Satyabati Swain

Tragedy

4.6  

Satyabati Swain

Tragedy

ଅସ୍ଥି ବିସର୍ଜନ

ଅସ୍ଥି ବିସର୍ଜନ

5 mins
340



ଯେବେ ଘରକୁ ଆସେ ଆଗ ମୋ ଗୋଡ଼ ଦି ଟା ଟାଣି ହୋଇ ଯାଆନ୍ତି ବାଡ଼ି ପଛ ପଟକୁ। କେବେ ଠୁ ଏଇ ଅଭ୍ୟାସଟି ମୋ ଜେଜେମା କରେଇ ଦେଇଥିଲେ। ବନ ମାଟିରେ ଲିପା ପୋଛା ହୋଇ ଦେଉଳ ପରି ଉଚ୍ଚା ଜାଗାଟିକୁ ଦେଖେଇ ଜେଜେମା କୁହେ, ବାପା ସେଇଠି ଅଛି ମୁଣ୍ଡିଆ ମାରେ ।


ପିଲାଦିନୁ ସେଇ ଲିପା ପୋଛା ମାଟି ଗଦା ହିଁ ମୋ ବାପା ବୋଲି ଧରି ନେଇଥିଲି। କିନ୍ତୁ ସମସ୍ତଙ୍କ ବାପା କଥା କୁହନ୍ତି, କାମ କରନ୍ତି, ଘରେ ରୁହନ୍ତି । ସମସ୍ତେ ଜଣେ ଜଣେ ମଣିଷ ହେଲେ ମୋ ବାପା ଏ ମାଟି ଭିତରେ କାଇଁକି ପ୍ରଶ୍ନଟି ବହୁତ ହଇରାଣ କରୁଥିଲେ ପିଲାଦିନେ ମୋତେ । ବିସ୍ମୟ ହୋଇ ପଚାରୁ ଥିଲି;-ଜେଜେମା ! ଏଇ ମାଟି ଭିତରେ ମୋ ବାପା ଅଛନ୍ତି !ବାପା ତ ବଡ଼ ମଣିଷଟିଏ ହୋଇଥିବେ, କେମିତି ଏତେ ଛୋଟ ଜାଗାରେ ରହୁଛନ୍ତି ! ସମସ୍ତଙ୍କ ବାପା ପରି ମୋ ବାପା ଆମ ସହ କାହିଁକି ରହୁ ନାହାଁନ୍ତି ! ତାଙ୍କୁ କଣ ଭୋକ ହୁଏନି ! ସେ ମାଟି ଭିତରେ କଣ ଖାଆନ୍ତି !


ଜେଜେମା ମୋତେ କୋଳେଇ ନେଇ ବହେ କାନ୍ଦେ। ମାଆ ର କଇଁ ଘର ଧରେ ମୋ ପ୍ରଶ୍ନରେ।


ନିଜକୁ ଦୋଷୀ ଭାବେ। କି କଷ୍ଟ ପ୍ରଶ୍ନ ପଚାରି ଦେଲି ଯେ ଜେଜେମା ଓ ମା ଏମିତି କାନ୍ଦୁଛନ୍ତି ! ତାଙ୍କ କାନ୍ଦ ଦେଖି ମୁଁ ବି ଭୋ ଭୋ ବାଜେ। 


ଆଉ ପଚାରେ ନାହିଁ ବାପାଙ୍କ ବିଷୟରେ ପ୍ରଶ୍ନ। କିନ୍ତୁ ମୋ ଛୁଆ ମନ ବାପାଟିଏ ଖୋଜେ। ମୋ ସାଙ୍ଗ ମାନଙ୍କର ସମସ୍ତଙ୍କର ବାପା ଅଛନ୍ତି,କେବଳ ମୋ ବାପା ନାହାନ୍ତି କାହିଁକିର ଉତ୍ତରରେ ମୁଁ ଏତିକି ଜାଣିଥିଲି ମୋ ବାପାଙ୍କୁ ଭଲ ପାଇ ଠାକୁର ତାଙ୍କ ପାଖକୁ ନେଇ ଯାଇଛନ୍ତି।


ଭାରି ରାଗ ହୁଏ ଠାକୁରଙ୍କ ଉପରେ। କେଡେ ଖରାପ ମ ତୁମେ। ମୋ ବାପାଙ୍କୁ କାଇଁ ଭଲ ପାଇ ନେଇଗଲ !ମୁଁ ବାପା ଡାକିବି କାହାକୁ ! ମୋତେ ଭଲ ପାଇବ କିଏ? ଏଇ ଘଟଣା ପାଇଁ ପିଲାଦିନୁ ଠାକୁରଙ୍କ ସହ ମୋର କଟି।ଅତଏବ ବାପା ଶବ୍ଦ ଦୁଇଟି ମୋ ପାଇଁ କେବଳ ଅଭିଧାନିକ ଶବ୍ଦ ମାତ୍ର।


ମାଆ ସେଇ ଲିପା ପୋଛା ମାଟି ପାଖରେ ନିତି ସଞ୍ଜ ପାଣି ଦିଏ। ଭଲମନ୍ଦ ଘରକୁ ଆଣିଲେ ତାଙ୍କ ପାଖେ ଥୁଏ।କାନିରେ ଆଖି ପୋଛେ।ବାପା କଣ ଠାକୁରଙ୍କ ପାଖକୁ ଯାଇ ଠାକୁର ହୋଇ ଯାଇଛନ୍ତି କି ! ମା ସଞ୍ଜ ପାଣି ଦେଉଛି ! ମୋ ମନ କୁଣ୍ଢେ ମୋଟ ଯେ ମୋ ବାପା ସମସ୍ତଙ୍କ ବାପାଙ୍କ ଠାରୁ ଅଲଗା।ସେ ଠାକୁର।


ବେଳେ ବେଳେ ଜେଜେମା ଯଦି କେଉଁ କାମରେ ଲାଗିଥିବ ସେଇ ମୌକାରେ ମୁଁ ସେ ଲିପା ପୋଛା ମାଟି ଗଦା ପାଖକୁ ଯାଏ । ଧିମା ସ୍ୱରରେ ବାପା ବାପା କହି ପଚାରେ ଶୁଣି ପାରୁଛ ବାପା ! ତୁମେ ୟା ଭିତରେ ଠାକୁର ହୋଇ କାହିଁକି ରହିଲ ?ମୋତେ ଭଲ ଲାଗୁ ନାହିଁ।ଟିକିଏ ୟା ଭିତରୁ ବାହାରି କି ଆସିଲ ମୁଁ ଦେଖିବି ତୁମେ କେମିତିକା ଦେଖିବାକୁ। ମାଆ କୁହେ ମୁଁ କୁଆଡେ ଅବିକଳ ତୁମ ପରି ! ଆସିଲ ଟିକେ ଡ୍ରେସିଂ ଟେବୁଲ ପାଖେ ଠିଆ ହୋଇ ଦେଖିବା ସତରେ ମୁଁ ତୁମ ପରି କି ନାଇଁ !


ବାପା ଜାଣିଛ ମାଆ ମୋ ନାଁ ଭଲ ସ୍କୁଲରେ ଲେଖେଇଛି। ଏଥର ମୁଁ ସ୍କୁଲ ଯିବି। ତୁମ ଯଦି ୟା ଭିତରୁ ବାହାରି ଆସନ୍ତ ମୋତେ ସିନା ସ୍କୁଲ ନେବା ଆଣିବା କରନ୍ତ ! ମାଆ କେତେ ଏକା ସବୁ କାମ କରିବ ! ଘର କଥା ମୋ କଥା ବୁଝିବ ପୁଣି ତା ଅଫିସ୍ କଥା ଅଛି। ସମସ୍ତଙ୍କ ବାପା କାମ କରୁଛନ୍ତି ତୁମେ କେମିତି ୟା ଭିତରେ ସବୁବେଳେ ଶୋଇଛ ! ମାଆ ଦିନ ରାତି ଖଟୁଛି। ମୁଁ ନା ମା ନା ବାପା କାହାକୁ ପାଉନି।ସବୁବେଳେ ଜେଜେମାଆ ପାଖେ ରହୁଛି। ଖାଲି ରାତିରେ ଟିକେ ଯାହା ମାଆ କୋଳ ମିଳୁଛି ମୋତେ। 


ହେଇଟି ଶୁଣ ମାଆ କୁ କହିବନି ! ଦିନେ ଦିନେ ରାତିରେ ମାଆ ଭାରି କାନ୍ଦେ। ମୋ କୁନି ହାତରେ ତା ଲୁହ ପୋଛି ଦେଲେ ସେ ବେଶୀ ବେଶୀ କାନ୍ଦେ। ବାପା ମାଆ କାନ୍ଦେ କାହିଁକି? ସେ କାନ୍ଦିଲେ ତା ମୁହଁ ରଙ୍ଗା ପଡ଼ିଯାଏ।ମୋତେ ମୋ ମାଆ ର ସୁନ୍ଦର ମୁହଁଟି ରଙ୍ଗା ପଡି ବିଲ୍ କୁଲ୍ ଭଲ ଦିଶେନି।


ମାଆ ତୁମର  ସାର୍ଟ ପ୍ୟାଣ୍ଟ, ଘଣ୍ଟା, ଚପଲ, ଗାଡି ଚାବି , ବ୍ୟାଟ୍ ସବୁ ସାଇତିକି ରଖିଛି।କେବେ କେବେ ଚଉତା ସାର୍ଟ ପ୍ୟାଣ୍ଟକୁ ଆଣି ମାଆ ତା ଛାତିରେ ଲଗାଏ।ଲୁହ ଟଳମଳ ହୁଏ ତା ଆଖିରେ। ବାପା ! ତୁମର ସବୁ ଜିନିଷ ମାଆ କୁ ଲୁହ ଦିଏ କାହିଁକି ?ହେଇଟି ଶୁଣ ଜେଜେମାଆ ଡାକ ଛାଡ଼ିଲାଣି।ମୁଁ ଯାଉଛି ବାପା।ତୁମେ କିନ୍ତୁ ଶୀଘ୍ର ଆସିବ।


ଏପରି ଅବୋଧ ପିଲା ମନରେ ବାପା ବାପା ହୋଇ ହୋଇ ମୁଁ ଆସ୍ତେ ଆସ୍ତେ ବଡ଼ ହୋଇ ସ୍କୁଲ ଗଲି।ଦିନେ ପ୍ୟାରେଣ୍ଟସ୍ ମିଟିଂ କୁ ମାଆ ଏକା ଯାଇଥିଲା।ମୋ ସାଙ୍ଗ ମାନଙ୍କ ବାପା ମାଆ ସମସ୍ତେ ଆସିଥିଲେ। ସେଦିନ ମୁଁ ଜିଦି କଲି ମୋର ବାପା ଦରକାର।ମୋତେ ବାପା ଦିଅ।କିଏ ମୋ ବାପା କୁହ?


ମାଆ ର ସେଦିନ କଣ ହେଲା କେଜାଣି ଭୀଷଣ ରାଗିଗଲା।


ସବୁ ବେଳେ ବାପା ବାପା ହେଉଛି। ବାପା ତ ସ୍ୱାର୍ଥପର।ଏ ଛୁଆ ଟା ବି ସେମିତି ହେଇଛି।କେଉଁଠୁ ତୋତେ ବାପା ଦେବି ! ବାପା କଣ କେଉଁ ଦୋକାନରେ ବିକ୍ରି ହେଉଛି , କିଣି ଆଣିବି ? ଶାନ୍ତିରେ ରଖେଇ ଦେଉନି ଟିକେ।ଖାଲି ବାପା ବାପା ବାପା।


ନଥ୍ କରି ସୋଫାରେ ବସି ପଡ଼ି ମାଆ ଖୁବ୍ ଜୋରେ କାନ୍ଦିବାକୁ ଲାଗିଲା।


ଜେଜେମା ବାଡ଼ିରେ କଣ କାମ କରୁଥଲା।ମାଆ ର କାନ୍ଦ ଶୁଣି ଦଉଡ଼ି ଆସିଲା।ମୁଁ କାଠ ପରି ଠିଆ ହୋଇଥିଲି।ଜେଜେମାଆକୁ ଦେଖି ଜାବୁଡି ଧରି କାନ୍ଦିବାକୁ ଲାଗିଲି।


ମୋର ବାପାଙ୍କ ଉପରେ ଭାରି ରାଗ ହେଲା।ମନେ ମନେ କହିଲି ତୁମରି ପାଇଁ ଏସବୁ।ତୁମେ ନଟି ବଏ ବାପା।


ଜେଜମାଆ ସେହି ଦିନ କହିଲା ତୋ ବାପା ପରା ମରି ଯାଇଛନ୍ତି।ମଲା ମଣିଷ କଣ ଫେରି ଆସନ୍ତି !


ମଲେ ବାଡ଼ି ଆଡେ ମାଟି ତଳେ ରୁହନ୍ତି ! ମୁଁ  ବି ମରିବି ଓ ବାପାଙ୍କ ପାଖେ ସେଇ ମାଟି ତଳେ ରହିବି ଜେଜେମାଆ ?


ମୋ ପାଟିରେ ହାତ ଦେଇ ଜେଜେମାଆ କହିଲା,କଣ କହୁଛୁ ବେଦ୍ ! ଏମିତି ଖରାପ କଥା ସୁନା ପିଲା କୁହନ୍ତି ନାହିଁ।ତୁ ବା ମୋର ଓ ତୋ ମାଆର ବାପା।


ପୁଣି ଅଡ଼ୁଆ। ମୁଁ କେମିତି ତୁମ ବାପା ହେବି !ମୁଁ ତ ଏତେ ଛୋଟ !ତୁ ଆମ ଛୋଟ ବାପା।


ଛୋଟ ବାପା !! 


ମାଆ କାନ୍ଦ ଦେଖି ଆଊ ଛୋଟ ବାପା କଣ ପଚାରିବାକୁ ଇଚ୍ଛା ହେଲାନି। ମୋ କଥା ମାଆକୁ ଦୁଃଖ ଦେଉଚି ବୋଲି ମୁଁ ଛୋଟ ହେଲେ ବି ବୁଝି ପାରିଲି।


ଜେଜେମାଆ ମୋତେ ବାଡ଼ି ଆଡ଼କୁ ନେଇ ଯାଇ କହିଲେ,କାଇଁକି ଏମିତି ବାଇଆ ହେଉଛୁ ଧନ ! ଯେ ମରେ ସେ ଆଉ ଆସେନି।ତୋ ବାପା ଆଉ କେବେ ଆସିବେନି। ସେଇ ମାଟି ତଳେ ରହିବେ। ତୁ ବଡ଼ ହେଲେ ତାଙ୍କୁ ନେଇ ଗଙ୍ଗାରେ ଭସେଇ ଆସିବୁ।


ବାପାଙ୍କୁ କାହିଁକି ଗଙ୍ଗାରେ ଭସେଇବି ! ମୋ ପାଖରେ କାହିଁକି ରଖିବି ନାହିଁ !!


ତୁ  ବଡ଼ ହୋଇଯା ସବୁ ବୁଝିବୁ।ଏତିକି ଜାଣେ ତୋ ବାପା ଆଉ ଏ ଦୁନିଆଁରେ ନାହିଁରେ ସୁନା। 


ବାପାରେ ! ତୋ ମାଆ ର ବହୁତ ଦୁଃଖ।ତୁ ପେଟରେ ଥିଲୁ ଲିଭର କ୍ୟାନ୍ସରରେ ତୋ ବାପା ମରି ଯାଇଛି।ତୋରି ମୁହଁକୁ ଚାହିଁ ଆମେ ଶାଶୁ ବୋହୁ ଦିଟା ଶବ ହୋଇ ବଂଚିଛୁ।ତୁ ସବୁବେଳେ ବାପା ବାପା ହେଲେ ତୋ ମାଆ ଓ ମୁଁ କଣ କରିବୁ କହିଲୁ ଧନ ! ଏବଂ ସେଇ ଦିନଠୁ ବାପା ମୁଁ ତୁମକୁ ଆଉ କେବେ ସମସ୍ତଙ୍କ ଆଗରେ ଖୋଜିନି।କିନ୍ତୁ ନିଃଶବ୍ଦେ ପ୍ରତି କ୍ଷଣ ଖୋଜିଛି। ଯେଉଁ ଯେଉଁଠି ଜଣେ ବାପାର ଆବଶ୍ୟକତା ଅଛି ସେ ସବୁ ସ୍ଥାନରେ ମୁଁ ତୁମକୁ ଚାହିଁଛି।ବାଉଳି ହୋଇଛି ବାପା ବାପା।ନିରବରେ ସେଇ ବାଡ଼ି ପଟ ମାଟି ପାଖେ ମୋର ସମସ୍ତ ଦୁଃଖ ସୁଖ ବାଣ୍ଟିଛି।ଯୁଆଡେ ଗଲେ ମୁଣ୍ଡିଆଟିଏ ପକାଇଛି ସେଇ ତୁମ ଅସ୍ଥି ପାଖରେ।


ତୁମ ଆଶୀର୍ବାଦ ଓ ମାଆର ତପସ୍ୟାରୁ ମୁଁ ସେଦିନର ସାନ ବେଦ୍ ରୁ ଆଜି ବେଦ୍ କୌଶିକ ଜଣେ ବ୍ୟାଙ୍କ ପି ଓ।


ମା କେବେ ମୋ ନାଁ ଧରି ଡାକେନି। ମାଆ ପ୍ରତି କଥାରେ କୁହେ ମୋ ବାପାଟା ଏଇଟା ଖାଇଦେଵ, ମୋ ବାପାଟା ଇଟା କରିଦେବ, ମନ ଦେଇ ପଢିବ।ମୋ ବାପା ପରି କିଏ ହେବ !


ଜେଜେମାଆ କଥା ସତ ହୋଇଛି। ମୁଁ ଜେଜେମାଆ ଓ ମାଆ ର ବାପା ହୋଇ ଯାଇଛି।


ବାପା ! ତୁମେ ମୋ ପାଖରେ ସଶରୀରେ ନଥିଲ।କିନ୍ତୁ ସୂକ୍ଷ୍ମ ଶରୀରରେ ସବୁବେଳେ ମୋ ଭିତରେ ଥିଲ।ମୁଁ ଥରଟିଏ ବି ଦେଖିନି ତୁମକୁ।କିନ୍ତୁ ମାଆ ସାଇତି ରଖିଥିବା ଫଟୋରେ ମୁଁ ମୋ ନିଜ ଫଟୋ ରଖି ଦେଖିଛି ସତରେ ମୁଁ ଠିକ୍ ତୁମ ପରି।


ଆଜି ମୋତେ ଖୁବ୍ ଅଣନିଃଶ୍ବାସୀ ଓ ଛଟପଟ ଲାଗୁଛି ବାପା।କାହିଁକି ନା ଆଜିଠାରୁ ତୁମେ ଆଉ ମୋ ସହିତ ସେ ମାଟି ତଳେ ରହିବନି। ମୋ ବିବାହର ବର୍ଷେ ପୁରି ଗଲାଣି।ଏଥରକ ତୁମକୁ ଗଙ୍ଗାରେ ଭସେଇ ପିଣ୍ଡ ଦାନ ଦେବାକୁ ମୁଁ ଆସିଛି।ତୁମେ ଗୋଟେ କାଚ ତେଲ ଭିତରେ ଖଣ୍ଡେ ଅସ୍ଥି ଆକାରରେ ରାଈ ଶୀତଳା ପରେ ଆଣି ବାଡ଼ି ପଟେ ରଖା ଯାଇଥିଲ।ସେଇ ଅସ୍ଥି ବିସର୍ଜନ କରିଦେବାକୁ ହେବ ମୋତେ।ନଚେତ ତୁମର କୁଆଡେ ମୋକ୍ଷ ହେବ ନାହିଁ।


ମୋ ପ୍ରିୟ ବାଡ଼ି ପଟ ସ୍ଥାନରୁ ବାପାଙ୍କୁ ନେଇ ଗଙ୍ଗାରେ "ଅସ୍ଥି ବିସର୍ଜନ" କଲା ବେଳେ ଖୁବ୍ ରୁନଦ୍ଧି ହୋଇଗଲି। ଏବେ ମୁଁ ସମ୍ପୂର୍ଣ୍ଣ ଏକା ହୋଇଗଲି ବାପା। ଆଜି ସତକୁ ସତ ମୋତେ ବାପା ନଥିବା ପୁଅର ଅନୁଭବ ହେଉଛି।


#MyDadMyHero 



Rate this content
Log in

Similar oriya story from Tragedy