ଆସ ଲଗାଇବା ଗଛଟିଏ
ଆସ ଲଗାଇବା ଗଛଟିଏ
ସଂସାରେ ମଣିଷ ବଞ୍ଚିବାର ଲାଗି
ଲୋଡା ଖାଦ୍ୟ ବସ୍ତ୍ର ବାସ
ତାହାର ସହିତ ଅତି ଦରକାରୀ
ସୁସ୍ଥ ନିଃଶ୍ୱାସ ପ୍ରଶ୍ୱାସ||
ସ୍ୱାର୍ଥ ଲିପ୍ସୁ ନର ସ୍ୱାର୍ଥ ସିଦ୍ଧି ଲାଗି
ଗଢେ କଳ କାରଖାନା
ଗଛଲତା କାଟି କରେ ନାରଖାର
ପରିବେଶ ଆନମନା||
ବାୟୁ ପ୍ରଦୂଷଣ ବଢି ବଢି ଚାଲେ
ଜଙ୍ଗଲର ହୁଏ ନଷ୍ଟ
ଶୁଦ୍ଧ ବାୟୁ ଟିକେ ମିଳେନି ଧରାରେ
ଶ୍ୱାସକ୍ରିୟା ଅତି କଷ୍ଟ||
ବରଷା ହୁଏନି ଲୋଡାମତେ ଏଠି
ଚାଷ କ୍ରିୟା ପ୍ରଭାବିତ
ସବୁଜ କୋଠରୀ ପ୍ରଭାବ ବଢଇ
ଧରଣୀ ହୁଏ ଉତ୍ତପ୍ତ||
ମାଘ ମାସେ ବାଘ ଶୀତ ହେଉନାହିଁ
ଫଗୁଣରେ ସିଝେ ପିଠି
ଶ୍ରାବଣରେ ଘନ ମେଘ ଦେଖାନାହିଁ
ସବୁ ବ୍ୟତିକ୍ରମ ଏଠି||
କାରଖାନା ଗାଡି ମୋଟର ଯାନରୁ
ମଣିଷ ନିଃଶ୍ୱାସ ବାୟୁ
ଅଙ୍ଗାରକାମ୍ଳରେ ପରିପୂର୍ଣ୍ଣ ତାହା
ସବୁଜ କୋଠରୀ ବାୟୁ||
ରବି କରେ ଯେଉଁ ଅବଲୋହିତର
ରଶ୍ମିଗୁଚ୍ଛ ରହିଥାଏ
ଅଙ୍ଗାରକାମ୍ଳ ସ୍ୱ- ଧରମ ବଳରେ
ଆକଣ୍ଠ ସେ ଶୋଷିନିଏ ||
ବାୟୁ ମଣ୍ଡଳରେ ସେହି ଉତ୍ତାପକୁ
ବନ୍ଦୀ କରି ରଖିଦିଏ
ବାୟୁ ମଣ୍ଡଳର ଉତ୍ତାପ ବଢାଏ
ବିଶ୍ୱ ଉଷ୍ଣାୟନ ଇଏ||
କାରଖାନା ଗାଡି ମୋଟର ଯାନରୁ
ନିର୍ଗତ ଅଙ୍ଗାର କାମ୍ଳ
ଭାଶ୍ଳେଷଣ ବେଳେ ଖାଦ୍ୟ ପ୍ରସ୍ତୁତିରେ
ଗଛ ଶୋଷେ ସେ ସକଳ||
ନୀଳ କଣ୍ଠ ସମ ଅଙ୍ଗାରକାମ୍ଳର
ବିଷ ପାନ କରେ ଗଛ
ଅମୃତର ସମ ଅମ୍ଳଜାନ ଦେଇ
ଶ୍ୱାସ ବାୟୁ କରେ ସ୍ୱଚ୍ଛ||
ପ୍ରଶ୍ୱାସ ନିମିତ୍ତ ଅମ୍ଳଜାନ ଦିଏ
ଭାଶ୍ଳେଷଣ ପ୍ରକ୍ରିୟାରେ
ବିଶ୍ୱ ଉତ୍ତାପନ ପ୍ରତିହତ କରି
ବର୍ଷା ନିୟମିତ କରେ||
ଜଳବାୟୁ ଆମ ରହେ ଅନୁକୂଳ
ଯେଉଁଠି ଜଙ୍ଗଲ ଥାଏ
ତେଣୁ ଆସ ସର୍ବେ ସଚେତନ ହୋଇ
ଲଗାଇବା ଗଛଟିଏ||
ଗଛ ବଡ ହୋଇ ଫୁଲ ଫଳ ଦେବ
ଦେବ ଛାୟା ସୁଶୀତଳ
ନୀଳକଣ୍ଠ ସିଏ ବିଷ ପିଇ ଦେଇ
ବାୟୁ କରିବ ନିର୍ମଳ ||
ଆସ ଜଙ୍ଗଲର ସୁରକ୍ଷା କରିବା
ଆସ ଲଗାଇବା ଗଛ
ଆମ ଜଳବାୟୁ ଅକ୍ଷୁର୍ଣ୍ଣ ରହିବ
ପରିବେଶ ହେବ ସ୍ୱଚ୍ଛ ||
