Rana Surya

Drama Romance

3  

Rana Surya

Drama Romance

ଅପେକ୍ଷା

ଅପେକ୍ଷା

5 mins
205


ବର୍ତ୍ତମାନ ଦିନ ୧୨ ଟା ୧୦ । ମୁଁ ଅଫିସରେ ବସିଛି, ସୋମବାର । ଏ ଏକ ଘୃଣ୍ୟ ଦିବସ । ମତେ ଶନିବାର ଯେତିକି ଭଲ ଲାଗେ ସୋମବାର ଟା ଠିକ ସେତିକି ଖରାପ ଲାଗେ । ପ୍ରକୃତରେ କହିବାକୁ ଗଲେ ମୋ ସୋମବାର ଗୁଡାକ ମଙ୍ଗଳବାର ରେ ପଡନ୍ତି । ସନ୍ଧ୍ୟା ୬ ଟା ଯାଏ କଁ'ଣ କରା ଯାଇପରେ ? ଦୁଇ ତିନି ଥର ଚାହା ପିଆ ଯାଇପାରେ । ପ୍ରିୟ ଲେଖକ ଲେଖିକାଙ୍କର ଉପନ୍ୟାସ ଅବା ପଢା ଯାଇପାରେ । ଦୁଇ ତିନି ଧାଡି ମନ ଗହନରୁ ଆଣି ଡାଏରି ରେ ଉତରା ଯାଇପାରେ । କେଇ ଧାଡି ୟୌର କୋଟ୍ ପୃଷ୍ଠାରେ ଉତରା ଯାଇ ପାରେ । ଯାହା କରେ ପଛେ ସନ୍ଧ୍ୟା ୬ଟା ଅନେକ ଦୁରେଇ ଯାଉଛି ।


                                      ଝରକା ଦେଇ ବାହାରକୁ ଅନେଇଛି । ଆପାର୍ଟମେଂଟ ସାରା ରଙ୍ଗ ବେରଙ୍ଗ ଫୁଲ ଫୁଟିଛି । ମଲ୍ଲି ଫୁଲର ମହକ ରୋମାଂଚିତ କରୁଛି ମନକୁ । ସ୍ମୃତିଗର୍ଭରୁ ଓଟାରି ଆଣୁଛି ସେଇ ଅଫେରନ୍ତା ମୁହୂର୍ତ୍ତ ର କଥା ।

                   ତୁମେ କ'ଣ କରୁଥିବ ? ତୁମ ମା କ'ଣ କରୁଥିବେ ? ତୁମେ ଗାଧୋଇ ସାରି ଆସି ବସିଥିବ ତୁମ ଶୋଇଲା ଘରେ । ମା ତୁମର ରୋଷେଇ ଘରେ ରନ୍ଧାବଢା କରୁଥିବେ । ତୁମ ବାବାଙ୍କ ଆସିବା ବେଳ, ଗାଡିର ହର୍ଣ୍ଣ ରେ ତୁମେ ଉଠି ବାହାରକୁ ଗଲ । ତୁମ ବାବା ଆସିଲେ, ତୁମେ ବାହାରକୁ ଏଣେତେଣେ ବୁଲି ଚାହିଁଲ, ଗୋଟେ ଚିହ୍ନା ମୁହଁ ଦେଖିବାକୁ ଚେଷ୍ଟା କଲ । ତୁମ ପଛେ ପଛେ ତୁମ ସାନ ଭଉଣୀ ଡିମ୍ପଲ ଆସି ଯେ ଛିଡା ହେଇଛି,ଏ କଥା ଆଦୌ ତୁମ ଜ୍ଞାତସାରରେ ନାହିଁ । ତାକୁ ଦେଖିବା କ୍ଷଣି ଟିକେ ଇତସ୍ତତଃ ହେଇଗଲ, ପୁଣି ମନ ଉଣାକରି ସିଧା ଘର ଭିତରକୁ ଯାଇ ଖଟ ଉପରେ ଗଡ଼ି ପଡିଲ ।


                                      ମୁଁ ଥରେ ତୁମକୁ ପଚାରିଥିଲି, ମତେ କେବେ ତୁମେ ଅପେକ୍ଷା କରିଛ ? କେବେ କେତେବେଳେ ମୋ କଥା ବସି ଭାବିଛ ?

ତୁମେ କିଛି କହିଲନି । କହିଥିଲେ ହୁଏତ ଅସୁବିଧା ହେଇଥାନ୍ତା ।


ମୁଁ ତୁମ ଘରକୁ ଗଲେ ତୁମେ ଖୁସି ହୁଅ । ହେଲେ କେବେ ଏ କଥା ଶୁଣିନି ତୁମେ କହିଥିବାର କି ତୁମେ ନ ଆସିଲେ ମତେ ଆଦୌ ଭଲ ଲାଗେ ନାହିଁ ।


ତୁମେ କେବେ ମତେ ଏ କଥା ବି ପଚାରିନାହଁ, ତୁମେ କଣ ମୋ କଥା ବସି ଭାବ ? ମତେ ଦେଖିବା ପାଇଁ ତୁମର କଣ ଇଚ୍ଛା ହୁଏ ?


ତାହେଲେ ମୁଁ କହିଥାନ୍ତି, ମୁଁ ତୁମ କଥା କେବେ ଭାବେନି , ମୋର ପ୍ରତି ନିଶ୍ୱାସରେ ମୁଁ ତୁମକୁ ଅନୁଭବ କରେ । ତୁମକୁ ଦେଖିବାକୁ ଇଚ୍ଛା ହୁଏନି , ତୁମ ଭିତରେ ହଜି ଯିବାକୁ ଚାହେଁ ମୁଁ । ତୁମର ମୋର ଦେଖା ପ୍ରତି ରାତି ସ୍ୱପ୍ନରେ ହୁଏ ।


ଦିନର ଅନ୍ତ ଅପରାହ୍ନ, ତୁମେ ବସିଛ ତୁମ ରୁମ୍ ରେ । ତୁମର ଏଇ ସମୟ ଟା ସବୁଠୁ ବୋରିଂ ବେଳ । ଏଇ ସମୟ ଟାରେ ତୁମେ କାହାକଥା ଏକାନ୍ତ ରେ ଭାବି ପାରନାହିଁ । କୌଣସି ସିଦ୍ଧାନ୍ତରେ ପହଞ୍ଚି ପାର ନାହିଁ । ଏ କଥା ତୁମେ ମତେ ଦିନେ କହିଥିଲ । ମୋର ସେତେବେଳେ ପଚାରିବାକୁ ଇଚ୍ଛା ଥିଲା ଯେ ତୁମେ ଏକାନ୍ତରେ କାହା କଥା ଭାବିବାକୁ ଚାହଁ । କିନ୍ତୁ ମୁଁ ପଚାରିଲି ନାହିଁ । କାରଣ ମୁଁ ଜାଣିଥିଲି ତୁମେ ଅନ୍ୟ ଜଣକୁ ପସନ୍ଦ କରୁଛ ବୋଲି । ତା ସହ ସମ୍ପର୍କ ଥିଲା, ଅଥବା ଅଛି, ଅଥବା ରହିବ ।


ତୁମ ମା ସନ୍ଧ୍ୟା ଆଳତି ସାରି ରୋଷେଇ ଘରକୁ ଗଲେଣି ରାତ୍ରି ରୋଷେଇ ପାଇଁ । ତୁମେ କିନ୍ତୁ ଇଚ୍ଛାକରି ସେମିତି ବସି ରହିଛ ବିଛଣାରେ । ବାହାରେ ସୁନ୍ଦର ପବନ ବହୁଥାଏ । ତୁମେ ଉଠିଗଲ ବାହାରକୁ । ତୁମ ଜେଜେ ଙ୍କ ଚେୟାରଟାକୁ ଟାଣିଆଣି ଦାଣ୍ଡ ପିଣ୍ଢା ର ଏକେବାର କଣକୁ ପକାଇ ବସିଗଲ । ସେଇଠୁ ଆମ ଘର ସ୍ପଷ୍ଟ ଦେଖାଯାଏ । ମୋ ଗାଡି ଆଡେ ଟିକେ ନଜର ବୁଲାଇ ଆଣିଲ । ପୁଣି ମୋବାଇଲ ରେ ନିଜକୁ ବ୍ୟସ୍ତ କରିବାକୁ ଚେଷ୍ଟା କଲ । ଠିକ ଏଇ ସମୟରେ ତମର ସାଙ୍ଗ ଦୁଇ ଜଣ ବନ୍ଧରୁ ଫେରିଲେ । ସେମାନେ ତୁମକୁ ଦେଖି ପାଖକୁ ଆସିବାକୁ ଇଶାରା କଲେ । ତୁମେ ହସି ହସି ତାଙ୍କ ପାଖକୁ ଗଲ । ତୁମର ବେସି ସମୟ ଗଳ୍ପ କରିବାର ଇଛା ନ ଥିଲା, କାରଣ ତୁମ ମନ ବର୍ତ୍ତମାନ ମୋବାଇଲ ଠାରେ ।


ତମେ ତାଙ୍କୁ ପରୋକ୍ଷରେ ଯିବାକୁ କହିଲ । ସେମାନେ କିନ୍ତୁ ଅନ୍ୟ ଅର୍ଥ କଲେ ।ସେମାନେ ଥଟ୍ଟା କଲେ, 'କାହାର ଅପେକ୍ଷାରେ ?' ସେମାନେ ଜାଣନ୍ତି ଏଇ ସମୟରେ ପ୍ରାୟତଃ ମୁଁ ତୁମ ପାଖକୁ ଯାଏ । ସେମାନେ ଦେଖିଛନ୍ତି, ତୁମେ କିନ୍ତୁ ସେ ଥଟ୍ଟାରେ ଗମ୍ଭୀର ହେଲ ନାହିଁ । ଗମ୍ଭୀର ହେଇଥିଲେ ଅନେକ କଥା ପରିଷ୍କାର ହେଇ ଯାଇଥାନ୍ତା । ତୁମେ କିନ୍ତୁ ମୋ ବିଷୟରେ ମୋ ଭାଉଜଙ୍କୁ ନେଇ ଥଟ୍ଟା ମଜ୍ଜା ଆରମ୍ଭ କରିଦେଲ । ସେମାନେ କିଛି ବେଳ ପରେ ଚାଲିଗଲେ । ତୁମେ ଗଡ଼ା ଉପରକୁ ଉଠି ଆସିଲ ।


ପୁଣିଥରେ ମୋବାଇଲରେ କିଛି ଦେଖିବାକୁ ଚେଷ୍ଟା କରୁଛ, ଠିକ ସେଇ ସମୟରେ ତୁମ ସାଙ୍ଗ ର କଲ ଆସିଲା ।ଇଚ୍ଛା ନ ଥିବା ସତ୍ତ୍ୱେ ତୁମେ କଲ ରିସିଭ କଲ ଆଉ ଦୁଇ ମିନିଟ କଥା ହେଇ କାଟିଦେଲ । ତୁମେ ଏ ଥର ଉଠି ଚାଲିଲ ଶୋଇବା ଘରକୁ , ଝରକା ପାଖରେ ଶୋଇ ରହି ଚାହିଁ ରହିଲ ଆମ ଘର ଆଡ଼େ । ତୁମେ ଭଲ ଭାବେ ଏ କଥା ଜାଣିଛ ଯେ, ଆମ ଘରୁ ଆଖି ହଳେ ତୁମ ଝରକା ଠି ସବୁବେଳେ ଲାଖି ରହିଥାଏ । ଅପେକ୍ଷାରେ ଥାଏ ତୁମେ କେବେ ଆସିବ ଝରକା ପାଖକୁ ।


ତୁମକୁ ଟିକିଏ ଦେଖିବା ପାଇଁ ରାତି ଅଧରେ ଲୁଚି ଲୁଚି ତୁମ ଝରକା ପାଖକୁ ଯାଏ ।ଆଉ ତୁମେ ଜାଣିଜାଣି ଝରକା କୁ ଅଧା ଖୋଲା କରି ସୁଅ । 2103 ଗାଡି ତୁମ ଝଲକ ପାଇବା ପାଇଁ କିଛି କାମ ନ ଥିବା ସତ୍ତ୍ୱେ ଦିନରେ ୧୦ ଥର ଯିବା ଆସିବା କରେ , ଆଉ ତୁମେ ବି ବାର ବାର ବାହାରକୁ ଆସି ଚେୟାର ଟିଏ ପକାଇ ବସି ରୁହ । ଜାଣି ଜାଣି ବିନା ଟ୍ରାଫିକ ରେ ଭି ଅନବରତ ହର୍ଣ୍ଣ ମାରିଚାଲେ, ଆଉ ତୁମେ ସବୁ ଜାଣି କିଛି ନ ଜାଣିଲା ପରି ଫୁଲେଇ ହେଇ ପ୍ରଶ୍ନ କର, କେହି ତ ନାହାନ୍ତି ରାସ୍ତାରେ , ଅଯଥାରେ କାହିଁକି ହର୍ଣ୍ଣ ମାରୁଛ କି ? ତୁମ ସାଙ୍ଗ ତାଙ୍କ ଘର ଦୁଆରୁଥାଇ ତୁମକୁ ଇଶାରା ରେ କିଛି କୁହେ , ଆଉ ତୁମେ ହସି ଦେଇ ତାକୁ ମାରିବ ବୋଲି ଇଶାରା ରେ ଧମକ ଦିଅ ।


ମୋ ସାନ ଭଉଣୀ କୁ ଦେଖା କରିବା ବାହାନାରେ ଆମ ଘରକୁ ତୁମେ ଆସ ଆଉ ମତେ ସୋଇଥିବାର ଦେଖି ମତେ ଚିମୁଡ଼ି ଦେଇ ଇଶାରା ରେ କେତେ ପ୍ରେମ ଧମକ ଦେଇଯାଅ । ମୋ ବାପାଙ୍କୁ ତୁମେ ଭାରି ଭୟ କର, ସେଥିପାଇଁ ବାପା ଆସିଲା କ୍ଷଣି କିଛି ନା କିଛି ବାହାନା କରି ଅନିଚ୍ଛା ସତ୍ତ୍ୱେ ଉଠି ଚାଲିଯାଅ । ଆଉ ପୁଣି ବାଟ ଟ୍ୟୁବେଲ ପାଖରେ ମିଛଟାରେ ପାଣି ନେବା ବାହାନାରେ ଗୋଟେ 250 ml ବୋତଲ ଧରି ମୋ ପାଇଁ ଅପେକ୍ଷା କର । ତୁମେ ଏ କଥା ଭଲ ଭାବେ ଜାଣ ଯେ ମୁଁ ସେଇବାଟେ ଯିବି, ଆଉ ତୁମେ ମତେ ଯିବାର କାରଣ, କୋଉ ଜାଗା, କେତେ ସମୟ ଲାଗିବ ,ନ ଗଲେ ହେବନି ଏମିତି କାହିଁ କେତେ ପ୍ରଶ୍ନ କରି ପ୍ରେମିକା ପଣିଆ ଜାହିର କରିବ । ଆଉ ମୁଁ ବି ତୁମ ଚେହରା ଦେଖି ଦେଇ ଗଲେ ବାଟରେ ଆଉ କେଉଁଠି କିଛି ଅସୁବିଧା ହୁଏନି । ପୁଣି ତୁମେ ରୁହ ମୋ ଫେରିବା ଅପେକ୍ଷା ରେ,ଆଉ ମୁଁ ବି ଫେରିଆସି ତୁମକୁ କେମିତି ଟିକେ ଦେଖିବି, ଏ ଅପେକ୍ଷାରେ ।


ଅପେକ୍ଷା ଏକ ମିଠା ଯନ୍ତ୍ରଣା କହିଲେ କିଛି ଭୁଲ ହେବ ନାହିଁ । ଆଉ ଅପେକ୍ଷା ରେ ଥିବା ପ୍ରେମିକ ପ୍ରେମିକା କେତେ ଯେ କଷ୍ଟ ନ ପାଆନ୍ତି, ଏ କଥା ମୋଠୁ ବେସି କିଏ କହିପାରିବ । ପ୍ରତିକ୍ଷା ରେ ଭରି ରହିଥାଏ,ଅସରନ୍ତି ପ୍ରେମ , ଏକ ଅପୂର୍ବ ଆଲୋଡନ ।

   

                                 ମୋଠୁ ୧୨୦୦ କିଲୋମିଟର ଦୂରରେ ତୁମେ। ଆଉ ମୋ ହୃଦୟଠୁ ମାତ୍ର ଶୁନ୍ୟ କିଲୋମିଟର । ବାସ ଆଉ କିଛି ସମୟ । ତା ପରେ ମୁଁ ସମ୍ପୂର୍ଣ୍ଣ ତୁମର ,ହେଲେ ଏ କଥା ବି ସତ, ତୁମକୁ ଦେଖିବାକୁ ବ୍ୟଗ୍ର ମୁଁ ।  ତୁମ ଅପେକ୍ଷାରେ ମୁଁ, ଆଉ ମୋ ଅପେକ୍ଷାରେ ତୁମେ ......

         

                କ୍ରମଶଃ...

                             



Rate this content
Log in

Similar oriya story from Drama