ସେ କାଳ ମକର
ସେ କାଳ ମକର
କାହିଁ ଗଲାଣି ସେ ପୂରୁବ ମକର
ରାତି ପାହୁ ପାହୁ ନଈରେ ହାଜର ।
ବାଘ ପରି ଶୀତ ମାଡି ବସି ଥାଏ,
ସେଥିକୁ କାହାରି ଖାତିର ନ ଥାଏ ।
ଫୁଙ୍ଗୁଳା ଦେହରେ ଥୁରୁ ଥୁରୁ ହୋଇ,
ବୁଡ଼ ପକାନ୍ତି ଯେ ହରିବୋଲ ଦେଇ ।
ଉତ୍ତରାୟଣ ରେ ଦେବ ଦିବାକର,
କରନ୍ତି ସଭିଏଁ ତାଙ୍କୁ ନମସ୍କାର।
ତାପ ର ଚାବୁକ ଅତି କଷ୍ଟକର,
ଶୀତ ପଳେଇବ ହୋଇ ଥର ହର ।
ମାଆ , ଜେଜେ ମାଆ ହୋଇ ଉଜାଗର,
ଗଢିଥାନ୍ତି ପିଠା କେତେ ରକମର ।
କାକରା , ଆରିଷା , ପୁଳି ଯେ ଏଣ୍ଡୁରି,
ଖିରି, ରସାବଳି କରନ୍ତି ତିଆରି ।
ସୂରଯ ଦେବତା କରି ପ୍ରଣିପାତ,
କହନ୍ତି ଦେବ ହେ ହୁଅ ଆତଯାତ।
ତୁମେ ତ ସକଳ ଶକତି ଆଧାର,
କଲ୍ୟାଣ କର ହେ ଜୀବ ଜଗତର ।
ମକର ଚାଉଳ, ତିଳ ,ନାରିକେଳ,
କଦଳୀ, ସାକାର, ଦହି ଯେ ଆବର ।
ଅରପିଣ ପୂଜି ଲକ୍ଷ୍ମୀ ନାରାୟଣ,
ଗଉଣି କଠା କୁ କରି ପାରାୟଣ।
ବିତରନ୍ତି ଭୋଗ ବୃଦ୍ଧ ବନିତା ର,
ଦେବାର ଖୁସି ତ ନଥାଏ ନେବାର ।
ଉଠୁଥାଏ ପଡୁଥାଏ ଘର ଦ୍ବାର,
ଉର୍ମି ପରକାର ଯେସନେ ସାଗର ।
ମନ ଚାହେଁ ଖୁସି ରହୁ ବରାବର ,
ଦୁଃଖ ଉତ୍ପିଡନ ଚାଲି ଯାଉ ଦୂର ।
ସୁଖ ନ ଥାଏ ଯେ ବେଶି ପାଇବାର,
ଚାଖଣ୍ଡେ ପେଟ କୁ କେତେ ଦରକାର ।
ବୁଝିଥିଲେ ବୋଲି ସେ କାଳର ଲୋକ ,
ଲୋଡା ନ ଥିଲା ଯେ ତାଙ୍କର ଅନେକ ।
ମକର ମଉଜ ନାହିଁ ଆଜି ଆଉ,
ବୋହୂ, ବାପଘର ଯାଉ କି ନ ଯାଉ ।
ଯାତରା, ମେଳନ, ମେଳା, ମାଉଛବ ,
ସପନ ସେ ସବୁ ନୁହଇ ବାସ୍ତବ ।
ଷଠି ଘର ହେଲା ମଶାଣି ର ଭୂଇଁ,
ଗାଁ ର ଠିକଣା କାହା ଠାରେ ନାହିଁ ।
ବୃଥା ଭାବନା ରେ କାଳ କାଟ ନାହିଁ,
ସେଥିରୁ ଆନନ୍ଦ କେବେ ନ ମିଳଇ ।