ଅଚିହ୍ନା ଲୋକ
ଅଚିହ୍ନା ଲୋକ
ସମସ୍ତେ କହନ୍ତି ବିପଦ ସମୟରେ ମଣିଷ ମଣିଷକୁ ସାହାଯ୍ୟ କରେ , ହେଲେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ଅନ୍ୟକୁ ବିପଦରେ ପଡିଥିବାର ଦେଖିଲେ ନିଜର ମଣିଷ ପଣିଆ ସଂପୂର୍ଣ୍ଣ ଭୁଲିଯାଆନ୍ତି ଆଉ ପାଲଟି ଯାଆନ୍ତି ଅଚିହ୍ନା ଲୋକ। କୋଉ ଦୂର ଗର୍ଭରୁ ଆସିଥିଲା ଭଳି ବ୍ୟବହାର କରନ୍ତି ବିପଦରେ ପଡିଥିବା ଲୋକ ଟି ସହିତ। ସେମିତି କିଛି ଅଚିହ୍ନା ଲୋକ ତ ନୁହେଁ ଅମଣିଷ ମାନଙ୍କ କଥା।
ବଡ ଭାଇ ସୁମନ୍ତ ଚାକିରୀ ପାଇ ବେଙ୍ଗାଲୁରୁ ଯିବା ପରେ ଅବସରପ୍ରାପ୍ତ ବାପା ସୁରେନ୍ଦ୍ର ଜେନା ଆଉ ମାଆ ରମା ଙ୍କୁ ଦେଖାଶୁଣା କରିବା ଲାଗି ଭୁବନେଶ୍ଵରର ଭଡାଘରେ ଏକୁଟିଆ ରହି ଯାଇଥିଲା ନନ୍ଦିତା । ଗ୍ରାଜୁଏସନ୍ ପରେ କମ୍ପିଟିଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲା ସେ ।ଦେଶକୁ ମାଡି ଆସିଲା ଭୟଙ୍କର କରୋନା ମହାମାରୀ । ଲକ୍ ଡାଉନ୍, ଶଟ୍ ଡାଉନ୍ ରେ ଏବେ ସାରା ଦେଶ। ରାତିରେ ହଠାତ୍ ବାପାଙ୍କର ଛାତିରେ କଷ୍ଟ ହେବାରୁ ମା’ ଝିଅ ବ୍ୟସ୍ତ ହୋଇ ତଳ ହମଲାରେ ଥିବା ଘର ମାଲିକଙ୍କୁ ଡାକ୍ତରଖାନା ଯିବା ଲାଗି ଟିକିଏ ସାହାଯ୍ୟ କରିବାକୁ ଅନୁରୋଧ କଲେ। ସବୁଦିନେ ଚିକ୍କଣ କଥା କହୁଥିବା ଘର ମାଲିକ ମଉସା ଜଣକ ,ଆଜି ଅଚିହ୍ନା ଲୋକଙ୍କ ଭଳି ମୁହଁ ଝିଞାଡି ନିଜର ଅନିଚ୍ଛା ପ୍ରକାଶ କଲେ ଘର ମାଲିକ । ଅଗତ୍ୟା ଗୁଗୁଲ୍ ସର୍ଚ୍ଚ କରି ନନ୍ଦିତା ସ୍ଥାନୀୟ ଏକ ନର୍ସିଂ ହୋମକୁ ଯୋଗାଯୋଗ କଲା। କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚିଲାରୁ ଯନ୍ତ୍ରଣାରେ ଛଟପଟ ହେଉଥିବା ବାପାଙ୍କୁ ଧରି ନେଇଗଲେ ସେ ନର୍ସିଂହୋମ୍ କୁ। ନନ୍ଦିତା ଜାଣିଥିଲା ଯେ କୌଣସି ହସ୍ପିଟାଲରେ ରାତିବିକାଳି ଏମରଜେନ୍ସି ପେସେଣ୍ଟ୍ ପହଞ୍ଚିଲେ, ସେଠାରେ କାର୍ଯ୍ୟରତ ଷ୍ଟାଫ୍ ମାନେ ତୁରନ୍ତ ରୋଗୀର ଚିକିତ୍ସା କରନ୍ତି ହେଲେ ସେଦିନ କରୋନା ଭୟରେ କେହି ଡାକ୍ତର ନର୍ସ୍ ପାଖ ପଶିଲେନି ରୋଗୀର।ସମସ୍ତଙ୍କୁ ଗୋଡହାତ ତଳେ ପଡି ଅନୁରୋଧ କରିଥିଲେ ମା’ଝିଅ ଦୁଇଜଣ ସୁରେନ୍ଦ୍ରଙ୍କର ଚିକିତ୍ସା କରିବା ପାଇଁ ହେଲେ କେହି ଶୁଣିଲେନି। ନନ୍ଦିତାର ଆକୁଳ ଅନୁରୋଧ ଶୁଣି କିଛି ସମୟ ପରେ ଜଣେ ଡାକ୍ତର ଆସିଲେ, ସୁରେନ୍ଦ୍ରଙ୍କର ଚେକ୍ ଅପ୍ କରି କହିଲେ” ହାର୍ଟ୍ ଆଟାକ୍ ହୋଇଥିଲା ଭଳି ଲାଗୁଛି, ଆପଣ ରୋଗୀଙ୍କୁ ହାର୍ଟ୍ ସ୍ପେଶାଲ୍ ହସ୍ପିଟାଲକୁ ନେଇଯାଆନ୍ତୁ”।
ଏକୁଟିଆ ଝିଅ ରାତି ଅଧରେ କୋଉଠିକାର ଯିବ? ତଥାପି ସାହସ କରି ଆଉ ଗୋଟାଏ ହାର୍ଟ୍ ସ୍ପେଶାଲିଟି ହସ୍ପିଟାଲରେ କଣ୍ଟାକ୍ଟ କରି ବାପାଙ୍କୁ ସେଇ ହସ୍ପିଟାଲରେ ନେଇ ପହଞ୍ଚିଲା ବେଳକୁ ବାପା ଆଉ ନଥିଲେ। ସେଠାର ଡାକ୍ତର ପରୀକ୍ଷା କରି ଡେଥ୍ ସାର୍ଟିଫିକେଟ୍ ଦେଇ କହିଲେ “ ତୁରନ୍ତ ଡେଡ୍ ବଡି କୁ ଏଠାରୁ ନେଇ ଯାଆନ୍ତୁ “ । ଏବେ ବଡ ସହର ରେ ନନ୍ଦିତା ର କିଏ ବା ଚିହ୍ନା ଜଣା ଥିଲା ଯେ ସେ ଡେଡ୍ ବଡି କୁ ତୁରନ୍ତ ନେଇ ଯାଆନ୍ତା? ଛାତିରେ ପଥର ରଖି ଆମ୍ବୁଲାନ୍ସ ଟିଏ ଯୋଗାଡ କରିଦେବା ପାଇଁ ଆକୁଳ ନିବେଦନ କଲା ହସ୍ପିଟାଲ ର କାର୍ଯ୍ୟାଳୟ ରେ। କୌଣସି ପ୍ରକାରେ ଆମ୍ବୁଲାନ୍ସ ଟିଏ ଯୋଗାଡ ହେଲା।ବହୁତ କଷ୍ଟ ରେ ଆମ୍ବୁଲାନ୍ସ ରେ ବାପାଙ୍କ ଶବକୁ ଧରି ନିଜର ଭଡା ଘର କୁ ଫେରିଲା ବେଳକୁ ଘର ମାଲିକ ଗେଟ୍ ଖୋଲିବାକୁ ମଧ୍ୟ ରାଜି ହେଲେନି।ଏ ଦୁଃସମୟରେ ଆମ୍ବୁଲାନ୍ସ ମଧ୍ୟ ଗେଟ୍ ବାହାରେ ଶବଟିକୁ ଓହ୍ଲାଇ ଦେଇ ଫେରିଗଲା । ଅବିବାହିତା ଯୁବତୀ ଝିଅଟି କ୍ରନ୍ଦନରତା ମାଆ କୁ ଏବଂ ବାପର ଶବକୁ ଧରି ରାସ୍ତା କଡ଼ରେ ବସି ରହିଲା ସାରା ରାତି। ସେଇ ପଟ ଦେଇ ଯିବା ଆସିବା କରୁଥିବା ସମସ୍ତ ପଥଚାରୀ ମାନେ ସବୁ ଦେଖି ମଧ୍ୟ ଅଚିହ୍ନା ଲୋକଙ୍କ ଭଳି ବାଟ ଭାଙ୍ଗି ଚାଲି ଯାଉଥିଲେ । ନନ୍ଦିତା ଆଖିରୁ ଲୁହ ଶୁଖି ସାରିଥିଲା ମଣିଷଙ୍କର ଅମଣିଷ ପଣିଆ ଦେଖି । ଛାତି ଦମ୍ଭ କରି ସକାଳୁ ସକାଳୁ କାର୍ ଟିଏ ଭଡା କରି ପୁରୀ ସ୍ୱର୍ଗଦ୍ୱାର କୁ ନେଇ ନିଜେ ସଂସ୍କାର କଲା ବାପାଙ୍କର କାରଣ ଏଇ ପରିସ୍ଥିତିରେ ଭାଇର ଆସିବା ସଂପୂର୍ଣ୍ଣ ଅସମ୍ଭବ ଥିଲା। ସେତେବେଳକୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ସାରିଥିଲା ଏହି ଅମାନୁଷିକ ଘଟଣା ଟି। ପରଦିନ ଆସି ନନ୍ଦିତା ଥାନାରେ ଅଭିଯୋଗ କରିଥିଲା ସମସ୍ତଙ୍କ ଅମଣିଷ ପଣିଆର । ହେଲେ କିଛି ସୁଫଳ ମିଳିନଥିଲା ।ମାନବତାର ହତ୍ୟାକାରୀ ମାନେ କିନ୍ତୁ ଆଇନ୍ ର ଗଳା ବାଟ ଦେଇ ଖସି ଯାଉଥିଲେ।