ସିଏ ମା'
ସିଏ ମା'
ହାଡ଼ ଭଙ୍ଗା ଜାଡ଼।
ବାସନ ମାଜି ବରଫ ପାଣିରେ ବଡ଼ି ଭୋରରୁ ଗାଧେଇ ପଡ଼ିଛି।
ଚଉଁରା ମୂଳେ ପାଣି ଦେଇଛି।
ଠାକୁର ପୂଜା ସାରି ଦେଇଛି।
ଚା', ବ୍ରେକଫାଷ୍ଟ, ପିଲା ଆଉ ସ୍ବାମୀଙ୍କ ଟିଫିନ କରି ଥୋଇ ସାରିଛି।
ଶାର୍ଟ, ପ୍ୟାଣ୍ଟ ଆଇରନ। ଜୋତା ପଲିସି ବି ସାରି ଦେଇଛି।
ଶାଶୁ, ଶ୍ୱଶୁରଙ୍କ ଗରମ ପାଣି। ଔଷଧ ଖୋଲି ଖୁଆଇ ଦେଇଛି।
ଦଉଡ଼ି ଦଉଡ଼ି ନିଃଶ୍ୱାସ ନେବାକୁ ଭୁଲି ଯାଇଛି।
କେଜାଣି କି ମାଟିରେ ଗଢ଼ା ଦେହ ତା'ର।
ଏଡ଼େ ବଡ଼ ଜାଡ଼ରେ ସୁଇଟର ଖଣ୍ଡେ ପିନ୍ଧିବାକୁ ଭୁଲି ଯାଇଛି।
ତାକୁ କ'ଣ ଶୀତ ହୁଏନି !
ଦେହ ତାର ଥରି ଯାଏନି।
ଆଉ ଟିକିଏ ଶୋଇ ପଡ଼ିବାକୁ ଇଚ୍ଛା ହୁଏନି !
କେଜାଣି କି ମାଟିରେ ଗଢ଼ା ଦେହ ତା'ର।
ସକାଳୁ ସଞ୍ଜ, ସଞ୍ଜରୁ ସକାଳ।
ଜୀବନରେ ତା'ର ଯେତକ ଜଞ୍ଜାଳ।
ଦୁଇଟା ହାତରେ ହଜାର କାମ କରି ଥୋଇ ଦେଉଛି।
କି ମାଟିରେ ଗଢ଼ା ଦେହ ତା'ର।ହାଡ଼ ଭଙ୍ଗା ଜାଡ଼ରେ ସୁଇଟର ଖଣ୍ଡେ ପିନ୍ଧିବାକୁ ଭୁଲି ଯାଇଛି।
ଥରିଲା ଦେହରେ କପାଳରୁ ତା'ର ବୁନ୍ଦାବୁନ୍ଦା ଝାଳ ବୋହି ପଡୁଛି।
ଯେତେ ଖଟେ ପ୍ରଶଂସା ପାଏ ସେତେ।
ଗୋଡ଼ ବିନ୍ଧେ, ମୁଣ୍ଡ ବିନ୍ଧେ, ଅଣ୍ଟା ବି କଡ଼ମଡ଼ ହୁଏ।
ଗଡ଼ି ପଡ଼ିବାକୁ ଟିକିଏ ବେଳ ବି ପାଏନି।
ତାକୁ କଣ ପୀଡ଼ା ହୁଏନି।
ସିଏ କ'ଣ ବିଶ୍ରାମ ଚାହେଁନି।
କିଏ ତା'ର ଗୋଡ଼ ଟିକିଏ ଆଉଁଷି ଦେଉ, ଏତିକି ଇଚ୍ଛା କରେନି।
କେଜାଣି କି ମାଟିରେ ଗଢ଼ା ହେଇଛି ଦେହ ତା'ର।
ପୂରା ଘରଟାକୁ ତା' କାନ୍ଧରେ ଥୋଇ ଦେଇଛି।
