ଜୀବନ ଯୁଦ୍ଧ
ଜୀବନ ଯୁଦ୍ଧ
ଛଳନା ପୂର୍ଣ୍ଣ ଜୀବନ ଯୁଦ୍ଧରେ
ଡର ନାହିଁ କେହି ଡର ନାହିଁ
ଚକ୍ରବ୍ଯୁହ ରଚନା ହେଉଛି ହେବ
ତୁମେ କିନ୍ତୁ ଦମ୍ଭ ଧର
ହସ୍ତେ ଧର ସତ୍ଯ ନ୍ଯାୟର ଅସ୍ତ୍ର
ଜିଗୀଷାକୁ କର ନିଜ ମାନସପୁତ୍ର
ଦେବଙ୍କ ଆଶିଷକୁ କରି ସାରଥୀ ତୁମର
ବଜାଇ ଦିଅ ବିଜୟର ଶୁଭ ଶଙ୍ଖ
ଡର ନାହିଁ ତୁମେ ଡର ନାହିଁ
ଦେଖି ମାୟାବୀଙ୍କ ରକ୍ତାକ୍ତ ଶରୀର
ଜିତିବ ତୁମେ ନିଶ୍ଚେ ଜିତିବ
ଡେଇଁ ଯିବ ନିଶ୍ଚେ ଚକ୍ରବ୍ୟୁହର ସରହଦ
ଡର ନାହିଁ କେହି ଡର ନାହିଁ
କୁଚକ୍ରାନ୍ତ ରଚନା ହେଉଛି ହେବ
ଅଧର୍ମୀଙ୍କ ବିରାଟ ଶିବିରରେ
ତୁମେ କିନ୍ତୁ କରନାହିଁ କର୍ଣ୍ଣପାତ
ବରଂ ତେଜୀୟାନ କରିଦିଅ
ନିଜ ଶିବିରର ଆଶାଦୀପକୁ
ଚିନ୍ତି ଚାଲ ଧର୍ମପୂର୍ଣ୍ଣ ରଣକୌଶଳ
ନବପ୍ରଭାତ ଆସିବ ନିଶ୍ଚେ ଆସିବ
ବୃଦ୍ଧି କରିଦିଅ ତୁମ ପ୍ରୟାସର ପରିଧି
ଥକିପଡନା କେବେ ଅଟକିଯାଅନା
ବିଜୟ ଲଭିବା ଯାଏ ଜାରିରଖ ପ୍ରୟାସ
ଡର ନାହିଁ କେହି ଡର ନାହିଁ
ଚତୁର୍ଦିଗୁ ମାରଣାସ୍ତ୍ର ଆସୁଛି ଆସିବ
ଅଧର୍ମୀଙ୍କ କପଟୀ ତୂଣୀରରୁ ବାହାରି
ତୁମେ କିନ୍ତୁ ଭୟ କରନା
ଦେଖି ଅସ୍ତ୍ରର ଭୟଙ୍କର ରୂପ
ବରଂ ତୁମେ ବି ଯୋଖିଚାଲ
ସ୍ୱଧର୍ମେ ସ୍ୱକର୍ମେ ପ୍ରାପ୍ତ ହୋଇଥିବା
ସତ୍ୟ ଧର୍ମର ବ୍ରହ୍ମାସ୍ତ୍ର
ବିଜୟ ମିଳିବ ନିଶ୍ଚେ ମିଳିବ
ପ୍ରତାରଣାପୂର୍ଣ୍ଣ ଯୁଦ୍ଧର ହେବ ନିଶ୍ଚେ ଅନ୍ତ
