ଧୃବ ସତ୍ୟ
ଧୃବ ସତ୍ୟ
ପୂରୁବ ଆକାଶେ ସିନ୍ଦୁରା ଫାଟିଲା
କାଉ ରାବ ଦେଲା କା
ଠିକ୍ ଏକ ଅବଗୁଣ୍ଠନ ବଧୁଟିଏ ପରି
ଆକାଶ ବୁକୁରେ ରକ୍ତିମ ଆଭାରେ
ତପନ ହସିଲେ
ସୁନ୍ଦର ଦିଶିଲା ଧରଣୀ ମାଆ ।
ଚାରିଆଡେ ବିଛୁରିତ ରକ୍ତିମ ଆଭା
କାଉର କା...କା ଶବ୍ଦ
ପକ୍ଷୀଙ୍କର କିଚିରି ମିଚିରି ଶବ୍ଦରେ
ଚଳଚଞ୍ଚଳ ହୋଇଗଲା ଧରଣୀ ।
ଚାଷୀଟିଏ ପଖାଳ କଂସାଏ ଖାଇଦେଇ
ମନ ଆନନ୍ଦରେ ଗୀତ ଗାଇ ଗାଇ
କାଳିଆ କଷରା ଙ୍କୁ ଧରି
ଲାଗିଯାଏ ତା କୃଷି କ୍ଷେତରେ
ସୂର୍ଯ୍ୟ ଯେପରି କହିଯାନ୍ତି
ହେ ମନୁଷ୍ୟ ଆଉ ଜୀବଜନ୍ତୁ
ଆଳସ୍ୟ ତ୍ୟାଗ କରି ଆଗେଇ ଚାଲ
ନିଜ ନିଜ ଗନ୍ତବ୍ୟ ପଥରେ ।
ସକାଳର ସୁଲୁ ସୁଲୁ ବାଆ
ପକ୍ଷୀ ମାନଙ୍କର କାକଳୀ
ଲାଲ ରକ୍ତିମ ଆଭାରେ ସଜ୍ଜିତ ଧରଣୀ
ନାନା ଜାତି ଫୁଲର ସୁଗନ୍ଧ
ପକ୍ଷୀ ମାନଙ୍କର ଖାଦ୍ୟ ଅନ୍ୱେଷଣ ର ଯାତ୍ରା
ହୃଦୟରେ ସୃଷ୍ଟି କରେ ବିଚିତ୍ର କାହାଣୀ ।
ସକାଳ ମଧ୍ୟାହ୍ନ ଓ ସଂଧ୍ୟା
ଜୀବନର ତିନୋଟି ସ୍ୱରୂପ
ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତ
ସଂଧ୍ୟାରେ ଫେରିବାର ବେଳ
ଜନ୍ମ ଆଉ ମୃତ୍ୟୁ
ଜୀବନରେ ଏହାହିଁ ତ ଧ୍ରୁବ ସତ୍ୟ ।