Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
"କେତେ ଦୂରେ..... ଏ ଆକାଶ"
"କେତେ ଦୂରେ..... ଏ ଆକାଶ"
★★★★★

© Bijayini Panda

Inspirational

10 Minutes   14.2K    17


Content Ranking

ବିଜୟିନୀ ପଣ୍ଡା  

ହା !!!!!

କେତେ ଦୂରେ ...... ଏ ଆକାଶ । ମିଟ୍ ମିଟ୍ କରୁଥିବା ଅସଂଖ୍ୟ ତାରାମାନଙ୍କ ମଧ୍ୟରୁ ପ୍ରଶାନ୍ତର ଆଖି ଦୁଇଟା ଖୋଜୁଥିଲା ତାର ଅତି ପ୍ରିୟତମ ସେଇ ତାରା ଟିକୁ । ସତେ ଯେମିତି ସେଇ ପ୍ରତିକ୍ଷିତ ତାରା ଭିତରୁ ଉଜ୍ଜ୍ଵଳ କିରଣ ଟିଏ ବିକ୍ଷିପ୍ତ ହେଇ ଲୀନ ହେଇ ଯାଉଥିଲା ପ୍ରଶାନ୍ତ ର ହୃଦୟ ଭିତରେ । ହୃଦୟ ରୁ ସବୁ କୋଣ ଅନୁକୋଣ, ଶିରାପ୍ରଶିରା, ରକ୍ତ ମାଂସ, ସ୍ନାୟୁତନ୍ତ୍ରୀ ଆତୁର ଚିତ୍କାର କରିଉଠୁଥିଲେ । ସମଗ୍ର ଶରୀର କୋହ ଭରା ଆବେଗ ରେ ଥରି ଉଠୁଥିଲା କେବଳ ଗୋଟିଏ ଥର ର ସ୍ପର୍ଶ ପାଇଁ, ଠିକ ଯେମିତି ପୃଥିବୀ ଅପେକ୍ଷ୍ୟାରତ ଥାଏ ତାର ପ୍ରିୟତମ ଆକାଶ ର ଆଲିଙ୍ଗନ ପାଇଁ । “ପୃଥିବୀ ଓ ଆକାଶ“ ଯେଉଁଠି ହେଲେ ବି ଦିଗନ୍ତ ର ଅନ୍ତ ଥିବ ? ଆଉ ପୃଥିବୀ ଓ ଆକାଶ ଯେଉଁଠିହେଲେ ବି ଏକାକାର ହଉଥିବେ, କିନ୍ତୁ ପ୍ରଶାନ୍ତ ର ଜୀବନ ରେ ଏହା କଣ ସମ୍ଭବ ? ନାଁ ତ ପ୍ରଶାନ୍ତ ର ଅନ୍ତ ହେବ, ତା‘ର ନିଜ ଇଚ୍ଛାରେ, ଆଉ ଆକାଶ ରୁ ତାରା ଫୁଲ ଅପେକ୍ଷା କରିଥିବ ପ୍ରଶାନ୍ତ ର ଆଲିଙ୍ଗନ ପାଇଁ । ପାଇବା ଭିତରେ ହରେଇବାର ଯେଉଁ ଅତୃପ୍ତ ଯନ୍ତ୍ରଣା !!!!!! 

ଓଃ ............

     କେତେବେଳେ ଟେରେସ୍ ର ଲୁହା ଦୋଳି ଉପରେ ବସି ବସି ପ୍ରଶାନ୍ତ ର ନିଦ ଲାଗି ଯାଇଛି ସେ ନିଜେ ବି ଜାଣିନି । ହଠାତ୍ ମୋବାଇଲର ରିଙ୍ଗ ଶୁଣି ଚମକି ଉଠିଲା ସେ । ଦେଖିଲା ରାତି ୪ ଟା । ଅପୋଲୋ ହସ୍ପିଟାଲର କେଜୁଆଳିଟି ବିଭାଗ ରୁ ଫୋନ ଆସିଥିଲା ଡାଃ ପ୍ରଶାନ୍ତ ତ୍ରିପାଠୀ, କାର୍ଡିଓଲଜିଷ୍ଟ ଙ୍କ ପାଖକୁ । 

    ଡାଃ ପ୍ରଶାନ୍ତ ତ୍ରିପାଠୀ ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲ ର ନାଁ କରା MD ଏବଂ ବରିଷ୍ଠ ହୃଦରୋଗ ବିଶେଷଜ୍ଞ । ଶହ ଶହ ହୃଦରୋଗୀ ଙ୍କର ଶେଷ ଆଶା ଭରସା । ହଜାର ହଜାର ରକ୍ତ ମାଂସ ର ହୃଦୟ କୁ ଚିରିଫାଡି ପୁଣି ସିଲେଇ କରି ନୂତନ ଜୀବନ ଦାନ କରୁଥିବା ଭଗବାନଙ୍କ ପ୍ରତିଛବି ପରି ସେ । ଭାରତ ର ଅନେକ ରାଜ୍ୟ ରୁ ଜଟିଳ ହୃଦରୋଗୀ ମାନଙ୍କୁ ଶେଷ ଆଶା ସ୍ୱରୂପ ପଠେଇଥାନ୍ତି ଅପୋଲୋ ହାଇଦରାବାଦ କୁ କେବଳ ପ୍ରଶାନ୍ତ ପରି ଦକ୍ଷ ଡାକ୍ତର ଅଛନ୍ତି ବୋଲି । 

   ଫୋନ ପାଇବା ମାତ୍ରେ ବାହାରିପଡିଲା ପ୍ରଶାନ୍ତ । ରାତିର ଅଧାଖୋଲା ସାର୍ଟ ଆଉ ଟାଇ ଟିକୁ ସଳଖେଇ ଦେଇ ଆଖି ମଳ ମଳ କରି କିଛି ପାଣି ଛୀଂଚିଲା ପରେ ସେ ଟିକିଏ ସତେଜ ଅନୁଭବ କଲା । ତା ପରେ ପୁଣି ବାହାରି ପଡିଲା ପୁଣି ନିଜ କର୍ମସ୍ଥଳୀ କୁ । ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରେ ପ୍ରଶାନ୍ତ । "ମାନବ ସେବା ହି ଜୀବନ ର ପରମ ଧର୍ମ“ କୁ ମନେ ମନେ ଅନୁଭବ କରେ ସିଏ । ଆଉ ସ୍ମୃତି ପଟ କୁ ବାରମ୍ବାର ପ୍ରତ୍ୟେକ ମୁହୂର୍ତ ରେ ଆପେ ଆପେ ଆସିଯାଉଥାଏ “ସ୍ମିତା“ ର ଚେହେରା, ମନେ ପଡିଯାଏ ସ୍ମିତା ଆଗରେ କରିଥିବା ପ୍ରତିଜ୍ଞା । 

ହସ୍ପିଟାଲ ରେ ପହଞ୍ଚିବା ପରେ OT ରେ ଯେଉଁ ପେସେଣ୍ଟ କୁ ଭେଣ୍ଟିଲେଟର ସହ ଆବିଷ୍କାର କରିଥିଲା ପ୍ରଶାନ୍ତ, ତାକୁ ଦେଖିବା ମାତ୍ରେ ଛାତି ଯେପରି ଫାଟିଗଲା ତା'ର, ଭୁଇଁ ତଳୁ ମାଟି ଗୁଡାକ ଖସି ଯାଉଥିଲେ ଯେମିତି, ଆଉ ସମଗ୍ର ମାଂସାଳ ଦେହ ରୁ ଚିଲ, ଶାଗୁଣା ଯେପରି ମାଂସ ଗୁଡିକ ଟାଣି ଓଟାରି ଖାଇ ଯାଉଥିଲେ । ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିଲା ସେ । ଏ ସମୟ ରେ ଆଉ ଜଣେ ସର୍ଜନ ପଚାରିଲେ , “ଆର ଇଊ OK ଡାଃ ତ୍ରିପାଠୀ ?“ 

  “OK” କହିଲା ପ୍ରଶାନ୍ତ । “ଆଇ ଉଇଲ କମ ବେକ, ଜଷ୍ଟ ଏ ମିନିଟ“ କହି ଟିକେ ବାହାରକୁ ଚାଲି ଆସିଲା । ବାହାରେ ଯୀଶୁ ଙ୍କ ହସ ହସ ପ୍ରତିମୂର୍ତି ଲକ୍ଷ୍ୟ କଲା ସେ । ସାହାସ୍ୟ ବଦନ ରେ ଯୀଶୁ ଯେମିତି ତାକୁ ଆଦେଶ ଦଉଥିଲେ ଆଗକୁ ବଢିବା ପାଇଁ । ଖୋଲା ଆକାଶ କୁ ଟିକେ ଚାହିଁଲା । ଦେଖିଲା ପାହାନ୍ତି ତାରା ମାନେ ଏ ପର୍ଯ୍ୟନ୍ତ ମଳିନ ପଡି ନାହାନ୍ତି । ଆଉ ସେ ଭିତରୁ ସେ' ଉଜ୍ଜ୍ଵଳ ତାରା ଟି ହାତଠାରି ପ୍ରଶାନ୍ତ କୁ ନିଜର ଜୀବନ ସଂଗ୍ରାମ ରେ ଆଗେଇ ଯିବାର ନିର୍ଦେଶ ଦଉଛି । ଅନେକ ଗୁଡିଏ ଅସମାହିତ ପ୍ରଶ୍ନ ର ଉତ୍ତର ପାଇଗଲା ପ୍ରଶାନ୍ତ । ପୁଣି ମୁହଁ ଘୁରେଇ OT ଆଡକୁ ଅଗ୍ରସର ହେଲା । 

ଯେଉଁ ପେସେଣ୍ଟ ଟି ଶଯ୍ୟାଶାୟୀ, ମୃତ୍ୟୁ ର ଅପେକ୍ଷ୍ୟା ରେ...... ତାର ଜୀବନ ଡୋରି ବର୍ତମାନ ପ୍ରଶାନ୍ତ ହାତ ରେ । ସେ ଚାହିଁଲେ ଲୋକଟିକୁ ଶାସ୍ତି ଦେଇ ପାରିବ, ଚାହିଲେ ତାର ଜୀବନ ବଞ୍ଚେଇ ପାରିବ । ହେଲେ ନିଜର ବିବେକ, ମସ୍ତିଷ୍କ, ଭଗବାନ ଏବଂ ଶେଷ ରେ ସ୍ମିତା ବି ପ୍ରଶାନ୍ତ ର ପଥ ଅବରୋଧ କରୁଥିଲେ । ନିଜକୁ ନିଜେ ଶକ୍ତ କଲା ପ୍ରଶାନ୍ତ ଏବଂ ପାଦ ତାର ଆଗକୁ ବଢିଲା । 

ଶଯ୍ୟାଶାୟୀ ଲୋକର ହୃଦୟ କୁ ଯାଇଥିବା ଚାରିଗୋଟି ଧମନୀ ରୁ ତିନୋଟି ଧମନୀ ରୁଦ୍ଧ ହେଇଯାଇଥିଲା । କେବଳ ଗୋଟିଏ ଧମନୀ ରେ ଜୀବନ ଟା ତାର ଅଟକି ଯାଇଥିଲା । ଓପନ ହାର୍ଟ ସର୍ଜରୀ କରିବା ପାଇଁ ଦୀର୍ଘ ୫ ଘଣ୍ଟା ସମୟ ଲାଗିଥିଲା ଦକ୍ଷ ଡାକ୍ତର ପ୍ରଶାନ୍ତ ତ୍ରିପାଠୀ ଙ୍କୁ । ଅନ୍ୟ ଡାକ୍ତର ମାନେ ଯେତେବେଳେ ଲୋକଟିର ବଞ୍ଚିବା ଆଶା କ୍ଷୀଣ ଭାବୁଥିଲେ, ନିଜର ଗଭୀର ପ୍ରଚେଷ୍ଟା ଓ କର୍ତବ୍ୟନିଷ୍ଠା ବଳରେ ପ୍ରଶାନ୍ତ ନିଜକୁ ନିଜେ ସଫଳ ସିଦ୍ଧହସ୍ତ ପ୍ରତିପାଦନ କରି ପାରିଥିଲା । ଅପରେସନ ଥିଏଟର ରୁ ବାହାରିବା ପରେ ଅନ୍ୟ ସହଯୋଗୀ ମାନେ କରମର୍ଦନ କରିବା ସହ ଏକ ସଫଳ ଅପରେସନ ର ସମସ୍ତ ଶ୍ରେୟ ଦଉଥିଲେ ଡାଃ ପ୍ରଶାନ୍ତ କୁ । 

କିଛି ସମୟ ପରେ ପ୍ରଶାନ୍ତ ଫେରି ଆସିଲା ଘର କୁ । ରୁମ ଟି ଚାରିଆଡେ ଖାଁ ଖାଁ ଲାଗୁଥିଲା । ଜଗ ରୁ ପାଣି ଗ୍ଳାସ ଟିଏ ଢାଳି ପିଇବା ପରେ କଚାଡି ହେଇ ବସିପଡିଲା ପ୍ରଶାନ୍ତ । ବେକ ରୁ ଟାଇ ଟିକୁ ଟିକିଏ ଢିଲା କଲାପରେ ଦୀର୍ଘଶ୍ଵାସ ଟିଏ ନେଲା । ନିସଙ୍ଗ ଜୀବନ ଜିଊଁଥିବା ପ୍ରଶାନ୍ତ କେତେ ଯେ ଲୋକଙ୍କ ହୃଦୟ ଯୋଡୁଥିବା ବେଳେ ନିଜେ ଏକ ଭଙ୍ଗା ହୃଦୟ ନେଇ ବଞ୍ଚିଛି !!!!!!!! ହଁ ତାକୁ ବଞ୍ଚିବାକୁ ହେବ ଆହୁରି ଆଗକୁ ।  

ବେଡରୁମରେ ଟଙ୍ଗା ହେଇଥିବା ସ୍ମିତା ର ଫଟୋ ଆଗରେ ଅନେକ ବେଳ ଛିଡା ହେଲା ପ୍ରଶାନ୍ତ । ଗୋରା ତକ୍ ତକ୍ ଚମ୍ପାଫୁଲିଆ ଚେହେରାରେ ଗୋଲାପି ଓଠ ର ସ୍ମିତ ହାସ୍ୟ ଖୁବ ମଧୁର ଲାଗେ ପ୍ରଶାନ୍ତକୁ । ସ୍ମିତା ଥିଲା ଉଚ୍ଚ ଶିକ୍ଷୀତା । ବିଦ୍ୟା ବୁଦ୍ଧି ରେ ପ୍ରବୀଣା । ତା ଭଳି ବିଦୁଷୀ ନାରୀ କୁ ପତ୍ନୀ ରୂପରେ ପାଇ ପ୍ରଶାନ୍ତ ଗର୍ବିତ ଥିଲା । ସ୍ମିତା ସହିତ ପ୍ରେମ ବିବାହ କରିଥିଲା ପ୍ରଶାନ୍ତ । ପ୍ରଥମ ପରିଚୟ ହୁଏ ଫେସବୁକ ରେ । ତାପରେ ଫ୍ରେଣ୍ଡ, ତାପରେ ମେସେଜିଙ୍ଗ, ଚାଟିଙ୍ଗ ଓ ପରେ ଘଣ୍ଟା ଘଣ୍ଟା ଫୋନ ରେ କଥାବାର୍ତା । ସ୍ମିତା ଓ ପ୍ରଶାନ୍ତ ଆସ୍ତେ ଆସ୍ତେ ପ୍ରେମ ର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରୁଥିଲେ । ତା ପରେ ନିଷ୍ପତ୍ତି ନେଲେ ସାକ୍ଷାତ କରିବାର । ପ୍ରଥମ ଦେଖା ରେ ପରସ୍ପର ଭିତରେ ଏକ “ଅନ୍ତରଙ୍ଗତା“ ସ୍ଥାପନ ହେଇଯାଇଥିଲା । ଦୁହେଁ ଜୀବନ ସାରା ପବିତ୍ର ବନ୍ଧନ ରେ ବାନ୍ଧି ହେବାର ସଂକଳ୍ପ ନେଇଯାଇଥିଲେ । ହେଲେ ତା ଆଗରୁ ପ୍ରଶାନ୍ତ ସ୍ମିତା ଆଗରେ ଏକ ସର୍ତ୍ତ ରଖିଥିଲା ଯେ – ଯେହେତୁ ସେ ଦୁହେଁ ଉଚ୍ଚଶିକ୍ଷୀତ, ପ୍ରଥମେ ନିଜ ଜୀବନ ର ଲକ୍ଷ୍ୟ କୁ ହାସଲ କରିବେ । 

   ପ୍ରଶାନ୍ତ ସେତେବେଳେ ଏମବିବିଏସ ସାରି PG କରୁଥାଏ ମେଡ଼ିସିନ ବିଭାଗ ରେ ସୁଦୂର ବାଙ୍ଗାଲୋର ସହର ରେ । ଆଉ ସ୍ମିତା, ସେ ମଧ୍ୟ ଥାଏ କଲିକତା ର ଏକ ସହର ରେ ଏକ ନାମୀ କମ୍ପାନୀ ରେ ଏସିଷ୍ଟାଣ୍ଟ ମେନେଜର । ବିବାହ କେବଳ ଦୁଇ ଜଣଙ୍କ ପାଇଁ ଏକ ଚୁକ୍ତି ଥିଲା ସାମୟିକ ଭାବରେ, ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ । ପ୍ରଶାନ୍ତ ର ଲକ୍ଷ୍ୟ ଥିଲା ଯେ ସେ PG ସାରିବା ପରେ କାର୍ଡିଓଲଜି ବିଭାଗ ରେ ସ୍ପେଶିଆଲାଇଜେସନ କରିବ । ଆଗାମୀ ଭବିଷ୍ୟତ ରେ ସେ ସ୍ଵନାମଧନ୍ୟ ହୃଦରୋଗ ବିଶେଷଜ୍ଞ ହେବ । ଆଉ ସେଥିପାଇଁ ତାକୁ ଲୋଡା ସ୍ମିତା ର ପ୍ରୋତ୍ସାହନ । କାରଣ ସଫଳ ପୁରୁଷ ର ପ୍ରଚ୍ଛଦରେ ରହିଥାଏ ଏକ ନାରୀ ର ଭୂମିକା । ସ୍ମିତା ବି କଥା ଦେଇଥିଲା ଯେ ପର୍ଯ୍ୟନ୍ତ ପ୍ରଶାନ୍ତ ନିଜର ଲକ୍ଷ୍ୟ ସ୍ଥଳ ରେ ନ ପହଞ୍ଚିଛି, ସେ ପର୍ଯ୍ୟନ୍ତ କିଛି ବି ଅଭିଳାଷ ରଖିବନି ସେ ନିଜ ସ୍ଵାମୀ ଉପରେ । 

କିଛି ଦିନ ପରେ **********

   ଲକ୍ଷ୍ୟ ହାସଲ ପଥ ରେ ଉଭୟେ ଗତି କରୁ କରୁ କିନ୍ତୁ ବୈବାହିକ ସମ୍ପର୍କ ଭିତରେ ଟିକିଏ ଟିକିଏ ଫାଟ ସୃଷ୍ଟି ହେଇ ବସିଲା । ଦୂରତା ବି ବଢି ବଢି ଚାଲିଲା । ଚାରା ଗଛ ଟିଏ ବଢେ ନିୟମିତ ସାର ଓ ପାଣି ଦେଲେ । ନୂଆ ନୂଆ ସମ୍ପର୍କ ମଧ୍ୟ ସେହିପରି ବଢେ ନିୟମିତ ଭେଟା ଭେଟି ରେ । ପ୍ରଥମେ ପ୍ରଥମେ ନିୟମିତ ଫୋନରେ କଥାବାର୍ତା ଚାଲୁଥିଲା । ପ୍ରତ୍ୟେକ ଛୁଟି ସେମାନେ ଏକା ସାଙ୍ଗ ରେ ଉପଭୋଗ କରୁଥିଲେ । ଫ୍ଲାଇଟ ରେ କଲିକତା ରୁ ବାଙ୍ଗାଲୋର ଦୁଇ ତିନି ଘଣ୍ଟା ର ରାସ୍ତା । କିନ୍ତୁ କାର୍ଡିଓଲୋଜି ପଢିବା ସମୟ ରେ ପ୍ରଶାନ୍ତ ପକ୍ଷରେ ସେସବୁ ଆଉ ସମ୍ଭବ ହେଇପାରିଲାନି । 

  ଏମିତି ବହୁ ଦିନ ର ବ୍ୟବଧାନ ପରେ ହଠାତ ଦିନେ ପ୍ରଶାନ୍ତ ପାଖରେ ପହଞ୍ଚିଲା ସ୍ମିତା । ସ୍ମିତା ର ଆବିର୍ଭାବ ଦେଖି ପ୍ରଶାନ୍ତ ର ଖୁସି ର ସୀମା ରହିଲା ନାହିଁ । ଏତେ ପାଖରେ ପ୍ରଶାନ୍ତ କୁ ପାଇ ଆଉ ହରେଇବା ପାଇଁ ଚାହୁଁ ନଥିଲା ସ୍ମିତା । ପ୍ରତିଦିନ ନୂଆ ହାତରନ୍ଧା ପ୍ରଶାନ୍ତକୁ ଖୁଆଏ । ଖୁବଯତ୍ନ ନିଏ । ହେଲେ ପ୍ରଶାନ୍ତ ନିଜ କେରିଅର କୁ ନେଇ ଏତେ ବ୍ୟସ୍ତ ଯେ ପ୍ରାୟ କେବେ କେବେ ଗୋଟିଏ ଘଣ୍ଟା ପାଇଁ ଘର କୁ ଆସେ ଆଉ ନ ଖାଇ ଚାଲିଯାଏ । ବଡ ସରଗ ରେ ବାଢି ଦେଇଥିବା ବ୍ୟଞ୍ଜନ ସବୁ କୁ ପ୍ରଶାନ୍ତ ଅଣଦେଖା କରେ । ଏମିତି ଥରେ ପ୍ରଶାନ୍ତ ବ୍ୟସ୍ତତା ଯୋଗୁଁ ରାତିରେ ଘର କୁ ଫେରି ପାରିଲାନି ।

   ସକାଳୁ "ଘର କୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡା ହେଇଗଲା ସ୍ମିତା । ମୁହଁ ଲାଲ ଦେଖା ଯାଉଥିଲା । “କେଉଁଠି ଥିଲ ଏତେବେଳ ଯାଏ ? ଏଇଟା ଘର ନା ଆଉ କିଛି ? ତମର ଯେବେ ଇଚ୍ଛା ହେବ ଆସିବ ଆଉ ଯିବ ? ଆଉ କାହା ପ୍ରତି ତମର ଦାୟିତ୍ଵ ଅଛି ବୋଲି ଜାଣିଛ ନା ନାହିଁ ? ପିନ୍ଧିଥିବା ସାର୍ଟ କୁ ଖୋଲି ଦେଇ ସ୍ମିତା କୁ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ । ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ ପ୍ରଶାନ୍ତ କହିଲା, “ମୋତେ ଭୋକ ଲାଗିଲାଣି, ଜଳଦି ଖାଇବାକୁ ବାଢ ।" 

ସ୍ମିତା ଅବାକ୍ ହେଇ ଚାହିଁ ରହିଥିଲା । କି ଅଦ୍ଭୁତ ମଣିଷ ଇୟେ ? ବିରକ୍ତ ହେଇ ଗାଳି କରିଲେ ବି କିଛି ଫରକ ପଡୁନି ? ନା, ଆଜି ଯାହା ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡିବ । ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା ।" ହେଲେ କଣ ହେବ, ପରବର୍ତୀ ମୁହୂର୍ତ ରେ ପ୍ରଶାନ୍ତ ର କ୍ଳେଦାକ୍ତ ଚେହେରା ଦେଖି ସ୍ମିତା ର ନାରୀ ହୃଦୟ ତରଳି ଗଲା । ଖାଇବା ଆଣି ଟେବୁଲ ରେ ରଖିଲା ପରେ ଖୁବ ଗେଲହା କରି ପ୍ରଶାନ୍ତ କୁ ଖୁଆଇଦେଲା ।

ସ୍ମିତା ଘରକୁ ଆସିବା ପରଠାରୁ ସବୁ ଯେମିତି ତାର ଦେହସୁହା ହେଇ ଗଲାଣି । ପ୍ରଶାନ୍ତ ଏତେ ବ୍ୟସ୍ତତା ଭିତରେ ବୁଡିରହେ ଯେ, ସ୍ମିତା ସହ ଦୁଖ ସୁଖ ହେବାପାଇଁ ତାର ସମୟ ନ ଥାଏ । ନୂଆ ସହର କୁ ବୁଲେଇ ନେବା ତ ଦୂରର କଥା କେବେ ତାର ମନକଥା ବି ପଚାରି ବୁଝେନି । ସ୍ମିତା ଏତେ ଦୂର ରୁ ଦଉଡି ଆସିଥିଲା, ପ୍ରଶାନ୍ତ ର ଟିକିଏ ସାନିଧ୍ୟ ପାଇଁ, ନିଜର ଦେହ ଓ ମନର ଭୋକ କୁ ଅବଦମିତ କରିବା ପାଇଁ । ସେ ଉଚ୍ଚ ଶିକ୍ଷୀତା ହେଲେ ବି ଗୋଟିଏ ନାରୀ । ପ୍ରଶାନ୍ତ ଛଡା ଏସବୁ ସେ କାହା ଆଗରେ ବ୍ୟକ୍ତ କରିବ ??? କେବେ ଖାଇବା ଟେବୁଲ ରେ ଶୋଇଯାଏ ପ୍ରଶାନ୍ତ, ତ ଆଉ କେବେ ସ୍ମିତା ର କଥା ଆରମ୍ଭ ନ ହଉଣୁ ତା କୋଳ ରେ ମୁଣ୍ଡ ରଖି ଶୋଇଯାଏ । 

ସେଦିନ ରାତିରେ ବିଳମ୍ବ ରେ ଫେରିଥିଲା ପ୍ରଶାନ୍ତ । କିଛି ଗୋଟିଏ ସିରିଅସ କେସ ଥିଲା । ପୁଣି ୪ ଟା ରୁ ହସ୍ପିଟାଲ ଯିବା ପାଇଁ ଉଠିବା ବେଳେ ସେହି ଦିନଟାକୁ ମନେ ପକେଇ ଦେଇଥିଲା ସ୍ମିତା । ସେଦିନ ଥିଲା ସେ ଦୁହିଙ୍କର ‘ବିବାହ ବାର୍ଷିକୀ‘। ସ୍ମିତା କିଛି ଆଉ କହିବା ପୂର୍ବରୁ ପ୍ରଶାନ୍ତ କହିଲା ଆଜି ଦିନ ଟି ସେ ସ୍ପେଶିଆଲି ସ୍ମିତା ପାଖରେ ରହିବ । ପାଖରେ ହିଁ କଟେଇବ । ଦିନବେଳେ ଦୁହେଁ ମିଶି ଘରେ ସେଲିବ୍ରେଟ କରିବେ ଆଉ ରାତିରେ ପ୍ରଶାନ୍ତ ସ୍ମିତା କୁ ନେଇକି ଯିବ ଏକ ଷ୍ଟାର ରେଷ୍ଟୁରେଣ୍ଟ କୁ ଡିନର ପାଇଁ । ଅଳ୍ପ ସମୟ ଭିତରେ ଫେରି ଆସିବାର ପ୍ରତିଶ୍ରୁତି ଦେଇ ପ୍ରଶାନ୍ତ ଚାଲିଗଲା । 

ପ୍ରଶାନ୍ତ ଚାଲିଗଲା ପରେ ସ୍ମିତା ବ୍ୟସ୍ତ ରହିଲା ଘର କାମ ରେ । ଆଜି ସେ ଖୁବ ସୁନ୍ଦର ଭାବରେ ଘର ସଜାଡିବ । ସ୍ପେଶିଆଲ ଡେ ରେ କିଛି ସ୍ପେଶିଅଲ କରିବାକୁ ଯୋଜନା କଲା । କିଛି ସମୟ ପରେ ବଜାର ବାହାରିଲା । ବଜାର ରୁ ଏକ ବଡ କେକ, କେଣ୍ଡଲ, ପ୍ରଶାନ୍ତ ର ମନପସନ୍ଦ ମିଠା ସହିତ ନିଜ ଜୀବନ ସାଥି ପାଇଁ କିଛି ଗିଫ୍ଟ ବି ନେଇକି ଆସିଲା । 

ଫେରିବା ପରେ ଖୁବ ସୁନ୍ଦର ଭାବେ ସଜେଇଲା ସ୍ମିତା । ବିବାହ ଦିନର ସେଇ ଲାଲ ଶାଢୀ, ଚୁଡି, ମଥା ରେ ସିନ୍ଦୁର, ଆଖିରେ କଜ୍ଜଳ ଆଉ ଗଭା ରେ ଫୁଲ ଗଜରା ଲଗେଇ ବଧୁବେଶେ ପ୍ରତୀକ୍ଷା କରିଥିଲା ପ୍ରଶାନ୍ତକୁ । ହେଲେ ଘଣ୍ଟା ର କଣ୍ଟା ଅତି କ୍ଷୀପ୍ର ଭାବରେ ଗତି କରିଚାଲିଛି, ପ୍ରଶାନ୍ତର ଦେଖା ନାହିଁ । ଲଞ୍ଚ ସମୟ ଯାଇ ଡିନର ର ସମୟ ହେଲାଣି ହେଲେ ପ୍ରଶାନ୍ତ ..... ତଥାପି ସ୍ମିତା ଅପେକ୍ଷା କରିଛି, ପ୍ରଶାନ୍ତର ଆସିବା ବାଟକୁ । ସ୍ମିତା ଯେ ସବୁଦିନ ପାଇଁ ଚାକିରି ରୁ ଇସ୍ତଫା ଦେଇ ଚାଲିଆସିଛି, ଏକଥା ଜଣାଇବ ଆଜି । 

 ଆସ୍ତେ ଆସ୍ତେ ସ୍ମିତା ର ଗଭା ରୁ ଗଜରା ସବୁ ମଉଳି ଯାଉଥିଲେ, ଓଠର ଲିପଷ୍ଟିକ ଶୁଖିଯାଉଥିଲା ହାତର ଚୁଡି ସବୁ ଶବ୍ଦ କରି ଯେପରି ସ୍ମିତା କୁ ଖତେଇ ହଉଥିଲେ । ନିଜର ନାରୀତ୍ଵ କୁ ଧିକ୍କାର କରୁଥିଲା ସ୍ମିତା । ପ୍ରଶାନ୍ତର ଜୀବନ ରେ ଯେ ତାର କୌଣସି ସ୍ଥାନ ନାହିଁ, ଏକଥା ମନେ ମନେ ସେ ଅନୁଭବ କରୁଥିଲା । ଯେଉଁ ବେଦନାଶିକ୍ତ ହୃଦୟ ରେ ସେ କଲିକତା ରୁ ଦଉଡିଆସିଥିଲା ହାଇଦ୍ରାବାଦ, ପ୍ରଶାନ୍ତ କୁ କିଛି କହିବା ପାଇଁ, ସେଇଟା ଅକୁହା ହେଇ ରହିଗଲା ।   

ଆଲମାରି ଖୋଲିଲା ସ୍ମିତା । ବହୁତ ପ୍ରକାର ର ସାମ୍ପୁଲ ଔଷଧ ରଖା ଯାଇଥିଲା ଆଲମାରି ରେ । ହଠାତ ଆଖି ପଡିଗଲା ତାର ନିଦ ବଟିକା ଉପରେ । ଆଉ ଆଗପଛ ବିଚାର ନ କରି ସେ ଏକ ନିଶ୍ଵାସ ରେ ସବୁ ଖାଇଦେଲା । ତାପରେ ଖଣ୍ଡିଏ ପେପର ରେ ଲେଖିଲା, 

 “ପୂଜ୍ୟସ୍ପଦ,

 ତୁମ ବିନା ବଞ୍ଚିବା କଷ୍ଟକର । 

ଅନେକ ଅକୁହା ମନରେ ହିଁ ରହିଗଲା । 

ତୁମେ ତୁମ କର୍ତବ୍ୟ ପଥ ରେ ଆଗେଇ ଚାଲ । ତୁମର ଉନ୍ନତି ପଥ ରେ ମୁଁ ବାଧା ହେଇ ରହିବି ନାହିଁ । 

"ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ।" 

ଦୀର୍ଘ ସମୟ ପରେ ଘରକୁ ଫେରିଲା ପ୍ରଶାନ୍ତ । ସ୍ମିତା ପାଇଁ ଆଣିଥିବା ଉପହାର, ଡାଇମଣ୍ଡ ରିଙ୍ଗ ଆଉ ଲାଲ ଗୋଲାପ ସରାଗରେ ଗ୍ରହଣ କରିବା ପାଇଁ ଆଉ ସ୍ମିତା ନ ଥିଲା । ବହୁତ ଡେରି ହେଇଯାଇଥିଲା । 

----------------------------------

କିଛି ଦିନ ପରେ ପ୍ରଶାନ୍ତ ପହଞ୍ଚିଲା କଲିକତାରେ, ସ୍ମିତାର ସହଯୋଗୀ ନେହା କୁ ଭେଟିବା ପାଇଁ । ତା ପକ୍ଷରୁ ସ୍ମିତା ବିଷୟ ରେ ସବୁ ଶୁଣିଲା ପ୍ରଶାନ୍ତ । ଅନୁତାପ ରେ ସଢି ଯାଉଥିଲା ସେ । ନେହା କହିଲା “ସ୍ମିତା କମ୍ପାନୀ ର ଉଚ୍ଚପଦସ୍ଥ ଡିନ ଙ୍କ ଠାରୁ ମାନସିକ ନିର୍ଯ୍ୟାତନା ରେ ତ୍ରସ୍ତ ଥିଲା । ଡିନ ଙ୍କ ଆଖି ସଦାବେଳେ ସ୍ମିତା ର ସୌନ୍ଦର୍ଯ୍ୟ ଉପରେ । ସେ କିଛି ଗୋଟାଏ ପ୍ରପୋଜ କରିଥିଲା ସ୍ମିତା କୁ । ଯେତେବେଳେ ସ୍ମିତା ସେସବୁ ପ୍ରତ୍ୟାଖ୍ୟାନ କଲା, ଜବରଦସ୍ତି ତାକୁ ଓଭରଟାଇମ କାମ ଦିଆ ଯାଉଥିଲା । ରବିବାର ଦିନ ମଧ୍ୟ ଡିଉଟିି କୁ ଡକା ଯାଉଥିଲା । ଏଣୁ ସ୍ମିତା ସହି ନ ପାରି ଆପଣଙ୍କ ପାଖକୁ ଚାଲି ଯାଇଥିଲା ।"  

ପ୍ରଶାନ୍ତର ମୁଣ୍ଡଟା ଗୋଳମାଳ ହେଇଯାଉଥିଲା । ନେହା ର ଅନୁରୋଧ କ୍ରମେ ଡିନ କୁ ଦେଖା କଲା, କିଛି ସ୍ମିତା ବିଷୟ ରେ ପଚାରିବାକୁ । ହେଲେ ଲୋକଟିର ମୁହଁ କୁ ଚାହିଲା ପରେ ଆଉ କିଛି ପଚାରିପାରିଲାନି । ନୀରବ ରେ ଚାଲି ଆସିଲା । ଯାହା ପାଇଁ ସ୍ମିତା ର ଜୀବନ ଗଲା ତା ସାଥିରେ ଆଉ କି ବାକ୍ୟ ବିନିମୟ ??? 

ସ୍ମିତା ର ମୃତ୍ୟୁ ପାଇଁ ତଥାପି ଦାୟୀ କରୁଥିଲା ସେ ଲୋକ ଟାକୁ । 

ଆଜି ଏତେଦିନ ପରେ ସେଇ କ୍ରୂ ବ୍ୟକ୍ତିତ୍ବର ଜୀବନ ବଞ୍ଚେଇ ନିଜକୁ ଗର୍ବିତ କରୁଥିଲା ପ୍ରଶାନ୍ତ । ଯା’ ପାଇଁ ସ୍ମିତା ର ଜୀବନ ଚାଲିଗଲା ଆଜି ସେ ବ୍ୟକ୍ତି ପାଇଁ ସ୍ମିତା ପ୍ରେରଣା ଦାୟିନୀ ହେଇ ପ୍ରଶାନ୍ତର ଅନ୍ତରାତ୍ମା କୁ ବାଧ୍ୟ କରିଥିଲା ଲୋକଟିକୁ ଜୀବନ ଦାନ କରିବା ପାଇଁ !!!!! ଆଖିର ଲୁହ ପୋଛୁ ପୋଛୁ ଟେରେସ କୁ ବାହାରିଲା ପ୍ରଶାନ୍ତ । ସଞ୍ଜ ନଇଁ ଯାଇଥିଲା । ଆକାଶ ରେ ସେଇ ତାରା ମାନଙ୍କ ଗହଣ ରେ ସେ ଉଜ୍ଜ୍ଵଳ ତାରକା ଟି ପୁଣି ଚିଳ୍ ଚିକ୍ କରୁଥିଲା । ପ୍ରଶାନ୍ତ ଦୀର୍ଘଶ୍ଵାସ ଛାଡି କହୁଥିଲା .......

     ଆଃ....                  କେତେ ଦୂରେ..... ଏ ଆକାଶ......

ଆକାଶ ଫୋନ୍ ହୃଦରୋଗ

Rate the content


Originality
Flow
Language
Cover design

Comments

Post

Some text some message..