Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶତ୍ରୁ ଶିବିରରେ ରାତିଟିଏ
ଶତ୍ରୁ ଶିବିରରେ ରାତିଟିଏ
★★★★★

© Lipika Mohapatra

Inspirational

5 Minutes   13.8K    16


Content Ranking

୧୯୪୮ ମସିହା | କାଶ୍ମିର ସୀମାରେ ଭାରତ ପାକିସ୍ତାନ ଯୁଦ୍ଧର ତାଣ୍ଡବ| କେଉଁ ତାରିଖ, ବାର କିଛି ମନେ ପଡୁନି ତା’ର ହଠାତ୍ ଠାକୁରାଣୀ ଲାଗିଲା ପରି ନିଜର ସମସ୍ତ ବଳ ଖଟାଇ ଥରି ଥରି କହିଉଠୁଥିଲା ସେ “ଭାରତ ମାତା କି ଜୟ୍” ଅଚାନକ କ’ଣ ଭାବି ଢୋକିଦେଲା ଶବ୍ଦତିକ ପଡିରହିଲା ନିସ୍ତେଜ ହୋଇ । ତା’ ୟୁନିଫର୍ମରୁ ସେମାନେ ଜାଣିଯାଇଥିଲେ ସେ ଭାରତୀୟ ସେନାବାହିନୀର ଫୌଜି ଜଣେ ।   

       “ସାର୍ କ୍ୟା କରେଙ୍ଗେ ଇସକୋ”

      “ ମାରୋ, ପିଟୋ ଶାଲେକୋ କୁଛ ଭି କରୋ ମଗର୍ ବାତ୍ ନିକାଲୋ; ପୁଛୋ କାହାଁତକ୍ ଆଗେୟେ ହିନ୍ଦୁସ୍ତାନୀ ଫୌଜ”

ପାକିସ୍ତାନି ସେନା କମାଣ୍ଡରଙ୍କ ଅର୍ଡର୍ କୁ ରୂପ ଦେବାପାଇଁ ତା’ଉପରେ ପୁଣି ଆରମ୍ଭ ହେଇଗଲା ଅକଥନୀୟ ଅତ୍ୟାଚାର ତାକୁ ଭିଡି ନିଆଗଲା ଗୋଟାଏ ଅନ୍ଧାରୁଆ ତମ୍ବୁ ଭିତରକୁ ସେଠି ଡାକ୍ତର ପରୀକ୍ଷା କଲେ ତା’ ଜିଭ, ଦେହ ମୁଣ୍ଡ ଯାହା ତାଙ୍କ କ୍ଷମତାରେ ଥିଲା ଛୁଞ୍ଚିରେ କେଞ୍ଚିଲେ, ପୋଡା ସିଗାରେଟ୍ ଚେଙ୍କ ଦେଲେ ତଥାପି ସେ ଉଁ କଲାନି

      କିଏ ଜଣେ ଭାରି ବୁଟ୍ ରେ ତା ମୁହଁକୁ ଗୋଇଠା ପରେ ଗୋଇଠା ମାରିଚାଲିଲା

      ଆଉ ଜଣେ ବିଦୃପ କଲା, “ଶାଲା ବୋଲନେ ସେ ପେହେଲେ ମର୍ ଯାଏଗା ରେ ଉସକୋ ବୋଲନେ ଦେ ବାଦମେ ଜିଭରକେ ମାର୍”

      ତା ଦାନ୍ତ ଭାଙ୍ଗି ମୁହଁ ସାରା ନାଳ ରକ୍ତ ଯନ୍ତ୍ରଣାରେ ଥରକୁଥର ଆଖି ବନ୍ଦ ହୋଇଯାଉଛି ତଥାପି ସେ ମୌନ ତା’ ଦେହଟାକୁ ଏମାନେ ଖଣ୍ଡ ଖଣ୍ଡ କରି ଫୋପାଡି ଦେଇ ପାରନ୍ତି ହେଲେ ତା’ ମନକୁ ଛୁଇଁ ପାରିବେନି ତା’ ମନଗହନର କେଉଁ ଏକ କୋଣରେ ନିଜକୁ ଆଶ୍ରୟ ଦେଲା ସେ ଯନ୍ତ୍ରଣା ସହିବା ପ୍ରୟାସରେ ଛାତି ତଳେ ଆରମ୍ଭ ହୋଇଯାଇଥିଲା କିଛି ଅନ୍ତରଙ୍ଗ ବାର୍ତ୍ତାଳାପ

       ମନ ଭିତରେ ଉଚ୍ଚାରଣ କଲା ସେଇ ପବିତ୍ର ମନ୍ତ୍ରଟିକୁ, “ଭାରତ ମାତା କି ଜୟ” ଆଃ ଅପୁର୍ବ ପ୍ରଶାନ୍ତିରେ ମନ ମସ୍ତିଷ୍କ ଆଚ୍ଛନ୍ନ ହେଇଗଲାଣି ଝାପସା ଝାପସା ଦିଶିଗଲା ତା’ ସ୍ତ୍ରୀର ସିନ୍ଦୁର ମଖା ମୁହଁଟି । ନିଶ୍ଵାସ ତଳେ କଥା ହେବାକୁ ଲାଗିଲା ସେ ।  

       ଶୁଣ ରମା! ଏମାନେ ମତେ ମାରିଦେଇ ପାରନ୍ତି । ମାତ୍ର ତୁ ମୋ ମୃତ୍ୟୁରେ କାନ୍ଦିବୁନି, ହତାଶ ହେବୁନାହିଁ । କୁନିକୁ ପାଳି ପୋଷି ମଣିଷ କରିବା ଦାୟୀତ୍ଵ ତତେ ଲାଗିଲା । ଏ ବର୍ଷ ତାକୁ ସାତ ପୂରିବ ବୋଧେ ନୁହଁ? ଧିକ ମୋ ବାପା ପଣିଆକୁ ଝିଅକୁ କେତେ ବର୍ଷ ବୟସ ମନେ ନାହିଁ । ତା’ ଜନ୍ମ ଦିନ ପରା ଏଇ ଶୀତ ଦିନରେ।

      କହିଲୁ ଜଣେ ଫୌଜି ବାପାର ତା’ ଝିଅ ପାଇଁ ପୃଥିବୀର ଶେଷ୍ଠ ଉପହାର କ’ଣ? ମୋ ମତରେ, ଶତ୍ରୁ ମୁକ୍ତ ମାତୃଭୂମି! ଗୋଟେ କଥା ମନେରଖ ଯଦି ମୋର କିଛି ହେଇଯାଏ... ବୋଉକୁ ଭୁଲରେ ବି କହିବୁନି । ସେ ବଞ୍ଚିଥିଲା ଯାଏଁ ଏଇ ଧାରଣାରେ ବଂଚୁ କି ତା’ପୁଅ ସୀମାରେ ଲଢୁଛି । ଏଠି ଲଢୁଥିବା ମୋ ଫୌଜି ଭାଇମାନେ ସମସ୍ତେ ମୋ ମା’ର ଜଣେ ଜଣେ ପୁଅ ନୁହନ୍ତି କି ।

      ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବୁ ରମା, ଏମାନେ ଅସଭ୍ୟ ଭାଷାରେ ମୋ ଭାରତ ମାତାକୁ ଗାଳି ଦେଉଛନ୍ତି । ମୁଁ ହତଭାଗ୍ୟ ସବୁ ଶୁଣୁଛି, ପ୍ରତିଟି ଶବ୍ଦ ଆଘାତରେ ମୋ ଛାତିରୁ ରକ୍ତ ଝରୁଛି ଏମିତି କୋଉ ପୁଅ ଥିବ ମା’ ନାରେ ୟାଡୁ ସ୍ୟାଡୁ ଶୁଣି ତୁନି ରହିବ । ମୁଁ ନିରବ ରହିଛି । ଶତ୍ରୁ ଭୟରେ ନୁହେଁ ବରଂ ପରିସ୍ଥିତି ସହ ମୁକାବିଲା ପାଇଁ । ମୁହଁ ଖୋଲିଲେ କାଳେ ମୋ ମୁହଁରୁ ହାସଲ କରିନେବେ କିଛି ତଥ୍ୟ ଆମ ସେନାଙ୍କ ଆଗମନର ପୂର୍ବରୁ ସତର୍କ ହେଇ ଯିବେ ତେଣୁ ଉପସ୍ଥିତ ବୁଦ୍ଧି ଖଟଇ ମୁଁ ମୂକ ପରି ଅଭିନୟ କରୁଛି । ଅହିଂସାରେ କାଳେ ସବୁ କିଛି ସମ୍ଭବ । ମୁଁ ଜାଣିଥିଲି ଶତ୍ରୁ ପାଇଁ ଅହିଂସା ହେଉଛି ଗୁଳି ଗୋଳା ବାରୁଦଠୁ ବିପଦଜନକ ଅସ୍ତ୍ର । ମାତ୍ର ଏଇ ମୁହୁର୍ତ୍ତରେ ଏଠି ଅହିଂସାର କିଛି ମୂଲ୍ୟ ନାହିଁ । ଚୋର ଉପରେ ମାନକରି ଖପରାରେ ଖାଇବାଭଳି କଥା ହେବ । ମରିବି ପଛେ ପାକିସ୍ତାନକୁ ଆଉ ଇଞ୍ଚେ ବି ଭୁମି ମିଳିବନି ।

        ଗୋଟେ କଥା ମୁଁ ବୁଝିପାରୁନି କହିଲୁ ଶରୀରର ଗୋଟିଏ ଅଙ୍ଗ କ’ଣ କେବେ ଆର ଅଙ୍ଗକୁ ଘୃଣା କରିପାରେ । ପୃଥିବୀର କୋଟି କୋଟି ଜନ ସାଧାରଣ ଯଦି ଶରୀର ହୁଅନ୍ତି ଆଉ ଦେଶ ମହାଦେଶ ମାନେ ଅଙ୍ଗ ପ୍ରତ୍ୟଙ୍ଗ ତେବେ ଗୋଟିଏ ବି ଅଙ୍ଗ ଅଚଳ ହେଲେ କ୍ଷତି ତ ଶରୀରର ନା ତେବେ ଏତେ ଘୃଣା କାହିଁକି  ଦେଶ ଦେଶ ମଧ୍ୟରେ ଯୁଦ୍ଧ କାହିଁକି । ହାର ଜିତ କାହା ପାଇଁ ତୁ ହୁଏତ କହିପାରୁ ଭାରତ ପାକିସ୍ତାନ ଗୋଟେ ମା’ ପେଟର ଭାଇ ପରି ଆଉ ଭାଇ ଭାଇ କ’ଣ କେବେ ପଡିଲାଣି। ମୁଁ ତୋତେ ବୁଝେଇବାକୁ ଯାଇ ଅଲଗା ଉଦାହରଣ ଦେଲି ଏଥର ତୁ ମୋ କହିବା କଥା ବୁଝିପାରୁଥିବୁ ନିଶ୍ଚେ ।

       ବର୍ଷେ ହେଇଗଲାଣି ଆମେ ଏଇ ବରଫ ପାହାଡ ଉପତ୍ୟାକାରେ ଅଞ୍ଚଳ ପରେ ଅଞ୍ଚଳ ନିଜ ଅକ୍ତିଆରକୁ ଆଣୁଛୁ ଶେଷରେ ଟ୍ୟାଙ୍କ ସହ ଏଇ ଜୋଜି ଲା ଘାଟି ରାସ୍ତାଦେଇ କାରଗିଲ୍ ଠି ପହଞ୍ଚିଗଲେ କାରଗିଲ୍ ଆମ ଅକ୍ତିଆରକୁ ଆସିଯିବ । ଆମ ଫୌଜ ସୀମାନ୍ତରେ ଜୋଜି ଲା ପାସ୍ ଯାଏଁ ଆସି ଗଲେଣି । ରାତି ପାହିଲା ବେଳକୁ ଏଠି ପାକିସ୍ତାନୀ ସେନା ଶିବିର ବଦଳରେ ଇଣ୍ଡିଆନ୍ ଫ୍ଲାଗ ଆକାଶ ଛୁଉଁଥିବ ।

        ଶତ୍ରୁ ଆଡ୍ଡାରେ ମାତ୍ର ଅଳ୍ପ କିଛି ଫୌଜ । ସମସ୍ତେ ନିଶ୍ଚିନ୍ତ ଯେ ଭାରତୀୟ ସେନା କସ୍ମିନ୍ କାଳେ ଜୋଜି ଲାର ସଂକୀର୍ଣ୍ଣ ବରଫାବୃତ ବିପଦ ପୂର୍ଣ୍ଣ ଘାଟି ପଥ ଦେଇ ପହଞ୍ଚି ପାରିବେନି ଲକ୍ଷ ସ୍ଥଳରେ । କାରଗିଲ୍ ଅକ୍ତିଆର ସେମାନଙ୍କ ସ୍ଵପ୍ନ ହୋଇ ରହିଯିବ । ଫେରିଯିବେ ଅଧା ବାଟରୁ ତାଙ୍କ ଟ୍ୟାଙ୍କ, ବନ୍ଧୁକ, ଫୌଜ, ଜିପ ବଗେରା ନେଇ ଦାଉ ସାଧିଲା ପରି ପ୍ରକୃତି ହୋଇଥିଲା ନିଷ୍ଠୁର । ଆକାଶରୁ ନିରବଚ୍ଛିନ୍ନ ଝରି ଚାଲିଛି ତୁଷାର । ସତେ ଯେମିତି ଆଖି ସାମ୍ନାରେ ଧଳା ପରଦାଟେ ଢାଙ୍କିଦେଇଛି ପ୍ରକୃତି ଆଗକୁ ଇଞ୍ଚେ ବି ରାସ୍ତା ଦେଖାଯାଉନି ।

ଭାରତୀୟ ଆର୍ମି ଅଫିସର ଜେନେରାଲ୍ ଥମାୟଙ୍କ ନିର୍ଦ୍ଦେଶ- ଅସମ୍ଭବ ହେଲେ ମଧ୍ୟ କୌଶଳ କରି ଟ୍ୟାଙ୍କ ସହ ଘାଟି ରାସ୍ତାଦେଇ ଆଗକୁ ବଢ!

       ସେମାନେ ଆଗେଇ ଚାଲିଥିଲେ ଅପୂର୍ବ ଧୌର୍ଯ୍ୟରସହ । ଅମାପ ସାହାସରେ ସମୁଦ୍ର ପତ୍ତନଠାରୁ ପ୍ରାୟ ଏଗାରଶହ ଫୁଟ ଉଚ୍ଚ ନିର୍ଜନ ଘାଟି ରାସ୍ତାରେ ଧୀର ମନ୍ଥର ଗତିରେ ଆଗ ପଛ ହେଇ ଚାଲିଥିଲେ ଟ୍ୟାଙ୍କ ଗୁଡିକ ନିର୍ଜୀବ ମେଶିନ୍ ଗୁଡିକୁ ଦେଖିଲେ ଲାଗୁଥିଲା ସତେ ଯେମିତି ଏମାନଙ୍କର ବି ଗୋଟିଏ ଲକ୍ଷ୍ୟ-କାରଗିଲ୍ ବିଜୟ । ସେ ଥିଲା ସେଇ ଆର୍ମିଙ୍କ ଗହଣରେ ମାତ୍ର କେତେବେଳେ ସବୁ ଓଲଟିଗଲା । ପାହାଡି ରାସ୍ତା ଧାରରେ ତା’ ଗୋଡ ଖସିଗଲା ପରେ ସେ କିଛି ଆଉ ଜାଣିନି ।

      ତା’ ଚେତା ଫେରିଲା ବେଳକୁ ସେ ଶତ୍ରୁ ଶିବିରରେ। ଥଣ୍ଡାରେ କଇଁଥା ପଡିଯାଇଥିଲା ଦେହ, ବାଁ ଗୋଡଟା ବୋଧେ ଭାଙ୍ଗି ଯାଇଛି, ହଲଚଲ ହଉନି । ଏଇ ମୁହୁର୍ତ୍ତରେ ଚିର ନିଦ୍ରା ହିଁ ତା’ର ଏକମାତ୍ର କାମ୍ୟ । ଡାକିଲେ ମୃତ୍ୟୁ କୋଉ ଆସେ ।

       ତୋର ମନେ ଅଛି ନା ରମା ଯୁଦ୍ଧକୁ ଆସିବା ପୂର୍ବରୁ ତୋ ହାତର ହଳଦି ପତ୍ର ପିଠା ଖାଇଥିଲି । ଆଶ୍ଚର୍ଯ୍ୟ ସେ ବାସ୍ନା ଏଠିକି କେମିତି ଆସିଲା ଯେ ମୁଁ ମନଭରି ଶୋଷାଡି ନେଲିଣି ସେ ବାସ୍ନା ସେ ହଳଦି ପତ୍ରର ବାସ୍ନା ନା ତୋ ହାତର? ମୋ ପାଟିରେ ଏମାନେ ଜାଣିଜାଣି ଗୋ- ମାଂସ ମାଡି ଦେଉଥିଲେ । ଢୋକିଲିନାହିଁ ଜମା ।

      ଭୀଷଣ ଥଣ୍ଡାରେ ବଧିରା ପ୍ରାୟ ଦେହଟା । ଆଉ କେତୋଟି ମୁହୁର୍ତ୍ତ ପରେ ହୁଏତ ଏଇ ପିଣ୍ଡରେ ପ୍ରାଣ ନଥିବ । ସେଥିପାଇଁ ମୋର କୌଣସି ଅନୁଶୋଚନା ନାହିଁ । ମୁଁ ଗଭୀର ପ୍ରଶାନ୍ତିରେ ନିର୍ଭୟରେ ଭେଟିପାରିବି ମୃତ୍ୟୁକୁ କାହିଁକିନା ମୁଁ ନିଶ୍ଚିତ ଯେ କାଲି ଠିକ୍ ଏଇ ଯାଗାରେ ପାକିସ୍ତାନୀ ସେନା ଶିବିର ଧ୍ଵଂସ ହେଇଯାଇଥିବ ଏବଂ ମୋରି ଫୌଜି ଭାଇମାନେ ସଲାମୀ ମୁଦ୍ରାରେ ତିରଙ୍ଗାକୁ ସମ୍ମାନ ଦେଉଥିବେ ଆଉ କିଛି ଭାବି ପାରୁନି ରମା ମୋ ମୁଣ୍ଡ ଭାରିହୋଇ ଆଖି ମାଡି ପଡିଲାଣି।

      “ସାର୍ ୟେ ଆଦମି ଗୁଙ୍ଗା ହେ ଅନପଢ ବି ନା କୁଛ ବୋଲ ସକତା ହେ ନା କୁଛ୍ ଲିଖ୍ ସକତା ହେ କୋଇ କାମ୍ କା ନୈହିଁ” ଜଣେ ସୈନିକଠୁଁ ଏହା ଶୁଣିଲାପରେ ପାକିସ୍ତାନୀ ଜେନେରାଲ୍ ତାଠୁ କିଛି ଆଦାୟ କରିବାର ଆଶା ଛାଡିଦେଲେ ।

      “ମାର୍ କେ ଫେକ୍ ଦୋ ଶାଲେକୋ, ପୁରା ରାତ୍ ବରବାଦ୍ ହୁଆ ଇସ୍ କେ ପିଛେ” ଜେନେରାଲ୍ ଙ୍କ ନିର୍ଦେଶ ।

      “ମାର୍ ନା କ୍ୟା ୟେ ତୋ ଖୁଦ୍ ହି ମରଗେୟା”

      ତାକୁ ମରିଯାଇଥିବା ଭାବି ସେମାନେ ନିକଟସ୍ଥ ଜନଶୂନ୍ୟ ପାହାଡି ଉପତ୍ୟାକାରେ ଫୋପାଡିଦେଇ ଆସିଲେ । ରାତି ପାହିଲା ବେଳକୁ ଜଣେ ପାକିସ୍ତାନୀ ସେନା ପାକିସ୍ଥାନୀ ଜେନେରାଲ୍ ଙ୍କୁ ବିସ୍ମୟ ଓ ଭୟ ମିଶା ରାଡର୍ ବାର୍ତ୍ତା ଦେଲା ।

      “ସାର୍ ଜୋଜି ଲା ଘାଟି ପଥରେ ଭରତୀୟ ସେନାଙ୍କ ଟ୍ୟାଙ୍କ ଗୁଡିକ ଦୃଶ୍ୟ ହେଉଛି୤” 

       “ଅସମ୍ଭବ! ବିପଦପୂର୍ଣ୍ଣ, ସଂକୀର୍ଣ୍ଣ ଘାଟି ରାସ୍ତାରେ ପୁଣି ଟ୍ୟାଙ୍କ! ଆଉଥରେ ଆଖି ମାଡି ଦେଖ, ସେଗୁଡା ଷ୍ଟୁପିଡ୍ ଜିପ୍ ହେଇଥିବ । ଆମକୁ ବୋକା ବନେଇବାପାଇଁ ଟ୍ୟାଙ୍କ ଭଳି ଜିପ ସାମ୍ନାରେ ନଳିଟେ ଲଗେଇଥିବେ ବୁଦ୍ଦୁ ।”

        “ନା ସାର୍, ମୁଁ ଖୁବ୍ ସ୍ପଷ୍ଟ ଦେଖିପାରୁଛି, ସେଗୁଡା ଟ୍ୟାଙ୍କ ।”

        ସେତେବେଳକୁ ଭାରତୀୟ ସେନା ଟ୍ୟାଙ୍କ ସହ ଜୋଜି ଲା ଘାଟିପଥଦେଇ ପହଞ୍ଚି ଯାଇଥିଲେ କାରଗିଲ୍ ରେ ପ୍ରସ୍ତୁତ ନଥିବା ପାକିସ୍ଥାନ ସେନାଙ୍କ ପରାଜୟ ପରେ ପରେ ଭାରତୀୟ ସେନାଙ୍କ ବିଜୟ ସମ୍ବାଦରେ ଦେଶ ସାରା ପ୍ରସରି ଯାଇଥିଲା ଖୁସିର ଲହରି । ସେ ଉଦ୍ଧାର ହେଲା ନିକଟବର୍ତ୍ତୀ ଇଲାକାରୁ । ପରେ ପରେ ଭାରତୀୟ ସେନା ଛାଉଣିରେ ଚିକିତ୍ସିତ ଅବସ୍ଥାରେ ଖଟିଆରୁ ପଡି ସେ ଚାହିଁଥିଲା ଆକାଶରେ ବିଜୟ ସ୍ପର୍ଦ୍ଧାରେ ଉଡୁଥିବା ତିରଙ୍ଗାକୁ । ଖୁବ୍ କଷ୍ଟରେ ହାତକୁ ଉଠାଇ ସାଲ୍ୟୁଟ୍ କଲାବେଳେ ଜଣେ ଫୌଜିର ଓଠରେ ଚହଲି ଗଲା ଧାରେ ବହୁମୂଲ୍ୟ ହସ ।

      

 

        

                                                                              ଲିପିକା ମହାପାତ୍ର

                                                                                                                            mohapatra74@gmail.com

 

    

      

      

     

ଯୁଦ୍ଧ ସୈନ୍ୟ

Rate the content


Originality
Flow
Language
Cover design

Comments

Post

Some text some message..