ପ୍ରଶାନ୍ତ କୁମାର ବେହେରା

Tragedy

3.8  

ପ୍ରଶାନ୍ତ କୁମାର ବେହେରା

Tragedy

ଅସହାୟ ବାପାମାନେ ( ସପ୍ତମ ଭାଗ )

ଅସହାୟ ବାପାମାନେ ( ସପ୍ତମ ଭାଗ )

9 mins
187


ଯେଉଁ ପିଲାଟି ହଠାତ୍ ଫେରାର୍ ହୋଇଗଲା ସେ ଯୁକ୍ତ ଦୁଇ ୨ୟ ବର୍ଷର ବିଜ୍ଞାନ ଛାତ୍ର ଥିଲା l ସଂଧ୍ୟାରେ ସେ ନ ଫେରିବାରୁ ନିୟମ ମୁତାବକ ତାଙ୍କ ବାପାଙ୍କୁ ମୋବାଇଲ୍ ଫୋନ୍ ମଧ୍ୟମରେ ପୁଅ ହଷ୍ଟେଲରୁ ବିନା ଦରଖାସ୍ତରେ କାହାକୁ କିଛି ନ କହି କୁଆଡେ ଯାଇଛି ବୋଲି ଜଣାଇ ଦିଆଗଲା l


ପିଲାଟିର ବାପା ପ୍ରଥମେ ଏ କଥାକୁ ସେମିତି ଗୁରୁତ୍ବ ନଦେଇ କହିଲେ, ' ଆପଣ ସାର୍ ବ୍ୟସ୍ତ ହୁଅନ୍ତୁ ନାହିଁ l ସେ ପାଖରେ ଥିବା ତା' ପିଉସୀ ଘରକୁ ଯାଇଥିବ, କାଲି ନିଶ୍ଚୟ ଫେରି ଆସିବ l "


ପରଦିନ କିନ୍ତୁ ପିଲାଟି ନ ଫେରିବାରୁ ପୁଣି ତାଙ୍କ ବାପାଙ୍କୁ ଫୋନ୍ କରାଗଲା l ଦୁଇଘଣ୍ଟା ପରେ ପିଲାଟିର ବାପା ସାଇକେଲ୍ ଚଳାଇ ଚଳାଇ ଆସି ପହଞ୍ଚିଲେ l ବୁଝିଲି ସେ ଓଡିଶା ସରକାରଙ୍କ ଏକ ବିଭାଗରେ ତୃତୀୟ ଶ୍ରେଣୀ କର୍ମଚାରୀ ଭାବରେ କାର୍ଯ୍ୟରତ l ଏଇ ଭିତରେ ସେ ସବୁ ବନ୍ଧୁବାନ୍ଧବଙ୍କ ଘର ସହିତ ଯୋଗାଯୋଗ କରି ସାରିଥାନ୍ତି l କାହା ଘରକୁ ପିଲାଟି ଯାଇ ନଥିବାରୁ ସେ ବର୍ତ୍ତମାନ ଖୁବ୍ ବ୍ୟସ୍ତ ବିବ୍ରତ ହେଉଥାନ୍ତି l ସେମିତି ହେବା ସ୍ୱାଭାବିକ୍ ମଧ୍ୟ l ଯେକେହି ବି ତାଙ୍କ ଯାଗାରେ ଥିଲେ ସେମିତି ବ୍ୟସ୍ତ ବିବ୍ରତ ହୋଇଥାନ୍ତେ l


ସେ କେବଳ ଏତିକି କହିଲେ ଯେ, ନିକଟରେ ଥିବା ଏକ ପ୍ରାଇଭେଟ୍ ମେସ୍ ରେ ତାଙ୍କ ଝିଅ ରହୁଛି ଯିଏକି ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମବର୍ଷ ଛାତ୍ରୀ l ଗତକାଲି ଦିନ ୧୧ଟା ବେଳକୁ ସେ ଗୋଟେ ସାଇକେଲ୍ ନେଇ ତା ସାନ ଭଉଣୀ ସହ କଥା ହୋଉ ଫେରିଛି l 


ଏ ଭିତରେ ସେ ପିଲାଟି ରହୁଥିବା ରୁମ୍ ର ଅନ୍ୟ ତିନି ଜଣ ଅନ୍ତେବାସୀଙ୍କ ଠାରୁ ବୁଝିବାରୁ ଜଣାଗଲା ଯେ, " ସେ ଗତ କାଲି ସକାଳ ୧୦ଟାରେ ଗାଧୋଇବା ପାଇଁ ଦେହରେ ତେଲମାରି ଦେଖିଲା ଟାଙ୍କିରେ ପାଣିନାହିଁ କିମ୍ୱା ମଟର ଚଳାଇବାକୁ ଲାଇନ୍ ମଧ୍ୟ ନାହିଁ l ଟିଉୱ୍ୱେଲ୍ ବି ସେଇଦିନ ସକାଳୁ ଖରାପ ହୋଇଥିବାରୁ ସେଇ ତେଲ ଲଗା ଅବସ୍ଥାରେ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ଗୋଟେ ଗାମୁଛା ସାଙ୍ଗରେ ନେଇ କୁଆଡେ ବାହାରିଗଲା l "


ଯେହେତୁ ପିଲାଟିର ନିଜର ସାଇକେଲ୍ ନଥିଲା ତେଣୁ ସାଇକେଲ୍ କାହାର ନେଇଛି ଏ ପ୍ରଶ୍ନ ମନରେ ଆସିବାରୁ, ସବୁପିଲାଙ୍କୁ ପଚରାଯାଇ ବୁଝାଗଲା l କିନ୍ତୁ ସବୁପିଲା କହିଲେ ସେ ବିଶେଷ କାହା ସହିତ ମିଶେନାହିଁ କିମ୍ୱା କାହାଠାରୁ କେବେ ସାଇକେଲ୍ ମଧ୍ୟ ନିଏ ନାହିଁ l 


ଏକଥା ଶୁଣିବାପରେ ପିଲାଟିର ବାପାଙ୍କ ମୁହଁ ପୁରା ଶୁଖିଗଲା l ଦେହରେ ତେଲମାରି ଗାମୁଛା ସାଙ୍ଗରେ ନେଇ ଯିବା ଆଉ ତା'ପରେ ନ ଫେରିବା କଥା ଯେ କୌଣସି ଲୋକର ମନକୁ ଅଘଟଣ ଆଡକୁ ନିହାତି ଟାଣିନେବ l ସେତେବେଳେ ପୁଣି ମାଛଗାଁ କେନାଲରେ ପୁରା ଦୁଇକୂଳ ଉବୁଟୁବୁ ହେଲାପରି ପାଣି ପ୍ରବାହିତ ହେଉଥାଏ l ଲୋକଟିର ମନରେ କେଉଁଠି ନା କେଉଁଠି ଗୋଟେ ପ୍ରଶ୍ନ ନିଶ୍ଚୟ ଉଙ୍କିମାରିଥିବ - ପୁଅ ସେଇ ନାଳରେ ଯାଇ ଗାଧୋଇବା ଅବସ୍ଥାରେ କିଛି ଅଘଟଣ ଘଟିନାହିଁ ତ ? ତେଣୁ ସେ ଏକମୁହାଁ ହୋଇ ସାଇକେଲ୍ ମାରି କଲେଜ ଛକ ପୋଲଠାରୁ ସୋମନାଥ ହାଟ ପୋଲ ଯାଏ ମାଛଗାଁ କେନାଲ କୂଳେକୂଳେ ନିଜ ପୁଅକୁ ବଡ ବିକଳ ହୋଇ ଖୋଜିବାରେ ଲାଗିଲେ l ସେଇ ଦେଢ କିଲୋମିଟର କେନାଲବନ୍ଧ ରାସ୍ତାରେ କେତେଥର ଯିବା ଆସିବା କରି ଖୋଜିଲାପରେ ବି ନିଜ ମନ ବୁଝୁ ନଥିବାରୁ ପୁଣି ସେମିତି ଦୀଗହରା ହୋଇ ସେଇଠି ବୁଲୁଥାନ୍ତି l ସେ ସମୟରେ ତାଙ୍କ ମନର ଅବସ୍ଥା କଣ ହେଉଥିବ କେବଳ ସେଇ ହିଁ ଜାଣିଥିବେ l


ଏଇ ଘଟଣାର ପାଖା ପାଖି ୧୦ବର୍ଷ ପୂର୍ବରୁ , ବୋଧହୁଏ ୨୦୦୩ ମସିହାରେ ଆମ କଲେଜର ଗୋଟେ ପିଲାର ଅସହାୟ ବାପା ବହୁତ ଲୋକଙ୍କ ଭିଡ ଭିତରେ ନିଜ ପୁଅକୁ ଠିକ୍ ଏମିତି ବନ୍ଧ ଉପରୁ କେନାଲ ଭିତରକୁ ଦେଖିଦେଖି ଖୋଜୁଥିଲେ l ସେ ଘଟଣା ଯେମିତି ଏଇ କେଇଦିନ ତଳେ ଘଟିଛି ଠିକ୍ ସେମିତି ମୋ ଆଖି ସାମ୍ନାରେ ଏବେ ବି ନାଚି ଉଠୁଛି l ସେଦିନ ଥିଲା ଶ୍ରୀଗଣେଷ ପୂଜାର ପରଦିନ l କଲେଜ ହଷ୍ଟେଲ ସହିତ ପାଖ ଆଖର ମେସ୍ ପିଲାମାନେ ଗଣେଷଙ୍କ ମୂର୍ତ୍ତି ସବୁ ବିସର୍ଜନ କରିବା ପାଇଁ ପ୍ରୋସେସନ୍ ରେ ନାଚି କୁଦି ଆସନ୍ତି ଏଇ ମାଛଗାଁ କେନାଲରେ ଥିବା କଲେଜ ପୋଲ ଉପରକୁ l


ଏଠାରେ କହି ରଖୁଛି ଉଭୟ ଗଣେଶ ପୂଜା ଓ ସରସ୍ୱତୀ ପୂଜା ପରଦିନ ହେଉଥିବା ଭସାଣିରେ ବିଭିନ୍ନ ପ୍ରାଇଭେଟ୍ ମେସ୍ ଓ ହଷ୍ଟେଲର ପିଲାମାନେ ଛାତ୍ରୀ ନିବାସ ଓ ଅନ୍ୟାନ୍ୟ ଘରୋଇ ଛାତ୍ରୀ ମେସ୍ ସମ୍ମୁଖରେ ବିଭିନ୍ନ ଗୀତର ତାଳେତାଳେ ନାଚଗୀତ କରିବା ପରେ ମୂର୍ତ୍ତି ବିସର୍ଜନ କରିଥାନ୍ତି l ସେହି ସମୟରେ ଛାତ୍ରମାନେ ମଧୁର ସମ୍ପର୍କ ଥିବା ଝିଅମାନଙ୍କ ସହିତ ଠାର ଓ ବିଭିନ୍ନ ଅଙ୍ଗଭଙ୍ଗୀ ମାଧ୍ୟମରେ ଭାବର ଆଦାନ ପ୍ରଦାନ ବୋଧହୁଏ କରିଥାନ୍ତି l ମାଟିରେ ଗଡାଗଡି ହେବାଦ୍ୱାରା ଧୂଳି ଧୂସର ହେବା, ପରଷ୍ପରକୁ ରଙ୍ଗ ବୋଳିବା ଅଦି ଅଦ୍ଭୁତ କାମସବୁ କରି କିମ୍ଭୂତକିମାକାର ରୂପ ଧାରଣ ପୂର୍ବକ ଗର୍ଜନାଫଟା ହୋ ହାଲ୍ଲା ମଧ୍ୟରେ ରାସ୍ତାରେ ପ୍ରୋସେସନ୍ କରି ଯାଇଥାନ୍ତି l ସେତେବେଳେ ଯେ କୌଣସି ଲୋକ ପିଲାମାନଙ୍କର ସେଇ କିମ୍ଭୂତକିମାକାର ରଡ୍ଡି ଶୁଣି ସେପଟେ ଯିବାକୁ ନିରାପଦ ଅଦୌ ମଣିବ ନାହିଁ l ଧର୍ମିୟ ଭାବନାକୁ ଆଳ କରି ରାସ୍ତାଘାଟକୁ ସମ୍ପୂର୍ଣ୍ଣ କବ୍ଜାକରି ଆଜିକାଲି ପ୍ରସେସନ ଏମିତି କରିବା ଏକ ରକମ ଫେସନ୍ ହୋଇଗଲାଣି ଯୁବ ଗୋଷ୍ଠୀଙ୍କର l କିଛି ଜାଗାରେ ବିବାହ ପ୍ରୋସେସନ୍ ମଧ୍ୟ ନିଶାପାଣିର ପ୍ରଭାବରେ ଏମିତି ରୂପରେଖ ନେଇଥାଏ ଯେ କେଉଁଠି ବରଯାତ୍ରୀ କାହାକୁ ପିଟିଲେଣି ତ ଆଉ କେଉଁଠି ବରଯାତ୍ରୀ ଗୁଡେ ମାଡ ଖାଇ ଫେରନ୍ତି l


ଏବେ ଜିଲ୍ଲା ପ୍ରଶାସନ ତରଫରୁ ଗତ ୫ ବର୍ଷହେବ ସହରର ବିଭିନ୍ନ ଜାଗାରେ ଅସ୍ଥାୟୀ ପୋଖରୀ ଖୋଳାଯାଇ ସେଇଠାରେ ହିଁ ଗଣେଶ, ସରସ୍ୱତୀ , ମା' ଦୁର୍ଗା, ଆଦି ଦେବାଦେବୀଙ୍କ ମୂର୍ତ୍ତି ବିସର୍ଜନ କରାଯାଉଛି l କେନାଲ୍ ପାଣିକୁ ଦୂଷିତ ନ କରିବାର ଲକ୍ଷରେ ଏପରି କରାଯାଉଛି l ସାରା ଓଡିଶାରେ ମଧ୍ୟ ଏଇ ନିୟମ ଏବେ କାର୍ଯ୍ୟକାରି କରାଯାଇଛି l କିନ୍ତୁ ପୂର୍ବରୁ ପ୍ରାୟ ସମସ୍ତ ଦେବାଦେବୀଙ୍କ ମୂର୍ତ୍ତି ସେଇ ମାଛଗାଁ କେନାଲରେ ହିଁ ବିସର୍ଜନ କରାଯାଉଥିଲା l


ସେଇ ୨୦୦୩ ମସିହାର ବୋଧହୁଏ ଅଗଷ୍ଟ ମାସ ଶେଷ ବା ସେପ୍ଟେମ୍ବର୍ ପ୍ରଥମ ସପ୍ତାହରେ ଶ୍ରୀଗଣେଶ ପୂଜା ପଡିଥାଏ ଏବଂ ସେ ସମୟରେ ମାଛଗାଁ କେନାଲରେ ଭର୍ ପୁର୍ ପାଣିଥାଏ l ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ସେଇ କଲେଜଛକ ମାଛଗାଁ କେନାଲ ପୋଲ ଉପରର ମଝିଆଁମଝି ଅଞ୍ଚଳରୁ କିଛି ଛାତ୍ର ରେଡ୍ଡି ହୋଇସାରି ହଠାତ୍ ଗଣପତି ବାବା ରଡ୍ଡି ଛାଡ଼ି ମୂର୍ତ୍ତି ସହିତ କେନାଲ ମଧ୍ୟକୁ ଡିଆଁ ମାରିଲେ l ଯେତେଜଣ ଡେଇଁଥିଲେ ସମସ୍ତେ କୂଳକୁ ପହଁରି ପହଁରି ଫେରିଲେ କେବଳ ଜଣକୁ ଛାଡି l


" ଜେଡି " ବୁଡିଗଲା ବୋଲି ସମସ୍ତେ ସେଇ କେନାଲ ପାଣିକୁ ଅନାଇଁ ରଡ୍ଡି ଛାଡ଼ିବା ଆରମ୍ଭ କରିଦେଲେ l ଆସ୍ତେ ଆସ୍ତେ ଘଟଣା ସ୍ଥଳରେ ଭିଡ ଜମିବା ଆରମ୍ଭହେଲା l ଏ କାନରୁ ସେ କାନ ହୋଇ କଥାଟା ଜଗତସିଂହପୁର ଟାଉନ୍ ସାରା ବ୍ୟାପି ଗଲା l ଲୋକଙ୍କ ସୁଅ ଛୁଟିଲା କଲେଜଛକକୁ l ଘଟଣା ଘଟିଥିଲା ପ୍ରାୟ ଦିନ ଦୁଇଟା ସମୟରେ l ଏକ ଘଣ୍ଟାପରେ ଦେଖାଗଲା କେନାଲ୍ ଭିତରେ ଅଗ୍ନିଶମ ବିଭାଗର କିଛି କର୍ମଚାରୀଙ୍କ ସହିତ ସ୍ଥାନୀୟ କେତେଜଣ ଯୁବକ, ଯେଉଁମାନେ ଭଲକରି ପହଁରା ଶିଖିଥିଲେ, ସେଇ କେନାଲ ଭିତରେ କେତେବେଳେ ପାଣିରେ ବୁଡି ବୁଡି ତ ଆଉ କେତେବେଳେ ଉପରେ ପହଁରି ପହଁରି  "ଜେଡି " ନାମଧାରୀ ଛାତ୍ରଟିକୁ ଖୋଜୁଥାନ୍ତି l ଏଣେ କଲେଜଛକରୁ ଦଶନମ୍ୱର ଦେଇ ସୋମନାଥ ହାଟ ପୋଲ ପର୍ଯ୍ୟନ୍ତ କେନାଲର ଉଭୟ ପାଶ୍ୱ ଜନସମୁଦ୍ରରେ ପରିଣତ ହୋଇ ସାରିଥାଏ l ସେଇ ଭିତରେ ଖବରପାଇ ପିଲାଟିର ବାପା ଓ ବଡ ଭାଇ ଏକ ବାଇକ୍ ରେ ତାଙ୍କ ବାଇଶିମୋଜାର ଏକ ଗ୍ରାମରୁ ମଧ୍ୟ ଆସି ସେଇ ଲୋକଙ୍କ ଭିତରେ " ଜେଡି " କୁ ବଡ ବିକଳ ହୋଇ ସେଇ କେନାଲ୍ ପାଣି ଭିତରକୁ ଚାହିଁ ଖୋଜୁଥାନ୍ତି l


ଲୋକ ଭିଡ ଭିତରୁ ସମୟେ ସମୟେ ବିଭିନ୍ନ କଥାମାନ ଉଠୁଥାଏ l ହଠାତ୍ କିଏ ଜଣେ କହିଦେଲା ଯେ, " ଜେଡି " କଲେଜ ହଷ୍ଟେଲ୍ ରେ ରହୁଥିଲା l ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ଆଉ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ୍ କାହିଁକି ଗଣେଶ ମୂର୍ତ୍ତି ବିସର୍ଜନ କରିବା ସମୟରେ ଉପସ୍ଥିତ ନଥିଲେ ? ତାଙ୍କୁ ଆଗଧରି ଉତ୍ତମଧ୍ୟମ ଦେବା ଦରକାର l ବର୍ତ୍ତମାନ ଅଳକା କଲେଜର ଅଧ୍ୟକ୍ଷ ଥିବା ଶିକ୍ଷା ବିଭାଗର ବିଶ୍ୱଜିତ୍ ରାୟ ସେତେବେଳେ ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ଥିବେବେଳେ ମୁଁ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ୍ ଥିଲି l ଏମିତିକା କଥାଶୁଣି ଯେ କେହି ଡରିବା ସ୍ୱାଭାବିକ୍ l କାହିଁକିନା ମବ୍ ସାଇକୋଲଜି ସବୁବେଳେ ଯେକୌଣସି କଥା ଘଟାଇଦେବାର ସମ୍ଭାବନା ରଖିଥାଏ l ୧୯୮୩ ମସିହାରେ ମଧ୍ୟ ଗୁଡେ ପିଲା ଏକାଠି ହୋଇ ଠେଲାପେଲା ହେବା ଦ୍ୱାରା ଗୋଟେ ନୂତନକରି ନିର୍ମାଣ ହୋଇଥିବା ପିଲର୍ ପଡି ଜଣେ ଛାତ୍ର ଗୁରୁତର ଆହାତ ହୋଇ କଟକ ମେଡିକାଲ୍ ରେ ମୃତ୍ଯୁ ବରଣ କରିବାରୁ ସେତେବେଳେ କଲେଜ କୋଠାବାଡି ନିର୍ମାଣ ଦାୟିତ୍ୱରେ ଥିବା ରାସାୟନ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା ମୋର ସହପାଠୀ ଜି.ଭି.ରାକେଶଙ୍କ ପିତା ପ୍ରଫେସର ଜି.ଭି. ଗୁଡବାଡିଆଙ୍କୁ ମଧ୍ୟ କିଛି ଛାତ୍ର ଅଜବ ଯୁକ୍ତିରେ ଦାୟୀକରି ଆକ୍ରମଣ କରିବାକୁ ଖୋଜିଥିବାର ନଜିର୍ ରହିଛି l ସେତେବେଳେ କଲେଜର ଅଧ୍ୟକ୍ଷ ଥିବା ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଦୂରଦୃଷ୍ଟି ତଥା ସମୟୋପଯୋଗୀ ପଦକ୍ଷେପ ପାଇଁ ଉକ୍ତ ମୃତ ଛାତ୍ରର ପରିବାର ଲୋକଙ୍କ ଉପସ୍ଥିତିରେ ସେଇ କଟକରେ ଶବଦାହ କରି ଦେବାରୁ କଲେଜରେ ଏକ ବିରାଟ ଛାତ୍ର ଆନ୍ଦୋଳନ ମୁଣ୍ତଟେକିବା ପୂର୍ବରୁ ତାକୁ ଟାଳି ଦିଆଯାଇଥିଲା l


ଯେଉଁ ପିଲାଟିର ପତ୍ତା ପାଣିରୁ ମିଳୁନଥିଲା ତା'ର ଶୁଭନାମ ଜୋର୍ତ୍ତିର୍ମୟ ଦାଶ ( ଡାକ ନାମ ଜେଡି ) ଥିଲା l ବାସ୍ତବରେ ସେ କଲେଜ ହଷ୍ଟେଲରେ ପୂର୍ବବର୍ଷ ଆଡମିସନ୍ କରି ରହୁଥିଲା l ସେଇ ୨୦୦୩ ଜୁନ୍ ମାସରୁ ଆଉ କଲେଜ ହଷ୍ଟେଲରେ ରି-ଅଡମିଶନ୍ ନକରି ସେଇ ପାଖରେ ଥିବା ଗୋଟେ ପ୍ରାଇଭେଟ୍ ମେସ୍ ରେ ରହୁଥିଲା l ସେଇ ମେସ୍ ରେ ପୂଜା ହୋଇଥିବା ଗଣେଶ ମୂର୍ତ୍ତିକୁ ପିଲାମାନଙ୍କ ସହିତ ନାଳରେ ବିସର୍ଜନ କରିବାପାଇଁ ଆସି ଏଇ ଅଘଟଣର ଶିକାର ହୋଇଛି l


" ଜେଡି " କଲେଜର ଜଣେ ଖୁବ୍ ମେଧାବୀ ଛାତ୍ରଥିବାରୁ ତାକୁ ପ୍ରାୟ ଅଧିକାଂଶ ଅଧ୍ୟାପକ ଜାଣିଥାନ୍ତି l ପୁରା ଛଅ ଫୁଟ ଉଚ୍ଚତା ସହିତ ଖୁବ୍ ହୃଷ୍ଟ ପୁଷ୍ଟ ଚେହେରାର ଜଣେ ବ୍ରାହ୍ମଣ ପିଲା l ସେ କଲେଜ ଏନ.ସି.ସି. ର ଅଣ୍ତର ଅଫିସର୍ ଥିଲା ଯିଏକି ଦିଲ୍ଲୀରେ ଉଭୟ ରିପବ୍ଲିକ୍ ଡେ ପ୍ୟାରେଡ୍ ସହିତ ପ୍ରାଇମ୍ ମନିଷ୍ଟର୍ ରାଲ୍ଲିରେ ଯୋଗ ଦେଇଥିଲା l ଏନ.ସି.ସି.ରେ ନୂଆ ପିଲାମାନଙ୍କୁ ହାତରେ ଗୋଟେ ରୁଲ୍ ବାଡି ଧରି ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ପ୍ରାୟେ ଟ୍ରେନିଙ୍ଗ୍ ଦେଉଥିବାର ମୁଁ ବହୁଥର ଦେଖିଥିଲି l


ଏ ଭିତରେ " ଜେଡି " ର ବାପା କାନ୍ଦକାନ୍ଦ ହୋଇ କହୁଥାନ୍ତି,


 "ମୋ ପୁଅ ପିଲାଦିନରୁ ବାଥରୁମ୍ ରେ ଗାଧୋଇଥିବାରୁ ସେ ଆଦୌ ପହଁରା ଜାଣିନାହିଁ l ସେ କେବେହେଲେ ଏମିତି ପାଣିକି ଡେଇଁବ ନାହିଁ l ତାକୁ କିଏ ନିଶ୍ଚେ ଜାଣିଶୁଣି ପାଣିକୁ ଠେଲି ଦେଇଥିବ l " ( ଏଠାରେ କହିରଖୁଛି ପୂର୍ବରୁ ଯେତେବେଳେ ପିଲାମାନେ ଗାଁଆଁ ପୋଖରୀ, କେନାଲ୍ ବା ନଦୀରେ ଗାଧୁଆ ଗାଧେଇ କରୁଥିଲେ ସେତେବେଳେ ପ୍ରାୟ ସମସ୍ତେ ପହଁରା ଶିଖୁଥିଲେ l କିନ୍ତୁ ଏବେ ଆମ ପିଲାମାନେ ବାଥରୁମ୍ ରେ ଗାଧୋଉ ଥିବାରୁ ପ୍ରାୟ କେହି ପହଁରା ଶିଖୁନାହାନ୍ତି )


ସେ ପରିସ୍ଥିତିରେ ଗୋଟେ ବାପାର ମୁଣ୍ତ କାମ ନକରିବା ସ୍ୱାଭାବିକ କଥା l କିନ୍ତୁ " ଜେଡି " ର ସାଙ୍ଗମାନେ କାନ୍ଦିକାନ୍ଦି ତାକୁ ଖୋଜୁଥାନ୍ତି l ସେଠି ଉପସ୍ଥିତ ଥିବା ସମସ୍ତ ଲୋକମାନେ ଭଗବାନ୍ ଙ୍କୁ ଡାକୁଥିଲେ କେମିତି ପିଲାଟା ଜୀବିତ ଥାଉ l


ପାଖା ପାଖି ୩ଟା ବେଳକୁ ଶଚିବାବୁ ( ମିଲିଟାରିରୁ ରିଟାୟାଡ୍ ନେଇ ଲାଲାସାହିରେ ଘରକରି ରହୁଥାନ୍ତି ) ଯିଏକି ପ୍ରଥମରୁ ପାଣିରେ ବୁଡି ବୁଡି ତାକୁ ଖୋଜୁଥିଲେ, ହଠାତ୍ ଦଶନମ୍ୱର ବସ୍ ଷ୍ଟପେଜ୍ ପାଖ ସେଇ କେନାଲ କୂଳରେ ଥିବା ଗୋଟେ ବଡଗଛର ପାଣିଭିତରେ ଥିବା ଚେର ମୂଳରୁ ତାକୁ ଠାବ କରି ପାଣି ଉପରକୁ ଟେକି ଆଣିଲେ l ସେଇ ସମୟରେ କଟକ ଅଡୁ ଜଗତସିଂହପୁରକୁ ଏକ ଯାତ୍ରିବାହୀ ଟ୍ରେକର ଯାଉଥିଲା l ତାକୁ ଅଟକାଇ ସମସ୍ତ ଯାତ୍ରୀମାନଙ୍କୁ ଓଲ୍ହାଇ ଦେଇ ସେଇଥିରେ କାଳବିଳମ୍ୱ ନକରି " ଜେଡି " କୁ ମେଡିକାଲ ନିଆଗଲା l


ମୁଁ ସେ ଟ୍ରେକର ପଛେ ପଛେ ବାଇକ୍ ରେ ଚାଲିଲି l ଦୁଇପଟ କେନାଲ୍ ବନ୍ଧରେ ଜମିଥିବା ଜନସମୁଦ୍ର ମଧ୍ୟ ଏବେ ମେଡିକାଲ୍ ମୁହାଁ ହେଲା l ପୂର୍ବରୁ ବୋଧହୁଏ ଜିଲ୍ଲା ପ୍ରଶାସନ ଓ ମେଡିକାଲ୍ ପ୍ରଶାସନ ଏମିତି ଆଗକୁ ହେବ ବୋଲି କଳିନେଇ 

 ମେଡିକାଲ୍ କୁ ପୁରା ପୁଲିସ୍ ଛାଉଣିରେ ପରିଣତ କରିସାରିଥାଆନ୍ତି l " ଜେଡି " କୁ ଆଉଟ୍ ଡ଼ୋର୍ ରେ ରଖି ଚିକିତ୍ସାକଲେ ପ୍ରବଳ ଭିଡକୁ ସମ୍ଭାଳିହେବନି ବୋଲି ପୂର୍ବାନୁମାନ କରି ତାକୁ ୱ୍ୱାର୍ଡଭିତରେ ଥିବା ଶେଷମୁଣ୍ରକୁ ନେଇଯାଇ ସେ ୱ୍ୱାର୍ଡର ଗେଟ୍ କୁ ଲକ୍ କରିଦେଇ ପୁଲିସ୍ ଜଗିରହିଲେ l ଭିତରକୁ କୌଣସି ପିଲା କିମ୍ୱା ଲୋକଙ୍କୁ ଛଡା ଯାଉନଥାଏ l 


" ଜେଡି " ର ବାପା ଓ ବଡ ଭାଇଙ୍କ ସହିତ ଅମେ କେଇଜଣ ଅଧ୍ୟାପକ ତଥା କଲେଜ କର୍ମଚାରୀଙ୍କୁ ( ବିଶ୍ୱଜିତ୍ ଭାଇ, ମୁଁ ଏବଂ ଲୋକନାଥ ପତି ) ଭିତରକୁ ଯିବାକୁ ପୋଲିସ୍ ପରମିଶନ୍ ଦେଲା l


ସେଠି " ଜେଡି " କୁ ଜଣେ ଡାକ୍ତର ଆସି ଚେକ୍ କଲେ l ସେ ଜଣେ ନର୍ସଙ୍କୁ ଠାରି କିଛି କହିବାରୁ ସେ ସଙ୍ଗେ ସଙ୍ଗେ ଗୋଟେ ସାଲାଇନ୍ ପିଲାଟି ଦେହରେ ଲଗାଇଦେଲେ l ସାଲାଇନ୍ ବି ପିଲାଟି ଦେହରେ ଚାଲିବାର ଦେଖାଗଲା l ସେ ଡାକ୍ତରଙ୍କ ମୁହଁକୁ ଆମେ ସେଠି ଉପସ୍ଥିତ ଥିବା କେଇଜଣ ଲୋକ ଏକ ଲୟରେ ଅନେଇ ଥାଉ l " ଜେଡି " ର ବାପା ସାଲାଇନ୍ ଚାଲିବା ଦେଖି ଡାକ୍ତରଙ୍କୁ ବଡ ବିକଳ ହୋଇ କହିଲେ , 


" ସାର୍ ପୁଅ ଦେହ କେମିତି ଅଛି ? " 


ସେ ଡାକ୍ତର କେବଳ ମୁଣ୍ତ ଟୁଙ୍ଗାରିଦେଇ ସେଠାରୁ ପଳାଇଗଲେ l ସେ ସାଲାଇନ୍ ସେମିତି ଵାଲିଥାଏ l ପ୍ରାୟ ଦୁଇ ମିନିଟ୍ ପରେ ସେଠି ଆସି ପହଞ୍ଚିଲେ ଡକ୍ଟର ରତିନ୍ଦ୍ର ନାଥ ମିତ୍ର l ସେ ଆଡିସିଓନାଲ୍ ଜିଲ୍ଲା ମେଡିକାଲ୍ ଅଫିସର୍ ଦାୟିତ୍ୱରେ ଥାଆନ୍ତି ଏବଂ ଜଣେ ଲୋକାଲ୍ ଡାକ୍ତର ହୋଇଥିବାରୁ ଏମିତିକା ଗଣ୍ତଗୋଳ ପରିସ୍ଥିତିରେ ତାଙ୍କୁ ହିଁ ଖୋଜାଯାଏ l ସେ ମୋର କଲେଜ ବେଳର ସାଙ୍ଗ ଦିଲିପ ମିତ୍ର ( ରୁବୁ ) ର ନିଜ ଦାଦା ହୋଇଥିବାରୁ ମୁଁ ତାଙ୍କୁ ରୁବୁ ଡାକୁଥିବା ନାମ " ଝୁଟୁ କାକା " ବୋଲି ସଂବୋଧନ କରେ l ସେ କିଛି ସମୟ ପିଲାଟିକୁ ଦେଖି ମୋ ଆଡକୁ ଚାହିଁ କହିଲେ , 


" ହି ଇଜ୍ ନୋ ମୋର୍ l" 


ମୁଁ ତାଙ୍କୁ ପଚାରିଲି, " ସାଲାଇନ୍ କେମିତି ଚାଲିଛି ? "


ସେ କହିଲେ, " ପାଣିରେ ଏତେ ସମୟ ବୁଡିକି ଥିବାରୁ ସାଲାଇନ୍ କିଛି ସମୟ ଚାଲିବ l " 


ଏତିକି କଥା ପିଲାଟିର ବାପା ଓ ଭାଇ ମଧ୍ୟ ଶୁଣୁଥିଲେ l ପୁରା ଛଅ ଫୁଟ ଚେହାରାର " ଜେଡି " ସେଠି କେବଳ ଗୋଟେ ଫୁଲ୍ ପ୍ୟାଣ୍ଟ୍ ପିନ୍ଧି ସଜୀବ ପରି ଶୋଇଥାଏ l ସତେ ଜେମିତି ସଙ୍ଗେ ସଙ୍ଗେ ଉଠି ବସିବ ଏମିତି ପ୍ରତିକ ହେଉଥାଏ l ତା' ଚଉଡା ଛାତି ଉପରେ ବାପା ତାଙ୍କର ମୁହଁ ମାଡି କଇଁକଇଁ ହୋଇ କାନ୍ଦିବା ଦୃଶ୍ୟ ଖୁବ୍ ହୃଦୟ ବିଦାରକ ଥିଲା l ଗୋଟେ ଅସହାୟ ବାପାର ସେ ଅବସ୍ଥା ଯିଏ ବି ଦେଖିବ ତା' ଆଖିରେ ଲୁହ ନିଶ୍ଚେ ଆସିବ l ଭଗବାନ୍ ଏମିତି ଦୁଖ କୌଣସି ବାପା ମାଙ୍କୁ ନ ଦିଅନ୍ତୁ l


ବାହାରେ କଲେଜ ଛାତ୍ରମାନଙ୍କ ସହିତ ବହୁ ଲୋକ ଯେତେବେଳେ ଶୁଣିଲେ " କେଡି " ଆଉ ନାହିଁ , କିଛି ପିଲା ଯିଦି ଧରିଲେ ଏଠି ଠିକ୍ ଟ୍ରଟମେଣ୍ଟ୍ ହୋଇନି, ତାକୁ କଟକ ବଡ ଡାକ୍ତରଖାନାକୁ ରେଫାର୍ କରାଯାଉ l କିନ୍ତୁ ପିଲାଟିର ବାପା ଓ ବଡ ଭାଇ ନିଷ୍ପତି ନେଇସାରିଥାନ୍ତି ଘରକୁ ଜେଡିର ମୃତଦେହ ନେଇ ଚାଲିଯିବା ପାଇଁ l ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଯେତେବେଳେ ଜେଡିକୁ ପୋଷ୍ଟମଟମ୍ ପାଇଁ ନିଆଗଲା ସେ ସମୟରେ ମଧ୍ୟ କିଛି ଛାତ୍ର ବିତଣ୍ତା ଯୁକ୍ତି କରି କହୁଥିଲେ କାହିଁକି ପୋଷ୍ଟମଟମ୍ କରି ତା ଦେହକୁ କଟାକଟି କରାଯିବ ? କିନ୍ତୁ ଶେଷକୁ ପୋଷ୍ଟମଟମ୍ କରାଯାଇ ଗୋଟେ ଆମ୍ମୁଲାନ୍ସ୍ ରେ ଜେଡିର ମୃତଦେହକୁ ତା' ଗାଁଆଁ ବାଇଶିମଉଜାକୁ ପଠାଗଲା l 

ମୃତଦେହ ସାହିତ ବିଶ୍ୱଜିତ୍ ଭାଇ ଓ ମୁଁ ଯାଇଥିଲୁ l ଆମେ ତାଙ୍କ ଗାଁଆଁରେ ପହଞ୍ଚିବାର ବହୁ ପୂର୍ବରୁ ଜେଡିର ବାପା ଓ ଭାଇ ପହଞ୍ଚି ସାରିଥାନ୍ତି l ଆମେ ତାଙ୍କ ଦାଣ୍ତରେ ପହଞ୍ଚି ଯେଉଁ ହୃଦୟ ବିଦାରକ ଦୃଶ୍ୟ ଦେଖିଲୁ ତାକୁ ଭାଷାରେ ପ୍ରକାଶ କରିବା ମୋ ପକ୍ଷରେ ଏକବାରେ ଅସମ୍ଭବ l ଘର ଭିତରୁ ଜେଡିର ମାଆଙ୍କର ଗଳାଫଟା କାନ୍ଦ ଶୁଭୁଥାଏ l ୨୦ କି ୨୧ ବର୍ଷର ଭେଣ୍ତଆପୁଅକୁ ଏମିତି ହରାଇ କେଉଁ ବାପା ମା ଧର୍ଯ୍ୟ ଧରି ରହିପାରିବେ ଯେ ? 


ଜେଡିର ବାପା ଯିଏ କି ଜଣେ ହାଇସ୍କୁଲ୍ ଶିକ୍ଷକଥିଲେ ସେ ବାରମ୍ୱାର କାନ୍ଦି କାନ୍ଦି କହୁଥାନ୍ତି - 


" ହେ ଭଗବାନ୍ ତମେ କଣ ସତରେ ଅଛ ? ମୋ ପୁଅ ଯାଗାରେ ମୋତେ କାହିଁକି ନ ନେଲ ? ଯେଉଁ ପୁଅ କାନ୍ଧରେ ମୁଁ ଦିନେ ମଶାଣୀକୁ ଯାଇଥାନ୍ତି ଆଜି ସେଇ ପୁଅ ମୋ କାନ୍ଧରେ ମଶାଣୀକୁ ଯିବ l"


 ସତରେ ନିଜର ପୁଅକୁ ଏମିତି ହରାଇ ତାଙ୍କ ଅନ୍ତରାତ୍ମା ଖୁବ୍ କାନ୍ଦୁଥିଲା l ଟିକେ ଅସାବଧାନତା ହେତୁ ଜେଡି ନିଜର ବାପା ମାଙ୍କୁ ଏମିତି ଅସହାୟ କରି ଚିରକାଳ ପାଇଁ ଚାଲିଗଲା l ମରିବାଯାଏ ଏମିତି ଅସହାୟ ହୋଇ ଜେଡିର ବାପା ମା ତାକୁ ଝୁରୁଥିବେ, ଏଥିରେ ତିଳେହେଁ ସନ୍ଦେହ ନାହିଁ l


ଏଇ ଘଟଣାପରେ ମୁଁ କଲେଜ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ୍ ଭାବରେ ଦୀର୍ଘ ସାତବର୍ଷ ( ୨୦୦୬ ରୁ ୨୦୧୩ ମସିହା ପର୍ଯ୍ୟନ୍ତ ) ଦାୟିତ୍ୱରେ ରହିଛି l ସରସ୍ୱତୀ ପୂଜା ସମୟରେ ମାଛଗାଁ କେନାଲରେ ପାଣି ନଥାଏ ତେଣୁ ପିଲାଙ୍କୁ ବାଡି ପକାଇ ଜଗିବା ଆବଶ୍ୟକ ହୁଏ ନାହିଁ l କିନ୍ତୁ ଗଣେଶଙ୍କ ଭସାଣି ସମୟରେ ଗୌରାଙ୍ଗ ଓ ମୁଁ ସେଇ କଲେଜ ପୋଲ ଉପରେ ଠିଆହୋଇ ମୂର୍ତ୍ତି କେନାଲରେ ପଡିବା ପର୍ଯ୍ୟନ୍ତ ରହିବା ସହିତ ଦେଖୁ ଯେପରି ଗଣେଶଙ୍କ ସହିତ କୌଣସି ପିଲା କେନାଲକୁ ଜମ୍ପ୍ ନ କରେ l ୨୦୧୫ ପରଠାରୁ ଜିଲ୍ଲା ପ୍ରଶାସନର ନିଷ୍ପତି ଅନୁଯାଇ ଆଉ କୌଣସି ମୂର୍ତ୍ତି କେନାଲ୍ ରେ ପକାଯାଉନାହିଁ l


ଛାଡନ୍ତୁ ଆମେ ବର୍ତ୍ତମାନ ଜେଡି ମରିବାର ଦଶବର୍ଷପରେ ଅର୍ଥାତ୍ ୨୦୧୩ ମସିହାରେ ଘଟିଥିବା ସେଇ ଘଟଣାକୁ ଆଲୋଚନା କରିବା ଯେଉଁଠି ଜଣେ ବାପା ଖୁବ୍ ଅସହାୟ ହୋଇ' ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପଢୁଥିବା ନିଜର ପୁଅକୁ ସେଇ ମାଛଗାଁ କେନାଲରେ ଖୋଜିଚାଲିଛି l (କ୍ରମଶଃ ........)



Rate this content
Log in

Similar oriya story from Tragedy