ଅଭାଗିନୀ ଖୁସି ର ବେନାମୀ ଚିଠି...
ଅଭାଗିନୀ ଖୁସି ର ବେନାମୀ ଚିଠି...
ଅପରାହ୍ନ ପ୍ରାୟ ସାଢେ ତିନିଟା ହେବ ଫଗୁଣ ମାସର ବସନ୍ତ ଯେମିତି କୁଆଡେ ଉଭେଇ ଯାଇଥାଏ, ବେଶି ଟାଣ ଖରା ନହେଲେ ବି ଟିକେ ତାତି ପବନ ମୋ ଡାକଘରର ଝରକା ଦେଇ ଆସୁଥାଏ।
ମୁଁ ସେତେବେଳେ ସୁଜନପୁର ଉପଡ଼ାକଘରରେ ପୋଷ୍ଟମାଷ୍ଟର ଭାବେ କର୍ମରତ ଥାଏ । ତେଣେ ମୋ ଡାକଘରର ଡାକ ଚପରାସି ହରିଆ ଚିଠି ଗୁଡାକୁ ଡାକବାକ୍ସରୁ କାଢି ଗନ୍ତବ୍ୟ ସ୍ଥାନକୁ ପଠେଇବା ନିମିତ୍ତ ସଜାଡୁ ଥାଏ । ଆଉ ତାର ସେ ଗୁଣୁ ଗୁଣୁ ସ୍ୱରରେ ଭାସି ଆସୁଥାଏ,
"ରେ ଡ଼ାକବାଲା, ଏମିତି କେମିତି ହେଲା, ଚିଠି ମୋର ଆସିଲାନି ଆସିବାର ଥିଲା "
ମୁଁ ମୋ କାମରେ ବ୍ୟସ୍ତ ଥାଏ । ହଠାତ କହିଲା ସାର ସାର ଦେଖନ୍ତୁ ଗୋଟେ ଲଫାପା ଦେଖନ୍ତୁ ।
ମୁଁ କହିଲି କଣ କିରେ ଏତେ ବ୍ୟସ୍ତର ସହ କହୁଚୁ ! କଣ ହେଇଛି ?
ସେ କହିଲା :-
ଦେଖନ୍ତୁ ସାର ଆପଣ ଦେଖିଲେ ସିନା ଜାଣିପାରିବେ ।
ମୁଁ ଦେଖେ ତ ଗୋଟେ ଚିଠି ଯୋଉଠି ପ୍ରେରକରେ ତୁମର ଅଭାଗିନୀ ସେବିକା ହେଲେ ପାଇବା ଲୋକର ଠିକଣା ନାହିଁ କେବଳ ଅଛି ମୋ ଚିରପୂଜ୍ୟ ମୋ ବାବୁ ....।
ଦେଖିକି ଟିକେ ଭାବିଲି ତାପରେ ଚିଠିଟିକୁ ମୁଁ ଆଣିଲି ।
ଅନ୍ୟ ଚିଠି ତାର ଅନୁମତି ବିନା ପଢିବା ଠିକ ନୁହେଁ ବୋଲି ବିବେକ ମନା କରୁଥାଏ । କିନ୍ତୁ ନିଜ ବିବେକକୁ କ୍ଷମା ମାଗି ଚିଠିଟି ପଢିବାକୁ ଚେଷ୍ଟା କଲି।
ମୋ ଅତି ପ୍ରିୟ ବାବୁ,
ମୋର ଭୂମିଷ୍ଠ ପ୍ରଣାମ ନେବ । ମୁଁ ତୁମର ଅଭାଗିନୀ ସେବିକା ଖୁସି, ଆଜି ବହୁତ ମନ ହେଲା ତୁମକୁ ବାବୁ ମୋର ଏ କଷ୍ଟ ଦୁଃଖ ଜଣେଇବାକୁ ତେଣୁ ଭାବିଲି ଖଣ୍ଡେ ଚିଠି ଲେଖିବି ।
ଜାଣିନି କୋଉଥି ପାଇଁ ମାଆ ମୋ ନାଁ ଖୁସି ଦେଇଥିଲା କେଜାଣି ହେଲେ କେବେ ତ ସେ ଖୁସି କଣ ଜାଣିନି ଏ ମୋ ଜୀବନରେ ।
ଜନ୍ମରୁ ବାବା କିଏ ଜାଣିନି । ବସ୍ତିର ଝୁପୁଡି ଘରେ ଶିଶୁରୁ ବଢିଥିଲି । ତମ ଦୟା ଯୋଗୁ ଅକ୍ଷର ଚିହ୍ନିବା ଆଉ ଲେଖିବା ଶିଖିଥିଲି । ତେଣୁ ଏ ସୌଭାଗ୍ୟ ମିଳିଲା କିଛି ଲେଖିବାକୁ ତମକୁ । ଜନ୍ମରୁ ମୋ ମାଆ ସହ ବସ୍ତିର ଗୋଟେ ଝୁପୁଡି ଘରେ ବଢିଥିଲି । ଦିନକୁ ଦୁଇ ଓଳା ସବୁ ଦିନ ଖାଇଥିଲି କାହିଁ ମନେ ନାହିଁ । ମାଆ ମତେ ୪ ବରଷରୁ ଛାଡିକି ପଳେଇଲା ଏ ଇହଧାମରୁ ବୋଧହୁଏ ସେଇଟା ତାର ସୌଭାଗ୍ୟ ଥିଲା ।
କି ରୋଗ ହେଲା କେଜାଣି ତାକୁ ସବୁବେଳେ ରାତିରେ ଜର ଝାଡା ଆଉ ବାନ୍ତି ଲାଗି ରହିଲା । ଡାକତର ବାବୁ କହିଲେ କୁଆଡେ ତାକୁ ଏଡ୍ସ ହେଇଚି । ଆଉ ଲୋକଙ୍କ ଘୃଣା ଆହୁରି ବଢିଗଲା । କିଏ ବି ଆଉ କାମକୁ କଣ ଡାକିବେ ଅଙ୍ଗୁଳି ଦେଖେଇ ହସନ୍ତି । ହେଲେ ମୁଁ ତ ଛୁଆ ଥିଲି ବୁଝି ପାରୁନଥିଲି ଏ ଲୋକଙ୍କ ସେ ହସ ଆଉ ଇଙ୍ଗିତ ଭରା କଥାକୁ ଓ ତାଙ୍କର ଆଙ୍ଗୁଳି ନିର୍ଦ୍ଦେଶନାର କାରଣକୁ !
ଶେଷକୁ ମୋ ମାଆ ବିନା ଚିକିତ୍ସାରେ ଏ ସବୁ ସହି ଚାଲିଗଲା ଆରପାରିକୁ !
ତାପରେ ଅଳିଆ ଗଦାରୁ ଖାଇବା ଖୋଜିଛି ଅଇଁଠା ଖାଇବା ପାଇଁ କୁକୁର ସହ ବି ଲଢ଼ିଛି । ଛିଣ୍ଡା କପଡା ଗୋଟେଇ ପିନ୍ଧିଛି । ସବୁ ଦିନ ମୁଠେ ଖାଇଛି କାହିଁ ମୋର ମନେ ତ ପଡୁନି ।
କେବେ ଯଦି କୋଉ ହୋଟେଲ ଆଗରେ ହାତ ପତେଇଛି ତ ଖାଇବା ପାଇନି ବରଂ ଗାଳି ଶୁଣିଚି ତ କେବେ ମାଡ଼ । ମନେ ଅଛି ମୋର ସେ ରବି ସାହୁ ହୋଟେଲ ପାଖ ନଳ କୂଅ ଯିଏ ମୋତେ ପେଟେ ପାଣି ପିଆଇ ଭୋକ ମେଣ୍ଟେଇଛି କେତେବା ଦିନ ଆଉ କେତେ ସେ ରାତି । ଏବେ ଭାବୁ ଭାବୁ ଲୁହ ଜକେଇ ଆସୁଛି ଆଖି ଯୋଡିକରେ ।
ଏମିତି ମୋର ପିଲା ଦିନ ଗଡି ଗଲା । ଶିଶୁରୁ କିଶୋରୀ ପୁଣି ଯୁବତୀ ହେଲି । କିନ୍ତୁ ସବୁ ବଦଳିଗଲା ଯେବେ କିଶୋରୀରୁ ପହଞ୍ଚିଲି ଯୁବତୀରେ ! ଯିଏ ଦୂର ଦୂର ମାର ମାର କରୁଥିଲେ ଏବେ ମୋତେ କିଆଁ ଏତେ ସେନେହ !.....
ସେମାନଙ୍କର ଏତେ ଆଦର !...
ଏ ପୁରୁଷ ପ୍ରଧାନ ସମାଜରେ ପୁଣି ମାଆ ଦୁର୍ଗାଙ୍କୁ ଶକ୍ତି ରୁପେ ପୂଜନ୍ତି ନବରାତ୍ରୀରେ ? ହେଲେ ଅନ୍ୟ ପଟେ ଗୋଟେ ଅସହାୟ ଯୁବତୀକୁ ଆଦର କରନ୍ତି କେବଳ ତାଙ୍କର କାମନା ବାସନା ମେଣ୍ଟାଇବାକୁ କିଛି କ୍ଷଣ ପାଇଁ ...
ଏ କିଭଳି ବିଡ଼ମ୍ବନା !...ଲକ୍ଷ ଲକ୍ଷ କୋଟି କୋଟି ଖର୍ଚ୍ଚ କରନ୍ତି ମାଆ ଜଗତ ଜନନୀ ଦୁର୍ଗାଙ୍କର ପୂଜାରେ ହେଲେ ?...ଇଆଡ଼େ ନାରୀଙ୍କୁ କେମିତି ସନମାନ ଦିଅନ୍ତି ଦୂରରେ ଥାଉ ? ସମସ୍ତଙ୍କ ନଜର ହିଁ ଗୋଟେ ଜିନିଷ ଉପରେ ଅଟକି ଯାଇଛି ଏଠି ! ଅସହାୟ ସ୍ତ୍ରୀକୁ ଦେଖିଲେ ତାକୁ ନିଜର କାମନା ବାସନା ଚରିତାର୍ଥ କରିବା ଲୋକ ବୋଧେ ଆମ ସମାଜରେ ଅଭାବ ନାହାଁନ୍ତି। ଯିଏ ଦିନରେ ଧଳା ବସ୍ତ୍ରରେ ଅତି ସଫାସୁତୁରା କେତେ କଦାକାର ଆଉ କଳା ଚେହେରା ତାର ତାହା ରାତିରେ ଜଣାପଡେ ଯେବେ ସେ ମୋ କୁଡ଼ିଆରେ ମୋ ପାଦ ତଳେ ପଡନ୍ତି ! କିଛି କ୍ଷଣ ପାଇଁ ....
ଥାଉ ସେକଥା .. ଏତେ କୁଶ୍ଚିତ ସେ ଧବଳ ବସ୍ତ୍ରଧାରୀ ବ୍ୟକ୍ତି ବିଶେଷ ଓ ତାଙ୍କ ନଜର ।
ହେଲେ ମୁଁ ବି ତାଙ୍କୁ ଦୂରଦୂର କରେ ଯେମିତି କେତେ ପ୍ରଲୋଭନ ଓ ଉପହାର କଥା ଶୁଣିବାକୁ ମିଳେ ।
ଶେଷକୁ ମୁଁ କିନ୍ତୁ ନିଜକୁ କେବେ ଦୁର୍ବଳ ମଣିକି କି କେଉଁ ପରିସ୍ଥିତିରେ ବି ସମର୍ପିତ କରିନି ନିଜକୁ ସେ ପାଶବିକ ଗୁଣଧାରୀ ଭଦ୍ର ମୁଖା ମଣିଷଙ୍କର ଭୋଗ୍ୟର ଵସ୍ତୁ ହେଇନି ....
ଶେଷକୁ ଛାଡ଼ିଲି ସେ ବସ୍ତି ଓ ଆଶ୍ରୟ ନେଲି ମହାପ୍ରଭୁଙ୍କ ମନ୍ଦିରରେ । ପ୍ରତିଦିନ ମନ୍ଦିରର ଝାଡୁ ପୋଛା ମନ୍ଦିର ଧୁଆ କାମ କଲି ଓ ରୋଷ ବାସନ ମାଜିକି ବହୁତ ଶାନ୍ତି ପାଇଲି ତା ସହ ଦୁଇ ମୁଠା ପ୍ରଭୁଙ୍କ ଅବଢ଼ା ।
ତାପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ତମ ସହ ଦେଖାହୁଏ ଆଉ ମୋ ଭାଗ୍ୟ ବଦଳି ଗଲା ଭାବିଲି ହେଲେ ! ତମ ଘରେ କାମ ଦାମ କରିକି ରହିଲି ବଡ଼ ଭାଇ ଓ ସାନ ଦେଇଙ୍କ ଯତ୍ନ ନେଲି ନିଜ ପିଲା ଭଳି । ସେଇ ସମୟରେ ତମର ପ୍ରେରଣାରେ ମୁଁ ଦି ଅକ୍ଷର ଲେଖା ପଢ଼ା ବି ଶିଖିଦେଲି । ମାଆ ମତେ ଚିଡ଼ନ୍ତି ହେଲେ ତାଙ୍କ କଥାକୁ କେବେ ମୁଁ ମନକୁ ନିଏନି । ଏମିତି ଦିନଗୁଡାକ ଚାଲିଗଲା ଭାଇ ବଡ଼ ହେଲେ ଦେଈ ବି, ହେଲେ ମୋ ସ୍ନେହ ଆଦର ମୂଲ୍ୟ ସେ ଦେଲେ ଭାଇଙ୍କ ଖରାପ ନଜରରେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଦେଇ ବି ମୋତେ ବିଶ୍ଵାସ କରିଲନି । ମାଆଙ୍କୁ ମୁଁ ମୋ ଦୁଃଖ ଜଣେଇଲି ଓଲଟା ମାଆ କହିଲେ " ତୋର ଘର କୁଆଡେ ନିଜର ତ କୁଳ ବୋଲି ନାହିଁ କୋଉ ସତୀ ସାବିତ୍ରୀଟା ତୁ, ତୋତେ ମୋ ପୁଅ ଖରାପ ବ୍ୟବହାର କରୁଛି ? "
ନିଜେ ନାରୀ ହେଇକି ମୋ କଥା ମୋ ଆଖିର ଲୁହରୁ କିଛି ବୁଝି ପାରିଲେନି !......
ଆଉ ତମେ ବାବୁ ସେତେବେଳେ ନଥିଲ କୁଆଡେ ଟେନିଗି ଯାଇଥିଲ ।ଆଉ ମାଆ ମୋତେ ଭାଇଙ୍କ କଥାକୁ ନେଇକି ଘରୁ ବାହାର କରିଦେଲେ, ମୁଁ ବହୁତ ନେହୁରା ହେଇକି କହିଲି ବାବୁ ଆସିବା ଯାଏ ରହିବାକୁ ଦିଅ ଓଲଟା ଆହୁରି ମାଡ଼ ବାଜିଲା ।
ଆଉ ଦେଇ ଆଣିକି ବସରେ ବସେଇ ଦେଇଗଲେ କହିଲେ, "ଏଠି ବସ ଯୁଆଡେ ଯିବୁ ପଳା ଯେମିତି ଆଉ କେବେ ଆସିବୁନି । "
ମୁଁ ସୁଜନପୁର ପାଖ ଗୋଟେ ବସଷ୍ଟାଣ୍ଡ ଦେବସୂର୍ୟନଗରରେ ପହଞ୍ଚିଲି ସେଠି ଚାରିଦିନ ଉପାସ ପରେ ଗୋଟେ ଦେବୀ ବୋଲି ହୋଟେଲରେ ନେହୁରା ହେଇକି ଅଇଁଠା ବାସନ ଧୋଇବା କାମ କରିକି ପେଟକୁ ଦୁଇ ମୁଠା ଖାଇକି ରହିଲି ।
ଏମିତି ଚାଲିଗଲା ଏଗାରବର୍ଷ ଏବେ ମୁଁ ଟିବିରେ ଆକ୍ରାନ୍ତ ତେଣୁ ହୋଟେଲରେ କାମ କରିବାକୁ ଯାଉଛି । ଆଉ ବେଶି ରହୁନି କେତେଦିନ ବଞ୍ଚିବି ହିସାବ ବି ନାହିଁ, ବୟସର ଶେଷ ପାହାଚରେ ମୁଁ ଆଉ ବୟସ ନାହିଁ କି ବଳ ବି ନାହିଁ । ବହୁତ ଥର ଭାବିଚି ମୋ ବାବୁଙ୍କୁ ଚିଠିଟିଏ ଲେଖିବି କିନ୍ତୁ କାଳେ ମାଆ ଭାଇ କି ଦେଇ ଜାଣିଲେ ରାଗିବେ ତେଣୁ ପଛଘୁଞ୍ଚା ଦିଏ । ଏବେ ବାବୁ ତମକୁ ଦେଖିବାକୁ ବହୁତ ଇଚ୍ଛା ହଉଚି ଆଉ ପାଦ ଧରିକି ମୁଣ୍ଡିଆ ମାରିବାକୁ । ଆଉ ବହୁତ ଦୁଃଖ ଛାତିରେ ଜାକି ଧରିକି କିଛି ଜଣେଇବି ବୋଲି ଲେଖିଲି।
ମୋ ଚିଠି ପାଇଲେ ଟିକେ ଆସିବ ମୁଁ ଦେଖିବି ତମକୁ ଆଉ କେବେ ମରିଯିବି ଜାଣିନି । ଶେଷ ଥର ପାଇଁ ତମକୁ ଦେଖିବି । ଏତିକି ମୋର ପ୍ରାର୍ଥନା ।
ଇତି
ତୁମର ସେବିକା ଖୁସି
ପଢ଼ିକି ଆଖି ଲୁହ ଛଳଛଳ ହେଇଗଲା ବିନା ଠିକଣାରେ ମୁଁ କେମିତି ସେ ମହିଳାଙ୍କ ଚିଠିକୁ ପଠେଇବି, ଆଉ ଏ ଇଛାକୁ ପୂରଣ କରିବି ହେ ଜଗନ୍ନାଥ !
ମନଦୁଃଖ ଓ ଅସହାୟତାକୁ ନେଇ ଘରକୁ ନଆସି ଭାବିଲି ଟିକେ ଶ୍ରୀଜଗନ୍ନାଥଙ୍କ ପାଖେ ଶ୍ରୀମନ୍ଦିରେ ଯାଇକି ଜଣେଇବି । ସେ ଭାବଗ୍ରାହୀ ହିଁ କରିବେ ଯାହା..
"ହେ ମହାପ୍ରଭୁ ତୁମେ କିଛି କର !"
ଏମିତି ୩-୪ ଦିନ ଚାଲିଗଲା । ନିରବରେ ବସିଥାଏ । ମହାପ୍ରଭୁଙ୍କୁ ଭାବୁଥାଏ । ବିଶ୍ୱାସ ଥାଏ ସେ ନିଶ୍ଚୟ କରିବେ କିଛି .....
ମୋ ନିରବତାକୁ କୁଠାର ଘାତ କରି ବାଜିଲା ଟେଲିଫୋନ
କ୍ରୀଙ୍ଗ ...କ୍ରୀଙ୍ଗ ...
କ୍ରୀଙ୍ଗ ...କ୍ରୀଙ୍ଗ ...
କ୍ରୀଙ୍ଗ ...କ୍ରୀଙ୍ଗ ...
ରିସିଭର ଟେକି ଦେଖେ ତ ମୋ ଏକ ସ୍କୁଲବନ୍ଧୁ ଦେବାଶିଷ ।
" ହେଲୋ ...
ସାଙ୍ଗ ଚିହ୍ନିଲୁ ମୁଁ ଦେବାଶିଷ ..
ତୋ ସହ ବହୁଦିନ ହେବ କଥା ହେଇନଥିଲି ଭାବିଲି ଟିକେ ..
ହେଲେ ତୋର ସ୍ୱର ଏତେ ଗମ୍ଭୀର ! କଣ ହେଇଛି ତୋର ? "
ମୁଁ କହିଲି "ନାହିଁରେ ଅନ୍ୟମନସ୍କ ଥିଲି ମନଦୁଃଖ ଥିଲା"
"କଣ ଅସୁବିଧା ହେଇଚି ଯୋଉଥିପାଇଁ ଏତେ ଦୁଃଖ !"
ମୁଁ- ନାରେ ସେ କିଛି ନୁହେଁ ।
ଦେବାଶିଷ - ମୋତେ କହିବୁନୁ ତୋର ସାଙ୍ଗକୁ ।
ମୁଁ ବି କିଛି ଦୁଃଖ ଲାଘବ କରିପାରିବି କାଳେ "
ତାପରେ କହିଲି ସେ ମହିଳାର କଥା ଆଉ ସେ ଚିଠି ।
ଶୁଣିକି ସେ ଆଶ୍ଚର୍ଯ୍ୟ ହେଇଗଲା
ଆଉ ହତାଠ ଶୁଭିଲା " ଖୁସି ତୁ କୋଉଠି ଅଛୁ !"
ମୁଁ ଯିବି ନିଶ୍ଚୟ ଯିବି ଯିଏ ମୋର ପିଲା ପରିବାର ଲାଗି ଏତେ କରିଛି ତାକୁ ମୁଁ ଏମିତି ଅବସ୍ଥାରେ ଛାଡିବିନି ।
ଯିବି ...
ମୁଁ ଯିବି ...
ମୁଁ-କଣ ହେଲା ଯିବି ଯିବି ହଉଛୁ ।
ଦେବାଶିଷ-ସେ ମୋର ଖୁସି ମୋ ଭଉଣୀଟା ସେ ! ମୁଁ ବହୁତ ଖୋଜିଛି କୁଆଡେ ଗଲା ଯେ ମିଳିଲାନି ...
ତୋ ଭାଉଜ କହିଲେ ସେ ପୁଣି କାହା ସହ ପଳେଇଲା ! ହେଲେ ମୋର ବିଶ୍ୱାସ ନଥିଲା ..
ଖୁସି ସେଭଳି ନୁହେଁ !
ଯାହା ହଉ ମହାପ୍ରଭୁଙ୍କ ଦୟାରୁ ଖୁସି ମିଳିଗଲା !
ସବୁ ସେଇ କାଳିଆର ଇଚ୍ଛା..
ମୁଁ କାଲି ବାହାରୁଚି, ମିଶିକି ଯିବା ସେଠାକୁ ଆଉ ସାଙ୍ଗରେ ଆଣିକି ଆସିବି ମୋ ମୋ ସହ ।
ଏମିତି ତାପର ଦିନ ବନ୍ଧୁ ମୋର ଆସି ପହଞ୍ଚିଲେ ।
ଆମେ ଦୁଇଜଣ ଦେବୀ ହୋଟେଲ ଦେବସୁର୍ଯ୍ୟ ନଗରରେ ପହଂଚିଲୁ ।ବୁଝୁବୁଝୁ ଦୁଇଦିନ ହେବ ଆସିନି ସେ ସେଠିକି, ସବୁବେଳେ କାଶୁଥିଲା, ଆଉ ଟିକେ ଜ୍ୱର ବି ରହୁଥିଲା ମେଡିକାଲ ଯିବି କହୁଥିଲା ପୁଣି ।
ସେଠୁ ତାର ରହିବା ଠିକଣା ଆଣିକି ପହଂଚିଲି ଗୋଟେ ବସ୍ତିରେ ଗୋଟେ ପଲିଥିନ ଘୋଡ଼ା ଘର ଭିତରେ କିଏ ଶୋଇଲା ପରି ଲାଗିଲା ।
ଖୁସି ...
ଖୁସି..
କିଛି ଉତ୍ତର ନାହିଁ
ପୁଣି ଡାକିଲି ଖୁସି ..
ଏ ଖୁସି ..
ତୋ ବାବୁ ଆସିଛି
କିଛି ନାହିଁ !
ତାପରେ ଯାଇକି ଭିତରେ ପଶେ ତ ଦେଖେ ଶୋଇଛି ଗୋଟେ ଜୀର୍ଣ୍ଣ। ଶୀର୍ଣ୍ଣ। ବୃଦ୍ଧା ପାଟି ଫିଟୁନି ଆଉ ଲୁହ ଧାରଧାର ବୋହିଗଲା ମୋର
ଖୁସି ଆଉ ନଥିଲା ସେତେବେଳକୁ !
ତାପରେ ଭାରି ବାଧିଲା ଦୁଃଖ ହେଲା ଶେଷ ଇଛା ତାର ରହିଗଲା
ମୁଁ ବି ତାକୁ ଜୀବିତ ଅବସ୍ଥାରେ ଦେଖି ପାରିଲିନି ! ଶେଷରେ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କଲି ତାର । ହେଲେ ଏତିକି କ୍ଷୋଭ ରହିଗଲା କଣ ପାଇଲା ସେ ନାରୀ ? କେବେ ମୁଠାଏ ଖାଇବାକୁ ନେଇ ସଂଘର୍ଷ ତ କେବେ ଯୌନରାକ୍ଷସଙ୍କ ନିର୍ଯ୍ୟାତନା ଠୁ ବଞ୍ଚିବାକୁ ଯୁଦ୍ଧ ।
ସତରେ କଣ ଏ ସମାଜରେ କାଳୀ ପୂଜା ଆଉ ନବରାତ୍ରୀ ହୁଏ?
ଇଆଡ଼େ ମାଆଙ୍କୁ ନାରୀ ଶକ୍ତିଙ୍କୁ ପୂଜା ସିଆଡେ ଖୁସି ପରି ଅସହାୟ ଅବଳାକୁ ଅତ୍ୟାଚାର ? ସେଇ ଖୁସି ଯିଏ ଏକ ବସ୍ତିର ଅତ୍ୟାଚାରିତ ମହିଳାଠୁ ଜନ୍ମ, ସେଇ ମାଆ ଯିଏ ଏକ ପୁରୁଷର ଲୋଲୁପ ଦୃଷ୍ଟିର ଶିକାର ହୋଇ ଖୁସିକୁ ଜନ୍ମ ଦେଇଥିଲା ; ସେ ପୁରୁଷ ଯିଏ ତାର ଇଚ୍ଛା ପୃତି ପରେ ଛାଡ଼ି ଦେଇଥିଲା ଅଜଣା ଘୃଣ୍ୟ କରି ।
ହେଲେ ଖୁସି ଆଉ ତା ମାଆର କି ଦୋଷ ଥିଲା ? ହେ ପୁରୁଷ ପ୍ରଧାନ ସମାଜ ଉତ୍ତର ଦିଅ ? ନିଜକୁ ବଳୁଆ ସାହସୀ ଆଉ ବୁଦ୍ଧିମାନ କହୁଛ ନା ?
ଘୃଣ୍ୟ କିଏ ତୁମେ ସବୁ ନା ସେ ଖୁସି ଆଉ ତାର ମାଆ ! .......
ନାରୀକୁ ଅବଳା ଦୁର୍ବଳା କହୁଥିବା ପୁରୁଷ କୁହ ଦୁର୍ବଳ କିଏ ତୁମେ ନା ଜୀବନ ଯୁଦ୍ଧର ଏ ବୀରାଙ୍ଗନା ଖୁସି ଆଉ ତାର ମାଆ ...
ଯେଉଁ ଖୁସି ବୀରାଙ୍ଗନା ପରି ଯୁଦ୍ଧ କରିଛି ତୁମ ପରି ପଶୁଙ୍କ ସହ କିନ୍ତୁ ହାର ମାନିନି କି ତୁମ ଭଳି କାମନା ଯୌନ ପିପାସୁଙ୍କ ହାତରେ ନିଜକୁ ଭେଟି ଦେଇନି କିଛି ଆର୍ଥିକ ଉତ୍ତକଚ ନେଇକି ....
ଯେତେବେଳେ ସେ ଅନ୍ନ ଲାଗି ପେଟର ଭୋକରେ ଭୋକିଲା ଥିଲା ବହୁତ .....
ସେଇ ଭୋକକୁ ସେ ମାରିଚି ତୁମ ପରି ଦେହ ଭୋକରେ ଭୋକିଲା ପାଶବିକ ଗୁଣରେ ସଜ୍ଜିତ କାମନାରେ ଦୁର୍ବଳ ପୁରୁଷ ଆଗରେ ...
ଆଜି ସେ ଜିତିଛି ଓ ସେ ଦୁର୍ବଳା ନୁହେଁ ବୋଲି ଜଣେଇଛି ....
