ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

‘ଆମ୍ବ’ର ଜନ୍ମକଥା

‘ଆମ୍ବ’ର ଜନ୍ମକଥା

2 mins
7.9K



ଭିକାରୀ ଚରଣ ପ୍ରଧାନ

ପାଚିଲା ରସାଳ ଫଳ ଆମ୍ବକୁ ଚିହ୍ନିନି କିଏ ? ହେଲେ ଆମ୍ବର ଜନ୍ମ କାହାଣୀ ବିଷୟରେ ରାମାୟଣରେ ଗୋଟିଏ କଥା ରହିଛି । ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ସହ ଜନକ ନନ୍ଦିନୀ ସୀତାଙ୍କର ବିବାହ ପରର ଘଟଣା । ଶାଶୁ କୌଶଲ୍ୟା ବୋହୂ ସୀତା ବାପଘରୁ ଆଣିଥିବା ସମସ୍ତ ଜିନିଷ ଖୁସି ମନରେ ସଭିଙ୍କୁ ଦେଖାଉଥାନ୍ତି । ହଠାତ୍‌ ଜଣେ ଦାସୀ କହିଲା , ବୋହୂ ସାଆନ୍ତାଣୀଙ୍କୁ ରାଜା ଜନକ କ’ଣ ଏମିତି ଗୋଟିଏ ଜିନିଷ ଦେଇଛନ୍ତି କି ଯାହା ଏ ପର୍ଯ୍ୟନ୍ତ କୌଣସି ବାପ ତା’ର ଝିଅକୁ ଶାଶୁଘରକୁ ଦେଇ ନଥିବ ? ଏକଥା ଶୁଣି କୌଶଲ୍ୟା ସୀତାଙ୍କ ଆଡ଼କୁ ଚାହିଁଲେ । ସୀତା ବି ଏଭଳି କଥା ଶୁଣି ଚୁପ୍‌ ରହିଲେ ।

ଏହାପରେ ଦିନେ ସୀତା ଶାଶୁଘର ଛାଡ଼ି ବାପଘରକୁ ଆସିଥାନ୍ତି । ହେଲେ ଦାସୀ କହିଥିବା କଥା ତାଙ୍କ ମନରୁ ଲିଭି ନଥାଏ । ସେହି କଥା ଭାବି ଭାବି ଉଦାସ ମନରେ ସେ ଉଦ୍ୟାନରେ ବୁଲୁବୁଲୁ ପହଞ୍ଚିଲେ ଗୋଟିଏ ଗଛମୂଳରେ । ସେହି ଗଛମୂଳରୁ ପ୍ରଥମ କରି ସେ ମିଥିଳାକୁ ବିଶ୍ୱାମିତ୍ରଙ୍କ ସହ ଆସିଥିବା ଭାଇ ଲକ୍ଷ୍ମଣଙ୍କ ସହ ରାମଚନ୍ଦ୍ରଙ୍କୁ ଦେଖି ମନେ ମନେ ପତିରୂପେ ବରଣ କରି ନେଇଥିଲେ । ସୀତା କ’ଣ ଭାବି ସେଇ ଗଛ ମୂଳେ ବସି କାନ୍ଦିବାକୁ ଲାଗିଲେ । ଗଛ ଉପରେ ସେ ସମୟରେ ପକ୍ଷୀଟିଏ ବି ବସିଥିଲା । ସୀତାଙ୍କର କ୍ରନ୍ଦନ ଶୁଣି ସେ ବି ସମ୍ଭାଳି ନପାରି ‘କୁହୁ କୁହୁ’ ସ୍ୱରରେ ରାବିବାକୁ ଲାଗିଲା ।

ହଠାତ୍‌ ଘଟିଲା ଗୋଟିଏ ଅଦ୍ଭୁତ ଘଟଣା । ଗଛଟିରେ ଫୁଲ କାନ୍ଧି କାନ୍ଧି ହୋଇ ନେନ୍ଥି ହୋଇଗଲା । ଖୁବ୍‌ ଶୀଘ୍ର ସେଥିରେ ଫଳ ବି ହୋଇଗଲା । ପକ୍ଷୀର ରାବ ସରିଲାବେଳକୁ ଫଳଗୁଡ଼ିକ ହଳଦିଆ ଗୁରୁଗୁରୁ ହୋଇ ପାଚିଯାଇଥିଲା ।

ପକ୍ଷୀଟି ପାଚିଲା ଫଳଟିଏ ତୋଳି ଆଣି ସୀତାଙ୍କୁ ଦେଇ କହିଲା , ଏହି ଫଳଟି ତୁମର ଶାଶୁ କୌଶଲ୍ୟାଙ୍କୁ ଦେଇ କହିବ ଯେ ଏହି ଜାତିର ଫଳ ପୃଥିବୀରେ ଆଜି ପର୍ଯ୍ୟନ୍ତ ଫଳ ନଥିଲା । ମିଥିଳାରେ ପ୍ରଥମେ ଫଳିଥିବା ଏହି ଫଳକୁ ମିଥିଳାବାସୀ ଅଯୋଧ୍ୟା ରାଜଉଆସକୁ ଭେଟି ଦେଇଛନ୍ତି । ସୀତାଙ୍କର ଦୁଃଖ ମିଥିଳାର ପଶୁ-ପକ୍ଷୀ , ନର-ନାରୀ ଏପରିକି ବୃକ୍ଷଲତାମାନେ ମଧ୍ୟ ସହିପାରନ୍ତିନି ।

ପକ୍ଷୀଟି ସୀତାଙ୍କୁ ଯେଉଁ ପାଚିଲା ରସାଳ ଫଳଟି ଭେଟି ଦେଇଥିଲା ସେହି ଫଳଟି ହେଉଛି ‘ଆମ୍ବ’ । ସୀତାଙ୍କ ଦୁଃଖରେ ଦୁଃଖିତ ହୋଇ ‘କୁହୁ’ ରାବ କରିଥିବା ପକ୍ଷୀଟି ହେଉଛି ପକ୍ଷୀଜଗତର ସଂଗୀତରାଣୀ ‘କୋଇଲି’ ।


Rate this content
Log in

Similar oriya story from Classics