suprava behera

Tragedy Classics

4.8  

suprava behera

Tragedy Classics

ଅହ୍ଯ ଡେଙ୍ଗୁରା

ଅହ୍ଯ ଡେଙ୍ଗୁରା

9 mins
309



         

ସେ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଥିଲା ।ରାତିର ବନ୍ଧନକୁ ଶିଥିଳ କରି ଜହ୍ନ ତା'ର ରାତ୍ରି ଅଭିସାର ସାରିବାକୁ ଯାଉଥିଲା ।ବିଛେଦର ଶେଷ ସନ୍ଧିକ୍ଷଣରେ, ,ଗାଡି ଛାଡିବା ପୂର୍ବରୁ ଦୁଇ ବନ୍ଧୁ ଯେଉଁ ଭଳି ଛାଡି ଯାଇଥିବା ସଂଳାପ ମାନଙ୍କୁ ଏକତ୍ରୀତ କରିବା ପାଇଁ ବ୍ୟସ୍ତ ଜଣାପଡନ୍ତି, ଠିକ୍ ସେହିପରି ପରିସ୍ଥିତି ଥିଲା ଅସ୍ତବ୍ୟସ୍ତ ତାରାମାନଙ୍କର, ପ୍ରତୀକ୍ଷିତ କୌମୁଦୀ ମାନଙ୍କର ।ପ୍ରକୃତିର ଏପରି ଏକ ବିଛେଦ ଘଡିରେ ମଲ୍ଲିଖୁଡି ମଧ୍ଯ ଚାଲିଗଲେ ।


      ମଲ୍ଲିଖୁଡି ଙ୍କ ଘରଆଡୁ ରାତିର ନିର୍ଜନତାର ଭାଙ୍ଗି କେତେ ଜଣ ସ୍ତ୍ରୀ ଲୋକ ମଲ୍ଲିଖୁଡିଙ୍କ ଗୁଣ ସୁମରି କାନ୍ଦୁଥିଲେ।ସେ କାନ୍ଦରେ ଅନ୍ତରର ବ୍ୟଥା କମ୍ ଜଣାପଡୁଥିଲା ।ବରଂ କାନ୍ଦିବାର ରୀତିକୁ ହିଁ ବୋଧହୁଏ ସେମାନେ ବଜାୟ ରଖିବାକୁ ଚାହୁଁଥିଲେ ।ମା ରାତିସାରା ମଲ୍ଲିଖୁଡିଙ୍କ ରୋଗାକ୍ରାନ୍ତ ଶରୀରକୁ ଜଗି ରହିଥିଲା ।ଶେଷ ମୁହୂର୍ତ୍ତରେ ରହିପାରିଲା ନାହିଁ।ଦିନୁକକେଇ ହିଁ ମାକୁ ଘରକୁ ପଠାଇ ଦେଇଥିଲେ।କହିଥିଲେ "ନୂଆବୋଉ! ତୁମେ ଯାଅ, ଟିକିଏ ଶୋଇ ପଡିବ ।ମଲ୍ଲିର ଜୂର ଟିକିଏ କମ୍ ଜଣାପଡୁଛି ।ସେ ଏବେ ଶୋଇ ପଡିଛି ।କିଛି ଅସୁବିଧା ହେଲେ ମୁଁ ତୁମକୁ ଡାକିବି ।ମଲ୍ଲିଖୁଡି ଚାଲିଯିବା ପରେ ତାଙ୍କ ଘରର କୋଳାହଳରେ ମା ର ଛାଇନିଦ ଭାଙ୍ଗି ଗଲା ।ମା କହିଲା ମୁଁ ଜାଣିଥିଲି, ସେ ଚାଲି ଯିବ ।ରାତିସାରା କୁକୁର ତୁହାଇ ତୁହାଇ ଭୁକୁଛି।ଏହା କ'ଣ ଭଲ ଲକ୍ଷଣ?ଯାଉ।ବିଚାରୀ ବଂଚିରହି ମିଛଟାରେ କାହିଁକି ହନ୍ତସନ୍ତ ହେବ।ନିଃଶବ୍ଦରେ ଝରିଯାଉଥିବା ଦୁଇ ଟୋପା ଲୁହକୁ ପୋଛୁପୋଛୁ ମା ବାଡ଼ି ପଟ ଦେଇ ମଲ୍ଲିଖୁଡିଙ୍କ ଘରକୁ ଚାଲିଗଲା ।   


            ଆଜି ଫଗୁଣ ମାସ ତେର ଦିନ ।ମଁ ମନେ ପକାଉଥଲି।ସେତେବେଳେ ଏହିପରି ଏକ ଫଗୁଣ ମାସ ଥିଲା ।ଗଛରେ ନୂଆ କଅଁଳ ପତ୍ରର ତୋରଣ।ଚାରିଆଡ଼େ ଆମ୍ବ ବଉଳର ମଧୂର ମହକ ।ଗଛ ଡାଳରେ କୋଇଲିର ମିଠା ମିଠାପଳାଶ ବିଚିତ୍ର ବର୍ଣ୍ଣ ଦିଶୁଥିଲା ଦିନୁକକେଇଙ୍କ ଘରର ଆଖପାଖ ।ଏହାହିଁ ବୋଧହୁଏ ମୋଟାମୋଟି ଭାବେ ଦିନୁକକେଇଙ୍କ ବାହାଘରର ସାଜସଜ୍ଜା ଥିଲା ।ଖୁବ୍ ନିରାଡମ୍ବର ଅଥଚ ମନୋରମ ।ମୋର ସେତେବେଳେ ଧୂଳିଘର ଗଢିବାର ବୟସ।ଯିବାବେଳେ ସବାରୀରେ ଦିନୁକକେଇଙ୍କ ପାଖରେ ବସି ଯାଇଥିଲି ।ଆସିବା ବେଳେ ମଲ୍ଲିଖୁଡି ଙ୍କ ପାଖରେ ବସି ଆସିଥିଲି।ଦୁଇ ହାତ ଓଢ଼ଣା ତଳେ ମଲ୍ଲିଖୁଡିଙ୍କ ମୁହଁ ଲୁଚିଥାଏ।ସମ୍ଭବତଃ ସେ ତାହାରି ଭିତରେ କାନ୍ଦୁଥିଲେ ।ଘରେ ଆସି ପହଞ୍ଚିଲା ବେଳକୁ ଖରା ଟାଇଁଟାଇଁ ମାରୁଥାଏ।


         ମା ଓ ବଡମା ଇତ୍ୟାଦି ମଲ୍ଲିଖୁଡି ଙ୍କୁ ବନ୍ଦାପନା କରି ଘର ଭିତରକୁ ନେଲେ ।କେହି ଜଣେ କହିଲେ "ଖରାରେ ଝାଉଁଳି ପଡିଥିବ ।ଏଠାରେ ତ କେହି ମରଦ ଲୋକ ନାହାଁନ୍ତି ।ତା ଓଢ଼ଣାଟା ଖୋଲି ଦିଅ।ମା ମଲ୍ଲିଖୁଡି ଙ୍କ ମୁହଁରୁ ଓଢ଼ଣାଟା ଖୋଲି ଦେଲା।ମୁଁ ତୁମ୍ଭ ସ୍ତମ୍ଭୀଭୂତ ହୋଇଗଲି।ପାର୍ବଣର ମେଢ ଉପରେ ବସିଥିବା ଦେବୀଙ୍କ ମୁଁହ ଭଳି ଦିଶୁଥିଲା ଖୁଡ଼ିଙ୍କ ମୁହଁ।ହଳଦି ରଙ୍ଗର ମୁହଁ ଉପରେ ଇସତ୍ ନୀଳ ରଙ୍ଗର ଦୁଇଟି ଆୟତ ଆଖି ।ସେ ନୀଳ ଆଖି ଦୁଇଟି କୁ ଦେଖି ବଡବାପାଙ୍କ ଝିଅ ଉମାନାନୀ କହିଲା, ନୀଳନୟନା  ମାନେ ଖୁବ ସୌଭାଗ୍ୟବତୀ ।ଆଉ ପୁଣି କିଏ ତାଙ୍କ ଛୋଟ ପାଦ ଦୁଇଟିକୁ ଦେଖି ଲକ୍ଷ୍ମୀବନ୍ତି ବୋଲି କହୁଥିଲେ ।ମୋଟାମୋଟି ଭାବେ ସମସ୍ତେ ଏହାହିଁ କହୁଥିଲେ ସାରା ମୌଜାରେ ଜଗୁ ଦାସ ଖଣ୍ଡିଏ ଦେଖିବା ଭଳି ବୋହୂ ଆଣିଛି ।ଏସବୁ ପ୍ରଶଂସା ଥିଲା ଦୁଇ ଦିନ ପାଇଁ।ଅଷ୍ଟମଙ୍ଗୁଳା ପରଦିନ ଦିନୁ କକେଇ ଯେତେବେଳେ ଘର ଛାଡି କେଉଁ ଆଡେ ଚାଲିଗଲେ, ଯେତେ ଖୋଜିଲେ ମଧ୍ଯ ତାହାଙ୍କ ଠିକଣା ମିଳିଲା ନାହିଁ।ଠିକ୍ ତାହା ପରେ ମଲ୍ଲିଖୁଡି ଙ୍କ ପାଇଁ ସବୁ ପ୍ରଶଂସା ଫିକା ପଡିଗଲା ।କିଏ କହିଲା ଏହାର କିଛି ଦୋଷ ଥିବ ନଚେତ୍ କେଉଁ ପୁରୁଷ ପୁଅ ତା ନବବିବାହିତା ସ୍ତ୍ରୀ କୁ ଛାଡ଼ି ଯାଏ?ଆଉ କିଏ କହିଲା ରୂପ ତ ଦାଉଦାଉ ଜଳୁଛି, ଦିନୁର ପୁଣି କ'ଣ ହେଲା? ମହାକାଳ ଫଳ ଉପରେ ଯେତେ ଲୋଭିଲା ଭିତରେ କଣ ସେଇଆ ।କେଉଁଠି କି କୀର୍ତ୍ତି କରିଆସି ଥିବ। ,ଦିନୁ ଜାଣି ପାରିଥିବେ।

ମୁଁ ନଈତୁଠରୁ, ମନ୍ଦିର  ବେଢାରୁ, ଓ ପୁଣି ପ୍ରଧାନ ଘର ବାଡ଼ିରେ ନିତି ଆଲୋଚନା ହେଉଥିବା ନାରୀ ମାନଙ୍କର ଦୈନଦିନ କଥାବାର୍ତ୍ତାରୁ ସବୁ ଶୁଣୁଥିଲି।ମଁୁ ମନେ ମନେ ଭାବୁଥାଏ ଦିନୁକକେଇଙ୍କ ମଲ୍ଲିଖୁଡିଙ୍କ ପ୍ରତି ଥିବା ସ୍ନେହ ପ୍ରେମ ର ଅନୁରକ୍ତିରୁ ଖୁଡ଼ିଙ୍କ ର ଯଶଅପଯଶ ନିର୍ଧାରିତ ହେବ? ଖୁଡ଼ି ଏକାକୀ କଣ କିଛି ନୁହଁ?


ମୁଁ କିଛି ବୁଝିପାରେ ନାହିଁ।ରାତିରେ ଯେତେବେଳେ ମୁଁ ମଲ୍ଲିଖୁଡି ଙ୍କ ପାଖକୁ ଶୋଇବାକୁ ଯାଏ,ଖୁଡ଼ି ଅଗଣାରେ ବସିଥାଆନ୍ତି ।କିଛି ଦୂରରେ ଲଣ୍ଠନଟିଏ ଜଳୁଥାଏ ।ଖୁଡ଼ି ଚାହିଁଥାନ୍ତି ଆକାଶକୁ।ଯେମିତି ତାଙ୍କ ନିଃସଙ୍ଗତାର ସାଥୀ ଆକାଶର ସେଇ ଏକଲା ପଣ।ଆଉ କେହି ନୁହଁ।ମୋର ପାଦଶବ୍ଦ ଖୁଡି ଜାଣି ପାରନ୍ତି ନାହିଁ ।ମଁୁ ପଛଆଡୁ ତାଙ୍କୁ ଚମକାଇ ଦେବାକୁ ଯାଇ ଛିଡା ହୋଇ ଯାଏ।


ଖୁଡ଼ିଙ୍କ ଲୁହ ଗଣ୍ଡଦେଶ ଦେଇ କେଉଁଠି ଲୀନ ହେଉଥାଏ ଜଣାପଡୁ ନ ଥାଏ ।ଖୁବ୍ ଝାଉଁଳି ପଡିଥାଏ ତାଙ୍କର ନିରିହ ନିଷ୍ପାପ ମୁହଁଟି।ମଁୁ ଖୁବ୍ ଧିରେ ପଚାରେ 

ଜଗୁ ଜେଜେ ଶୋଇପଡିଲେଣି?

ସଂକ୍ଷିପ୍ତ ଉତ୍ତର ଆସେ ହଁ।

ତୁମେ ଖାଇସାରିଛ? 

କିଛି ମଧ୍ଯ ଉତ୍ତର ଆସେ ନାହିଁ ।ମଁୁ ମଧ୍ଯ ଉତ୍ତର ପାଇବାକୁ ଜୋର କରେ ନାହିଁ।ଏତିକି ବୁଝେ ଭୋକରେ ଯନ୍ତ୍ରଣାଠାରୁ ଆଉ ଗୋଟିଏ କିଛିର ଯନ୍ତ୍ରଣା ଖୁଡ଼ିଙ୍କ ପାଖରେ ତୀବ୍ର ।ସେ ବିଛଣାକୁ ଯାଆନ୍ତି ।ତାଙ୍କ ଲୁହ ଓ ଦୀର୍ଘଶ୍ବାସ ସେହି ଅନ୍ଧାର ରେ ଦ୍ରବୀଭୂତ ହେଉଥାଏ।ରାତିର ଘନତା ବଢୁଥାଏ।ମୁଁ ଚୁପ୍ ଚାପ୍ ତାଙ୍କ ଦେହ ସଂଲଗ୍ନା ହୋଇ ଶୋଇପଡ଼େ ।ସେ କେତେବେଳେ ଶୁଅନ୍ତି ମୁଁ ଜାଣେ ନାହିଁ।ସକାଳୁ ଆଖି ମେଲିବା ବେଳକୁ ମଲ୍ଲିଖୁଡି ସବୁ କାମ ସାରି ଚୁଲି ଲଗାଇ ସାରିଥାନ୍ତି ।ଚୁଲି ଉପରେ ବସିଥାଏ ଚା।ଗବ୍ ଗବ୍ ହୋଇ ଫୁଟିଥାଏ ଠିକ୍ ଖୁଡ଼ିଙ୍କ ମନ ଭଳି ।ଚା ଟା ହଠାତ୍ ଉତୁରି ପଡେ।ଖୁଡ଼ି କିନ୍ତୁ ଉତୁରୀ ପାରନ୍ତି ନାହିଁ।ମୁଁ ବିଛଣା ଉପରେ ବହିଟିଏ ଧରି ଖୁଡ଼ିଙ୍କୁ ଚାହିଁଥାଏ ।ଖୁଡ଼ି ଡାକପକାନ୍ତି 'ଶୀତୁ' ତୁମ ଜେଜେ ଦାଣ୍ଡପିଣ୍ଡାରେ ବସିଛନ୍ତି ।ଚା'ଟା ନେଇ ତାଙ୍କୁ ଦେଇଆସ।ତେଣେ ଜଗୁ ଜେଜେ ପିଣ୍ଡାରେ ବସି ସକାଳୁ ସକାଳୁ କେତେ କଣ ବାଉଳି ହେଉଥାନ୍ତି ।କେତେବେଳେ ଖୁଡ଼ିଙ୍କ ଗୁଣ ସୁମରି କାନ୍ଦୁଥାନ୍ତି ତ ପୁଣି ଗାଳିଦେଉଥାନ୍ତି।


ଏଇ ଜଗୁ ଜେଜେ ମୋ ଜେଜେଙ୍କ ର ସାନ ଭାଇ ତଥା ବାପାଙ୍କର କକେଇ ।ସଂସାର ଧର୍ମ ପାଳନ କରିବାକୁ ସେ ଯାହାର ହାତ ଧରିଥିଲେ ସିଏ ଚାରୋଟି କୁନିକୁନି ପିଲାଙ୍କୁ ଜଗୁ ଜେଜେ ଙ୍କ ଭରସାରେ ଛାଡି ଦେଇ ଆଖି ବୁଜିଲେ ।ତିନୋଟି ଝିଅ ଗୋଟିଏ ପୁଅ ।ହିତାକାଂକ୍ଷୀ ମାନଙ୍କର କେତେ ବୁଝାସୁଝା ପରେ ମଧ୍ଯ ଜଗୁ ଜେଜେ ଦ୍ଵିତୀୟ ସ୍ତ୍ରୀ ଗ୍ରହଣ କରି ନ ଥିଲେ ।ପିଲାମାନଙ୍କୁ ସେ ଉଭୟ ବାପାମାଆଙ୍କ ସ୍ନେହ ଦେଇଥିଲେ ।ଝିଅ ମାନେ ଥିଲେ ପରଘରି। ତେଣୁ ଜଗୁଜେଜେଙ୍କର ସବୁ ଆଶା ଭରସା ଦିନୁକକେଇଙ୍କ ଉପରେ ଥିଲା ।କକେଇଙ୍କ ଦେଇ କିନ୍ତୁ ପାଠଶାଠ କିଛି ହେଲା ନାହିଁ ।ମାଟ୍ରିକ ପରୀକ୍ଷା ପରେ ହିଁ ପାଠ ପଢାରେ ଡୋରି ବାନ୍ଧିଲେ।କେତେଦିନ ଗାଁ ଯାତ୍ରା ଦଳରେ ମିଶିଲେ ।ବାପାଙ୍କ ଡରରେ ସେଠାରେ ବେଶୀ ଦିନ ତାମସା କରିପାରିଲେ ନାହିଁ । ଦିନେ ଗାଁ ଛାଡି ସହରକୁ ଯିବାକୁ ବାହାରିଲେ ।  

  ଜଗୁଜେଜେଙ୍କର ମୁଣ୍ଡରେ ଚଡକ ପଡିଲା ଯେମିତି ।କକେଇ ଙ୍କୁ କେତେ ବୁଝାଇଲେ -

   ହଇରେ ଦିନୁ!ଗାଁରେ ରହି କଣ ରୋଜଗାର କରି ହେବ ନାହିଁ? ଆମର କଣ ନାହିଁରେ? ବର୍ଷକ ଖାଇ ପିଇ ଧାନଚାଉଳ ଅଧିକ ହେଉଛି ।ବାପପୁଅ ଦୁଇଟି ।ପେଟ କଣ ଅପୋଷା ରହିଯିବ? ତୁ ସହରରୂ ଅଧିକ କଣ ଆଣିବୁ?


    କକେଇ କିନ୍ତୁ କାହାରି କଥା ଶୁଣି ନ ଥିଲେ ।ଜଗୁଜେଜେଙ୍କର ଦାୟିତ୍ବ ଆମ ଘର ଉପରେ ନ୍ୟସ୍ତ କରି ସେ ସହର ଚାଲିଗଲେ ।ମଝିରେ ମଝିରେ ପର୍ବ ପର୍ବାଣୀରେ ଆସନ୍ତି।ଜଗୁଜେଜେ,ମା,ନାନୀ ସମସ୍ତଙ୍କ ପାଇଁ ଖୁବ୍ ଭଲ ଲୁଗାପଟା ଆଣନ୍ତି ।ସହରର ଏକ ବଡ ଲୁଗା ଦୋକାନରେ ସେ କାମ କରୁଥିଲେ।ବେଶ୍ ଭଲ ରୋଜଗାର କରୁଥିଲେ ।ଧିରେ ଧିରେ ଟଙ୍କା ସଂଚୟ କରି ନିଜର ଅଲଗା ବ୍ୟବସାୟ ଆରମ୍ଭ କରିଥିଲେ ଟଙ୍କା ପଇସାର ପ୍ରାଚୁର୍ଯ୍ୟ ଭିତରକୁ ଦିନୁକକେଇ ଯେତିକି ଟାଣି ହୋଇ ଯାଉଥିଲେ, ଗାଁର ମାୟାମମତା ତଥା ଜଗୁଜେଜେଙ୍କର ଅସହାୟତା ଠାରୁ ସେତିକି ଦୂରକୁ ଚାଲି ଯାଉଥିଲେ।ହଠାତ୍ ଦିନୁକକେଇ ଥରେ ଗାଁରେ ପହଞ୍ଚି ଗୋଟିଏ ପ୍ରସ୍ତାବ ରଖିଲେ ।ଜଗୁଜେଜେ ଙ୍କୁ ନେଇ ସେ ସହର ଚାଲିଯିବେ।ଗାଁର ଘରବାଡି ସବୁ ବିକ୍ରୀ କରିଦେବେ।ଏକଥା ଶୁଣି ଜଗୁଜେଜେ ରାଗରେ ଜଳିଗଲେ।


କଣ ହେଲା ଗାଁର ଭିଟାମାଟି ଛାଡି ମୁଁ ସହରକୁ ଯିବି? ବୁଝିଲୁ ଦିନୁ ତୋର କେତୋଟି ଟଙ୍କା ଠାରୁ ମୋ ଧୂଳି ମାଟିର ମୂଲ୍ଯ ମୋ ପାଇଁ ଢେର ଅଧିକ ।


ଜଗୁଜେଜେ ନିଜ ଜିଦରେ ଅଟଳ ରହିଲେ ।ଦିନୁକକେଇ ଆଉ ପୂର୍ବପରି ଗାଁ କୁ ଆସିଲେ ନାହିଁ ।ଜଗୁଜେଜେ ଓ ଦିନୁକକେଇ ବିପରୀତ ମୂଖି ଦୁଇଟି ସରଳରେଖା ଭଳି ଲମ୍ବି ଚାଲିଲେ।

ସେଥର ଜଗୁଜେଜେ ଜିଦ ଧରିଲେ ଆସନ୍ତା ବାହାଘର ତିଥିରେ ସେ ପୁଅ ବାହାଘର କରିବେ ।କନ୍ଯା ଖୋଜିବା ଆରମ୍ଭ କରି ଦେଲେ।ଶେଷରେ ଦିନୁକକେଇଙ୍କ ସହିତ ମଲ୍ଲିଖୁଡିଙ୍କ ଯାତକ ରାଜଯୋଟକ ପଡିଲା ।ବାପା, ବଡବାପା,ମଧୁକକେଇଙ୍କୁ ଜଗୁଜେଜେ କନ୍ଯା ଦେଖିବାକୁ ପଠାଇଲେ ।ଯଦି କନ୍ଯା ପସନ୍ଦ ହୁଏ ଅନ୍ତତ ନିର୍ବନ୍ଧ କାମଟି ସାରିଦେବା।ବାପା ପ୍ରତିବାଦ କଲେ ।ଆଜିକାଲିର ପିଲା ।ଆଉ କଣ ସେ ଯୁଗ ଅଛି ଯେ ବର କନ୍ଯା ପରସ୍ପର ମୁଖ ଦର୍ଶନ କରିବେ ନାହିଁ।ତା ପରେ ଆମମାନଙ୍କର ପସନ୍ଦ ଯାହା ହେବ ଦିନୁର ପସନ୍ଦ କଣ ସେଇଆ ହେବ? ତୁମେ ବରଂ ଦିନୁକୁ ଡକାଅ।


ଜଗୁଜେଜେ ମନା କଲେ ।ସେ ଟୋକାଟା ବାହାଘର ନାଁ ଶୁଣିଲେ ଡେଇଁ ଡାଇଁ ସହର ପଳାଇ ଯାଉଛି ।ଥରେ ଏହି ସଂସାର ଦଉଡ଼ିରେ ବାନ୍ଧି ହେଲେ ସେ କେଉଁଠିଆଡେ ଯାଇ ପାରିବ ନାହିଁ।ବାହାଘର ପୂର୍ବରୁ ଦିନୁକକେଇଙ୍କୁ ଦିନ ଜଣାଇ ଦିଆଗଲା ।ଦଶ ଦିଗପାଳ ଓ ଅଗ୍ନି କୁ ସାଖି କକେଇ ମଲ୍ଲିଖୁଡିଙ୍କ ହାତ ଧରିଲେ ।ଅଥଚ ବାହାଘରର ଆଠ ଦିନ ନ ଯାଉଣୁ ସଂସାରର ଚାରି ଦଉଡ଼ିକୁ ଶିଥିଳ କରି ଦିନୁକକେଇ କେଉଁଆଡ଼େ ଚାଲିଗଲେ। 


ଦୀନୁକକେଇ ଯେ ଦିନେ ନିଶ୍ଚିତ ଫେରି ଆସିବେ,ନିଜର ଏତକ ବିଶ୍ଵାସକୁ ସମ୍ବଳ କରି ମଲ୍ଲିଖୁଡି ଜୀବନ ଜୀଉଁଥାନ୍ତି। ସତ କୁ ସତ ଦିନେ ତାଙ୍କର ବିଶ୍ବାସକୁ ମୁକୁଳିତ କରି କକେଇ ଉଭା ହେଲେ। ସାଙ୍ଗରେ ଖୁଡିଙ୍କ ରୂପକୁ ପ୍ରତିଦ୍ୱନ୍ଦିତା କଲା ଭଳି ଆଉ ଗୋଟିଏ ଲକ୍ଷ୍ମୀପ୍ରତିମା ।ସେଦିନ ଜଗୁ ଜେଜେଙ୍କ ଦାଣ୍ଡରେ ଗାଁ ଟା ସାରା ଲୋକ ଦୃଶ୍ୟମାନ ହେଉଥାନ୍ତି। ଏହିଭଳି ନାଟକୀୟ ଦୃଶ୍ୟର ପରବର୍ତ୍ତୀ ଦୃଶ୍ୟ କ'ଣ ହୋଇପାରେ? ଜଗୁଜେଜେ ରାଗରେ କମ୍ପମାନ ହେଉଥାନ୍ତି। 


  କୁଳାଙ୍ଗାର ,ତୋ ଭଳି ପୁଅକୁ ମୁଁ ମୋ ଘରର ଏରୁଣ୍ଡି ବନ୍ଧ ଡେଇଁବାକୁ ଦେବିନାହିଁ। ତୋତେ ଏତେ ଦୁଃଖ କଷ୍ଟ ସହି ମଣିଷ କରିଥିଲି ଏହିସବୁ ଦେଖିବାକୁ। ବୁଢ଼ା ବାପାଟା କଥା ଥରେ ନ ଭାବିଲୁ ନାହିଁ। ଯାହା ହାତ ହାତ ଧରି ସାତ ଜନମ ବିତାଇବାକୁ କଥା ଦେଇଥିଲୁ ତା କଥା ଥରେ ଭାବିଥାନ୍ତୁ।ଚାଲି ଯା ମୁଁ ତୋ ମୁହଁ ଚାହିଁବି ନାହିଁ। ଜେଜେ ବାଟ ଉଗାଳି ଠିଆ ହୋଇଥାନ୍ତି। ଆଉକିଛି ଘଟିବା ପୂର୍ବରୁ ମଲ୍ଲିଖୁଡି ଫୂଲ ଓ ଦୀପ ଧରି ଘରୁ ବାହାରି ଆସିଲେ। ନିଜର ସପତ୍ନିକୁ ବନ୍ଦାପନା କରି ଘରକୁ ନେଲେ। ଲୋକଭିଡ଼ କମି ଯାଉଥିଲା। ସମସ୍ତେ କହୁଥିଲେ ଘରେ ଏବେ ବେଶ୍ ପାଲା ଚାଲିବ। ଅଥଚ କିଛି ମଧ୍ଯ ହେଲା ନାହିଁ। ବର୍ଷ ମାସ ଦିନମାନଙ୍କୁ ଆଖି ଲୁହରେ ଧୋଇ ଧୋଇ ଖୁଡି ବରଫ ଖଣ୍ଡିଏ ହୋଇଯାଇଥିଲେ। ପ୍ରଶମିତ କରିବା ବ୍ୟତୀତ ଜାଳିବାର ଯୁ ନ ଥିଲା। ପଞ୍ଚସ୍ତରୀ ବର୍ଷର ଶିଥିଳ ହୋଇ ଆସୁଥିବା ଜଗୁ ଜେଜେଙ୍କ ରକ୍ତ କିନ୍ତୁ ଟକମକ ହୋଇ ଫୁଟୁଥିଲା । କକେଇ ଓ ନୂଆଖୁଡିଙ୍କ ଉପସ୍ଥିତି ତାଙ୍କୁ ଅସହ୍ୟ ହେଲା। ଦିନକୁ ଦିନ ଅସୁସ୍ଥ ହୋଇ ପଡିଲେ ଜଗୁ ଜେଜେ। ସବୁବେଳେ ମଲ୍ଲି ମା ମଲ୍ଲି ଡାକ ପାରିଲେ। ଶୁଣ ମା, ଦିନୁକୁ କହ ସେ ଘରଭାଙ୍ଗିକୁ ନେଇ ତା ଘରେ ଛାଡି ଆସୁ। ଏ ବୁଢା ପୁଅଟା ତୋ ସୁଖର ସଂସାର ଦେଖିବାକୁ ଚାହେଁ। ମୁଁ କିଛି ନ ବୁଝିସୁଝି ତୋ ଜୀବନ ମାଟି କରିଛି। ତୁ ସୁଖୀ ହେଲେ ମୁଁ ପର ପାରିରେ ଶାନ୍ତି ପାଇବି। 


     ଖୁଡି ଚାରି ଆଡକୁ ଚାହିଁ ଜେଜେଙ୍କ ପାଟିରେ ହାତ ଦିଅନ୍ତି। ଛି, ବାପା ସେମିତି କୁହନ୍ତୁ ନାହିଁ। କେହି କାହାରି ଜୀବନ ମାଟି କରେ ନାହିଁ। ଯାହା ଭାଗ୍ୟରେ ଯାହା ଲେଖା ଅଛି ସେ ସେୟା ହିଁ ଭୋଗିବ। ମୁଁ ତାଙ୍କୁ କେମିତି ଏକଥା କହିବି। ମୋର ତାଙ୍କ ସହ ଚାରୋଟି ଦିନର ସମ୍ପର୍କ।ଅଥଚ ତାଙ୍କ ସହ ଯିଏ ଚାରିବର୍ଷ କାଟି ସାରିଲାଣି ସେ ବାକି ଜୀବନତକ କେମିତି କାଟିବ? 

   ଜେଜେ ଖୁଡିଙ୍କ ହାତ ଧରି କାନ୍ଦି ଉଠନ୍ତି। ବାଷ୍ପାକୁଳ କଣ୍ଠରେ କହନ୍ତି- ସେ ସବୁ ମୋ କର୍ମ ଦୋଷ ଲୋ ମା .।ଏମିତି କୁଳାଙ୍ଗାର ପୁଅକୁ ମୁଁ ଜନ୍ମ ଦେଇଛି।  ମୁଁ ତା ମୁହଁ ଦେଖିବାକୁ ଚାହେଁ ନାହିଁ। ତୁ ମୋ ଦେହ ଛୁଇଁ କହ ସେ ଯେମିତି ମୋ ମଲା ଦେହ ମଧ୍ୟ.......।ଆଉ କିଛି କହିପାରନ୍ତି ନାହିଁ। ପାଟି ପଡିଯାଏ। ଦୁଇ ଦିନ ପରେ ନିଜ ଭିତରର ଅକୁହା କଥା ଓ ବେଦନାକୁ ନେଇ ଖୁଡି ଚାଲି ଯାଆନ୍ତି। 


    ଖୁଡି ଦାୟିତ୍ୱର ସହ ଶୁଦ୍ଧିକର୍ମଠାରୁ ଅସ୍ଥି ବିସର୍ଜନ ଯାଏ ସବୁ ନିଜ ହାତରେ କରିଛନ୍ତି। ଗାଁ ଲୋକ ସ୍ତମ୍ଭୀଭୂତ ହୋଇଛନ୍ତି। ହୁଏତ କେଉଁ ଜନ୍ମରେ ମଲ୍ଲି ଜଗୁର ପୁଅ ହେଇଥିବ ପରା। ଖୁଡିଙ୍କ ପ୍ରସଂଶା କକେଇଙ୍କ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିଛି ।ଯେଉଁ ଗାଁ ର ମାଟି ପାଣି ପବନରେ ତାଙ୍କର ପୁରୁଷାକାରର ସମୁର୍ନତି ଡିଣ୍ଡିମ ପିଟୁଥିବଲା ସେଇଠି ତାଙ୍କର ଦୁର୍ନାମ ସହ୍ୟ ହେଇ ନାହିଁ। ମୁହଁ ଲୁଚାଇଛନ୍ତି ସେ ପାଣି ପବନ ଠାରୁ। ଖୁଡିଙ୍କ ପ୍ରସଂଶାର ଶବ୍ଦ ମାନଙ୍କଠାରୁ। ମଲ୍ଲିଖୁଡିଙ୍କୁ ଏକା କରି ତାଙ୍କ ଦୁଇ ଦିନର ପୃଥିବୀକୁ ଚହଲେଇ ଦେଇ କକେଇ ପୁନଶ୍ଚ ସହର ବାହୁଡି ଗଲେ। 


  ମୁଁ ଖୁଡିଙ୍କ ସହ ପ୍ରତ୍ୟେକ ଦିନ ସକାଳୁ ନଦୀକୁ ଗାଧୋଇବାକୁ ଯାଏ। ଫେରିବା ବେଳେ ଖୁଡି ଗାଁ ଶେଷମୁଣ୍ଡ ଠାକୁରାଣୀଙ୍କ ପାଖରେ ଘଡିଏ ମୁଣ୍ଡ ନୁଆଁଇ ପଡି ରହନ୍ତି। ମନେ ମନେ ଗୁଣୁଗୁଣୁ ହୋଇ କଣ ସବୁ କହନ୍ତି। ସେ ଯେତେବେଳେ ପ୍ରଶାନ୍ତି ରେ ମନ୍ଦିରରୁ ବାହାରି ଆସୁଥାନ୍ତି ମୋ ମନଟି ବିଦ୍ରୋହ କରିଉଠେ। ଖୁଡ଼ିଙ୍କ ମୁହଁରେ ସୂର୍ଯ୍ୟମୁଖୀର ଝଲକ ଦେଖି ମୁଁ ପଚାରେ 

   - ଖୁଡି କଣ ସବୁ ମାଗିଲ ?

   -କାହିଁକି ମୋ ଭଳି ସ୍ତ୍ରୀ ଲୋକମାନେ ଯାହା ମାଗନ୍ତି! 

    - ତୁମକୁ ଜୀବନରେ ଯିଏ କିଛି ଦେଇ ନାହିଁ,ତୁମେ ତାର ଶୁଭ ମନାସୁଛ?ଯୁଗ ଯାଇ କେଉଁଠି ପହଞ୍ଚିଲାଣି,ତୁମେ ପଥର ଠାକୁରଙ୍କ ଦ୍ୱାରସ୍ଥ ନ ହୋଇ କୋର୍ଟ କଚେରୀର ଆଶ୍ରୟ ନିଅ। ତୁମକୁ ତୁମର ଅଧିକାର ମିଳିଯିବ। 

'-ଖୁଡ଼ିଙ୍କ ଓଠରେ ସେଇ ନିର୍ଲିପ୍ତ ହସ। ଆଖିରେ ଅୟୁତ ଯୁଗର ପ୍ରତୀକ୍ଷାକୁ ବିଛାଇ ଦେଇ ଖୁଡ଼ି କହନ୍ତି ଯୁଗ ଯେତେ ବଦଳି ଯାଉନା କାହିଁକି,ସମ୍ପର୍କର ଅନ୍ତରଙ୍ଗତା ବଦଳି ଯାଏ ନାହିଁ .।କୋର୍ଟ କଚେରୀ ତୁମ କକେଇଙ୍କୁ ମୋତେ ଫେରାଇ ଦେଇପାରେ କିନ୍ତୁ ତାଙ୍କ ମନଟିକୁ ନୁହଁ। ମନକୁ ନିଜର କରିବାକୁ ହେଲେ ନିଜ ଭିତରେ ବିଶ୍ବାସ ଓ ପ୍ରେମକୁ ଠୁଳ କରିବାକୁ ହୁଏ। ଆଉ ରହିଲା ଅଧିକାର କଥା, କର୍ତ୍ତବ୍ୟ କଲେ ଅଧିକାର ଆପଣା ଛାଏଁ ମିଳିଯାଏ। 


 ଖୁଡ଼ିଙ୍କ ନିଜସ୍ୱ ଚିନ୍ତାଧାରାରେ ମୁଁ ଡ଼ୁବି ଯାଏ । ମୋ ମନର ବିଦ୍ରୋହ ମିଳାଇ ଯାଉ ଯାଉ ଖୁଡ଼ି ପଚାରନ୍ତି - ଶୀତୁ , ସବୁ ଫୁଲ କ'ଣ ଦେବତାର ଗଭା ମଣ୍ଡନ କରନ୍ତି? ଖୁଡ଼ି ଏତକ ପ୍ରଶ୍ନ ପଚାରି ମୋ ମୁହଁକୁ ଚାହାଁନ୍ତି। ତିତିକ୍ଷାରେ କି ପ୍ରତୀକ୍ଷା କେଜାଣି,ତାଙ୍କ ଆଖି ଓଦା ହୋଇ ଆସୁଥାଏ। ମୁଁ ମନେ ମନେ ଭାବୁଥାଏ,ସ୍ରଷ୍ଠା କିଛି ଫୁଲ ସୃଷ୍ଠି କରନ୍ତି ନିଜର ଗୁଣ ବିକଶିତ କରିବାକୁ। ଖରା ବର୍ଷା କାକର ସହି ପୃଥିବୀକୁ ବାସ୍ନାୟିତ କରିବାକୁ। ତାର କୋମଳତାର ସ୍ନିଗ୍ଧତାରେ ସୃଷ୍ଟିର କାରୁଣ୍ୟତା ଧୋଇବାକୁ। ତା ରଙ୍ଗର ଔଜଲ୍ୟତାରେ ଶାନ୍ତି ଓ ପ୍ରୀତିର ବନ୍ୟା ଛୁଟାଇବାକୁ ।ରାତିରେ ଫୁଟି ସକାଳେ ଦେବ ଅର୍ପିତ ହେବାରେ ସମସ୍ତ ସାର୍ଥକତା ନ ଥାଏ। ଥାଏ କିଛି ତା ସ୍ନିଗ୍ଧତାରେ,ସୁରଭି ବିଚ୍ଛୁରଣରେ ।ଆଉ କିଛି ତା ଜାଜୁଲ୍ୟତା ରେ। 


  ବର୍ଷ ମାସ ଦିନମାନଙ୍କ ପିଠିରେ ଖୁଡ଼ିଙ୍କ ଆୟୁଷ ଲମ୍ବି ଲମ୍ବି ଯାଉଥାଏ। ନଶ୍ଵର ଦେହଟା କିନ୍ତୁ ଆସ୍ତେ ଆସ୍ତେ ବିବଶ ହୋଇ ପଡୁଥାଏ। ପ୍ରଥମେ ସାମାନ୍ୟ ଜ୍ଵର। ତାପରେ କ୍ରମାଗତ ଭାବରେ। ଯେତେ ଯେତେ ଔଷଧ ଖାଇଥାନ୍ତି,ସେତେ ଅସୁସ୍ଥ ହୋଇ ପଡୁଥାନ୍ତି ।ଡାକ୍ତର ଜାଣି ପାରୁ ନ ଥାନ୍ତି,ତାଙ୍କର ରୋଗଟା କେଉଁଠି। ଖୁଡୀଙ୍କ ଖୋଜିଲା ଖୋଜିଲା ଆଖି କହୁଥାଏ ସେ ଦିନୁକକେଇଙ୍କ ଉପସ୍ଥିତି ଚାହୁଁଛନ୍ତି ।କିନ୍ତୁ ଅଭିମାନ କି ସ୍ୱାଭିମାନ କିଛି ଗୋଟିଏ ତାଙ୍କର କଣ୍ଠ ସେପାଖରୁ ରୁଦ୍ଧ କରୁଥିଲା ଶବ୍ଦ ମାନଙ୍କୁ। ମା ବାପାଙ୍କୁ ସହର ପଠାଇଲା। ଦିନୁକକେଇଙ୍କୁ ଏଇ ବେଳରେ ବୁଝେଇ ସୁଝାଇ ଘରକୁ ଆଣିବାକୁ ହେବ। କକେଇ ଆସି ମୁହଁ ସଞ୍ଜ ବେଳେ ପହଁଞ୍ଚିଲେ। ଖୁବ୍ ସଙ୍କୋଚରେ ଖୁଡ଼ିଙ୍କ ପାଖରେ ବସିଲେ। ତାଙ୍କର ଅଲରା ବାଳକୁ ସଜାଡି ଦେଲେ। ପାଟିରେ ତୁଳସୀ ପାଣି ଦେଲେ। ଭାଗବତ ପଢିଲେ। ରାତି ଉଜାଗର ହୋଇ ବସି ରହିଲେ ଖୁଡ଼ିଙ୍କ ବିଛଣା ଧାରରେ। ଖୁଡ଼ି କିନ୍ତୁ କିନ୍ତୁ ଏହିସବୁକୁ ଅନୁଭବ କରି ପାରୁନଥିଲେ। ଲୋକ ଚିହ୍ନିବା ଶକ୍ତି ତାଙ୍କର ନଥିଲା। ରାତିକର ଆତ୍ମୀୟତାକୁ (ହେଉ ପଛକେ ମିଛ ଓ କ୍ଷଣିକ)ସ୍ମୃତି ସଜଳ କରିବାକୁ ଖୁଡ଼ି ରହିଲେ ନାହିଁ। ସବୁକୁ ପଛକରି ପାହାନ୍ତି ପହରରେ ଖୁଡ଼ି ଚାଲିଗଲେ। 


       ସବୁ ସୁଖଦୁଖ, ଆଶା ନିରାଶାକୁ ପଛରେ ପକାଇ ଖୁଡ଼ିଙ୍କ ପାର୍ଥିବ ଶରୀର ଏବେ ଚାଲିଯିବ। ମହାକାଳ ବକ୍ଷର ଆଁ ଭିତରେ ଲୀନ ହେବ ତାଙ୍କରି ସ୍ମୃତି। ଖୁଡ଼ିଙ୍କ ପାଇଁ କୋକେଇ ସଜଡା ହେଉଥିଲା। କକେଇ ମଲ୍ଲିଖୁଡିଙ୍କ ସୀମନ୍ତରେ ସିନ୍ଦୁର ଦେଉଥିଲେ। ହାତରେ ଚୁଡ଼ି ଓ ଦେହରେ ନୂଆ ଶାଢ଼ି ବେଢି ଦେଉଥିଲେ। ମୁଁ ମନେ ମନେ ଭାବୁଥାଏ ଖୁଡ଼ିଙ୍କର ଦେହଟା କେବେବି ଦିନୁକକେଇଙ୍କୁ ନିଜର କରନଥିଲା। ବରଂ ତାଙ୍କର ମନଟା ସବୁବେଳେ ଲୋଡିଛି କକେଇଙ୍କୁ.।ସବୁ ଇନ୍ଦ୍ରିୟକୁ ଦମନ କରି,ପ୍ରତୀକ୍ଷାର ଘିଅ ଦୀପ ଜାଳି ସେ କକେଇଙ୍କ ଶୁଭ ମନାସିଛନ୍ତି ।ଏବେ ମଧ୍ୟ ପରପାରିରେ ପ୍ରତୀକ୍ଷାର କଦମ୍ବ ମୂଳରେ ଠିଆ ହୋଇଛି ଖୁଡ଼ିଙ୍କ ମନ। ଅଥଚ, ଏତେ ସୁନ୍ଦର ମନଟିକୁ କକେଇ କେବେ କିଛି ଦେଇ ନାହାନ୍ତି। 


    ପ୍ରୀତିର ଟିକିଏ ରଙ୍ଗ,ଟିକିଏ ମହକ ଦେଇଥାନ୍ତେ ଅବା !! ଅଥଚ ....।ହାୟ!ଆଜି ଏ ନିସ୍ପନ୍ଦ ଦେହଟିକୁ ସଜାଇବାରେ କଣ ଲାଭ ?ଯିଏ ସଧବାର ଔଜଲ୍ୟତା ଭିତରେ ଜୀବନସାରା ବୈଧବ୍ୟର ବିଷାଦ ସହି ଆସିଛି,ତା ପାଇଁ ଏତିକି ସମ୍ମାନ ଓ ଅଧିକାର କଣ ଖୁବ୍ ବେଶୀ??

 ଅହ୍ଯ ଡେଙ୍ଗୁରା ଜୋର୍ ଜୋରରେ ବାଜୁଥିଲା ।ମୁଁ କାନରେ ହାତ ଦେଇ ଆଖି ବନ୍ଦ କଲି। 


          


     



Rate this content
Log in

Similar oriya story from Tragedy