ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଅର୍ଦ୍ଧ ପୁରସ୍କାର

ଅର୍ଦ୍ଧ ପୁରସ୍କାର

3 mins
7.2K


ସବ୍ୟସାଚୀ ରାଉତରାୟ

ରାଜନଅର ବ୍ୟତିତ ମହାରାଜା କୃଷ୍ଣଚନ୍ଦ୍ରଙ୍କର ଏକ ଉଦ୍ୟାନପ୍ରାସାଦ ଥିଲା l ବିରାଟ ଉଦ୍ୟାନ ମଧ୍ୟରେ ଏକ ଛୋଟକାଟର ରାଜବାଟୀ l ଏହାକୁ ପ୍ରମୋଦ କକ୍ଷ ମଧ୍ୟ କୁହାଯାଉଥିଲା l ପ୍ରତି ବର୍ଷ ଏକ ନିର୍ଦ୍ଧିଷ୍ଟ ସମୟରେ ସମସ୍ତ ରାଜକର୍ମଚାରୀଙ୍କ ଗହଣରେ ରାଜପରିବାର ସହ ମହାରାଜା ତିନିଦିନ ପାଇଁ ସେଠାରେ ଅବସ୍ଥାନ କରୁଥିଲେ l

ଆସନ୍ତା କାଳିଠାରୁ ତିନିଦିନ ପାଇଁ ଉଦ୍ୟାନ ଗୃହକୁ ରାଜଦରବାର ସ୍ଥାନାନ୍ତରିତ ହେବ l ମହାରାଜା ପାତ୍ରମନ୍ତ୍ରୀଙ୍କ ସହ ସେହି ବିଷୟରେ ଆଲୋଚନା କରୁଥିଲା ବେଳେ ଗୋପାଳ ଧଇଁସଇଁ ହୋଇ ସେଠାରେ ପହଞ୍ଚିଲା l ମହାରାଜା କହିଲେ-ଗୋପାଳ ! ଆସନ୍ତା କାଲିଠାରୁ ସମସ୍ତେ ଉଦ୍ୟାନ ଗୃହକୁ ଯିବା, ତୁମେ ମଧ୍ୟ ମୋ ସହିତ ରହିବ l କଥାଟା ଶୁଣିଲା ପରେ ଗୋପାଳ କିଛିଟା ବିମର୍ଷ ମନେହେଲା l ପ୍ରତିଦିନ ସକାଳେ ତାକୁଇ ବଜାର ହାତ କରିବାକୁ ହୁଏ l ଏଇ କାମତି କରିବା ପାଇଁ ଘରେ ଅନ୍ୟ କେହି ନାହାନ୍ତି l

ତେବେ କଥାଟି ରାଜସଭାରେ ମହାରାଜାଙ୍କନିକଟରେ ପ୍ରକାଶ କରିବାକୁ କିଛିଟା ସଂକୋଚ ଲାଗୁଛି l ସାମାନ୍ୟ ଇତସ୍ତତଃ ହେଲା ପରେ ଗୋପାଳ କହିଲା, ମୋର କିଛି ଘରୋଇ କାମ ଅଛି l ଛାମୁ, ଆପଣ ମୋତେ ଏଠାରେ ଅପେକ୍ଷା କରିବେନି l ଅଳ୍ପ ବିଳମ୍ବରେ ମୁ ନିଜେ ନିଜେ ସେଠାରେ ଯାଇ ପହଞ୍ଚି ଯିବି l

ପରଦିନ ସକାଳେ ପରିଷଦ ସହ ମହାରାଜା ଉଦ୍ୟାନ ଗୃହ ଅଭିମୁଖେ ଯାତ୍ରାରମ୍ଭ କାଲେ l କିନ୍ତୁ ଗୋପାଳ ଆସି ନଥିବାରୁ ମନେମନ ଅସନ୍ତୁଷ୍ଟ ହେଲେ l ସେଠାରେ ପହଞ୍ଚିଲା ପରେ ମହାରାଜା ପ୍ରହରୀକୁ ଆଦେଶ ଦେଲେ, ଗୋପାଳ ଆସିଲା ତାକୁ କିଛି ସମୟ ବାହାରେ ଠିଆ କଲାପରେ ଭିତରକୁ ଛାଡିବ l କହିବ ଯେଉଁମାନେ ବିଳମ୍ବରେ ଆସିବେ ସେମାନଙ୍କୁ ଭିତରକୁ ଯିବାର ଆଦେଶ ନାହିଁ l ଏହାର ଅଳ୍ପ ସମୟ ପରେ ଗୋପାଳ ଆସି ପହଞ୍ଚିଲା l ଭିତରକୁ ଯିବା ପାଇଁ ଚେଷ୍ଟା କଳା ମାତ୍ରେ ଦରୁଆନ କହିଲା- ମହାରାଜାଙ୍କର ହୁକୁମ, ଯେଉଁମାନେ ବିଳମ୍ବରେ ଆସିବେ ସେମାନଙ୍କୁ ଭିତରକୁ ଛଡାଯିବ ନାହିଁ l

ଗୋପାଳର ମନେହେଲା, ତାକୁ ସାମାନ୍ୟ ଶାସ୍ତି ଦେବା ପାଇଁ ମହାରାଜାଙ୍କର ଏଇ ବ୍ୟବସ୍ଥା l ମନେମନେ କିଛି ଚିନ୍ତା କରି ଦରୁଆନକୁ କହିଲା - ଦେଖ ଭାଇ, ମହାରାଜା ପ୍ରାୟ ପ୍ରତ୍ୟକ ଦିନ ମୋତେ କିଛି ପୁରସ୍କାର ଦେଇଥା'ନ୍ତି l ଏକଥା ସମସ୍ତେ ଜାଣନ୍ତି l ଆଜି ଯାହା ମିଳିବ ସେଥିରୁ ତୁମକୁ ଅଧେ ଦେଇଦେବି l ବିନା ପରିଶ୍ରମରେ କିଛି ଅର୍ଥ ହାତକୁ ଆସିବ l ଦରୁଆନ ମନେ ମନେ ଖୁସି ହୋଇ ଗୋପାଳକୁ ଭିତରକୁ ଛାଡିଦେଲା l ଭିତରକୁ ଯିବାପରେ ଗୋପାଳ ପାଗଳଙ୍କ ପରି ଏଣୁତେଣୁ ଗପିବାକୁ ଲାଗିଲା l କାହାକୁ ଚିହ୍ନି ନଥିଲା ପରି ଅଭିନୟ କଲା l ମହାରାଜା ବିରକ୍ତ ହୋଇ କହିଲା - ବିଳମ୍ବରେ ଆସି ଏଠି ଏତେ ଗୋଳମାଳ କରୁଛ କାହିଁକି ?

ଗୋପାଳ - ମହାରାଜା ! ମୋ ମୁଣ୍ଡ ଠିକ୍ ନlହିଁ l ଆପଣମାନଙ୍କୁ ଭଲ ଲାଗୁନଥିଲେ ମୁଁ ବର୍ତ୍ତମାନ ବାହାରକୁ ଚାଲିଯାଉଛି l' ଗୋପାଳର ଉତ୍ତରରେ ମହାରାଜା ଅଧିକ ବିରକ୍ତ ହୋଇ ହୁକୁମ ଦେଲେ - ଅପରାଧ ପାଇଁ କଣ ଧରି ଶହେଥର ବସଉଠ ହୁଅ ଏବଂ ଶହେ ଟଙ୍କା ଜୋରିମନା ଦିଅ l

'ଯଥାଅlଜ୍ଞl' କହି ଗୋପାଳ କାନ ଧରି ବସ ଉଠ ହେବାକୁ ଆରମ୍ଭ କରିଦେଲା l କିନ୍ତୁ ପଚାଶ ଥର ବସଉଠ ହେଲା ପରେ ଠିଆ ହୋଇ ହାତଯୋଡି କହିଲା - ମହାରାଜା ! ମୋର ଆଜିର ପୁରସ୍କାରରେ ଅନ୍ୟ ଜଣେ ଭାଗୀଦାରୀ ଅଛି l ମୋର ସାଥୀ ଆଉ ପଚାଶ ଥର ବସଉଠ ହେବ ଓ ପଚାଶ ଟଙ୍କା ମଧ୍ୟ ଦେବ l ଗୋପାଳର କଥାଶୁଣି ମହାରାଜାଙ୍କ ସମେତ ସମସ୍ତେ ଅବାକ l

ମହାରାଜା - ତୁମର ଅନ୍ୟ ସାଥୀଟି କିଏ ?

ଗୋପାଳ - ପ୍ରହରୀ

ଲାଞ୍ଚଖୋର ଦରୁଆନକୁ ମହାରାଜା ଡକାଇ ପଚାଶ ଥର ବସ ଉଠ କରାଇଲା ପରେ ତାକୁ ଚାକିରିରୁ ବରଖାସ୍ତ କରିବାକୁ ମନ୍ତ୍ରୀଙ୍କୁ ଆଦେଶ ଦେଲେ l ଗୋପାଳ ହାତଯୋଡି କହିଲା - ମହାରାଜା ! ଲୋକଟି ଅତ୍ୟନ୍ତ ଗରିବ l ଚାକିରି ଚାଲିଗଲେ ସଂସlର ଅଚଳ l ଦୟାକରି ତାକୁ କ୍ଷମା କରିଦିଆନ୍ତୁ, ଛାମୁ ! ଲୋକଟିର ଘୁଷ୍ ଖୋର ମନୋବୃତି ମୁଁ ଆଗରୁ ଅନୁମାନ କରିଥିଲି l ତେଣୁ ମୁଁ ଆଜି ଜାଣି ଜାଣି ବିଳମ୍ବରେ ଆସିଥିଲି l ମହାରାଜା-ପ୍ରହରୀ ନିଜ ଅପରାଧ ପାଇଁ ଉପଯୁକ୍ତ ଦଣ୍ଡ ପାଇଛି, କିନ୍ତୁ ତୁମେ ଏତେ କଷ୍ଟ ପାଇଲ କାହିଁକି ?

ଗୋପାଳ- ସବୁବେଳେ କାର୍ଯ୍ୟବ୍ୟସ୍ତ ରହି ବ୍ୟାୟାମ କରିବାକୁ ମଧ୍ୟ ସମୟ ମିଳେନି l ଛାମୁଙ୍କର ମନୋରଞ୍ଜନ ପାଇଁ ଆଜି ସମସ୍ତଙ୍କ ସମ୍ମୁଖରେ ସେଇ କାମଟି କଲି l ଗୋପାଳର ବାକ୍ ଚାତୁରୀରେ ଖୁସି ହୋଇ ମହାରାଜା କୃଷ୍ଣଚନ୍ଦ୍ରଦେବ ଦରୁଆନକୁ ତାଗିଦ୍ କରି କ୍ଷମା କରି ଦେବା ସଙ୍ଗେ ସଙ୍ଗେ ଗୋପାଳକୁ ଏକଶହଟଙ୍କା ପୁରସ୍କାର ଦେଲେ l ପ୍ରତିଶୃତି ରକ୍ଷା କରି ଗୋପାଳ ସମସ୍ତଙ୍କ ସମ୍ମୁଖରେ ଦରୁଆନ ହାତକୁ ପଚାଶ ଟଙ୍କା ବଢେଇଦେଲା l


Rate this content
Log in

Similar oriya story from Children