STORYMIRROR

Archana Acharya

Children

3  

Archana Acharya

Children

ଅସ୍ଥିରତା

ଅସ୍ଥିରତା

2 mins
180

ପାପୁନ୍ ଚତୁର୍ଥ ଶ୍ରେଣୀରେ ପଢ଼େ, ସବୁବେଳେ ଅସ୍ଥିର । ପାଠ ଭଲ ହେଉଥିଲେ ମଧ୍ୟ ନିଜର ଅସ୍ଥିର ସ୍ଵଭାବ ପାଇଁ ପରୀକ୍ଷାରେ ଭଲ ନମ୍ବର ରଖି ପାରେନା । ଘରେ ମଧ୍ୟ ସ୍ଥିର ହୋଇ ବସି ଖେଳିବାର ତାକୁ କେହି ଦେଖନ୍ତିନି । କେତେବେଳେ ରୋଷେଇ ଘରେ ପଶି ମା'ଙ୍କୁ ହଇରାଣ କରେ ଆଉ କେତେବେଳେ ଜେଜେଙ୍କ ଚଷମା ଲୁଚାଇ ତାଙ୍କୁ ହଇରାଣ କରେ । ପଡୋଶୀଙ୍କ ଘରେ ବୁଲିବାକୁ ଯାଇ ତାଙ୍କର କେତେ ଜିନିଷ ଭଙ୍ଗାରୁଜା କରିଦିଏ । ଏହା ସବୁ ତାର ଅଜାଣତରେ ହୋଇଥିଲେ ମଧ୍ୟ ଏ କଥା ପାପୁନ୍ ର ମାଆ ଛଡ଼ା କେହି ବୁଝନ୍ତିନି । ମେଳା ହେଉ କି ଭୋଜି ସବୁ ଜିନିଷ ପାଖକୁ ଧାଇଁଯାଏ, କେଉଁଟା ଖାଇବ କେଉଁଟା କିଣିବ ଜାଣି ନପାରି ଭାରି ମନଦୁଃଖ କରେ। ନିଜର ଗୋଟିଏ ଲକ୍ଷ୍ୟ ରହିବା ଉଚିତ୍ ବୋଲି ମାଆ ତାକୁ ବୁଝାନ୍ତି । ହାଟରେ ଅନେକ ପରିବା ବିକ୍ରିହୁଏ, ହେଲେ ଆମେ ଯାହା କିଣିବାକୁ ମନରେ ସ୍ଥିର କରିଥାଉ କେବଳ ତାହା ହିଁ କିଣିଥାଉ ନା କି ଅନ୍ୟ ପରିବା ଦେଖି ଦେଖି ନିଜର ସମର ଅପଚୟ କରୁ । ମା'ଙ୍କର ଅନେକ ଉଦାହରଣ ସତ୍ତ୍ଵେ ବି ପାପୁନ୍ ବୁଝିପାରେନା ।


  ଗୋଟେ ଦିନର ଘଟଣା ପାପୁନ୍ ର ବିଦ୍ୟାଳୟରେ ଚିତ୍ରାଙ୍କନ, ଅଭିନୟ, ଭାଷଣ ଓ ସଂଗୀତ ପ୍ରତିଯୋଗୀତା ଆୟୋଜନ ହୋଇଥାଏ। ମାଆ କହିଲେ ପାପୁନ୍ ତୁ ଭଲ ଚିତ୍ର ଅଙ୍କନ କରୁ ତ ତୁ ଏଇଥିରେ ଭାଗନେଇଯା। ପାପୁନ୍ କିନ୍ତୁୁ ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ ବୋଲି ଜିଦ୍‌ ଧରିଲା । ସମସ୍ତ ବିଷୟକୁ ସେ ଅଭ୍ୟାସ କରି ନପାରିବାରୁ କୌଣସିଥିରେ ମଧ୍ୟ କୃତକାର୍ଯ୍ୟ ହେଲା ନାହିଁ । ଘରକୁ ଫେରି ବହୁତ୍ କାନ୍ଦିଲା , ହେଲେ ନିଜର ଭୁଲ୍ କେଉଁଠି ରହିଲା ସେ ବୁଝିପାରିଲା ନାହିଁ। ମାଆ ମଧ୍ୟ ପାପୁନର ଏହି ଭଳି କାର୍ଯ୍ୟରେ ଦୁଃଖ ପାଉଥାନ୍ତି।

ଦିନେ ଆକ୍ୱାରିୟମ ପାଖକୁ ଡାକି ମାଆ କହିଲେ, ମୁ ଏବେ ମାଛମାନଙ୍କୁ ଖାଇବାକୁ ଦେବି, ତୁ ଏଇଠି ବସି ଭଲ ଭାବରେ ନିରୀକ୍ଷଣ କରେ । ପାପୁନ୍ ଦେଖିଲା ସବୁ ମାଛ ନିଜର ଗୋଟିଏ ଗୋଟିଏ ଦାନାକୁ କବଜା କରି ଗୁଣ୍ଡ କରୁଥିବାବେଳେ ଗୋଲ୍ଡି ଖାଲି ଏପାଖ ସେପାଖ ହୋଇ ଘୂରି ବୁଲୁଛି। ପାପୁନ୍ ମାଆଙ୍କୁ ଜୋର୍ ରେ ଡାକ ହେଲା ମାଆ ଦେଖ ସବୁମାଛ ଖାଉଛନ୍ତି ହେଲେ ଗୋଲ୍ଡି ଖାଲି ଏପଟସେପଟ ହୋଇ ବୁଲୁଛି,ଏମିତି ହେଲେ ସବୁଖାଦ୍ୟ ସରିଯିବ ଓ ସେ ଉପାସ ରହିଯିବ ।

ପାପୁନ୍ ର କଥା ଶୁଣି ମାଆ କହିଲେ ଗୋଲ୍ଡି ଠିକ୍ ତୋ ପରି ଭାରି ଅସ୍ଥିର ଓ ଚଞ୍ଚଳ , ଏକାଥରେ ସବୁ ଖାଦ୍ୟ ଉପରେ ତା'ର ନଜର ଥାଏ । ସବୁ ଖାଦ୍ୟରେ ମୁହଁ ମାରି ବୁଲୁଥାଏ । ଶେଷରେ କିଛି ଖାଇ ନପାରି ଉପାସ ରହେ । ଯଦି ସେ ଗୋଟିଏ ଦାନାକୁ ଜଗି ରହି ଖାଉଥାନ୍ତା ତେବେ ସେ ଉପବାସ ରହନ୍ତା ନାହିଁ । ଏଣୁ ଆମେ ସବୁବେଳେ ଆମକୁ ଦିଆଯାଇଥିବା କାମ ଉପରେ ଲକ୍ଷ୍ୟ ରଖିବା ଉଚିତ୍ । ପାଠ ବେଳେ ପାଠ ଉପରେ ଧ୍ୟାନ ଦେବା , କାହାଣୀ ଶୁଣିବା ବେଳେ କାହାଣୀ ଉପରେ ଓ ଖେଳିବା ବେଳେ ଖେଳରେ ଧ୍ୟାନଦେବା ଉଚିତ୍‌ । ପାପୁନ୍ କହିଲା ,ଏବେ ମୁଁ ବୁଝିଲି ମାଆ ମୁଁ ଜମା ଆଉ ଗୋଲ୍ଡି ପରି ହେବାକୁ ଚାହୁଁନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children