ବୋଧେ ଜୀବନ ଯାଇପାରେ
ବୋଧେ ଜୀବନ ଯାଇପାରେ


ତମେ ଥରେ ବୁଝିଗଲେ
କିଛି ବି ହୋଇପାରେ
ମିଛ କହିଲି
ବହୁତ କିଛି ହୋଇପାରେ
ମୋର କିସ ହେବ
ରାତି ଦିନ ବସି ଭାବୁଛି
ଏଣିକି ବେସି ବେସି ଭାବିବି ରାବିବି
ସଞ୍ଜ ସକାଳ ବୋଧେ କୁଳେଇ ନପାରେ
ତମେ ବାରେ ମାନିଗଲେ
କିଛି ବି ହୋଇପାରେ
ଜିଭ କାମୁଡିଲି
ଅନେକ କିଛି ହୋଇପାରେ
ମୋର କିସ ହେବ
ମନ ଗହନରେ ଆସ୍ଥାନ ଦେଇଛି
ଏଣିକି ପ୍ରାଣ ପ୍ରତିଷ୍ଠା କରିଦେବି
ମନ ଗର୍ଭଗୃହେ ଆସ୍ଥାନ ନ ମିଳିପାରେ
ତମେ ପଦିଏ କହିଦେଲେ
କିଛି ବି ହୋଇପାରେ
ରାଣ ପକେଇଲି
ଶତ ପ୍ରତିଶତ ହୋଇପାରେ
ମୋର କିସ ହେବ
ଆଜନ୍ମ ବ୍ରହ୍ମଚାରୀ ବ୍ରତ ମାନିଛି
ଏଣିକି ବାଡ଼ୁଅ ରହିଯିବି ଭାବି ସାରିଛି
ପ୍ରଥମ ଚୁମ୍ବନ ଭାଗ୍ୟେ ଜୁଟି ନପାରେ
ତମେ ରଙ୍ଗ ମଖେଇଲେ
କିଛି ବି ହୋଇପାରେ
କାନ ଧରି କହୁଛି
ବିଶେଷ କିଛି ହୋଇପାରେ
ମୋର କିସ ହେବ
ଅଙ୍ଗରେ ଭଙ୍ଗରେ ରଙ୍ଗ ପିଚକାରୀ
ଭାଙ୍ଗ ପିଇ ସାରି ନାଚିଲେ କପଡ଼ା ଚିରି
ପାଣିମିଶା ନାରଙ୍ଗୀ ରଙ୍ଗ ନିଅଣ୍ଟ ପଡିପାରେ
ତମେ ଧାଡିଏ ପଢିଦେଲେ
କିଛି ବି ହୋଇପାରେ
ମୁଣ୍ଡ ଟୁଙ୍ଗାରିଲି
ନିଶ୍ଚୟ କିଛି ହୋଇପାରେ
ମୋର କିସ ଅଛି
ଲେଖୁଛି ଲେଖିବି ତୁମକୁ ନେଇ
ଏଣିକି ଆହୁରି ଗାରେଇବି ଉପମା ଲଗେଇ
କଲମରେ କାଳି ରହିଥିବ ବୋଧେ ଜୀବନ ଯାଇପାରେ