Ranjit pal

Others

4.5  

Ranjit pal

Others

ହଜିଗଲା ମାମୁଁଘର

ହଜିଗଲା ମାମୁଁଘର

4 mins
505



    ପିଲାବେଳେ ମାମୁଁଘରକୁ ଯିବା ଶୁଣିଦେଲେ ମନଟା ଖୁସିରେ ଉଛୁଳିପଡେ | ମନରେ ଆଙ୍କି ହୋଇଯାଏ ଦୁଇ ଦାଣ୍ଡି ନାଲି ଟାଇଲ୍ ଘର ମଝିରେ ବିରାଟ ଅଗଣା ଓ ଛାତିଏ ଉଚ୍ଚା ଚଉରା | ଗୋଟେ ଦାଣ୍ଡିରେ ଠାକୁର ଘର, ଶୋଇବା ଘର ଦି ବଖରା , ଚାଉଳ ଆଲମାରୀ ଘର, ହାଣ୍ଡିଶାଳ | ଆର ଦାଣ୍ଡିରେ ଧାନଘର ଦି ବଖରା, ଢିଙ୍କିଶାଳ | ତାପରେ ପୁଣି ରୋଷେଇଘର ଖଞ୍ଜା ପରେ ଆଉ ଗୋଟେ ଅଗଣା , ବାଡି ଅଗଣା | ମଝିରେ ପଣସ ଗଛ , ଡାଳିମ୍ବ ଗଛ, ମନ୍ଦାର ଗଛ | ଦାଣ୍ଡପଟେ ବିରାଟ ଗୁହାଳ | ଘର ସାମନାରେ ଦାଣ୍ଡରେ ବିରାଟ ଚଉତରା | ଏକ ସ୍ୱପ୍ନପୁରୀର ଭ୍ରମ ସୃଷ୍ଟିକରେ | 

    ମାମୁଁଘର ଶଗଡ ଲାଗେ ଆମ ବାଡିପଟେ | ବୋଉ ସଜହୁଏ ବାପଘରକୁ ଯିବାକୁ | ଆମେ ବି ସଜହେଉ | ଗୋଡ ତଳେ ଲାଗେନା | ଶଗଡରେ ତାଟ ପଡିଥାଏ | ତା ଉପରେ ପାଲ ବନ୍ଧା ହୋଇଥାଏ | ଭିତରେ ନଡା ପଡି ତା ଉପରେ ସପ ଓ ତା ଉପରେ ସତରଞ୍ଜି ପଡିଥାଏ | ଧଳା ଧଳା ଚିତେ ଉଚ୍ଚା ବଳଦ, ଟିପ ମାଇଲେ ରକ୍ତ ବାହାରିଯିବ , ମୁଣ୍ଡରେ

କଉଡି ମାଳରେ ଚଉଁରୀ ବନ୍ଧା ଓ ବେକରେ ପିତଳର ଘଣ୍ଟି ଘାଗୁଡି ମାଳ, ଚାଲିଲା ବେଳେ ମଧୁର ଶବ୍ଦ ସୃଷ୍ଟି କରେ |

    ମାମୁଁଘର ଦୁଆରେ ଶଗଡ ଲାଗୁ ଲାଗୁ ସାଇ ପଡିଶା ଧାଇଁ ଆସନ୍ତି | କିଏ କେତେ ପ୍ରକାରେ ପଚାରେ | ମଢିମା ତା ବେହାଡା ଦାନ୍ତ ଦୁଇ ଧାଡି ଦେଖେଇ ହେଁ ହେଁ ହୋଇ ହସେ | ମୁଁ ଜାଣିପାରେନି ସେ କାନ୍ଦୁଛି ନା ହସୁଛି | ବେହେରା ଘର ବୁଢୀ ଧାଇଁଆସି ଆମକୁ କୁଣ୍ଢାଇ ପକାଏ | କାଖେଇ କୁଣ୍ଢେଇ ଘର ଭିତରକୁ ନେଇଯାଏ |

    ଆଈର ସେ ଗୋରା ତକ ତକ ମୁହଁରେ ଯେମିତି ହଜାରେ କୃଷ୍ଣଚୂଡା ଫୁଟିଉଠନ୍ତି | ଅଜା ଚଉତରା ଉପରୁ ଉଠିଆସି ଅଗଣାର ଗୋଟିଏ କଡକୁ ପିଣ୍ଡା ଉପରେ ପଡିଥିବା ଖଟରେ ବସି ବୋଉକୁ ଆମ ଘରକଥା ପଚାରନ୍ତି ଓ ତା ସଙ୍ଗେ ସଙ୍ଗେ ଆମକୁ କେତେ ଥଟ୍ଟା ମଜା କରନ୍ତି | 

    ସନ୍ଧ୍ୟା ହେଲେ ଘରେ ରହି କାମ କରୁଥିବା ଲୋକଟି ଡିବି, ଲଣ୍ଠନ ସବୁ ପୋଛି କିରାସିନି ପକେଇ ଜଳାଇଦିଏ | ଘରେ ସତେ ଯେମିତି ଲକ୍ଷ୍ମୀ ବିରାଜିଛନ୍ତି | ଆଃ କି ସ୍ନେହ ସରାଗରେ ଭର୍ତ୍ତି ଘର | ପୁରା ଖରା ଛୁଟୀଟା ହିଁ ସେଠି କଟେ |

    ରାତିରେ ଅଗଣାରେ ଖାଇବସିଲା ବେଳେ ଉଷୁନାଭାତରେ ଗୁଆଘିଅ ସର ସର ହୋଇ ପଡେ | ମୁଗଡାଲି ସାଥୀରେ ଚେକା ଚେକା ଆଳୁ ବାଇଗଣ ଭଜା | ତୋଟାରୁ ଆସିଥିବା ସବୁଠୁ ମିଠା ଆମ୍ବ କଟାହୁଏ | ବାଃ ...ଖାନାଟା ଜମିଯାଏ | ଏବେବି ସେ ବାସ୍ନା ମୋର ମନେପଡିଯାଏ ବେଳେବେଳେ 

    ମାମୁଁଙ୍କ ଦେହ ଖରାପ ଶୁଣିଲି | ବହୁତ ଦିନ ହେଲା ଯାଇନଥିଲି, ବୋଧେ କୋଡିଏ ବର୍ଷ ହେବ | ମନ ସମ୍ଭାଳିଲାନି, ଗାଡିଟା ବାହାରକରି ଗୁଡାଏ ମିଠା ଆଉ ଫଳ ମୂଳ ଧରି ଚାଲିଲି | ମାମୁଁଘର ଗାଁଟା ଆମ ଗାଁ ଠୁ ଦଶ କିଲୋମିଟର ହେବ ପଶ୍ଚିମକୁ | ଅପରାହ୍ନର ଗରମ ସୂର୍ଯ୍ୟ ମୁହଁକୁ ମାରୁଥାଏ | ମାମୁଁଘର ଗାଁ ଛକରେ ପହଞ୍ଚି ଟିକେ ନଜର ଦୌଡାଇଲି ଚାରିପଟକୁ | ବସ୍ ଷ୍ଟାଣ୍ଡ ରେ ଥିବା ସେ ତ୍ରୀନାଥ ଚାନ୍ଦେନି ଓ ଘଞ୍ଚ ବରଗଛକୁ ଦେଖିଲିନି | ରାସ୍ତା ଚଉଡା ହୋଇ ତା ଗର୍ଭରେ ତାକୁ ଲୀନ କରିଦେଇଛି | ତା ପାଖରେ ଥିବା ଭୁଜ ଗୁଡିଆର ସେ ବରା ଦୋକାନ ବି ନାହିଁ | ବଡ ବଡ ବିରି ବରା ଭିତରେ ଗୁଡ ନଡିଆ ଗୋଲମରିଚର ପୁର ଦିଆହୋଇ ବାଦାମ ତେଲରେ ଛଣା ହୋଇଥିବା ବରା ଅନେକ ଥର ମାମୁଁ ଆଣନ୍ତି | ମୁଁ ଖାଇଛି ବହୁତ ଥର | 

    ଛକଟା ଗୋଟେ ଛୋଟିଆ ବଜାର ହୋଇଯାଇଛି | ଗୋଟେ ଦୋକାନରେ ପଚାରିଲି ଭୁଜ ଗୁଡିଆ କଥା | ସେ କହିଲା," ବାବୁ ! ତୁମେ କେମିତି ଜାଣିଲ ତାକୁ ?" ମୁଁ ମୋ ପରିଚୟ ଦେଲି | ସେ କହିଲା ଯେ ତା ର ଦେହ ଖରାପ | ତା ପୁଅ ସେଇ ଆଗରେ ମିଠା ଦୋକାନ ଦେଇଛି | ଆମ ଏଠାର ବରା ତ ବହୁତ ପ୍ରସିଦ୍ଧ | ତେଣୁ ଗୁଡିଏ ଦୋକାନ ଖୋଲିଲାଣି

    ମାମୁଁଘର ସାଇ ଭିତରତୁ ଗାଡି ବୁଲେଇଲି | ସାଇରେ ଚାଳ କି ଟାଇଲ୍ ଘର ଗୋଟେ ବି ନାହିଁ | ସବୁଆଡେ ପକ୍କାଘର | ସାଇ ମଝିରେ ଥିବା ଟଗର ଗଛ, ଚମ୍ପା ଗଛ ଗୋଟେ ବି ନାହିଁ | ସବୁ ସଫାହୋଇ ଦାଣ୍ଡ ସିମେଣ୍ଟ ହୋଇଯାଇଛି | ମାମୁଁଘର ଦୁଆରେ ପହଞ୍ଚିଲି | କେହି ନାହାନ୍ତି | ଚଉତରା ଉପରେ ଗହଳି ନାହିଁ | ଦାଣ୍ଡ ବି ଶୁନ୍ ଶାନି | ଯେଉଁ କେତୋଟି ମୁହଁ ଦିଶୁଥିଲା ସବୁ ଅଚିହ୍ନା ଥିଲା | ଦାଣ୍ଡ ଦୁଆର ଚଢି ଘର ଭିତରକୁ ପଶିଲି | ନା ଗୋବରର ଗନ୍ଧ ନାକରେ ବାଜିଲା ନା ଗୁହାଳେ ଗୋରୁ ଥିଲେ | ବିରାଟ ବଡ ଗୁହାଳ ଖାଲିପଡିଛି | ମୋ ଦେଖିବାରେ ତିନି ହଳ ବଳଦ ଓ ଚାରି ପାଞ୍ଚଟା ଗାଈଥିଲେ |

    ଗୁହାଳ ଟପି ଅଗଣାରେ ଗୋଡ ଦେଲି | ବାଁ ପଟକୁ ଚାହିଁଲି | ଏଠି ଠାକୁର ଘର ଦୁଆରେ ଆଈର ଗୋରା ଦକଦକ ମୁହଁଟା ନଜରରେ ପଡିଲାନି | ଡାହାଣ ପଟକୁ ଚାହିଁଲି | ପିଣ୍ଡା ଉପରେ ଅଜା ବସୁଥିବା ଖଟଟା ତ ପଡିଛି ମାତ୍ର ଅଜା ନାହାନ୍ତି |

    ମୁଁ ଜାଣିଛି | ଅଜା ଆଈ ଆଉ କେବେବି ଫେରିବେନି ତାଙ୍କ ନାତିକୁ ହସି ହସି ଘର ଭିତରକୁ ପାଛୋଟି ନେବାକୁ | ମାମୁଁଙ୍କ ବୋହୁ ଅଗଣାକୁ ବାହାରି ଆସି ମୋତେ ଅଚିହ୍ନା ପାଇ ପୁଣି ଘର ଭିତରକୁ ପଶିଗଲେ | ଦଶ ବର୍ଷର ପୁଅଟି ଆସି ପଚାରିଲା... ଆପଣ କାହାକୁ ଖୋଜୁଛନ୍ତି ? ମୁଁ କିଛି ଉତ୍ତର ଦେବା ପୂର୍ବରୁ ପାଟି ଶୁଣି ମାମୁଁ ବାହାରି ଆସିଲେ ଅଗଣାକୁ | ମୋତେ ଅନେକ ଦିନ ପରେ ଦେଖି ଖୁସିରେ ତାଙ୍କ ମୁହଁ ଝଲସି ଉଠିଲା |ମୁଁ ନମସ୍କାର କଲି ମୁଣ୍ଡନୁଆଁଇ | ସେ ପାଟିକରି କହିଲେ, " ବାଘମାରୀ ନାନୀ ପୁଅ ଆସିଛି ତା ପାଇଁ ଜଳଖିଆ ସଜ କର | ମୁଁ ଜାଣିଲି ବୋହୁଟି ଉଦ୍ଦେଶ୍ୟରେ ତାଙ୍କର ଏ କଥା | ମାଇଁ ପାଗଳୀ | ବାଡିପଟ ଖଞ୍ଜାରେ ଥିବେ | ଅଜାଙ୍କର ଛଅ ଝୀଅରେ ଗୋଟିଏ ପୁଅ | ମୁଁ ବଡ ଆଡୁ ଦୁଇ ନମ୍ବର ଝୀଅର ପୁଅ | 

    ମାମୁଁଙ୍କୁ ଦେହ କଥା ପଚାରିଲି | ମୁଁ ନେଇଥିବା ହର୍ଲିକ୍ସ୍ ଫଳ ମୂଳ ସବୁକୁ ଆଗ୍ରହର ସହ ଦେଖିଲେ ମାତ୍ର କିଛି ଖାଇଲେନି | ବୋହୁଟି ଆସି ମୁଣ୍ଡିଆ ମାଇଲା | ଥଣ୍ଡା ଗ୍ଲାସ୍ ଟି ଟେବୁଲ ଉପରେ ଥୋଇ ଓଢଣା ଟାଣି ଚାଲିଗଲା | ମାମୁଁଙ୍କ ପୁଅ ଘରେ ନଥିଲା | ମୁଁ ଥଣ୍ଡା ପିଇସାରି ଉଠି ଠିଆହେଲି | ପୁଣି ଥରେ ଆସିବାର କଥାଦେଇ ଫେରିଲି ଗାଁ କୁ | ଅତୀତର କଥାଗୁଡା ମନେପଡି ମନଟା ଗୋଳେଇ ଘାଣ୍ଟି ହେଲା | 

    ମୋତେ ଲାଗୁଥିଲା ସତେ ଯେମିତି ମୁଁ ଆଉ କେଉଁଠିକି ଭୁଲରେ ଚାଲିଆସିଛି | ଇଏ କଣ ସେଇ ମୋ ମାମୁଁଘର ଗାଁ ??? ବିସ୍ମୃତିର ଗର୍ଭରୁ ଘଟଣା ଗୁଡିକ ଟାଣି ଓଟାରି ବାହାର କରିବାକୁ ଚେଷ୍ଟାକରି କେବଳ ଦୀର୍ଘଶ୍ୱାସ ହିଁ ଛାଡୁଥିଲି | ମାମୁଁଘର ଗାଁଟା ମୋ ଆଗରୁ ଯେମିତି ହଜିଯାଇଥିବାର ପ୍ରତ୍ୟୟ ହେଉଥିଲା |     

 


Rate this content
Log in