Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭାଗ୍ୟ
ଭାଗ୍ୟ
★★★★★

© Sunanda Mohapatra

Tragedy

5 Minutes   426    13


Content Ranking

ପକ୍ଷପାତ ସାରା ଦୁନିଆ କରିପାରେ, କିନ୍ତୁ ଜଣେ ଜନ୍ମଦାତ୍ରୀ ମାଆ ନିଜ ଜନ୍ମିତ ସନ୍ତାନ ପାଇଁ ଯେ ଏତେ ନିଷ୍ଠୁର ହେଇପାରେ, ଏକଥା କ'ଣ ବିଶ୍ୱାସ କରି ହୁଏ !

ଅନେକ ସମୟରେ ମାଆ ଗଦ୍ ଗଦ୍ ହେଇ ପ୍ରଶଂସା କରି ଚାଲିଥିବ ବଡ଼ ପୁଅର । ପୁଅ ମୋ'ର ସୁନାମୁଣ୍ଡାଟେ, ଅତି ନୀରିହ, ଅତି ବୁଦ୍ଧିଆ, ମନକଥା ବୁଝିପାରେ । ମାମା, ଚାଲ ପାର୍ଲର୍ ଯିବା,ମାମା ମଲ୍ ଯିବା, ମାର୍କେଟିଂ କରିବା । ମାମା ଶାଢ଼ୀ ପିନ୍ଧନି, ବୟସ୍କା ଲାଗିବ, ଡ୍ରେସ୍ ପିନ୍ଧ । ମାମା ଏଇ ପୋଜ୍ ରେ ଫଟୋ ଉଠାଅ । ଏଇଟା ତୁମକୁ ମାନୁନି, ସେଇଟା ମାନିବ । ସବୁଆଡ଼େ ବୁଲେଇ ନେବ,ନାନା ଜିନିଷ ମନଜାଣି ଖୁଏଇବ । ଏମିତି ପୁଅ ଭାଗ୍ୟରେ ଥିଲେ ମିଳେ । ରାଜକୁମାର ପରି ଚେହେରା ଥିଲା ମୋ ପୁଅର,କାମ କରିକରି ଦେଖୁନ କେମିତି କଳାକାଠ ପଡ଼ି ଗଲାଣି କହି ଦଶଥର ଲୁଗାକାନିରେ ମୁହଁକୁ ପୋଛି ପକୋଉଥିବ ।

ଯଦିଚ, ସାରା ଦୁନିଆ ଜାଣିଛି, ପୁଅଟି ପାଖରେ ଭଲ ଗୁଣ ବୋଲି କିଛିବି ନାହିଁ । ଦିନକୁ ଦିନ ଧ୍ୱଂସ ଆଡ଼କୁ ମୁହାଁଉଛି ତା ଜୀବନ ! ସିଗାରେଟ୍, ମଦ, ଗଞ୍ଜେଇରେ ବୁଡ଼ି ରହୁଛି,ପାଟି ଖୋଲିଲେ ମିଛଗୁଡା ଗଳି ପଡୁଛନ୍ତି ଟପ୍ ଟାପ । ମଦ ପିଇ ଗାଡ଼ି ଚଲେଇ ବାରମ୍ବାର ଦୁର୍ଘଟଣା, ନାନା ପ୍ରକାର ଝଗଡାଝାଟି,ସପିଙ୍ଗ୍ ମଲରୁ ଚୋରି ଘଟଣାରେ ମଝିରେ ମଝିରେ ଥାନାକୁ ଯିବା ନିତି ଦିନିଆ ଘଟଣା....! ଅସମ୍ଭବ ଜିଦଖୋର୍ । ବଗର ଛଅଟା ଗୋଡ଼ ମାନେ ସାମ୍ନା ଲୋକ ମାନିବାକୁ ବାଧ୍ୟ,ନହେଲେ କଥା ସରିଲା । ବଡ଼,ସାନ କାହାକୁ ଖାତିର ନାହିଁ । ମାଆ ପୁଅକୁ ବୁଝେଇ ଶୁଝେଇ ବାଟକୁ ଆଣିବ କ'ଣ, ଓଲଟି କହେ, ମୋ' ପୁଅ ସେମିତି ନୁହେଁ, ସହି ପାରୁନାହାଁନ୍ତି ଲୋକଗୁଡ଼ା । ଭାଗ୍ୟ ଖରାପ ପଡ଼ିଛି, କିଛି ନକରି ସବୁ କଥାରେ ଫସି ଯାଉଛି ମୋ' ଛୁଆଟା ।

ମାଆ କ'ଣ ସତରେ ପୁଅର ଏ ଦୁର୍ଗୁଣ ଗୁଡ଼ା ଜାଣେନି ? ନା, ଜାଣି ନଜାଣିବାର ବାହାନା କରୁଛି ! ପୁତ୍ର ସ୍ନେହରେ ଅନ୍ଧୁଣୀ !!

ସବୁ ଶୁଣେ ସମ୍ବିତ୍ । କେତେବେଳେ ଆଖି ଛଳଛଳ, ଆଉ କେତେବେଳେ କୋହ, ଅଭିମାନରେ ହୃଦୟ ଫାଟିଯିବା ପରି ଲାଗେ, କୋହ, ଲୁହ ଚାପିଦିଏ ଛାତିରେ ! କ'ଣବି କରିବ ବିଚରା...? ଗାଁଟା ସାରା ଲୋକ ତାକୁ ମୁଣ୍ଡରେ ବସେଇ ଆଦର କଲେ କଣହେବ, ନିଜ ଜନ୍ମକଲା ମାଆ ଆଖିରେତ ନିହାତି ଅଯୋଗ୍ୟ, ଅପଦାର୍ଥ, କୁଳାଙ୍ଗାରଟାଏ କେବଳ !

ବେକାରୀର ଅପବାଦ ମୁଣ୍ଡେଇ ଦିନକୁ ତିନିଟାଇମ୍ ଫାଲୁଆ ଗୁଣ୍ଡା ଗେଫୁଛି...! ଏଯାଏ ଚାକିରି ଖଣ୍ଡେ ଯୋଗାଡ଼ କରି ପାରିଲାନି । ଭାଇ, କେତେ ଜିନିଷ ଆଣିଦିଏ ବାପା, ମାଆଙ୍କ ଲାଗି । ମାଆ ଖୁସିରେ

ପାଖପଡ଼ିଶା,ଆଇଲା ଗଲାଙ୍କୁ ଦେଖାଇ ଗର୍ବରେ ଫାଟିପଡ଼େ ।

ପାଖଘର ରେଣୁ ମାଉସୀ କିନ୍ତୁ ସହି ପାରନ୍ତିନି ଏ କଥା ।

ପିଠି,ମୁଣ୍ଡରେ ହାତ ବୁଲାଇଆଣି କହନ୍ତି ରୁହ ଦେଖିବ, ସଂବିତ୍ ଆମର କେମିତି ତୁମକୁ ଗୋଡ଼ରୁ ମୁଣ୍ଡ ସୁନାରେ ଛାଇଦେବ, ଅପେକ୍ଷା କର । ସମୟ କ'ଣ ପଳେଇ ଯାଉଛି ! ସମ୍ବିତର ମୁହଁ ଶୁଖିଯାଏ, ଆଖିଲୁହକୁ ଲୁଚାଇବାକୁ ସେଠୁ ପଳାଏ । ଭାବେ,ଆଉ କେବେ ? ପାଠପଢ଼ା ସରିକି ଏତେ ବର୍ଷ ହେଇଗଲା, କେବେ ସେ ସମୟ ଆସିବ ତା' ପାଇଁ ? କାଚଚୁଡି ମୁଠେ କି ଟିକିଲି ପାକେଟଟିଏବି ଦେବାର ଶକ୍ତି ନାହିଁ ମାଆକୁ ? ଛୋଟରୁ ଛୋଟ କଥାପାଇଁ ମଧ୍ୟ ଘରେ ହାତ ପତେଇବାକୁ ପଡ଼ୁଛି ।

ମଝିରେ ମଝିରେ ସୁରଭି ତା' ପକେଟ୍ ରେ କିଛି କିଛି ଟଙ୍କା ଗୁଞ୍ଜିଦିଏ ଶତ ବାରଣ ସତ୍ତ୍ୱେ । ଦରମା ପାଇଲା ଦିନ, ନନା ଜିନିଷ ଆଣିଦିଏ । ଆପତ୍ତି କଲେ ଆଖି ନଚେଇ କହେ, ବାହାଘର ପରେ ସୁଧମୂଳ ସହିତ ଆଦାୟ କରିବିଯେ,ଖାଲି ଚାକିରୀଟା ହେଇଯାଉ । ତାକୁ କିନ୍ତୁ ଏସବୁ ଭଲ ଲାଗେନି । ତା' ପୌରୁଷତ୍ଵର ଅହଂକୁ ଖୁବ୍ ବାଧେ,ଧୀକ୍କାର କରେ ତା' ପାରିଲାପଣକୁ ! ସୁରଭି ଏବେ ଏମ୍. ଟେକ୍ ସାରି ଅଧ୍ୟାପିକା ହେଇଛି ଗୋଟେ ଇଞ୍ଜିନିୟରିଂ କଲେଜରେ । ଏକା ସାଙ୍ଗରେ ସାଙ୍ଗ ହୋଇ ପଢୁଥିଲେ ପିଲାବେଳୁ । ଦୀର୍ଘଦିନର ସମ୍ପର୍କ । ଏ ସହରର ପ୍ରତ୍ୟେକଟି ବସ୍ତୁରେ ସୁରଭିର ସ୍ମୁତି, ସୁରଭିର ବାସ୍ନା ....!! ଅନେକ ସ୍ୱପ୍ନ ଦେଖିଥିଲେ ଦୁହେଁ ମିଶି । ଇଞ୍ଜିନିୟରିଂ ଚାକିରି ନକରି ଆଇ. ଏ. ଏସ୍ ଟେ ହେବ ବୋଲି ଏଯାଏ ଲଢ଼େଇ ଜାରି ରଖିଛି ସମ୍ବିତ। ଅକ୍ଲାନ୍ତ ପରିଶ୍ରମ କରୁଛି ।

ବାପା ମଧ୍ୟ ଅନେକ ସମୟରେ ତା ପ୍ୟାଣ୍ଟ୍ କି ସାର୍ଟ ପକେଟରେ କିଛି ଟଙ୍କା ରଖିଦିଅନ୍ତି କେହି ନଜାଣିଲା ପରି । ସେଦିନ ସେ ଖୁବ୍ କାନ୍ଦେ ସେ ପଇସାକୁ ଛାତିରେ ଜାକି । ଟଙ୍କାକୁ ନାକରେ ଶୁଙ୍ଘି ବାପାଙ୍କ ଦେହ,ହାତର ବାସ୍ନା ବାରିବାକୁ ଚେଷ୍ଟା କରେ । ନା, ଏଥର ସେ ବାପାଙ୍କୁ ଆଉ କୌଣସି କଥା ପାଇଁ ପଇସାଟେବି ମାଗିବନାହିଁ ।

କେତେଟା କଲେଜ୍ ପିଲାଙ୍କୁ ଟ୍ୟୁସନ୍ କରି ନିଜ ଖର୍ଚ୍ଚ ନିଜେ ଉଠେଇଲା । ପ୍ରଥମ ରୋଜଗାର ପଇସାରେ ବାପାଙ୍କୁ ଖଣ୍ଡେ ସାର୍ଟ, ମାମା ପାଇଁ ଶାଢ଼ୀ ଖଣ୍ଡେ ଆଣି ଦେଇଥିଲା । ସୁରଭି ଚଏସ କରିଛି କହି, ଆଜିଯାଏ ମାମା ସେ ଶାଢ଼ୀ ପିନ୍ଧିନି । କିନ୍ତୁ ସେ ଠିକ୍ ଜାଣେ, କମ୍ ଦାମ୍ ର ଶାଢ଼ୀ ବୋଲି ମାଆକୁ ପସନ୍ଦ ଆସିନି । ବହୁତ କଷ୍ଟ ହୁଏ ଏକଥା ଭାବି । ମନଦୁଃଖରେ ଥରେ ବାପାଙ୍କୁ କହିବାରୁ, ବାପା ବୁଝେଇଦେଲେ ଯେ, ତୁ ମନ ଦେଇକି ପାଠ ପଢ଼ି ଚାକିରି କର୍, ସବୁ ଠିକ ହେଇଯିବ । ତୋ' ମାମା ଜାଣିକି ଏସବୁ କରୁଛି । କିନ୍ତୁ ସଂବିତ୍ ଲକ୍ଷ୍ୟ କରିଛି,ବାପା ଏକଥା କହିଲାବେଳେ ତାକୁ ପଛକୁ କରିଥିଲେ । ଆଉ ବାପା ଯେବେ ମିଛ କହନ୍ତି, କାହାକୁ ସାମ୍ନାକରି, ଆଖିରେ ଆଖି ମିଶେଇ କଥା କହି ପାରନ୍ତି ନାହିଁ । ବାପା କିନ୍ତୁ ବଡ଼ ଖୁସି ହେଇ ସଂଗେସଂଗେ ସାର୍ଟଟା ପିନ୍ଧି ବାଃ କି ସୁନ୍ଦର କହି ବଜାର୍ କୁ ଚାଲିଗଲେ ।

ଏ ଭିତରେ ପାଞ୍ଚବର୍ଷ ବିତିଗଲାଣି ।

ଅପେକ୍ଷା କରିକରି ସୁରଭିକୁ ବାଧ୍ୟ କଲା ସେ ତାକୁ ଛାଡ଼ି ଆଉ କାହାକୁ ବାହାହେଇ ଯିବାକୁ। କେତେ ଆଉ ମାଡ଼ଗାଳି ଖାଇ,ଅପମାନ ସହି ପରିବାର ସହିତ ଲଢ଼ି ଥାଆନ୍ତା ବିଚାରୀ !! ବିନା ଯୌତୁକ ରେ ବିଦେଶରେ ଚାକିରୀ କରୁଥିବା ରାଜକୁମାର ପରି ଡାକ୍ତର ଜୋଇଁ । କିଏବା ହାତ ଛଡ଼ା କରିବ !! ଇଣ୍ଟରଭ୍ୟୁ ଦେଇ ଦେଇ ଥକି ଗଲାଣି ସେ । ସ୍କଲାର୍ ଷ୍ଟଡେଣ୍ଟ୍ । ସବୁଥିରେ ଆଗୁଆ । ନାନା ସାର୍ଟିଫିକେଟରେ ଫାଇଲ୍ ଭର୍ତ୍ତି ।

ଅଥଚ ଭାଇକୁ ଦେଖ, ଜଷ୍ଟ୍ ପାସ୍ ମାର୍କ ରଖି ମଧ୍ୟ ଆମେରିକାନ୍ କମ୍ପାନୀରେ ମୋଟା ଦରମାରେ ଚାକିରୀ କରୁଛି । ଧୀରେ ଧୀରେ ନିଜ ଭାଗ୍ୟ ଏବଂ ପାରିଲାପଣ ଉପରୁ ତା'ର ଭରସା ତୁଟିବାକୁ ଲାଗିଲାଣି । ମାମା କହେ ଭାଇର ଭାଗ୍ୟ ଖରାପ । ଭାଗ୍ୟ କାହାର ଖରାପ...ତା'ର ନାଁ ଭାଇର ?? ମୁସଲିମ୍ ଝିଅକୁ ବାହା ହେବ ବୋଲି ମାମା ଜାଣି ମଧ୍ୟ ଭାଇର ପୂର୍ଣ୍ଣ ସପକ୍ଷରେ । ସେଥିରେ ପୁଣି ପ୍ରତି ଦିନ ନୂଆ ନୂଆ ଗାର୍ଲଫ୍ରେଣ୍ଡ୍ଙ୍କ ପିଛା ପାଣି ପରି ପଇସା ଉଡୋଉଛି । ସେ କଣ ଜାଣିନି, ଭାଇ କାହିଁକି ମାମାକୁ ହାତରେ ରଖଛି !

କେବଳ ଭୀଷଣ ସ୍ୱାଭିମାନୀ ଏବଂ କ୍ରୋଧୀ ମିଲିଟାରୀ ବାପାଙ୍କ କବଳରୁ ତାର କଳଙ୍କିତ ଅଧ୍ୟାୟ ସବୁକୁ ଘଣ୍ଟ ଘୋଡେଇ ରଖିବା ପାଇଁ । ମାମା ତା'ର ଢାଲ, ରକ୍ଷା କବଚ । ଭାଇ କ'ଣ ମାମାକୁ ତା' ଠାରୁ ବେଶୀ ଭଲପାଏ .....!!

ଥରେଥରେ ଭାବେ ମାମା କୁ ପଚାରିବକି, ମୋ ଭାଗ୍ୟ ପାଇଁ କଣ ମୁଁ ଦାୟୀ ? ପୁଣି ଭାବିଲା, ନା...ମାମା ତ କିଛି ଭୁଲ୍ କହୁନି ! ସବୁ ଜିନିଷ କଣ ସମସ୍ତଙ୍କ ଭାଗ୍ୟରେ ଥାଏ ?

ଚାକିରୀ ନ ପାଇବାର ଦୁଃଖଠୁ ସୁରଭିକୁ ନପାଇବାର ଦୁଃଖ ବଳି ଯାଇଥିଲା ସମ୍ବିତର । ଆଜିକାଲି ଖୁବ୍ ନିସଙ୍ଗ ସେ । ସମୟ ପାଇଲେ ଏକୁଟିଆ କାନ୍ଦିବା ପାଇଁ ଚାଲିଯାଏ ଷ୍ଟେସନ, ସେଇ ଟ୍ରେନ୍ ଯିବା ସମୟରେ, ଯେଉଁ ଟ୍ରେନରେ ସେ ସୁରଭିକୁ ଶେଷ ଥରପାଇଁ ବିଦାୟ ଦେଇଥିଲା । ପିଲାବେଳୁ ଦେଖି ଆସିଛି, ବଡ଼ ପୁଅ ବୋଲି ସବୁ କଥାରେ ବଡ଼ ଭାଗବି ଭାଇର ଥାଏ । ସମାନ ଭୁଲ୍ ପାଇଁ ଭାଇ ଓ ତା' ଭିତରେ ଦଣ୍ଡବି ସମାନ ନଥାଏ,ଖାଇବା ନାଇବାରେ ପକ୍ଷପାତ ପରି ।

ଟ୍ରେନ୍ ର ସିଟି ବାଜିଲା , ପକେଟରୁ ପର୍ସ କାଢ଼ି ପଇସା ଗଣିଲା ସମ୍ବିତ । ମାଆ, ବାପାଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ଚଢ଼ି ଗଲା ଟ୍ରେନ୍ ରେ, ନିଜ ଭାଗ୍ୟ କୁ ନେଇ....ଜାଣେନା ଗତି କୁଆଡ଼େ....????

* * *

◆ମହାପାତ୍ର ବି ସୁନନ୍ଦା

◆ ବାଙ୍ଗାଲୋର

◆ Gmail:- msunanda2018@gmail.com

ଡ୍ରେସ୍ ବୁଦ୍ଧିଆ କଳାକାଠ

Rate the content


Originality
Flow
Language
Cover design

Comments

Post

Some text some message..