ହୃଦ ଫରୁଆ
ହୃଦ ଫରୁଆ
ସ୍ଥୂଳ ଶରୀରର ଅଵଶୋଷ
ଅଦେଖା ଅଚିହ୍ନା ତୁମେ
ସୂକ୍ଷ୍ମ ଶରୀର ଦେଖିଛି କିନ୍ତୁ
ଗୋଟେ ନିରୁତା ମଣିଷ
ବନ୍ଧନର ଆଶ୍ଲେଷ
ନିଆରା ବାସ୍ନା
ଗୋଟା ପଣେ
ଗୋଟେଇ ଜଗଡ଼ି ଧରିବାର ମାନସିକତା
ମୋତେ ବନ୍ଧୁତା ଗଙ୍ଗାରେ ବୁଡ଼େଇ ଦେବାକୁ
କରିବାକୁ ଯଥେଷ୍ଟ।
ମୁହୂର୍ତ୍ତ; ଓଦା ଓଦା
ସ୍ୱର ମିଠା ମିଠା
କଥା; ଗେହ୍ଲେଇ ଗେହ୍ଲେଇ
ଫୋନ୍ କମ୍ପନ
ମୋତେ ଟାଣିଥିଲା
ଅନୁରାଗ
ଇନ୍ଦ୍ରଧନୁଟେ ଆଙ୍କିଥିଲା
ସମ୍ପର୍କ ନୀଳିମାରେ
ହଜିଥିଲି ତାଙ୍କ କଥା କୁହୁକରେ।।
ହାବୁକା ହାବୁକା ଆବେଗ
ସ୍ନେହ ଚହଲି ଉଠିଥିଲା
ହୃଦୟ ମାଠିଆରୁ
ଦୁଃଖ ସୁଖବଣ୍ଟା ବଣ୍ଟି ଭିତରେ
ଘଣ୍ଟା କଣ୍ଟା ସଚେତ କଲା
ଘଣ୍ଟାଏ କାଳ
ଖୋଲି ଯାଇଥିଲା
ମୁକୁଳା ମନ
ଘାଇ ବାଟେ ପ୍ରବଳ ସୁଅ
ଉଛୁଳୁଥିଲା ମୋ ହୃଦୟରେ
ଘାଇ କରି।
ଅଭିଭୂତ; ଆତ୍ମା ମନ
ଅଭିମନ୍ତ୍ରୀତ ସମ୍ମୋହନ
ସମ୍ବୋଧନ "ମିତଣୀ"!!!
ଚମକି ପଡିଲି
ଜୁଡୁବୁଡୁ ଗୋଟା ସୁଦ୍ଧା
ଓଦା ସରସର
ଟପକୁ ଥିଲା ମହୁ
କିଏ ତୁମେ କୃଷ୍ଣ!
ସୁଦାମା ଜୀବନେ....
ସେବେଠୁ ମୁଁ ବନ୍ଧା ପଡ଼ିଗଲି
ତୁମ ପ୍ରେମରେ
ରୁହ ପଛେ ପୃଥିବୀର
କେଉଁ ଉପାନ୍ତରେ
ଥିବାଯାଏ ପହଁରୁଥିବି
ସମ୍ପର୍କର ସମୁଦ୍ରେ
ପାଲ ଟଣା ତରୀରେ
ଉଲ୍ଲସିତ ଟିପେ
ଖୁସି ଲହରୀରେ।
ସକାଳ ହେଉ ବା ସଞ୍ଜ
ଆସୁ ବିବାହ ବର୍ଷିକୀ
କି ଜନ୍ମ ଦିନ
ପ୍ରତି କ୍ଷଣ
ତୁମ ସୁକାମନା
କରୁଥିବ ଏ ପ୍ରାଣ
ନିଃଶ୍ୱାସ ଟିକକ
ମୋତେ ଆପଣାର କରିଥିବା ଯାଏ
ତୁମେ ଗୋ ମିତଣୀ
ଥିବ ମୋ ଭିତରେ
ମନ ମସ୍ତିଷ୍କ ସିନ୍ଦୁକ
ସାତ ତାଳ ପଙ୍କ ପାଣି
ହୃଦ ଫରୁଆରେ।