ହେ ନାବିକ ତୁମେ
ହେ ନାବିକ ତୁମେ
ଜୀବନ ନାଆର ନାବିକ ତୁମେ ତ
ପଥ କାହିଁ ମୋର ଜାଣେନା,
ସଳଖି ଧରିବ ମୋ ଜୀବନ ମଙ୍ଗ
ଏତିକି କିଆଁ ତ ବୁଝନା ।
ଜାଣେନା ପଥ ମୋ କଣ୍ଟକରେ ଭରା
ଆଶାଭରସା ମୋ ପାଏନା,
କହିକି ପାରିବ ହେ ଜଗତନାଥ
ତୁମ ବିନା ପ୍ରଭୁ ରହି ପାରେନା ।
ସବୁରି ଜଂଜାଳ ତୁମକୁ ସମର୍ପି
ନିଶ୍ଚିନ୍ତେ ବସିଛି ସଂସାରେ,
ତୁମେ ଥିଲେ ମୋର କଣ୍ଟକିତ ପଥ
ଫୁଲ ହୋଇଯିବ ଅଚିରେ ।
ବୈଶାଖୀର ତାତି ଶ୍ରାବଣର ଝର
ଆସି ଫେରିଯିବ ଜୀବନେ,
ଜାଣିଛି ତୁମେ ମୋ ଅତୁଟ ବିଶ୍ୱାସ
ତଥାପି ଏ ମନ ହରେନା ।
ଲହୁ ଲୁହାଣ ମୋ ପାଦ ତ ହୋଇଛି
ତଥାପି ତୁମକୁ ଛାଡେନା,
କେତେ ପରୀକ୍ଷା ମୁଁ ତୁମ ଦରବାରେ
ଦେଇଛି ପ୍ରଭୁ ହେ ହିସାବ କେବେ ତା ରଖେନା ।
ଶୟନ,ସପନେ ଅବା ଜାଗରଣେ
ତୁମ ପ୍ରତିଛବି ଆଙ୍କିଛି,
ହୃଦୟରେ ମୋର ତୁମେ ସଖା ପ୍ରଭୁ
ପ୍ରେମ ଡୋରେ ମୁଁ ଯେ ବାନ୍ଧିଛି ।
ଭୁଲିଯାଅ ତୁମେ ଏ ଛାର ଜୀବନ
ତୁମକୁ ମୁଁ କେବେ ଭୁଲେନା,
ହେଉ ଜହ୍ନ ରାତି ହେଉ ଅମା ରାତି
ସ୍ବପ୍ନ ତୁମ ପାଇଁ ତୁଟେନା ।
ପାହାନ୍ତି ରାତି ମୋ ନିଶିଥ ପ୍ରହରେ
ଆସିଥାଅ ମୋର ହୃଦୟେ,
ଭାବେ ମୁଁ ଏକାକୀ ହେ ବିଶ୍ୱ ଵିହାରୀ
ତୁମ ଆଶିଷ ଲଭଇ ସାଦରେ ।
