଂହୋମ । ଚିତ୍କାର କରି ତା ପେଟରେ ବଢ଼ିଥିବା କନ୍ୟା ଶିଶୁକୁ ମାରିଦେବାକୁ ନର୍ସକୁ ଅନୁରୋଧ କରୁଥିଲା ଜ୍ୟୋତି । ଜ୍ୟୋତି ଆଖିରେ ଥିଲା ଲୁହ, ପୁତ୍ର ସନ୍ତାନ ପ୍ରସବ ପାଇଁ ୱାଇ କ୍ରୋମୋଜୋମ ପୁରୁଷ ପାଖରୁ ଆସିଥାଏ, ଏକଥା ବୁଝିନଥିବା ତା ଶାଶୁ ହୁଏତ ତା ଜନ୍ମିତ କନ୍ୟା ସନ୍ତାନକୁ ତଣ୍ଟି ଚିପି ମାରିଦେଇ ପାରନ୍ତି, ନଚେତ କେହି ଚକଲେଟ ଦେଖେଇ ନିଜ କାମନାକୁ ଶାନ୍ତ କଲା ପରେ ପ୍ରମାଣ ନଷ୍ଟ କରିବାକୁ ଅବୋଧ ଶିଶୁର ହତ୍ୟା କରିପାରେ, ଆଉ ଖବରକାଗଜରେ ସେ ଦେଖିବା ଭଳି କେଉଁ ବୁଦା, କେଉଁ ରାସ୍ତା କଡ଼ରୁ ତା ଝିଅର କ୍ଷତାକ୍ତ, ରକ୍ତାକ୍ତ, ଉଲଗ୍ନ ଶବ ତାକୁ ମିଳିପାରେ । ଜୋରରେ କାନ୍ଦି ଉଠିଲା ଜ୍ୟୋତି, ଦୋହଲି ଯାଉଥିଲା ମାତୃତ୍ବର ଅନୁଭବ , ମା ହିସାବରେ ନିଜ ଝିଅକୁ ଭବିଷ୍ୟତରେ ଏମିତି ଦେଖି ସେ କେମିତି ସହିପାରିବ? ଆଉ କାନ୍ଦି କାନ୍ଦି ସେ ନର୍ସକୁ କହୁଥିଲା ସେଇ ନବରାତ୍ରୀରେ ଯେତେବେଳେ ସାରା ସହର ମା ଆଦ୍ୟାଶକ୍ତିଙ୍କ ଆବାହନରେ ମସଗୁଲ ଥିଲା, ସେଇ ସମୟରେ ତା ପେଟରେ ବଢୁଥିବା କନ୍ୟା ଭୃଣକୁ ଦୁନିଆଁ ଦେଖିବା ଆଗରୁ ଜଲହାଦମାନଙ୍କ କବଳରୁ ମୁକ୍ତିଦେବାକୁ...


Rate this content
Log in

More oriya story from Ranjit pal

Similar oriya story from Tragedy