ପାଉଁଶ ତଳର ନିଆଁ
ପାଉଁଶ ତଳର ନିଆଁ


ଏଇ ଭାରତର ଏକାନବେ କୋଟି
ସଚେତନ ନାଗରିକ
ଗଣତନ୍ତ୍ର କହେ ସବୁ ମଣିଷର
ଭୋଟର ମୂଲ୍ୟ ଏକ ।
ଗଣତନ୍ତ୍ର ଅଟେ ଗଣଙ୍କର ଦ୍ବାରା
ଗଣର ଶାସନ ଯଦି
ସମାନ ସଭିଏଁ ସର୍ବେ ଯଦି ଗଣ
ମୋ ବେଳକୁ କେଉଁ ଫନ୍ଦି?
ଏଠି ସଭିଙ୍କର ରହିଅଛି ଯଦି
ବଂଚିବାର ଅଧିକାର
ମୁଁ ତେବେ କିମ୍ପାଇଁ କୁହ ତୁମେ ଆଜି
ବର୍ବରତାର ଶିକାର ।
ମଣିଷ ରକ୍ତର କଣିକାକୁ ତୁମେ
ତନ୍ନ ତନ୍ନ କରି ଖୋଜ
ଜାତି ଧର୍ମ ଭେଦେ ଭିନ୍ନତା ଅଛି କି
ଖୋଜିକରି କୁହ ଆଜ||
ମୁଁ ଯାହା ଜାଣିଛି ସବୁ ମଣିଷର
ରକ୍ତ ଅଟଇ ସମାନ
ବ୍ରାହ୍ମଣ ବାଲ୍ମିକୀ ସବୁ ଜାତି ନର
ରକ୍ତ ନୁହେଁ ଅସମାନ ।
ଆମ ସମ୍ବିଧାନ ଦେଇଅଛି ପରା
ସମାନତା ଅଧିକାର
ସ୍ବାଧୀନ ବିଚାର ସ୍ବାଧୀନ ବିଶ୍ବାସ
ବଂଚିବାର ଅଧିକାର ।
ମୁଁ ତେବେ କାହିଁକି ହେଲି କୁହ ତୁମେ
ବର୍ବରତାର ଶିକାର
ଛୋଟ ଜାତି ଝିଅ ହେଲି ବୋଲି କିସ
ନାହିଁ ମୂଲ୍ୟ ଇଜ୍ଜତର ।
ଜାତି ଧର୍ମ ଭେଦ ନାହିଁ ଭାରତରେ
ସ୍ଥାନ ନାହିଁ ବିଭେଦର
ଦଳିତ ପତିତ ସଭିଙ୍କର ଅଛି
ବଂଚିବାର ଅଧିକାର ।
ନାରୀର ଇଜ୍ଜତ ମାଆର ସମ୍ମାନ
ସବୁଠୁ ମହତ୍ତ୍ବ ପୂର୍ଣ୍ଣ
ମୋ ଇଜ୍ଜତ କେହ୍ନେ ନିଲାମ ହୋଇଲା
ମୋ ସମ୍ମାନ ହେଲା କ୍ଷୁର୍ଣ୍ଣ ।
ମୋ କ୍ଷେତରୁ ମୁହିଁ ଘାସ କାଟିବାକୁ
ଯାଇଥିଲି ଆନନ୍ଦରେ
କାମୁକ ରାକ୍ଷସ କେଉଁଆଡୁ ଆସି
ଝାମ୍ପି ନେଲେ ମୋ ଶରୀରେ ।
ମୋ କୋମଳ ଦେହ ଖିନ୍ ଭିନ୍ କରି
ରକ୍ତ ଜୁଡୁବୁଡୁ କଲେ
ବାଜରା ବଣରେ ଦରମଲା କରି
ଫିଙ୍ଗିଦେଇ ଚାଲିଗଲେ ।
ଅଧ ମାସ ଧରି ତିଳ ତିଳ ହୋଇ
ଜୀବନ ଯୁଦ୍ଧରେ ଯୁଝି
ହାରିଗଲି ଶେଷେ ଆଉ ପାରିଲିନି
ଦେଲି ଶେଷେ ଆଖିବୁଜି ।
ମୋ ମର ଶରୀର ମୋର ପରିବାର
ପାଇଲାନି କିସ ପାଇଁ
ଘନ ଅନ୍ଧକାରେ ଜୁଇର ନିଆଁରେ
ପାଉଁଶ ହୋଇଲି ମୁହିଁ ।
ମୋର ପରିବାର ଯାତନା ସହିଲା
ଲାଂଛନା ପାଇଲା କେତେ
ଦଳିତ ଜନର ପ୍ରାପ୍ୟ ବୋଲି ମୁହିଁ
ସାନ୍ତ୍ବନା ଦେଉଛି ମୋତେ ।
ହାଥ୍ରାସର ସେହି ଦଳିତ ଝିଅ ମୁଁ
ଅକାଳରେ ହଜିଗଲି
କେହି ଶୁଣିଲେନି ମୋ ଆର୍ତ୍ତ ଚିତ୍କାର
ଜୁଇରେ ଶେଷେ ଶୋଇଲି ।
ପାଉଁଶ ତଳର ନିଆଁ ରୂପେ ମୁହିଁ
ନେହୁରା ହେଉଛି ଆଜି
ମୋତେ ଦିଅ ନ୍ୟାୟ କାନ୍ଦି ମୁଁ କହୁଛି
ଅତୃପ୍ତ ଆତ୍ମାଟେ ସାଜି ।
ପ୍ରକୃତ ସ୍ବାଧିନ ହୋଇବ ଏ ଦେଶ
ସେହିଦିନ ଯେଉଁ ଦିନ
ରାତି ଅନ୍ଧକାରେ ନିର୍ଜନ ରାସ୍ତାରେ
ଅବାଧ ନାରୀ ଗମନ ।
ଗଣତନ୍ତ୍ର ଦେଶେ ଅଛି ବୋଲି ମୁହିଁ
ଧରି ନେବି ସେହି ଦିନ
ସବୁ ମଣିଷକୁ ସମ ଅଧିକାର
ମିଳିବ ସମ ସମ୍ମାନ ।