ଆଶା କିନ୍ତୁ ରହିଗଲା
ଆଶା କିନ୍ତୁ ରହିଗଲା


ଆଶାରେ ବଞ୍ଚଇ ମାନବ ମରତେ
କେ କର୍ମ କରୁ ନକରୁ
ମାତ୍ର ଆଶାଟିକୁ ତୋଳି ଧରିଥାଏ
ଭାବନାରେ ମହାମେରୁ ।
ଆଶା ପୂରା କରେ କେ ସତ୍କର୍ମେ ଜିତି
କିଏ ବି ବିପଥଗାମୀ
ଶୁଖିଲାରେ କିଛି ମାଡ଼ି ବସିବାକୁ
ହୁଅଇ ବି କେହି ଭ୍ରମି ।
ଜନମୁ ମରଣ ମନ ସଙ୍ଗେ ଭାବ
ଆଶା ବୃକ୍ଷକୁ ମେଲାଇ
ମିଳିଗଲେ ଥରେ ଆହୁରିକୁ ଇଚ୍ଛା
କେବେ ଫେରି ନ ପାରଇ ।
ଗରବ ଦମ୍ଭରେ କେ ଅପରେ ବୋଲେ
ହୋଇ ମୁଁ ନିଃସ୍ବାର୍ଥପର
କରମ ସାଥିରେ ନିତି ଯୁଝିଲେ ବି
ମନ ହୁଏନି ଅନ୍ତର ।
ଆତ୍ମୀୟଙ୍କ ପାଇଁ ତୋଳିଲି ପ୍ରାସାଦ
ଗାଡ଼ି ଘୋଡ଼ା ଦେଲି ଝଞ୍ଜି
ତଥାପି ମନରେ ଅବଶୋଷ ରହେ
ନ ପାରିଲେ ମନ ରଞ୍ଜି ।
ପୁଅ, ବୋହୂ, ନାତି, ନାତୁଣୀ ସଙ୍ଗରେ
ସୁଖେଦୁଃଖେ ଦିନ ଗଲା
ଅଣନାତିକୁ ମୋ କୋଳେ ଧରିବାକୁ
ଆୟୁଷ ସରି ଆସିଲା ।
ଦୟାର୍ଦ୍ର ହୃଦୟ ଦେଖାଇ କେ କହେ
ଏ ହାତ କେତେ ଦେଇଛି
ବାର୍ଦ୍ଧକ୍ୟ ଛୁଇଁଲା ବେଳ ଗଡ଼ି ଗଲା
ଆଉ କ'ଣ ବଳ ଅଛି !
ତୀର୍ଥ ସ୍ଥାନ ବୁଲି ଦରଶନ କଲି
ଆଉ କିଛି ରହିଗଲା
ଥାଇ ମଧ୍ୟ ଅର୍ଥ ଆଶା ମୁଲ୍ୟହୀନ
ପ୍ରାକର୍ମ ମୋ କମିଗଲା ।
ହୃଦୟଟା ଆଜି ଦୁଃଖରେ କାନ୍ଦୁଛି
ବେଳ ମୋର ସରିଗଲା
ନିଜ ପଥ ପାଇଁ କିଛି କରିଥାନ୍ତି
ଆଶା କିନ୍ତୁ ରହିଗଲା ।