suprava behera

Others

4.8  

suprava behera

Others

ଥୁଣ୍ଟା ଗଛ

ଥୁଣ୍ଟା ଗଛ

5 mins
391


ମୋ ଜୀବନର ସମସ୍ତ ଅନୁଭୂତି ନେଇ ମୁଁ ଯେତେବେଳେ ଗପଟିଏ ଲେଖି ବସେ, ପ୍ରଥମେ କାହିଁକି ମୋର ସେଇ ଝିଅଟି କଥା ମନେ ପଡେ । ଯାହାର ଆୟତ ମୁହଁରୁ ଏବେ ମଧ୍ଯ ଖିଲିଖଲି ହସ ଝରିପଡ଼େ । ଯିଏ କଥା କହି ସ୍ବଚ୍ଛ ଝରଣା ପରି ବୋହି ଯାଇଛି, କେବେ ଥକି ପଡିନି । ସେ ଅନେକ ଶୂନ୍ଯତା ଓ ହତାଶା ଭିତରେ ବଂଚି ରହିଥିଲା । ସତେ ଯେମିତି ବଂଚିବା ହିଁ ତାର ଏକମାତ୍ର ପଥ, ଏକମାତ୍ର କାମ୍ୟ । ସେମିତି ଏକ ଝିଅଠାରୁ ମୁଁ କେବେ ଆଶା କରିନଥିଲି, ସେ ଜୀବନକୁ ଫାଙ୍କି ଦେବ । ବୋହିବାକୁ ମନା କରିଦେବ ।


ଆଜି ମଧ୍ଯ ମନେ ପଡେ ତାହା ସହ ପ୍ରଥମ ସାକ୍ଷାତ ।ଜଙ୍ଗଲରେ ବୁଲୁ ବୁଲୁ ହଠାତ୍ ସେଦିନ କଳାହାଣ୍ଡିଆ ବାଦଲ ଖଣ୍ଡେ ଉଠାଇଲା ।ତାପରେ କି ଭୀଷଣ ବର୍ଷା! ରାସ୍ତା ନ ପାଇ ଗୋଟିଏ କୁଡିଆର ପିଣ୍ଡା ମୁଣ୍ଡରେ ମୁଁ ମୁଣ୍ଡ ଗୁଞ୍ଜି ଦେଲି । ଭୟରେ ମୁଁ ଗୋଟାପଣେ ଥରୁଥାଏ । ସତେ କି ଏ ଝଡରେ ଚାଳଟା ମୋ ଉପରେ ଗୋଟା ପଣେ ଖସିପଡିବ । ଗଛ ଗୁଡିକ ମଡମାଡ କରି ଚାଳ ଉପରେ ଖସି ପଡିବ ଆଉ ତାପରେ ସବୁ ଖତମ୍ ହୋଇଯିବ ।ହଠାତ୍ ଏକ ଅଦ୍ଭୁତ ଦୃଶ୍ଯ ଆଖି ଆଗରେ ଦେଖିଲି।ଯାହାକୁ ଦେଖି ଆଉ ଦଣ୍ଡେ ବଂଚି ଯିବାର ସାହସ ସଂଚୟ କଲି । ନା. . . ଏଇଟା ବୋଧହୁଏ ପାଗଳୀ ଝିଅଟିଏ ।ନଚେତ୍ ଏମିତି ଝଡତୋଫାନରେ ଝିଅଟି ଥୁଣ୍ଟା ଗଛ ଟିକୁ କାହିଁକି ଆଉଜି ପଡିଛି? ତାର କଣ କେହି ନାହାନ୍ତି? ? ନ ଥାନ୍ତୁ । ଜଙ୍ଗଲରେ ତ ଅନେକ ସବୁଜ ପତ୍ରଭରି ଝଙ୍କାଳିଆ ଗଛ ରହିଛି । ଯାହାର ତଳେ ଅନ୍ତତ ନିର୍ଭୟରେ ଟିକିଏ ଆଶ୍ରୟ ନେଇହେବ । ନା. . .ଝିଅଟି ବୋଧହୁଏ ଏଇ ଝଡ ତୋଫାନରେ ମରିବା ର ପଣ କରିଛି । ଆଶ୍ଚର୍ଯ୍ଯ! ଏ କି ଅଭିନବ ପ୍ରୟାସ ଆତ୍ମହତ୍ୟାର?ଝିଅଟି ପ୍ରତି ମନରେ ଦୟା ଜାଗିଲା । ହାତଠାରି ଡାକିଲି । ଅଥଚ, ସେ ଯେମିତି କିଛି ଦେଖି ପାରୁନି, କିଛି ଶୁଣି ପାରୁନି । ନିରବ ନିଶ୍ଚଳ । ବର୍ଷା କମିଯିବା ପରେ ଝିଅଟିକୁ ନିଜ ସହ ପରିଚିତ ନ କରାଇ ରହିପାରିଲି ନାହିଁ। ମୋତେ ଲାଗୁଥିଲା ଝିଅଟି ଯାଦୁବିଦ୍ୟା ଜାଣିଛି । କାରଣ ଜଙ୍ଗଲୀ ଝିଅମାନେ ଏ ସବୁରେ ଧୁରନ୍ଧର । ତା ପାଖକୁ ଯାଇ ତାଗିଦ୍ କଲା ସ୍ବରରେ କହିଲି 

   ଏଇ ଝିଅ ! ଯଦି ମରିବାର ଇଚ୍ଛା ଅଛି, ଏ ରାସ୍ତା କାହିଁକି ବାଛୁଚୁ ? ଏଥିରେ ତୁ ମରିବୁନି, ବରଂ କ୍ଷତାକ୍ତ ହୋଇ କଷ୍ଟ ପାଇବୁ ।


ଝିଅଟି ନୀରବ ରହିଲା । ପୁରା ଗୁମସୁମ । ଯେମିତି କି ଝଡ ପରେ ଏକ ନିସ୍ତବ୍ଧତା ସେ ଇଲାକାରେ ରାଜୁତି କରୁଥିଲା । ଠିକ୍ ସେହିପରି । ଝଡଟି ତାକୁ ଗହନ ଚିନ୍ତାରେ ଡୁବାଇ ଦେଇଛି । ମୁଁ ଆଉଥରେ ପ୍ରଶ୍ନଟିକୁ ଦୋହରାଇଲି ।

   ଝିଅଟି ମୁହଁକୁ ବୁଲାଇ ଇଷତ୍ ହସିଲା । ଫାଙ୍କା ଆଖିରେ ଉତ୍ତର ଦେଲା ମା କୋଳରେ ଥିଲେ ଛୁଆର କିଛି ହୁଏ ନାହିଁ ବାବୁ ।

ମୁଁ ଆଶ୍ଚର୍ଯ୍ଯ ହୋଇ ଚାରିଆଡ଼େ ଚାହିଁଲି । କାହିଁକେଉଁଠି ତାର ମା? 

ସେ ସେଇ ଥୁଣ୍ଟା ଗଛ ଟିକୁ ଆଙ୍ଗୁଳି ନିର୍ଦ୍ଦେଶ କଲା ।

ଏଥିରେ ମୁଁ ନ ହସି ରହିପାରିଲି ନାହିଁ।ତା ସହିତ ନିଶ୍ଚିତ ହେଲି ଝିଅଟି ପାଗଳ ।

ପଚାରିଲି ତୋ ନାମ? ? 

ମେଘି ।

ତୁ ଥୁଣ୍ଟା ଗଛ ମୂଳରେ କାହିଁକି ବସିଥିଲୁ? 

ଡର ଥିଲା ବାବୁ! ଏହି ଝଡରେ ମୋ ମା କେଉଁଠି ଟଳିପଡିବ ।

ମଁୁ ଏକ ପ୍ରକାର ବିରକ୍ତ ହୋଇ ଯାଇଥିଲି।ତୁ କଣ କହିବାକୁ ଚାହୁଁଛୁ? 

ବାବୁ! ମୁଁ ଛୋଟ ବେଳୁ ମା ସିନିହ ଜାଣିନି ।ଏଇ ଗଛଟାକେ ମୋ ମା ମାନିଛେ ।ଜାଣୁ ବାବୁ! ମୋର ମା ଏଇ ଗଛଟାକେ ନଗାଇ ଥିଲା ।ମଁୁ ଇହାରି ଫଳ ଖାଇନି ଏଡେଟେ ହେଇଛେ । ଇହାରି ତଳେନି ସରେଇ ଖେଳି ଏଡେଟେ ହେଇଛେ । ଇହାରି ତଳେ ଶୋଇପଡେ ।କି ଶାନ୍ତି । ଦୁନିଆଁ ଗୋଟାକ ସୁଖ ଏଇ ଠେଇଁ ଠୁଳ । ଗଛଟା ବାବୁ ଏନ୍ତା ନ ଥିଲା । ଝଙ୍କାଝଙ୍କା ଫଳ ଧରୁଥିଲା । ଥରେ ଏଇମିତି ଝଡରେ ଚଡକ ରେ ନି ଗଛଟା ପୁଡିଗଲା ।ଆଉ ପତ୍ର ନାଇଁ କଅଁଳିଲା । କହୁ କହୁ ମେଘିର ଆଖିରୁ ଲୁହସବୁ ଝରିଗଲା । ଆଶ୍ଚର୍ଯ୍ଯ! ଯିଏ ମା ମରିଯିବା କୁ ସହଜରେ ଗ୍ରହଣ କରିପାରିଲାଗଛଟି ଥୁଣ୍ଟା ହୋଇ ଯିବାରେ ତା ର ଏତେ ଦୁଃଖ, ଏତେ ଯନ୍ତ୍ରଣା! 

ମେଘି ଲୁହ ପୋଛି କହିଲା ମୋର ଭାରି ଡର ଏଇ ଝଡ ପବନକେ।ଯଦି ଗଛଟା ଟଳି ପଡେ ମୋର ସବୁ ଚାଲିଯିବ ବାବୁ । ମୋର କେହି ନାଇଁ ବାବୁ! ଗଲାସନ ଶୀତକେ ମୋର୍ ବୁଆ (ବାପା )ଚାଲିଗଲା । ଥୁଣ୍ଟା ହେଲେ ବି ଗଛଟାକେ ମୁଇଁ ନାଇଁ ଛାଡି ପାରୁଛେ । ମୋର ମା ବୁଢୀ ହେଇ ଥିଲେ ଛାଡିଥିତି କେ ? 


ଆଶ୍ଚର୍ଯ୍ଯ ଲାଗିଲା ମେଘିର ଦର୍ଶନ ତତ୍ତ୍ବ ସହ ପରିଚିତ ହୋଇ । ଗୋଟିଏ ଜଙ୍ଗଲୀ ଝିଅର ପୁଣି ଏତେ ଗଭୀର ଭାବନା । ପ୍ରଥମ ଥର ଅନୁଭବ କଲି ।


ତାପରଦିନ ବୁଲୁ ବୁଲୁ ମେଘିକୁ ଦେଖା କରିବାକୁ ମନ ହେଲା ।ସତରେ ଭଲ ଝିଅଟିଏ ମେଘି ।ପାହାଡି ଝରଣା ଭଳି କଳକଳ ଛଳଛଳ ଆଉ କାଚ କେନ୍ଦୁ ଭଳି ସୂଛ ମନଟିଏ ।ଗୋଟିଏ ଦିନର ପରିଚୟରୁ ମୁଁ ତାକୁ ସେତିକି ଜାଣି ଥିଲି ।ବଙ୍ଗଳାଟାରେ ବସି ବସି ବିରକ୍ତମଧ୍ଯ ଅନୁଭବ କରୁଥିଲି ।କେତେ ଆଉ ସେ ରିସର୍ଚ୍ଚ ପେପର ଗୁଡିକ ଲେଉଟାଉ ଥିବି ।ଭାବିଲି ମେଘି ପାଖକୁ ଯାଇ ଅନ୍ତତ ଥରେ ତା ଗଭୀର ଭାବନାରେ ଡୁବି ଯିବାର ସୁଖ ଟିକକ ଲାଭ କରିବି । ଚାଲିଲି ଜଙ୍ଗଲର ଧାରେ ଧାରେ ।ଜଙ୍ଗଲର ଶେଷ ମୁଣ୍ଡରେମେଘିର ଘର । ଚିକ୍କଣ ମାଟିର ସୁନ୍ଦର ଲିପାପୋଛା କୁଡିଆଟିଏ । ମେଘିର ମନ ଭଳି ପରିଷ୍କାର ।ଦ୍ବାର ବନ୍ଦ ଥିଲା । ମେଘି ବୋଧହୁଏ ବାହାରକୁ ଯାଇଥିଲା । ତା ର ବାରଣ୍ଡାରେ ବସିଲି।ତାର ଅତି ପ୍ରିୟ ଗଛଟିକୁ ମୁଁ ଟିକେ ଦାର୍ଶନିକ ଭଙ୍ଗୀରେ ଦେଖିବାକୁ ଚେଷ୍ଟା କଲି ।ସତରେ ବହୁତ ଭଲଲାଗିଲା । ପ୍ରଥମଥର ଅନୁଭବ କଲି ଏକ ଥୁଣ୍ଟା ଗଛର ଅବ୍ୟକ୍ତ କାହାଣୀକୁ । ତାର ଜଳିପୋଡ଼ି ନିଶେଷ ହୋଇ ଯାଇଥିବା ଯନ୍ତ୍ରଣା ଗୁଡିକ ଏକତ୍ରୀତ ହୋଇ ଚିତ୍କାର କରୁଥିବା ଶୁଣିଲି । କେହି କାହିଁକି ଥୁଣ୍ଟା ଗଛର ଅବ୍ୟକ୍ତ କାହାଣୀକୁ ଶୁଣିବ? ?ସମସ୍ତେ ସବୁଜ ପତ୍ରଭରା ଗଛର ସବୁଜିମାରେ ପାଗଳ । ମଁୁ ଆଜି ମେଘିର ଅତି ପ୍ରିୟ ଗଛର ଯନ୍ତ୍ରଣାରେ ଭିଜିବାକୁ ବ୍ୟାକୁଳ । ଭାବିଲି ଗଛର ଗୋଟିଏ ସ୍ନାପ ନେବି । ଠିକ୍ ସେତିକି ବେଳେ ମେଘି କାମରୁ ଫେରିଲା । ମୋତେ ଦେଖି ବ୍ୟସ୍ତ ହୋଇ ଉଠିଲା ।

ଇମା! ବାବୁ! ତୁଇ କେତେବେଳେ ଆସିଲୁ? କାଇଁ ଆଜି ତ ବର୍ଷା ନାଇଁ ହେଉଛେ । ତୁଇ ଏଠି ବସି କି କରୁଛୁ? 

ତୋତେ ଦେଖାକରିବାକୁ ଆସିଛି । ଆଛା, ତୁ କେଉଁଆଡ଼େ ଯାଇଥିଲୁ? 

କାମ କରିବାକେ । ମୁଇଁ ତୋର ଭଳିଆ ବାବୁ ନାଇଁ।କାମ୍ ନ କଲେ ଖାଇବାକେ କେଁଠୁ ଆସିବ? 

କାହିଁକି, ତୁ ବାହା ହୋଇ ଯାଉନୁ । ସେ ତୋତେ ପୋଷିବ ।

ମେଘି ଲାଜରେ ଜିଭ କାମୁଡିଲା । ଇମା! ବାବୁ! ମୋର ଛୁଆ କନିଆଁ ବାହାଘର ହେଇଛେ । କିଏ କହିଲେ ସେମାନେ ମୋତେ ନେବାକେ ଆସବେ ।

ମେଘିର ସବୁ କଥା ଶୁଣିଲି । ତାକୁ ପ୍ରତିଶୃତି ଦେଲି ମୁଁ ଯାଇ ତା ଶ୍ବଶୁର ଘରେ କହି ଦେଇ ଆସିବି ।ସେମାନେ ଆସି ତାକୁ ନେଇଯିବେ ।ତାକୁ ଆଉ ଖଟିବାକୁ ପଡିବନି ।ଏତିକି ଭାବି ମନଟା ଆତ୍ମତୃପ୍ତି ରେ ଭରିଗଲା । ମେଘିର ଆତ୍ମିୟତା ମୋତେ ସ୍ପର୍ଶ କଲା । ତାର ପ୍ରଗଳଭତା ମୋତେ ଭଲ ଲାଗିଲା। ତା ଗଛର ସ୍ନାପ ନେବି ବୋଲି କ୍ୟାମେରା ବାହାର କଲି । ମେଘି ପଚାରିଲା ସେଇଟା କଣ? 

କ୍ୟାମେରା ।ବଏଥିରେ ତୋ ମା ର ଫଟୋ ଉଠାଇବି ।ଗଛଟା ମରିଗଲେ ମଧ୍ଯ ତୁ ତାକୁ ଦେଖିବୁ। 

ସେନ୍ତା କହନ୍ତି ବାବୁ । ମୋ ମା କେବେ ନାଇଁ ମରିବ ।

ମେଘିକୁ ନିଷ୍ଠୁର ସତକଥା କହିବାକୁ ଭଲ ଲାଗିଲା ନାହିଁ ଯେ ଗଛଟା ଦିନେ ଟଳିପଡିବ ।

ମେଘି କହିଲା "ହୁଏ ଯଦି ଫୋଟୋ ଉଠାଇବୁ ମୋର ବି ତା ସାଙ୍ଗରେ ଉଠାଇ ଦେ। ବରପିଲା ଘରକୁ ଗଲେ ସାଙ୍ଗରେ ନେଇ ଯିବି।

ସଂଧ୍ୟା ହୋଇ ଯାଇଥିଲା । ପ୍ରଦିପ ଫୋଟୋ ଉଠାଇବାର ପ୍ରତିଶୃତି ଦେଇ ମୁଁ ଫେରି ଆସିଲି।


ତା ପରଦିନ ମେଘିର ଫୋଟୋ ଉଠାଇବା ନିଶାରେ ମୁଁ ଜଲଦି କାମ ସାରି ବାହାରିଲି ।

ସକାଳର ବାତାବରଣକୁ ପକ୍ଷୀ ଗୁଡିକ ସେଦିନ ବିଷାକ୍ତ ଶବ୍ଦରେ ଭରିଦେଉଥିଲେ।କିଛି ମଧ୍ଯ ଭଲ ଲାଗୁନଥିଲା ।କେଉଁଠି ଯେମିତି ମୋ ନିଜର କିଛି ଜଳିପୋଡ଼ି ଯାଉଛି ।ଦୂରରୁ କାଠ କାଟିବାର ଆୱାଜ୍ ଜୋର ଜୋରରେ ଆସୁଥିଲା ।ଦିନେ ଯଦି ମେଘିର ଗଛଟା ଏମିତି ଠକଠାକ ଆବାଜରେ ଟଳିପଡେ !!!


ମୁଁ ମେଘିର ଘର ପାଖରେ ପହଞ୍ଚି ସାରି ଥିଲି ।ମେଘିର ମା 'କୁ ଲୋକମାନେ କୁରାଢ଼ି ଟିକ୍ ଟିକ୍ କରି ଚଳାଇବାର ଶେଷ ଚେଷ୍ଟାରେ ଲାଗିଛନ୍ତି । ମେଘିର ନିଷ୍ପନ୍ଦ ଶରୀରଟି ଗଛଠାରୁ କିଛି  ଦୂରରେ ପଡିରହିଛି । ମୁଁ ନିଜକୁ ବିଶ୍ବାସ କହିପାରିଲିନି । ମେଘି କେବେ ମରିପାରିବନି। ସେ କେବେ ଥକି ପଡିବନି । ସେ ତ ବଂଚିରହିବାର ଜିଦରେ ଅଟଳ ରହି ସବୁ ହତାଶାକୁ କାନ୍ଧେଇ ଚାଲିଥିଲା । ଆଖିକୁ ବିଶ୍ବାସ ହେଲା ନାହିଁ । ତା ଉପରେ ଢଙ୍କା ଯାଇଥିବା ଚଦରଟି ଖୋଲି ଦେଲି।


ଓଃ,କି ବିଭସ୍ଚ ଦୃଶ୍ୟ!!

  

 ମେଘିର ସ୍ୱଚ୍ଛ ସୁନ୍ଦର ମୁହଁରେ ଗତ ରାତିରେ କେଉଁ ଜାନୁଆର୍ ର ଅନୁଚିତ ସ୍ବାକ୍ଷର । ମେଘି ତ ମିଳିନଥିଲା ।ଥୁଣ୍ଟା ହୋଇ ଯାଇଥିଲା। ଦୁନିଆଁରେ ଏମିତି ଅନେକ ମୁଖାଧାରୀ ଲୋକ ଅଛନ୍ତି  ଯେଉଁମାନେ ଖାଲି ଥୁଣ୍ଟା କରିଜାଣନ୍ତି କିନ୍ତୁ ମେଘି ଭଳି ପ୍ରେମ କରିପାରନ୍ତି ନାହିଁ। ଇଚ୍ଛା ହେଉଥିଲା ମେଘିର କାନ ପାଖରେ କହିବାକୁ "ମେଘି "ତୁ ଯଦି ଥୁଣ୍ଟା ଗଛଟିଏ ହୋଇ ଥାନ୍ତୁ ମୁଁ ମଧ୍ଯ ଚିରଦିନ ଆଉଜି ଧରିଥାନ୍ତି ।


Rate this content
Log in