STORYMIRROR

Dr Santosh Kumar Panda

Inspirational

4  

Dr Santosh Kumar Panda

Inspirational

ବାବୁ ଆମେ ହାରିଗଲୁ

ବାବୁ ଆମେ ହାରିଗଲୁ

3 mins
325

ମୋର ଘନିଷ୍ଠ ବନ୍ଧୁ ରୋହନ ପୁଅର ଆଜି ଚତୁର୍ଥୀ ଭୋଜି। ନ ଗଲେ ନ ଚଳେ। କର୍ମକ୍ଷେତ୍ରରୁ ଫେରି ପତ୍ନୀ ଓ ପୁଅ ଦୁଇଜଣଙ୍କ ସହ ଭୋଜିରେ ଠିକ୍ ସମୟରେ ପହଞ୍ଚିଗଲୁ।

ସଜ୍ଜିତ ହୋଇଥିବା ମୁଖ୍ୟ ଦ୍ଵାର ପାଖରେ ରୋହନ ଓ ତା'ର ପତ୍ନୀ ଆମକୁ ସ୍ଵାଗତ କଲେ। ଘର ଅଗଣାରେ ଭୋଜି ବ୍ୟବସ୍ଥା। ସୁନ୍ଦର ସାଜସଜ୍ଜା। ସ୍ଵତନ୍ତ୍ର ମଞ୍ଚରେ ପୁଅ ବୋହୂ ବସିଛନ୍ତି। କଥା ହୋଇ ହୋଇ ବୋହୂ ଦେଖିବାକୁ ଚାଲିଗଲୁ।

ଏ ପଟେ ପୁଅ ଦୁଇଜଣ ଷ୍ଟାର୍ଟର ଖାଇବା ଆରମ୍ଭ କରି ଦେଇଥାନ୍ତି। ପୁଅ ବୋହୂକୁ ଆଶୀର୍ବାଦ ଓ ଉପହାର ଦେବା ପରେ ରୋହନ ଓ ତା ପତ୍ନୀଙ୍କ ସହ ଆମ୍ଭର ଏକ ଫଟୋ ସେସନ ହେଲା। ରୋହନ ଆମକୁ ଭୋଜନ ମଣ୍ଡପ ଆଡ଼େ ନେଇଗଲା। ବଫେ ବ୍ୟବସ୍ଥା। କିନ୍ତୁ ବସି ଖାଇବା ପାଇଁ ସମସ୍ତଙ୍କ ନିମନ୍ତେ ଗୋଲ ଟେବୁଲ ଓ ଚେୟାର ବ୍ୟବସ୍ଥା ହୋଇଛି। ପିଲାମାନେ ମଧ୍ୟ ଆମ ସହ ଆସି ଯୋଡ଼ି ହୋଇଗଲେ। ଧାଡ଼ିରେ ଯାଇ ଖାଦ୍ୟ ଆଣିବା ପରେ ଗୋଟିଏ ଟେବୁଲରେ ସମସ୍ତେ ବସିଗଲୁ। ରୋହନ ଅନ୍ୟ ଅତିଥିମାନଙ୍କୁ ସ୍ବାଗତ କରୁଥାଏ। କିନ୍ତୁ ସମୟ ବାହାର କରି ଆମ ଆଡ଼େ ଆସି ବୁଲି ଯାଉଥାଏ। ପିଲାଦିନରୁ ଆଜି ଯାଏ ଆମ ବନ୍ଧୁତା ଅତୁଟ ରହିଛି। ଭୋଜନ ମଣ୍ଡପ ଚାରିପଟେ କପଡ଼ାରେ ସାଇଡ୍ ଓ୍ଵାଲ ଟଣା ହୋଇଛି‌। ଖାଇବା ମଝିରେ ଶୁଣିଲି ଭାସି ଆସୁଛି କଣ୍ଠ ସ୍ଵରଟିଏ ବାବୁ, କିଛି ଖାଇବାକୁ ମିଳୁ। ମୁଣ୍ଡ ଟେକି ଦେଖିଲି ସାଇଡ୍ ଓ୍ଵାଲ କପଡା ଟେକି ସେପଟରେ ୮/୯ ବର୍ଷର କଙ୍କାଳ ସାର ଝିଅଟିଏ କାଖରେ ୪/୫ ବର୍ଷର ରୋଗିଣା ପୁଅ ଛୁଆଟିଏ ରଖି ଡାହାଣ ହାତଟିକୁ ଆମ ଆଡ଼କୁ ବଢାଇଦେଇଛି। ଆଉ କହୁଛି ବାବୁ, ଆମେ ଭୋକିଲା ଅଛୁ। କିଛି ଖାଇବାକୁ ମିଳୁ। ଏଇ ସମୟରେ ରୋହନର ନଜର କିପରି ତା ଉପରେ ପଡ଼ିଗଲା।ସେ ଦୌଡ଼ି ଆସି ଗର୍ଜି ଉଠିଲା ଆରେ କୁଆଡେ ସବୁ ଚାଲି ଆସୁଛ। ଶାନ୍ତିରେ ଟିକେ ଖୁଆଇ ବି ଦେଉନାହଁ। ବାହାରେ ଯେଉଁ ଅଇଁଠା ପଡୁଛି ତାକୁ ଖାଇପାରୁନା । କପଡା ଟେକି ଭିତରକୁ ଚାଲି ଆସୁଛ। ଝିଅଟି ଭାଇକୁ ତଳେ ଠିଆ କରେଇ ଦେଇ ହାତ ଯୋଡ଼ି ଯାହା କହିଥିଲା ତାହା ଏବେ ବି ମୋ କାନରେ ଗୁଞ୍ଜରିତ ହେଲେ ଆଖି କୋଣରେ ଲୁହ ଜକେଇ ଆସେ। ଝିଅଟି କାକୁସ୍ଥ ହୋଇ କହିଥିଲା ଆମେ ଯାଇଥିଲୁ ସେ ଅଇଁଠା ପତ୍ର ପାଖକୁ। ହେଲେ ବାବୁ, ହାରିଗଲୁ। କୁକୁର ମାନଙ୍କ ଠାରୁ ହାରିଗଲୁ। ସେମାନେ ଆମକୁ ତଡିଦେଲେ। ଆମେ ଭୋକିଲା ଅଛୁ। ତିଅଣ ବାସ୍ନାରେ ଭୋକ ଆହୁରି ବଢିଯାଉଛି। ଆରେ ଯା ଯା ଗର୍ଜି ଉଠିବା ସହ ତା ଡେଣାକୁ ଧରି ଠେଲି ଦେଲା ରୋହନ। ହୁଏତ ଝିଅଟି ତଳେ ପଡ଼ି ଯାଇଥାନ୍ତା। କିନ୍ତୁ ମୋ ବାହୁରେ ସେ ଅଟକି ଗଲା। ସମସ୍ତଙ୍କ ନଜର ସେ ଝିଅ ଆଡ଼କୁ ଆସି ଯାଇଥାଏ। ଏ କଥା ମୁଁ ବୁଝୁଛି କହି ରୋହନକୁ ଅନ୍ୟ ଅତିଥିମାନଙ୍କୁ ସତ୍କାର ନିମନ୍ତେ ପଠାଇଦେଲି। ମୋ ପତ୍ନୀ ଓ ପିଲା ମାନେ ଖାଇବା ବନ୍ଦ କରି ମୋ ପାଖକୁ ଚାଲି ଆସିଥାନ୍ତି। ମୁଁ ଝିଅଟିକୁ ଆଣି ମୋ ଚେୟାରରେ ବସାଇଦେଲି। ପତ୍ନୀ ମଧ୍ୟ ଛୋଟ ପୁଅଟିକୁ ଆଣି ନିଜ ଚେୟାରରେ ବସେଇ ଦେଲେ‌ । ପୁଅ ଦୁଇ ଜଣ କ'ଣ ବୁଝିଲେ କେଜାଣି ଦୁଇଟି ଖାଦ୍ୟପୂର୍ଣ୍ଣ ଥାଳି ଆଣି ଆମ ପାଖରେ ହାଜର। ଦୁଇ ଜଣକୁ ହାତ ଧୋଇବା ପାଇଁ ପାଣି ଦେଲି। ପୁଅ ଦୁଇ ଜଣ ଖାଦ୍ୟ ଥାଳିକୁ ଟେବୁଲ ଉପରେ ରଖିଦେଲେ‌। ଛୋଟ ପୁଅଟି ମୁହଁରେ ଚେନାଏ ହସ ମୋତେ ଖୁସି କରି ଦେଲା। ସେମାନେ ଖାଇବା ଆରମ୍ଭ କରି ଦେଇଥାନ୍ତି। ମଝିରେ ମଝିରେ ଝିଅଟି ସାନ ଭାଇ ପାଟିରେ କିଛି ଖାଦ୍ୟ ଦେଇ ଦେଉଥାଏ। ଆମେ ଚାରିଜଣ ମଧ୍ୟ ସେମାନଙ୍କ ଖୁସିରେ ଯେପରି ନିଜକୁ ହଜାଇ ଦେଇଥାଉ। ସତରେ କି ଅପୂର୍ବ ଆନନ୍ଦ ସେମାନଙ୍କର। ଆମେ ଭୁଲି ଯାଇଥିଲୁ ଯେ ଆମ୍ଭେମାନେ ଖାଇନାହୁଁ ସେମାନଙ୍କ ଆନନ୍ଦରେ ଆମ ପେଟ ପୂରି ଉଠିଥିଲା। ଘରକୁ ଫେରିଲା ପରେ ମଧ୍ୟ ଝିଅଟିର ସେ କଥା ବାବୁ, ଆମେ ହାରିଗଲୁ ମୋ କର୍ଣ୍ଣ ଗହ୍ଵରରେ ଗୁଞ୍ଜରିତ ହେଉଥାଏ‌। ଏହା ମୋ ଜୀବନରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କଲା। ସାଥୀମାନଙ୍କୁ ଏକତ୍ରିତ କରି ନୂଆ କ୍ଲବ ଟିଏ ଗଠନ କଲି। ନାମ ଥିଲା "ତୁମେ ବି ଜିତିପାର" ଆଉ କାମ ହେଲା ଭୋଜିରୁ ବଳୁଥିବା ଖାଦ୍ୟକୁ ସଂଗ୍ରହ କରି ସେବା ବସ୍ତିରେ ବଣ୍ଟନ କରିବା। "ଆନନ୍ଦ ଥାଏ ନା ନିଜେ ଖାଇଦେଲେ କ୍ଷୀରି, ପୁରି, ତରକାରୀ, ଆନନ୍ଦ ତ ମିଳେ ଭୋକିଲା ମୁହଁରେ ହସ ଟିକେ ଦେଲେ ଭରି।


Rate this content
Log in

Similar oriya story from Inspirational