ସେଇ ଅଦୃଶ୍ୟ ହାତ
ସେଇ ଅଦୃଶ୍ୟ ହାତ


ସେଦିନ ହଠାତ୍ ମନ ମୋର ଖୁସି ହୋଇ ଉଠିଲା, ସାଙ୍ଗ ହାତରେ ଥିବା ବରା ଓ ସିଙ୍ଗଡ଼ାର ପ୍ୟାକେଟ୍ ଦେଖି । ମନେ ମନେ ବହୁତ୍ ଖୁସି ହେଲି ।
ମୋର କଲେଜ ସମୟର କଥା । ମୁଁ ସେତେବେଳେ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲି । ସମାଜ ବିଜ୍ଞାନ ସମ୍ମାନ ରଖି ଆଦିକବି ଶାରଳା ଦାସ ମହାବିଦ୍ୟାଳୟରେ ପାଠ ପଢ଼ୁଥାଏ । ଆମ ଘରୁ କଲେଜ୍ ପ୍ରାୟ ୮ କିମି ବାଟ । ସକାଳ ନଅଟାରୁ ବାହାରି କଲେଜ୍ ରେ ପହଞ୍ଚିବାକୁ ୪୫ ମିନିଟ ସମୟ ଲାଗେ । ଆମେ ପାଞ୍ଚ ଛଅଜଣ ସାଙ୍ଗହୋଇ କଲେଜ୍ ଯାଉ, ତ ଟିକେ ଗପି ଗପି ସାଇକେଲ୍ ଚିଲାଇବାରେ
ମଜା ଲାଗେ ଆଉ ବାଟ ମଧ୍ୟ ଜଣାପଡ଼େନା । ସବୁଦିନ ଦଶରୁ କୋଡ଼ିଏ ଟଙ୍କା ମୋର ଦରକାର ପଡ଼େ ହେଲେ ବୋଉ ପାଖରେ ନଥାଏ । ସେଥିପାଇଁ ମୁଁ ବେଳେ ବେଳେ ପାଞ୍ଚଟଙ୍କା ଖର୍ଚ୍ଚ କରି ବାକି ପଇସା ତା ଆର ଦିନକୁ ରଖିଦିଏ । ଯାହା ହେଲେ ବି ଟିକେ ଖାଇବାକୁ ପଡ଼େ, ଘରେ ପହଞ୍ଚିବା ବେଳକୁ ଦିନ ୨ଟା ହୋଇଯାଏ । ସେଥିରେ ପୁଣି ସାଇକେଲ୍ ଚଳେଇବାକୁ ପଡ଼େ । ନଖାଇଲେ ବଳ କେଉଁଠୁ ଆସିବ । ଦହିବରା, ଚାଟ, ଗୁପ୍ ଚୁପ୍ ଓ ବରା ସିଙ୍ଗଡ଼ା, ସେ ପୁଣି ୧୨ଟା ପରେ ଯାଇ ଆମେ ଖାଉ । ଯଦି କେହି ସାଙ୍ଗ ନ ଯାଆନ୍ତି ମୁଁ ମଧ୍ୟ ନଯାଇ ରହିଯାଏ ବିସ୍କୁଟ୍ ଟିକେ ଖାଇ ।
ସେଦିନ ଆମର ସକାଳ ୮ଟାରେ କ୍ଲାସ ଥାଏ । ଶୀତଦିନ ହୋଇଥାଏ । ମୁଁ ସକାଳୁ ଗାଧୋଇ ବାହାରିଲି ଆଉ ବୋଉକୁ ଟଙ୍କା ମାଗିବାରୁ ସେ କହିଲା ମୋ ପାଖରେ ନାହିଁ, ବାପାଙ୍କୁ ପଚାରିଲା ସ ମଧ୍ୟ ମନାକଲେ । ବୋଉର ଭାରି ମନ ଦୁଃଖ ହେଲା, କହିଲା ପିଲାଟା ସକାଳୁ ଏତେ ବାଟ ଯିବ ପହଞ୍ଚୁ ପହଞ୍ଚୁ ଭୋକ କରିବ, ହେଲେ ସେ ବା କଣ କରିବ ? ବୋଉ କହିଲା ଛତୁଆ ଟିକେ ପିଇକି ଯାଇଥା ଆସିଲେ ଖରାବେଳକୁ ଖାଇବୁ । ମୋ ମନ ଟିକେ ଦୁଃଖ ହେଲା, ଛତୁଆ ପିଇ ମୁଁ ମୋ ନିଜ ବାଟରେ ବାହାରି ପଡ଼ିଲି। ବାଟସାରା ଭାବୁଥାଏ, ସମସ୍ତେ ଖାଇବାକୁ ଗଲାବେଳେ ମୁଁ କଣ କରିବି? ମନାକରି ଦେବି, ମୋର ଇଚ୍ଛା ନାହିଁ ବୋଲି କହିବି। ମୋର ପିଲାବେଳର ଅତି ପ
୍ରିୟ ସାଙ୍ଗ ମିଲି, ମୋ ପାଖରେ ଟଙ୍କା ନଥିଲେ ବି ସେ ତା ପଇସାରେ ମୋତେ ବେଳେ ବେଳେ ଖାଇବାକୁ ଦିଏ ମୁଁ ମଧ୍ୟ ସେଇଆ କରେ । ହେଲେ ମୁଁ କେବେ ଟଙ୍କା ଧାରେ ଆଣି ଖାଇବାକୁ ପସନ୍ଦ କରେ ନି ।
କୁହୁଡି ଚାଦରକୁ ପରସ୍ତ ପରସ୍ତ ଅତିକ୍ରମ କରି ଚାଲିଥାଏ ମୁଁ ମୋର ଗନ୍ତବ୍ୟ ସ୍ଥଳକୁ । ସବୁକିଛି ଭଗବାନଙ୍କ ଉପରେ ଛାଡି ଦେଇଥାଏ । ସେ ତ କାହା ପେଟ କେବେ ଅପୂରା ରଖନ୍ତି ନାହିଁ । ଭଗବାନଙ୍କୁ ମୁଁ ମାନେ, ହେଲେ ବେଳେ ବେଳେ ଦ୍ଵନ୍ଦରେ ପଡ଼ିଯାଏ। ପ୍ରଭୁ ଯାହା କରନ୍ତି ପ୍ରାଣୀମାନଙ୍କ ମଙ୍ଗଳ ପାଇଁ, ହେଲେ ଅକାଳ ମୃତ୍ୟୁ,ରୋଗ ଯନ୍ତ୍ରଣା, ଦୁର୍ବ୍ୟବହାର ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍, ମନ୍ଦିରକୁ ଗଲେ ପୂଜାରୀ ମାନଙ୍କର ଲୁଟ୍, ସେମାନଙ୍କର ରୁକ୍ଷ ବ୍ୟବହାର ଏ ସବୁ କଣ ସେ ଦେଖିପାରୁନାହାନ୍ତି । ସେଥିପାଇଁ ତାଙ୍କ ଉପରେ ଟିକେ ଅଭିମାନ ଆସେ । ଏହିସବୁ ଭିତରେ ଆମେ କଲେଜରେ ପହଞ୍ଚି ସାରିଥାଉ। କ୍ଲାସ ରୁମରେ ଟିକିଏ ହାଲିଆ ହୋଇ ବସିଗଲି, କିଛି ସମୟ ପରେ ମ୍ୟାଡାମ୍ ଆସିଲେ ଆଉ କହିଲେ, ଆଜି ମୋ ଝିଅ ର ଜନ୍ମଦିନ ତ ଆଜି ଆମେ ସମସ୍ତେ ମିଶି ଟିକେ ଜଳଖିଆ ଖାଇବା, ନିଜ ବ୍ୟାଗ୍ ରୁ ୧୦୦ ଟଙ୍କା କାଢି ଜଣେ ପିଲାକୁ ଧରାଇ ଜଳଖିଆ ଆଣିବାକୁ କହିଲେ।
ମୁଁ ମନେ ମନେ ଭାରି ଖୁସି ହେଉଥିଲି, ଯାହା ହେଉ ସକାଳୁ ସକାଳୁ ଗରମ ଗରମ ଜଳଖିଆ ଟିକେ ଖାଇବାକୁ ମିଳିବ । ଜଳଖିଆ ଆସିଗଲା, ମନଭରି ନହେଲେ ବି ୨ଟା ଲେଖା ଖାଇବାକୁ ମିଳିଲା । କ୍ଲାସ ସରିବାପରେ ଆମେ ସମସ୍ତେ ଘରକୁ ବାହାରିଲୁ, ମୁଁ ମନେ ମନେ ଚିନ୍ତା କରୁଥିଲି, ସତରେ ଭଗବାନ ଆମ ଚତୁଃପାର୍ଶ୍ଵରେ ଅଛନ୍ତି, ସେ କେଉଁ ମଠ ମନ୍ଦିରରେ ନାହାନ୍ତି। ଯଦି ଆମେ ସଚ୍ଚା ମନରେ ଆମର ସମସ୍ତ କର୍ମ ତାଙ୍କୁ ହିଁ ସମର୍ପଣ କରିବା। ତେବେ ସେ ଆମକୁ ନିଶ୍ଚୟ ସାହାଯ୍ୟ କରିବେ । ସେ ଦିନ ଯେଉଁ ହାତ ମୋ ଆଡ଼କୁ ସେ ବଢ଼ାଇଥିଲେ ତାକୁ କେହି ଦେଖି ପାରୁନଥିଲେ । ସେ ଥିଲା ଏକ ଅଦୃଶ୍ୟ ହସ୍ତ, ଯାହାକୁ କେବଳ ଅନୁଭବ ହିଁ କରାଯାଇପାରେ ।