Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସାନ୍‌ଦେଈ
ସାନ୍‌ଦେଈ
★★★★★

© Prakash Ranjan Parida

Inspirational

11 Minutes   14.4K    18


Content Ranking

ସାନ୍‌ଦେଈ

ପ୍ରକାଶ ରଂଜନ ପରିଡ଼ା



ସାନ୍‌ଦେଈ ମତେ ଏମିତି ଚାହିଁଲା, ଯେମିତି ଗୋଟେ ମସ୍ତବଡ଼ ଅପରାଧ କରି ପକାଇଛି; ମୋ ଭୁଲର କ୍ଷମା ନାହିଁ । ତ’ ମୁଁ ଆଉ ଘର ଭିତରକୁ ନଯାଇ ଶ୍ରୀକୃଷ୍ଣ ବଂଶୀ ବଜାଇବା ମୁଦ୍ରାରେ କାନ୍ଥକୁ ଆଉଜି ଠିଆ ହେଲି । ମୋ ଡାହାଣ ପାଦ ବୁଢ଼ା ଆଙ୍ଗୁଠିରେ ମାଟିରେ ଚିତ୍ର ଆଙ୍କିଲି ।

- ସେଠି କ’ଣ ଗୋଡ଼ ଭାଙ୍ଗି ଠିଆ ହେଲୁ ? ଆ ଭିତରକୁ, ତୋ ରଂଗ ଛଡ଼ଉଛି ଆଜି ...

ସାନ୍‌ଦେଈ ରାଗିଛି, ମୁଁ ବୁଝି ପାରିଲି । ସେଇଥିପାଇଁ ପାଟି ନଫିଟାଇ ଚୁପ୍‌ ରହିଲି । ବାପା କହିଥିଲେ ଜାନି ରାଗିବାବେଳେ କିଛି କହିବୁନି । ସେ ଆପେ ଶାନ୍ତ ହେଇଯିବ । କ’ଣ କରିବି, ମୁଁ ଯିବାବେଳେ ଘରେ ସାନ୍‌ଦେଈ ନଥିଲା, ବାପା ବି ନଥିଲେ, କାହାକୁ କହି ଯାଇଥାଆନ୍ତି; ମୁଁ ଅଂଶୁଭାଇ ଘରକୁ ଯାଉଛି ବୋଲି । ‘ଗଲି ଯେ କଅଁଣ୍ଟେ ହେଇଗଲାକି’- ଅବଜ୍ଞା ଭାବନାରେ ଛୋଟ କାଶଟେ କାଶି ମନେ ମନେ ଏମିତି କହିଲି ସିନା, ପାଟିରୁ ଉଁ କି ଚୁଁ କିଛି ବାହାରିଲାନି ।

ସାନ୍‌ଦେଈ ରାଗିଲେ ସୁନ୍ଦର, ହସିଲେ ବି । ଟିକେ ଟିକେ କଥାରେ ରାଗେ, ବଡ଼ ପାଟି କରେ । ଖୁସି ଥିବାବେଳେ ଯାହା ମାଗିଲେ ଦେଇଦିଏ । ରାଗିଲେ ନା - ବାପ୍‌ରେ ଜୀବନ୍ତ ଆଗ୍ନେୟଗିରି କିଲାଓ । ଜାଳିଦେବ...ମାରିଦେବ । ହଁ ମତେ ବି ଜଣାଅଛି ସାନ୍‌ଦେଈକୁ ଶାନ୍ତ କରିବାର ଉପାୟ । କିନ୍ତୁ ସେ ସୁତ୍ରକୁ ସବୁ ସମୟରେ ପ୍ରୟୋଗ କରି ହୁଏନି ।

ଅଂଶୁ ଭାଇ ନାଁ ଶୁଣିଲେ ସାନ୍‌ଦେଈର ମୁଡ ବଦଳିଯାଏ । ରାଗରେ ଗୋଲ ଗୋଲ ହୋଇଯାଇଥିବା ତା’ ଆଖି ଯୋଡ଼ିକ ସାରୁ ପତ୍ରରେ ପାଣି ଟୋପା ପରି ଢଳ ଢଳ ହୋଇଯାଏ । ହସ ହସ ଦେଖା ଯାଏ ତା’ ମୁହଁ । କାହିଁକି ଏମିତି ହୁଏ ମୁଁ ଜାଣି ପାରେନି । ସାନ୍‌ଦେଈକୁ କେବେ ପଚାରିନି । ଅଂଶୁ ଭାଇ ଘରକୁ ଆସିଥିଲେ ଜାନି ଅପାର କଣ୍ଠ ସ୍ବର ମିଠା ମିଠା । ସେତେବେଳେ ତାକୁ ଡାକିଲେ ଏତେ ସୁନ୍ଦର କଣ୍ଠରେ ଉଁଉଉଉଁ’ କୁହେ ଯେ ଆଉ ଥରେ ଡାକିବାକୁ ମନ ହୁଏ । ଅନ୍ୟବେଳେ ଡାକିଲେ ତା ସ୍ବର ଟାଁ ଟାଁ, ଫୋପାଡିଲା ପରି ଶୁଭେ । ଅଂଶୁ ଭାଇ ଘରକୁ ଆସିଲେ ଚା’ରେ ବେଶୀ ଚିନି ପଡ଼େ । ମତେ ଭଲ ଲାଗେ । ଅଂଶୁ ଭାଇ ନଥିଲେ ସାନ୍‌ଦେଈ ତାଗିଦ କରେ, କହେ ବେଶୀ ଚିନି ଖାଇବା ଭଲ ନୁହେଁ । ତୁ ଛୋଟ ପିଲା ଚିନି ଖାଇଲେ କୁର୍ମୀ ହେବ ।

ଟିକେ ଟିକେ କଥାରେ ସାନ୍‌ଦେଈ ମୋ ଉପରେ ରାଗେ । କାନ ମୋଡିଦିଏ । ମୁଁ ବାପାଙ୍କ ପାଖରେ ଅଭିଯୋଗ କଲେ ବାପା ହସନ୍ତି । କହନ୍ତି ‘ତୋ ଦେଈ ତତେ ବହୁତ ଭଲପାଏ’ । ହଁ ମୁଁ ଜାଣିଛି ଯେ ଦେଈ ମତେ ଭଲପାଏ । ତା’ବୋଲି ସବୁବେଳେ …

ସାନ୍‌ଦେଈ ଜନ୍ମ ଦିନରେ କେତେ ଗିପ୍ଟ ଆସିଥିଲା । ଆମ ପଢ଼ା ଘରେ ପାହାଡ ପ୍ରମାଣେ ଗଦେଇ ହୋଇ ପଡ଼ିଥିଲା ଗିଫ୍ଟ । ସାନ୍‌ଦେଈ ବାଛି ବାଛି ଦି’ଚାରିଟା ରଖି ମୋ ଗାଲ ଚିପି ଦେଇ କହିଥିଲା ‘‘ଏସବୁ ତୋ’ର ।’’ ମୋର କଣ ହେବ ଘଣ୍ଟା, ଫଟୋ ଫ୍ରେମ । ‘ଯା...ମୁଁ ନେବିନି । ମତେ ସେଇ ବଡ଼ ଟେଡିଟା ଦେଉନୁ ।’ ଦେବ ବୋଲି କହିଲା କିନ୍ତୁ ଦେଲାନି ।

ସାନ୍‌ଦେଈ ନଥିବାବେଳେ ଦେଖିଛି ଗୋଟେ ସୁନ୍ଦର ବଡ଼ କାଚ ଫଟୋ ଫ୍ରେମରେ ଲେଖାଥିଲା ‘ଜାହ୍ନବୀ ମୁଁ ତୁମକୁ ଭଲ ପାଏ’ । ଭାବିଲି ପଚାରିବି କିଏ ଦେଇଛି ଏଇ ଗିପ୍ଟଟା, ନାଁ ଲେଖା ହୋଇନି। ତା’ପରେ ଭୁଲିଗଲି, ଆଉ ପଚାରି ପାରିଲିନି । କିଏ ଦେଇଥିବ ଏତେ ବଡ଼ ଉପହାର । ଅଂଶୁଭାଇ କି ?

ସଞ୍ଜ ହୋଇସାରିଥିଲା । ବାପା ବଜାରରୁ ଫେରି ସାରିଥିଲେ । କିନ୍ତୁ ସାନ୍‌ଦେଈ ଘରେ ନଥିଲା । ମୁଁ ଗୋଡ଼, ହାତ ଧୁଆଧୋଇ ହୋଇ ରୋଷେଇ ଘରକୁ ଯାଇ ଦେଖିବା ବେଳକୁ ସାନ୍‌ଦେଈ ନଥିଲା। ଭୋକରେ ମୋ ପେଟ ଜଳୁଥିଲା । ରୋଷେଇ ଘରୁ ଫେରିବାବେଳେ କିଏ ଜଣେ ମୋ ନାଁ ଧରି ଡାକିଲେ । ମୋ ମୁଣ୍ଡରେ ହାତ ମାରି ଟିକେ ଗେଲ କଲେ । ମୁଁ କେବେ ତାଙ୍କୁ ଆଗରୁ ଦେଖି ନଥିଲି । ସାନ୍‌ଦେଈ ପରି ଝିଅଟିଏ । ସୁନ୍ଦରୀ, ଲମ୍ବା ନାକ । ମତେ ଭଲ ଲାଗିଲା ତାଙ୍କ କଣ୍ଠସ୍ବର । ପଛରେ ବାପା ଆସି କହିଲେ, ଇଏ ଅଂଶୁର ସାନ ଭଉଣୀ ଅଂଶୀକା । ତୋ ‘ଚିତ୍ରଘର’ ଦେଖିବାକୁ ଆସିଛି । ମୁଁ ଖୁସିରେ ପାଗଳ ହେଇ ଦିଦିଙ୍କ ଅଙ୍ଗୁଳି ଧରି ଟାଣି ନେଲି ମୋ ତିତ୍ରଘରକୁ ।

ଆରେ ବାଃ ତୁମେ ତ ଜଣେ କୁନି ପିକାସୋ । ସବୁ ଚିତ୍ର ତୁମେ ଆଙ୍କିଛ ? ମୁଁ ହସି ହସି ମୁଣ୍ଡ ଟୁଙ୍ଗାରିଲି । ତୁମ ମନକୁ ଏ ଚିତ୍ର ସବୁ କେମିତି ଆସେ ? ମୋ ମୁଣ୍ଡ ଚୁଟିକୁ ଅଡ଼ୁଆ କରୁକରୁ ପଚାରିଲେ ଅଂଶୀକା ଦିଦି । ‘‘ଏମିତି ମନକୁ ଯାହା ଆସେ ଆଙ୍କିଦିଏ ।’’ ଅଂଶୀକା ଦିଦି ମୁଁ ପାଇଥିବା ପୁରସ୍କାର ଓ ମାନପତ୍ର ସବୁକୁ ଗୋଟିଗୋଟି କରି ଦେଖୁଥିଲେ । ତାଙ୍କର ଗୋଟେ ଛବି ଆଙ୍କିବାକୁ କହିବାରୁ ତାଙ୍କୁ ଷ୍ଟୁଲରେ ବସିବାକୁ କହିଲି । ଅଂଶୀକା ଦିଦି ଏମିତି ଠାଣିରେ ବସିଲେ ଯେ ମତେ ସତରେ ମୂର୍ତ୍ତିଟିଏ ପରି ଦିଶିଲେ। ବାଁ ଗାଲରେ ହାତ ଦେଇ ଡାହାଣକୁ ଚାହିଁ ବସିଲେ ଅଂଶୀକା ଦିଦି । ମୁଁ ପେନସିଲ୍‌ କାଟିବାବେଳେ ଫିକ୍‌କିନି ହସି ଖୁବ ଧିର ସ୍ବରରେ ଅଂଶୀକା ଦିଦି କହିଲେ ୱା ..ଟାଇଟନିକ ସିନ୍‌ ରିମେକିଂ । ‘କଣ ହେଲା’ ପଚାରିବାରୁ ଓଲଟି ଦିଦି ମତେ ପଚାରିଲେ, ଟାଇଟନିକ୍‌ ଫିଲ୍ମ ଦେଖିଛ ? ମୁଁ କହିଲି ‘ନାଇଁ ଦେଖିନି । ତୁମେ ସେମିତି ସ୍ଥିର ହୋଇ ବସ...କିଛି କଥା କୁହନି...ମାତ୍ର ଦଶ ମିନିଟ ।’

କେବଳ ଚିତ୍ରକୁ ନେଇ ହିଁ ମୁଁ ସ୍ବପ୍ନରାଜ୍ୟରେ ଘୁରିବୁଲୁଥିଲି । ଘରୁ ବାହାରୁ ମିଳୁଥିବା ଅଜସ୍ର ପ୍ରଶଂସା, ଭଲପାଇବା ମତେ କିଛି ମାତ୍ରାରେ ଅହଂକାରୀ କରିଦେଇଥିଲା । ଛୋଟ ଛୋଟ କଥାରେ ମୁଁ ଚିଡି ଯାଉଥିଲି । ମୁଁ ବଡ଼ ପିଲା ହୋଇଗଲିଣି ବୋଲି ଯେତେ ଯୁକ୍ତି ବାଢ଼ିଲେବି ସାନ୍‌ଦେଈ ମତେ ଗୋଡେ ଗୋଡ଼େ ଜଗୁଥିଲା । ମୁଁ କଣ କଲି, କେଉଁଠିକୁ ଗଲି ସବୁ କଥାର ଟିକନିଖ ବିବରଣୀ ରଖୁଥିଲା ସାନ୍‌ଦେଈ । ଅନେକ ସମୟରେ ମତେ ଚେତେଇ ଦେଉଥିଲା ମୁଁ ମାଆଛେଉଣ୍ଡ । ଜଗିରଖି ନଚଳିଲେ ସମସ୍ୟା ହେବ । ‘ମୁଁ କଣ ସମସ୍ୟାକୁ ଡରିଛି । ମୁଁ ତ ଗୋଟେ ଚିତ୍ରକର, ଶିଳ୍ପୀ…ଫୁ…. ।’

ମୋ ଦୁଷ୍ଟାମୀରେ କେବଳ ଘର କାହିଁକି ମୋ ସାଙ୍ଗସାଥିମାନେ ବି ତ୍ରାହି ଖୋଜୁଥିଲେ । ଚାରି ମିନିଟରେ ଚାଳିଶ ପ୍ରକାରର ଦୁଷ୍ଟାମୀ କରୁଥିଲି ମୁଁ । କଲେଜରେ ପ୍ରତିଦିନ କାହା ସହିତ ନା କାହା ସହିତ ଝଗଡ଼ା ହେଉଥିଲା । ବେଳେବେଳେ ସେ ଝଗଡ଼ାର ଝଟକା ଆମ ଘରକୁ ମଧ୍ୟ ଆସୁଥିଲା । ବାପା ରାଗୁଥିଲେ, ସାନ୍‌ଦେଇ ରାଗୁଥିଲା । ମୁଁ କିନ୍ତୁ ବଦଳୁ ନଥିଲି । କଲେଜରେ ନୂଆ ଝିଅଟିଏ ଆସିଲେ ତାକୁ କଳେବଳେ କୌଶଳେ ନିଜ ପାଲରେ ପକାଇବାକୁ ଯୋଜନା କରୁଥିଲି । ହାତରେ ଗୁଞ୍ଜି ଦେଉଥିଲି ପ୍ରେମପତ୍ର । କଲେଜ ନୋଟିସ ବୋର୍ଡରେ ନିଜ ନାଁ ସହ ସେ ଝିଅର ନାଁ ମିଶେଇ ଲେଖୁଥିଲି । ସମସ୍ତଙ୍କୁ ମୋ’ର କରିବାକୁ ଚାହୁଁଥିଲି ।

ପୂରବୀ ସହ ସମ୍ପର୍କ ନେଇ ସାନ୍‌ଦେଈ ଯେଉଁଦିନ ମତେ ଗାଳି ଦେଲା ସତରେ ମୁଁ ଖୁବ ରାଗିଥିଲି । ପୂରବୀ ମୋ ସାଙ୍ଗରେ ପାଠପଢୁଥିଲା । ମୋର ଭଲ ସାଂଗ ଥିଲା । ତା’ସାଗରେ କଥା ହେଲେ ଅସୁବିଧା କଣ ? ମୁଁ ମୁହାଁମୁହିଁ ସାନ୍‌ଦେଈକୁ ଉତ୍ତର ଦେଲି । ତଥାପି ନବୁଝିବାରୁ ରାଗରେ ‘ଅଂଶୁଭାଇ ସହ ତୁ କେମିତି ମିଶୁ’ ବୋଲି ପଚାରିଦେଲି । ତା’ପରେ ତ’ ସାନ୍‌ଦେଈ କାନ୍ଦିଲା ଯେ କାନ୍ଦିଲା, ଦିନସାରା କାନ୍ଦିଲା । ‘ଏମିତି ରାଗରେ କହିଦେଲି’ ବୋଲି ଯେତେ କହିଲେବି କାନ୍ଦିଲା । ଭୁଲ୍‌ ମାଗିଲି- ତଥାପି କାନ୍ଦିଲା । ‘ଆଉ କେବେ କହିବିନି’ କହିବା ପରେ ବି କାନ୍ଦିଲା ।

ଅଂଶୁଭାଇ ସହ ସାନ୍‌ଦେଈର ସମ୍ପର୍କ କ’ଣ ପୂରବୀ ଓ ମୋ ପରି । ଏମିତି ପ୍ରଶ୍ନଟେ ମୋ ମୁଣ୍ଡରେ ପଶି, ଆଖିରୁ ଅନେକ ରାତିର ନିଦ ଛଡେଇନେଲା । ଟିକେ ସମୟ ମିଳିଲେ ମୁଁ ଯେମିତି ପୂରବୀ ସହ କଥା ହେବାକୁ ବ୍ୟାକୁଳ ହୋଇପଡ଼େ, ଅଂଶୁଭାଇ ସେମିତି… । ପୂରବୀ ମତେ ଯେଉ ସବୁ କଥା କହେ, ସାନ୍‌ଦେଈ ଅଂଶୁଭାଇକୁ… । ଓଃ ମୋ ମୁଣ୍ଡ ଭିତରଟା ଟିନ୍‌ଟିନ୍‌ ହୋଇଗଲା । ଭୁଲ ଆଉ ଠିକ୍‌ ଭିତରର ଫରକ୍‌ ମୁଁ ବୁଝି ପାରିଲିନି । ମୋର ମାଆ ଓ ବଡ଼ଦେଈ କଥା ବହୁତ ମନେ ପଡ଼ିଲା । ଏଇ ସମୟରେ ମାଆ ମତେ ବୁଝାଇ ପାରିଥାଆନ୍ତା ଭୂଲ ଠିକର ବିଚାର । ବଡ଼ଦେଈ କୋଳରେ ଧରି ବୁଝାଇ ପାରିଥାଆନ୍ତା ଏଇଟା ଠିକ, ଏଇଟା ଭୁଲ । କିନ୍ତୁ ମୁଁ ହତଭାଗ୍ୟ… । ଅନେକ ସରଳ କଥା ଜଳିଟ ପ୍ରଶ୍ନ ହୋଇ ମତେ କଲବଲ୍‌ କଲା । ମୁଁ ସମସ୍ତଙ୍କଠୁ କରଛଡ଼ା ଦେଲି । ଦୂରେଇବାକୁ ଚାହିଁଲି । ଏକାଏକା ଲୁଚି ଲୁଚି କାନ୍ଦିଲି । ଛୋଟ ଦିନରୁ ଆଜିଯାଏ ଦେଖି ଆସିଆସିଥିବା ଅନେକ ଘଟଣା ଏବେ ମତେ ଦୁର୍ଘଟଣା ପରି ଲାଗିଲା ।

ମନେ ପଡ଼ିଲା ପୁରୁଣା ଦିନ କଥା । ଅଂଶୁଭାଇଙ୍କ ବାପା, ବାପାଙ୍କର ପୁରୁଣା ବନ୍ଧୁ ହୋଇଥିବାରୁ ଦୁଇ ପରିବାର ମଧ୍ୟରେ ଭଲ ସମ୍ପର୍କ ଥିଲା । ଛୋଟବେଳୁ ଅଂଶୁଭାଇ ସହ ମୁଁ ବହୁତ ମିଶୁଥିଲି । କିନ୍ତୁ ବଡ଼ ହେବା ପରେ ଧିରେ ଧିରେ ମୁଁ ଦୂରେଇ ଗଲି । ଅତି ଦରକାର ନଥିଲେ ମୁଁ ଅଂଶୁଭାଇ ସହ କଥା ହେଉନଥିଲି । ସତରେ ମୁଁ ଅଂଶୁଭାଇକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲି । ଏପରିକି ସାନ୍‌ଦେଇ ସହ ଅଂଶୁଭାଇ କଥା ହେଲେ, ପାଖରେ ବସିଲେ ମୁଁ ସହ୍ୟ କରିପାରୁନଥିଲି । ଦୁଇ ବର୍ଷ ପୂର୍ବରୁ ଅଂଶୁଭାଇଙ୍କ ପୂରା ପରିବାର ସହ ଆମ ପରିବାର ଡେରାସକୁ ପିକନିକ୍‌ କରିବାକୁ ଯାଇଥିଲୁ । ମୟୂର ଦେଖିବା ବାହାନାରେ ସାନ୍‌ଦେଈ, ଅଂଶୁଭାଇ ସହ ଜଙ୍ଗଲ ଭିତରେ ବୁଲିଥିଲା । ଆମେ ସମସ୍ତେ ଗୋଟିଏ ଜାଗାରେ ବସିଥିବାବେଳେ ସାନ୍‌ଦେଈ ଓ ଅଂଶୁଭାଇ ଆମଠୁ ଦୂରରେ ବସି ଗପୁଥିଲେ । ଗଛ ଆଢୁଆଳରେ ବସିଥିବା ସାନ୍‌ଦେଈର ବାହୁରେ ଅଂଶୁଭାଇ ଚୁମା ଦେବା ଦୃଶ୍ୟ ଦେଖିବା ପରେ ମୋ ରାଗ ପଞ୍ଚମକୁ ଚଢ଼ିଯାଇଥିଲା । ମୁଁ କାହାକୁ କିଛି ନକହି ପିକ୍‌ନିକରୁ ଫେରିଆସିଥିଲି । ଏଇ କଥାକୁ ନେଇ ସାନ୍‌ଦେଈ ସହ ପ୍ରାୟ ମାସେ କଥା ହୋଇନଥିଲି ।

ସାନ୍‌ଦେଈ ମତେ କ୍ଷମା କରଦେ । ମୁଁ ତତେ ଭୁଲ ବୁଝିଥିଲି । ତୁ କେବଳ ମୋର ଦେଈ ନୁହେଁ ମୋର ମାଆ ବି । ସାନ୍‌ଦେଈ ସବୁକଥା କହିଥିଲା ସେଦିନ । ଅନେକ ଅବୁଝା ପ୍ରଶ୍ନକୁ ସରଳ ଭାବରେ ବୁଝାଇଥିଲା । ‘ଛୋଟ ଦିନରୁ ମିଶିଥିବାରୁ ଅଂଶୁ ସହ ମୋର ସମ୍ପର୍କଟିଏ ଯୋଡ଼ି ହୋଇଯାଇଛି, କିନ୍ତୁ ତୁ ଯେମିତି ଭାବୁଛୁ ସେମିତି କିଛି ବି ନାହିଁ । ବାହାରକୁ ରଂଗୀନ ଦେଖାଯାଉଥିବା ଅନେକ ସମ୍ପର୍କ ବି ରଙ୍ଗହୀନ ହୋଇପାରେ । ଅଂଶୁ ମତେ ଭଲପାଏ, ମୁଁ ବି...କିନ୍ତୁ ଏକଥା ମୁଁ କେବେ ତାକୁ ଜଣାଇ ନାହିଁ । କାହିଁକି ଜାଣିଛୁ... ବାପାଙ୍କ ପାଇଁ, ତୋ ପାଇଁ । ତୋ’ଠୁ ଢେର ସାନ ଥିବାବେଳେ ବାପାଙ୍କ ମଥାରେ ହାତରଖି ମୁଁ ପ୍ରତିଜ୍ଞା କରିଥିଲି- କେବେ ବି ତାଙ୍କୁ ଅମାନ୍ୟ କରିବିନି, ତାଙ୍କୁ କଷ୍ଟ ଲାଗିବା ପରି କୌଣସି ନିଷ୍ପତ୍ତି ନେବିନି । ଆଜି ତୋ ମଥାରେ ହାତ ରଖି କହୁଛି ପରିବାର ପାଇଁ ମୁଁ କଳଙ୍କ ହେବିନି । ଏପରିକି ତୋ ଇଚ୍ଛା ବିରୋଧରେ ମୁଁ କିଛି କରିବିନି ।’ ସେଦିନ ଅନେକ ଲୁହ ଝରିଥିଲା ଦେଈ ଆଖିରୁ ଆଉ ମୋ ଆଖିରୁ । ମୋ ଆଖି ସାମ୍ନାରେ ସେଦିନ ସାନ୍‌ଦେଈ ସର୍ବଂସହା ଧରିତ୍ରୀ ପରି ଦୁଃଖ ପିଉଥିଲା । ନିଜର ସୁଖକୁ ମୋ ପାଇଁ ତ୍ୟାଗ କରିବାକୁ ପ୍ରସ୍ତୁତ ଥିବା ସାନ୍‌ଦେଈକୁ ବର୍ଷ ବର୍ଷ ଧରି ମୁଁ ଅବିଶ୍ବାସ କରୁଥିଲି ଏକଥା ଭାବି ନିଜ ଭିତରେ ନିଜେ ଶୀତଳ ଯନ୍ତ୍ରଣାରେ ସନ୍ତୁଳି ହେଲି ।

କଲେଜର ସବୁଠାରୁ ସୁନ୍ଦରୀ ଝିଅ ସ୍ବପ୍ନାକୁ ନେଇ ପ୍ରତାପ ଓ ମୋ ଭିତରେ ଯେଉଁଦିନ ହାତାହାତି ହେଲା ସେଦିନ ଭାଗ୍ୟ ମୋ ବିରୋଧରେ ଥିଲା । ସ୍ବପ୍ନାକୁ ମୁଁ ଏକତରଫା ଭଲ ପାଉଥିଲି । ମୋ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲି । କିନ୍ତୁ ସେ ପ୍ରତାପ ସହିତ ହିଁ ମିଶୁଥିଲା । ପ୍ରତାପ ସହ ଖରାପ ବ୍ୟବହାର କରିବା ସହ ତା ଉପରେ ପ୍ରଥମେ ମୁଁ ହାତ ଉଠାଇଥିଲି । ପରେ ଏହାକୁ ନେଇ କଲେଜରେ ହେଲା ବଡ଼ ଧରଣର ଗଣ୍ଡଗୋଳ । କଲେଜରେ ସାଇନ-ଏ-ଡାଏ ଘୋଷଣା ଆଉ ମୁଁ ରହିଲି ପୋଲିସ କବ୍‌ଜାରେ । ମତେ ଥାନାରୁ ଆଣିବାକୁ ବଡ଼ଦେଈ ଓ ମାଆ ଯାଉଥିବାବେଳେ ବାଟରେ ଘଟିଥିଲା ଦୁର୍ଘଟଣା । ସବୁଦିନ ପାଇଁ ବଡ଼ଦେଇ ଓ ମାଆକୁ ହରେଇଲି । ତା’ ପରଠୁ ବଦଳି ଗଲା ମୋ ଦୁନିଆଁ । ସଚେତନ ହେଲି, ନିଜ ଭୁଲକୁ ନିଜ ଆଖିରେ ଦେଖିବା ପରେ ନିଜକୁ ସୁଧାରିବା ପାଇଁ ପ୍ରୟାସ କଲି ।

ଗୋଟେ ପରେ ଗୋଟେ ଆଘାତ ପାଇବା ପରେ ଜୀବନକୁ ନୂଆ ନୂଆ ଚିହ୍ନିଲି । ଧିରେ ଧିରେ ମୁଁ ଅନୁଭବ କଲି ସମସ୍ତେ ମୋ’ଠୁ ଦୁରେଇ ଯାଉଛନ୍ତି । ମୋ ବ୍ୟବହାର ଅନ୍ୟମାନଙ୍କୁ ଆଘାତ ଦେଉଛି । ମୋ କଥା ଓ ସ୍ବରରେ ମିଶିଥିବା ଅଂହକାର ମତେ ନିସଙ୍ଗ କରୁଛି । ଜଣେ ଚିତ୍ରକର ଭାବରେ ମୁଁ ଯେତିକି ପ୍ରଶଂସା ସାଉଁଟିଥିଲି, ତା’ଠୁ ଅଧିକ ନିନ୍ଦା ଅଧିକ ସମାଲୋଚନା ଶୁଣିଲି । ଟିକେ ଟିକେ ଖୁସି ପାଇବା ପାଇଁ ମୁଁ ଅନେକଙ୍କୁ ଠକିଛି, ଲୁଟିଛି । ନିଜକୁ ବୁଝିବାରେ ଏତେ ବିଳମ୍ବ କରିଥିଲି ଯେ ମତେ ନିଜ ଉପରେ ଘୃଣା ଆସିଲା । ଶେଷରେ ମୁଁ ସାନ୍‌ଦେଈକୁ ବି ସନ୍ଦେହ କରିପାରିଲି । ଛି...କେତେ ନିଚ୍ଚ ମୁଁ….

ସମୟର ଦୋଛକିରେ ଠିଆ ହୋଇ ମୁଁ ଆସନ୍ତାକାଲିର ମୁହଁ ଦେଖିବାକୁ ଚାହୁଥିଲି । କେବଳ ପୂରବୀ ପାଇଁ । ଅନ୍ୟ ଅନେକ ଝିଅଙ୍କ ପରି ପୂରବୀ ମଧ୍ୟ ମୋର ସାଙ୍ଗ ଥିଲା । ସବୁ ଝିଅଙ୍କ ପରି ତାକୁ ମଧ୍ୟ ମୁଁ ଠକିବାକୁ ଯୋଜନା କରୁଥିଲି । କିନ୍ତୁ ସମସ୍ତେ ମୋର ଭୂଲକୁ ଦେଖୁଥିବାବେଳେ କେବଳ ପୂରବୀ ହିଁ ମୋ ଭିତରର ମଣିଷଟିକୁ ପଢ଼ି ପାରୁଥିଲା । ‘ଗୋଟିଏ ସମୟ ଆସିବ ମୁଁ କେବଳ ତୁମର ହୋଇ ଥିବି’- ଏନେକ ଥର ପୂରବୀ ମତେ ଏକଥା କହୁଥିଲା । ମୋର ଯାବତୀୟ ଭୁଲକୁ କେବଳ ପିଲାଳିଆମୀ କହି କ୍ଷମା କରିଦେଉଥିଲା । ସତକୁ ସତ ଗୋଟିଏ ସମୟ ଆସିଲା ଯେତେବେଳେ ପୂରବୀ ବ୍ୟତୀତ ମୋ ଜୀବନରେ ଆଉ କେହି ନଥିଲେ । ଆଉ କାହାକୁ ମୁଁ ବିଶ୍ବାସ କରିପାରୁନଥିଲି, କାହା ଆଗରେ ନିଜକୁ ନିଚ୍ଛକ ଖୋଲି ଦେଇ ପାରୁନଥିଲି ।

ଗୋଟେ ମଲ୍ଟି ନ୍ୟାସନାଲ କମ୍ପାନୀରେ ଚାକିର ପାଇଁ ମନୋନୀତ ହୋଇଥିଲେ ବି ସାନ୍‌ଦେଈ ଚାକିର ନକରିବାକୁ ନିଷ୍ପତ୍ତି ନେଲା । ଯଦିଓ ବାପା ମନା କରିନଥିଲେ କିନ୍ତୁ ଚାକିର ନିଷ୍ପତ୍ତିକୁ ସାନ୍‌ଦେଈ ଉପରେ ଛାଡ଼ିଦେଇଥିଲେ । ବୋଧ୍‌ହୁଏ ବାପା ଓ ମତେ ଛାଡି ଦୂରକୁ ଯିବାକୁ ଚାହିଁନଥିଲା ସାନ୍‌ଦେଈ । ଅଂଶୁଭାଇର ବିବାହ ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା ସାନ୍‌ଦେଈ । ଚାକିର ପାଇଥିଲେ ବି ଘର ଛାଡ଼ିନଥିଲା ସାନ୍‌ଦେଈ । ପ୍ରତି ମୁହୂର୍ତ୍ତରେ ମୋ ଉପରେ ସତର୍କ ନଜର ରଖୁଥିଲା ସାନ୍‌ଦେଈ । ନିଜ ଖୁସିକୁ ବଳି ପକାଉଥିଲା ସାନ୍‌ଦେଈ - କାହିଁକି ? ମୋ ପାଇଁ । ଏତିକି କଥା ବୁଝିବା ପାଇଁ ବହୁ ବିଳମ୍ବ କରିଥିଲି । ମୋ’ପାଇଁ ସାନ୍‌ଦେଈ ଅନେକ ଖୁସିକୁ ତ୍ୟାଗ କରୁଥିଲା, କିନ୍ତୁ ମୁଁ ତାକୁ ଦୋଷୀ ବୋଲି ଭାବୁଥିଲି ।

ଅଂଶୁଭାଇ ଆମ ଘରକୁ ଆସିବା ପ୍ରାୟ ବନ୍ଦ କରିଦେଇଥିଲେ । ମୋ ସହ କଥା ହେବାକୁ ଚେଷ୍ଟା କରୁଥିଲେ ବି ମୁଁ ତାଙ୍କଠୁ ଦୂରେଇ ରହୁଥିଲି । ଏପରିକି ଦେଖି ବି ନଦେଖିବା ପରି ରହୁଥିଲି । ବାପା ଥରେ ମତେ ସାନ୍‌ଦେଈର ବାହାଘର ବିଷୟରେ ପଚାରିଥିଲେ । ଅଂଶୁ ଓ ଜାନି ପରସ୍ପରକୁ ଭଲ ପାଆନ୍ତି ଏବଂ ଦୁହେଁ ପରସ୍ପର ପାଇଁ ଉପଯୁକ୍ତ ବୋଲି ବାପା କହିବା ପରେ ମୁଁ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲି । ‘‘ନାଁ ସେଠି ବାହାଘର ହୋଇପାରିବ ନାହିଁ, ମୁଁ ସାନ୍‌ଦେଈ ପାଇଁ ବର ଖୋଜିବି ।’’ ଚିତ୍କାର କରି କହିଥିଲି ସିନା ଦୁଇ ମାସ ବିତିବା ପରେ ବି ବାପାଙ୍କ ଆଗରେ ଗୋଟିଏ ବି ପ୍ରସ୍ତାବ ରଖିପାରିଲିନି । ବାହାଘର କଥା ନେଇ ସାନ୍‌ଦେଈର କୌଣସି ଆପତ୍ତି କି ଅଭିଯୋଗ ନଥିଲା । ବାପାଙ୍କ ଉଦ୍ୟମରେ ଦୁଇ, ଚାରିଟି ପ୍ରସ୍ତାବ ଆସିଥିଲା । ବାପା ଓ ମୁଁ ଦେଖିବା ପାଇଁ ଯାଇଥିଲୁ । ଆମର ସମ୍ମତ ଜଣାଇବା ପରେ ସେମାନେ ମଧ୍ୟ ସାନ୍‌ଦେଈକୁ ଦେଖିବା ପାଇଁ ଆସିଥିଲେ । ଫେରିବା ପରେ କୌଣସି ଜାଗାରୁ ଉତ୍ତର ମିଳିନଥିଲା । କଣ ପାଇଁ ମୋ ଭଉଣୀ ସେମାନଙ୍କର ପସନ୍ଦ ହେଲାନାହିଁ ତା’ର ଉତ୍ତର ମତେ ମିଳିଲା ନାହିଁ । ଦିନକୁ ଦିନ ସାନ୍‌ଦେଈ ବାହଘର ନେଇ ଆହୁରିବେଶୀ ହତୋତ୍ସାହିତ ହୋଇପଡ଼ିଲି ।

‘ତ୍ୟାଗର ମୂୃଲ୍ୟ ବୁଝିବାକୁ ଅନେକ ସମୟ ଲୋଡ଼ାହୁଏ ।’ ସାନ୍‌ଦେଈକୁ ବୁଝିବାରେ ଏତେ ବିଳମ୍ବ କରିଥିଲି ଯେ ମୋ ନିକଟରେ ମୋ ପରିବାରକୁ ଧୋକା ଦେବା ବ୍ୟତୀତ ଆଉ କିଛି ରାସ୍ତା ନଥିଲା । ପୂରବୀ ବାରମ୍ବାର ବାହାଘର ପାଇଁ ଅଡ଼ି ବସୁଥିଲା । ପୂର୍ବରୁ ତାକୁ ବାହାଘର ପାଇଁ କଥା ଦେଇସାରିଥିଲି । ନା ପୂରବୀଠାରୁ ଦୂରେଇ ପାରୁଥିଲି ନା ନିଜ ପରିବାରକୁ ଛାଡ଼ି ପାରୁଥିଲି । ଦଶ ଦିଗରୁ ମୋ ପାଇଁ ଅନ୍ଧାର ଆଉ ଅନ୍ଧାର ମାଡ଼ିଆସୁଥିଲା । ଯେଉଁ ମାନଙ୍କୁ ପୂର୍ବରୁ ନିଜର ଭାବୁଥିଲି ସେମାନେ ମତେ ବିଭିନ୍ନ ଉପାୟରେ ଠକୁଥିଲେ । ସମୟ ମୋଠୁ ମୋ’ର ପରିଚୟ ଛଡ଼ାଇ ନେଇଥିଲା ।

‘ଦୁଃଖ ଯେତେବେଳେ ଆସେ ତା’ ସାଙ୍ଗସାଥିମାନଙ୍କୁ ସାଥିରେ ନେଇ ଆସେ ।’ ଏକଥା କେବଳ ଶୁଣିଥିଲି ଏବେ ନିଜେ ହୃଦୟଙ୍ଗମ କଲି । ନିଜର ଅନିଶ୍ଚିତ ଭବିଷ୍ୟତ ନେଇ ବିକଳ ହେଉଥିବାବେଳେ ହଠାତ ବାପାଙ୍କର ଦେହ ଖରାପ ଖବର ମୋ ଧୈର୍ଯ୍ୟର ମେରୁଦଣ୍ଡ ଭାଙ୍ଗିବା ପାଇଁ ଯଥେଷ୍ଟ ଥିଲା । ପ୍ରଥମ ହୃଦ୍‌ଘାତର ଶିକାର ହୋଇଥିଲେ ବାପା । ଗୋଟିଏ ପ୍ରଇଭେଟ କମ୍ପାନୀରେ ଚାକିର ପାଇଁ ଇଣ୍ଟରଭ୍ୟୁ ଦେବା ପାଇଁ ରାଜଧାନୀକୁ ଆସିଥିବାବେଳେ ସାନ୍‌ଦେଈର ଫୋନ୍‌ କଲ୍‌ ପାଇଁ ଅଧା ବାଟରୁ ଫେରିଥିଲି । ମେଡିକାଲରୁ ପ୍ରାୟ ଦଶ ଦିନ ପରେ ଫେରିବାପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି ।

ଅଜଣା ରାସ୍ତାରେ ଗାଡ଼ି ଚାଲିଥିଲା । ମତେ ଜଣାନଥିଲା ମୋ ଠିକଣା । ବାସ୍‌ ଏମିତି ଗୋଟେ ବସ୍‌ରେ ଚଢିଗଲି । କେଉଁ ବସ୍‌ରେ ବସିଲି ମତେ ଜଣାନାହିଁ । କଣ୍ଡକ୍ଟର ଟିକେଟ କାଟିଲା, ତାକୁ କେତେ ଟଙ୍କା ଦେଲି ଜାଣିନି । ସେତେବେଳେ ମୁଁ ମୋ ଆୟତରେ ନଥିଲି । କଣ ଖାଇଛି ମନେନାହିଁ । ଭବାନୀପାଟଣା ବସ୍‌ଷ୍ଟପରେ ଓହ୍ଲାଇବା ପରେ ମୁଣ୍ଡରେ ହାତ ଦେଇ ଭାବିଲି ‘ମୁଁ ଏଠି କାହିଁକି’ । ସେଇ ଗୋଟିଏ ରାତ୍ରୀ ବସରେ ବିତାଇବା ପରେ ମଣିଷ କାହିଁକି ଆତ୍ମହତ୍ୟା କରେ ତା’ର ଉତ୍ତର ମତେ ମିଳିଯାଇଥିଲା । ସାରା ରାତି କେବଳ ମୃତ୍ୟୁ ହିଁ ମୋ ନିକଟରେ ଥିଲା । କାହାର ଆଶୀର୍ବାଦରୁ କେଜାଣି ମୁଁ ସମ୍ବିତ ଫେରିପାଇଲି, ଅନ୍ତିମ ନିଷ୍ପତିକୁ ଆକାଶକୁ ଫିଙ୍ଗିଦେଲି ।

ସାନ୍‌ଦେଈ ଭରଷାର ଛାତ ହେଇ ମତେ ମାଟିରେ ପଡ଼ିବା ପରେ ଉଠିବା ଶିଖେଇଥିଲା । ପୁଣିଥରେ ମୋ ହାତରେ ଧରାଇ ଦେଇଥିଲା ରଙ୍ଗ ଆଉ ତୂଳୀ । ପ୍ରବୃତ୍ତିକୁ ବୃତ୍ତି କରି ବଂଚିବା ପାଇଁ ଦେଖାଇଥିଲା ବାଟ । ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବ୍ୟବସ୍ଥା କରିଥିଲା । ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଅନେକ କଳାକାରଙ୍କ ସହ ମିଶିବା ପରେ ମୋ ଦୁଃଖର ରଙ୍ଗ ମୋ କାନଭାସକୁ ରଙ୍ଗୀନ କଲା । ଧିରେ ଧିରେ ମୁଁ ଆୟତ କଲି ନିଜକୁ, ଆୟତ କଲି କଳାକୁ । ଧିରେ ଧିରେ ଶିଖିଲି ଚାଲିବା ପୁଣି ଦୈଡ଼ିବା , ଦୌଡ଼ିବା ପରେ ପଡ଼ିବା ପୁଣି ଉଠି ଦୌଡ଼ିବା ।

ଫେରିବା ରାସ୍ତାରେ ଅପେକ୍ଷା କରିଥିଲା ପୂରବୀ । ‘ତୁମେ ବହୁତ ବଦଳି ଯାଇଛ’- ମତେ ଦେଖୁ ଦେଖୁ କହିଥିଲା ପୂରବୀ । ତା’ ମୁହଁକୁ ଚାହିଁ ହସିଥିଲି କେବଳ । ‘‘ଜାଣିଛି ତମେ ଏବେ ମୋ’ଠୁ ଦୂରେଇ ଯିବାକୁ ବାହାନା ଖୋଜୁଛ । ତମକୁ ଜାଣିବାରେ ମୁଁ ଭୁଲ କରିଛି । ଘର କଥାର ବାହାନା କରି ମୋ ସହ କଥା ହେଉନ । ତମକୁ ବିଶ୍ବାସ କରି ମୁଁ ସବୁକିଛି ହରାଇ ସାରିଛି । ଏବେ ମୋ ପାଇଁ କିଛି ରାସ୍ତା ନାହିଁ । ପାରୁଛ ତ ମତେ ମାରିଦିଅ ।’’ ପୂରବୀ ପାଟିରେ ହାତ ଦେଲି । ‘‘କଣ ସବୁ କହୁଛ ତମେ । ତମକୁ ଠକିବାର ଥିଲେ ପୁଣି ଧରା ଦେଇଥାନ୍ତି କାହିଁକି । ମୁଁ ସତରେ ବଦଳି ଯାଇଛି ପୂରବୀ । ଏବେ ମୁଁ ବଞ୍ଚିବାକୁ ଚାହୁଁଛି ତମ ସାଥିରେ ।’’ ଅତୀତର କେଇପୃଷ୍ଠାକୁ ଖୋଲିଦେଲି ପୂରବୀ ଆଗରେ । ‘‘ଏବେ ମୁଁ ମୁକ୍ତ କଣ୍ଠରେ ମୋ ଭୁଲ ସ୍ବୀକାର କରିବାକୁ ପ୍ରସ୍ତୁତ । ମତେ ଯଦି ଦଣ୍ଡ ଦେବାକୁ ଚାହୁଁଛ ଦେଇପାର ।’’ ଫିକ୍‌କିନି ହସି ମୋ ପାଇଁ ଦଣ୍ଡ ଘୋଷଣା କରିଥିଲା ପୂରବୀ- ‘ମୋ ସାଥିରେ ଚାଲ ଆମ ଘରକୁ ।’

ମୋ ନିଷ୍ପତି ସାନ୍‌ଦେଈକୁ କଷ୍ଟ ଦେବନି ତ ? ଘରେ କେମିତି ଜଣାଇବି ମୋ ନିଷ୍ପତ୍ତି ବିଷୟରେ? ପୂରବୀର ହାତ ଧରି ଚାଲୁଥିବାବେଳେ ଆସିଲା ବାପାଙ୍କ ଫୋନ୍‌ କଲ୍‌ । ….କେଉଁଠି ରହିଗଲୁ କି...ଏତେ ଲେଟ୍‌ ଯେ...ଜଲଦି ଘରେ ପହଞ୍ଚ… ଅଂଶୁ ଆସିଛି...ତୋ ସହ କଣ କଥା ହେବାକୁ ଚାହୁଁଛି ।...

-------------------------------------------------------------------------

‘ନିଶିପ୍ରଦୀପ’, କଏଳପାଳ, ବାତୋ, କେନ୍ଦୁଝର-୪୩

ମୋବାଇଲ- ୯୪୩୮୦୮୦୫୮୩

E-mail: litp.ranjan@gmail.com

ଦେଈ ଅବଜ୍ଞା କାନ

Rate the content


Originality
Flow
Language
Cover design

Comments

Post

Some text some message..