ଏକ ଟ୍ରେନ ଦୁର୍ଘଟଣା
ଏକ ଟ୍ରେନ ଦୁର୍ଘଟଣା
ଆରେ ଚିତ୍ତରଞ୍ଜନ, ସମସ୍ତେ ଆସିଗଲେ ତ ! ହଁ.... ହଁ...। କିନ୍ତୁ ରବୀନ୍ଦ୍ର? ଗାଡ଼ି ତ ଛାଡିଦେଲାଣି । ଫୋନ ଲଗାଅ ତ। ମୋହନକୁ ସମସ୍ତେ ବଡ଼ ଭାଇ ଭଳି ମାନନ୍ତି। ରାଜନ ଫୋନ ଲଗାଇଲା। କିଏ ରବୀନ୍ଦ୍ର? ଆରେ ଭାଇ କେଉଁଠି? ଆରେ ବ୍ୟସ୍ତ ହୁଅନି। ମୁଁ ତରତରରେ ଏସ୍ ୩ରେ ଚଢିଯାଇଛି। ଯାଉଛି ତୁମମାନଙ୍କ ପାଖକୁ। ଆଉ ସମସ୍ତେ ଆସିଗଲେ ତ ? ହଁ, ହଁ ଆମେ ପାଞ୍ଚଜଣ ଏସ୍ ୧ ରେ ଅଛୁ । ତୁମ ଅପେକ୍ଷାରେ ଅଛୁ। ଶିଘ୍ର ଆସ। ସମସ୍ତ ଛଅ ଜଣଙ୍କର ତଳ ଉପର ବର୍ଥ ହୋଇ ପାଖାପାଖି ସିଟ୍ । ଖତଗପୁର ଷ୍ଟେସନରୁ କରମଣ୍ଡଳରେ ଛଅ ସାଙ୍ଗ ଚିତ୍ତରଞ୍ଜନ, ମିହିର, ରବୀନ୍ଦ୍ର,ରାଜନ, ପାର୍ଥ ଓ ମୋହନ ଚେନ୍ନାଇ ଅଭିମୁଖେ ବାହାରିଛନ୍ତି। ଚେନ୍ନାଇର ଏକ କମ୍ପାନୀରେ କାମ କରନ୍ତି। ସମସ୍ତେ ବର୍ତ୍ତମାନ ତଳ ବର୍ଥରେ ବସିଛନ୍ତି। ରବୀନ୍ଦ୍ର ଆସି ଅନ୍ୟ ପାଞ୍ଚ ସାଙ୍ଗଙ୍କ ସହ ଯୋଡ଼ି ହୋଇଗଲା। ଏକମାସ ହେଲା ଛୁଟିରେ ଘରକୁ ଆସିଥିଲେ। ଏବେ ଫେରିବା ବେଳେ କିଏ ନିଜ ମାଆ ବାପାଙ୍କ କଥା, କିଏ ସାନ ଭାଇ ଭଉଣୀ କଥା ତ କିଏ ନିଜ ସ୍ତ୍ରୀ, ପୁଅ, ଝିଅ, ଭାଇ, ଭାଉଜଙ୍କ କଥାର ପସରା ଖୋଲି ଦେଇଥାନ୍ତି। ସେମାନେ କିପରି ଛାଡୁ ନ ଥିଲେ, କିଏ କ'ଣ ଖାଇବାକୁ ଦେଇଛନ୍ତି, କିଏ ଆରଥରକୁ ଆସିଲାବେଳକୁ କ'ଣ ଆଣିବାକୁ ବରାଦ କରିଛନ୍ତି, କାହାର ସାନ ଭାଇ ଭଉଣୀର କେବେ ବାହାଘର ଅଛି ତ ତାକୁ କେବେ ଆସିବାକୁ ହେବ। ଏ ସବୁର ଆଲୋଚନା ଖୁବ୍ ସୁନ୍ଦର ଭାବେ ଚାଲିଥାଏ। ଏହା ଭିତରେ ଗାଡ଼ି ବାଲେଶ୍ଵର ଅତିକ୍ରମ କରିଯାଇଥାଏ। ଗାଡ଼ି ର ଗର୍ଜନ ଭିତରେ କଥା ପେଡ଼ି ଯେମିତି ମିଶି ଯାଇଥାଏ।
ହଠାତ୍ ଏକ ବିକଟାଳ ଶବ୍ଦ ସହ ସବୁ ଶବ୍ଦ ଯେପରି ଆକାଶରେ ମିଶିଗଲା।
ମୁଁ କେଉଁଠି? ଏ ...ମୋ ହାତ ଗୋଡ଼ କ'ଣ ବ୍ୟାଣ୍ଡେଜ କପଡ଼ାରେ ବନ୍ଧା ହୋଇଛି। କ'ଣ ହୋଇଛି ମୋର। ଆଃ.. ଆଃ... ଉଃ... ଉଃ...। ସାରା ଶରୀରରେ ପୀଡା ହେଉଛି। ରାଜନ ଏ ସବୁ ଗପି ଚାଲିଥାଏ। ପାଖରେ ଥିବା ଅପରିଚିତା ମାଆଟିଏ ଚାମଚରେ କ'ଣ ତା ପାଟିରେ ଦେବା ସହ କହିଲା, ବାପାରେ ଦେହ ଭଲ ହୋଇଯାଉ।ସବୁ ଜାଣିବୁ। ରାଜନ ଟିକେ ପାଖ ପରିବେଶକୁ ଚାହିଁ ଅନୁମାନ କରିନେଲା କିଛି କିଛି । ବହୁତ ଭିଡ଼ ସହ କୋଳାହଳ ବି ଥାଏ।
ଡାକ୍ତରଖାନା ନିଶ୍ଚିତ। ତା ବାମ ହାତ ଓ ବାମ ଗୋଡ଼ ବ୍ୟାଣ୍ଡେଜକୁ ଦେଖି ସେ ଜାଣିଗଲା ତାହା ଭାଙ୍ଗି ଯାଇଛି।
ତା'ର ଅଳ୍ପ ସମୟର ନୀରବତାକୁ ଭାଙ୍ଗି ଗୋଡ଼ ଆଉଁସି ଦେଉଥିବା ମାଆ ଜଣକ କହିଲେ, ବାପାରେ କରୁଣା ସିନ୍ଧୁ ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣାରୁ ତୋର ବେଶି କିଛି ହୋଇନି। ଜଗନ୍ନାଥଙ୍କ ନାମ ଶୁଣି ତା ବେକରେ ଥିବା ଲକେଟ୍ କଥା ମନେ ପଡିଗଲା। ସେ ହାତ ମାରି ଦେଖିଲା, ତାହା ଠିକ୍ ଅଛି। ହାତରେ କପାଳ ପାଖକୁ ନେଇ ମୁଣ୍ଡାଇଟେ ମାରିଲା। ମୁଣ୍ଡିଆ ମାରିବା ସମୟରେ ଅନୁଭବ କଲା ତା କପାଳରେ ପୀଡା ହେଉଛି। କପାଳରେ ବି କିଛି ବନ୍ଧା ହୋଇଛି। ଏହି ସମୟରେ କେତେ ଜଣ ଆସି ତା ପାଟି ପାଖରେ ବୁମ ଲଗାଇ ପଚାରୁଥାନ୍ତି, କେମିତି ଅଛନ୍ତି ? ଏବେ ଭଲ ଲାଗୁଛି। ଆପଣଙ୍କ ନାମ କ'ଣ? କେଉଁଠୁ ଆସୁଥିଲେ ? ସେ ସମୟର ଘଟଣା କିଛି ମନେ ଅଛି ? କେତେ ନମ୍ବର କୋଚରେ ଥିଲେ ? ପ୍ରକୃତିସ୍ଥ ହେବା ପୂର୍ବରୁ ହଠାତ୍ ଏତେ ଗୁଡିଏ ପ୍ରଶ୍ନରେ ଟିକେ ହଡ ବଡେଇ ଗଲି। ତଥାପି ନିଜକୁ ସମ୍ଭାଳି ଉତ୍ତର ଦେଲି ମୋ ନାମ ରାଜନ ବୋଷ। ମୁଁ ମୋ ସାଙ୍ଗ ପାଞ୍ଚ ଜଣଙ୍କ ସହ ଖଡ଼ଗପୁରରୁ ଗାଡ଼ି ନମ୍ବର ୧୨୮୪୧ର ଏସ୍ ୧ ବଗିରେ ଚଢିଥିଲୁ। ଚେନ୍ନାଇ ଯାଉଥିଲୁ। ମୋର କ'ଣ ହୋଇଛି,ଏବେ ସୁଦ୍ଧା ମୁଁ ସମ୍ପୁର୍ଣ୍ଣ ଜାଣିନି। ମୋର ହୋସ ଆସିଲା ବେଳକୁ ଏ ମାଆଙ୍କୁ ଖାଲି ଦେଖିଛି। ମୋ ସାଙ୍ଗମାନେ କିଏ, କେଉଁଠି ଅଛନ୍ତି, ଜାଣିନି। ଚେତା ପୂର୍ବରୁ କେବଳ ବିରାଟ ଗର୍ଜନ ଯାହା ଶୁଣିଥିଲି। ଆଉ କିଛି ମନେ ନାହିଁ। ମାଆ ଜଣଙ୍କ ସେମାନଙ୍କୁ ବାରଣ କରୁଥାନ୍ତି। ପୁଅକୁ ଟିକେ ଏକୁଟିଆ ଛାଡ଼। ସେ ଟିକେ ଖାଇଦେଉ। ମାଆଙ୍କ ଆଖିରୁ ଧାରଧାର ଲୁହ ବୋହି ଚାଲିଥାଏ। ସେମାନେ ମୋତେ ଛାଡ଼ି ପାଖ ବେଡରେ ଗହଳି ଲଗାଇ ଦେଲେଣି। ମାଆଙ୍କୁ ପଚାରିଲି, ତୁମେ କାନ୍ଦୁଛ ଯେ। ନା, ରେ ପୁଅ ସେ କିଛି ନୁହଁ। ପୁଅ ବୋଲି ଯେତେବେଳେ ଡାକିଲଣି, ମୋତେ କ'ଣ ଲୁଚେଉଛ ? କୁହ ମାଆ। ମାଆ ଜଣକ କହିଲେ, କିଛି ବର୍ଷ ପୂର୍ବର କଥା। ମୁଁ ବି ଦିନେ ମୋ ପରିବାର ସହ ଏଇ ଗାଡ଼ି ନମ୍ବର ୧୨୮୪୧ର ବଗି ନମ୍ବର ଏସ୍ ୧ ରେ ଯାତ୍ରା କରୁଥିଲି । ଆଉ ସେ ଦିନର ସେଇ କାଳରାତ୍ରିରେ ଏଇ ଗାଡ଼ି ମୋ ଠାରୁ ମୋ ପରିବାରର ଶାଶୁ, ଶ୍ଵଶୁର, ସ୍ଵାମୀ ଓ ପୁଅକୁ ମୋ ଠାରୁ ଛଡାଇ ନେଇ ମୋତେ ଏକା କରିଦେଇଥିଲା। ଜଗନ୍ନାଥଙ୍କର ମୁଁ କ'ଣ ଦୋଷ କରିଥିଲି ।ଲୁହକୁ ଲହୁ କରି ସେ ଦିନ ଠାରୁ ଏକା ଏକା କିପରି ବଞ୍ଛୁଛି, ମୁଁ ଜାଣେ। ନା ମରିପାରୁଛି ନା ବଞ୍ଚିପାରୁଛି। ସେଇ କାଳିଆ ସାଆନ୍ତକୁ ଚାହିଁ ଚାହିଁ ଦିନ କାଟୁଛି। ଛାଡ଼ ସେ କଥା। ତୋ ଦୁଃଖ ସମୟରେ ମୁଁ ପୁଣି ମୋ ଦୁଃଖ କାହାଣୀ ତୋ ଆଗରେ ବଖାଣୁଛି। ପଣତରେ ଆଖିରୁ ପାଣି ପୋଛୁ ପୋଛୁ ପ୍ରକୃତିସ୍ଥ ହେଲେ ମାଆ ଜଣକ। ମାଆଙ୍କ କଥା ଶୁଣୁଶୁଣୁ ମୋ ମାଆଙ୍କ କଥା ମନେ ପଡି ଆଖିରେ ଲୁହ ଜକେଇ ହୋଇ ଯାଇଥିଲା। ଭାବୁଥିଲି ସେଇ ଗାଡ଼ି ନମ୍ବର ୧୨୮୪୧ ବଗି ନମ୍ବର ଏସ୍ ୧ କଥା। ମାଆ ଜଣଙ୍କ ଚାମଚରେ ପାଟିରେ ଖାଦ୍ୟ ଦେଉଦେଉ କହୁଥାନ୍ତି, ତତେ ମୁଁ କନ୍ଦାଇ ଦେଲି ନା। ମୋ ଆଖିର ଲୁହକୁ ନିଜ ଲୁଗା କାନିରେ ପୋଛୁ ପୋଛୁ ମୋତେ ସାନ୍ତ୍ଵନା ଦେଉଥାନ୍ତି। ପୁଅ ତୋ ପାଖରେ କିଛି ବି ଜିନିଷ ନ ଥିଲା। ସବୁ ବୋଧେ କୁଆଡ଼େ ଛିଟିକି ଯାଇଥିବ। ଫୋନ ଵି ନ ଥିବ। ଆରେ, ସତ ତ ! ମୋ ପାଖରେ କିଛି ବି ନାହିଁ। ଏ ପିନ୍ଧା ପୋଷାକ ବି ତ ମୋର ନୁହେଁ। ଘରକୁ କଥା ହେବାକୁ ଇଚ୍ଛା ହେଉଛି । ହଁ.... ହଁ.....। ମାଆ କଥା ମନେ ପଡୁଛି। ଘର ଫୋନ ନମ୍ବର ମନେ ଅଛି। କହିଲେ, ମୋ ଫୋନରୁ ଲଗାଇ ଦିଅନ୍ତି। ମୁଁ ସବୁ କଥା କହିଲା ପରେ ତୁ କଥା ହୋଇଯିବୁ। ରାଜନ ଫୋନ ନମ୍ବର ଦେଲାପରେ ମାଆ ଜଣଙ୍କ ଫୋନରେ କ'ଣ ସବୁ କଥା ହୋଇସାରି ରାଜନ ଆଡକୁ ଫୋନ ଧରାଇ ଦେଇ ମନେ ମନେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରି କହୁଥାନ୍ତି -
ରଖେ ହରି ମାରେ କିଏ,
ମାରେ ହରି ରଖେ କିଏ ?
କାହାକୁ ଦେଉ ତୁ କାହାଠୁ ନେଉ
କି ମାୟା ଲଗାଇଦେଉ,
ମହାବାହୁ, ଆହେ ମହାବାହୁ।