Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହିସାବ
ହିସାବ
★★★★★

© Swagatika Mishra

Tragedy

5 Minutes   7.8K    23


Content Ranking

**ହିସାବ**

ଶରତ ଋତୁ ଶାନ୍ତି ଆଉ ନିର୍ମଳତାର ବାତାବରଣରେ ଝୁମି ଝୁମି ଛୁଇଁ ଯାଇଥାଏ ପୃଥିବୀକୁ।କାଶତଣ୍ତିର ସମ୍ଭାରେ ମା' ଙ୍କର ହେବ ଆଗମନ। ସମସ୍ତେ ଚଳଚଂଚଳ, ଗାଁ ଗୋଟାକ ଫାଟି ପଡୁଥାଏ।ଗାଁ ପାଖ ଦୁର୍ଗା ମନ୍ଦିର ଆଖ ପାଖ ସଫାସଫି ସରି ତୋରଣ ବନ୍ଧା ସରି ଥାଏ।ରାତି ପାହିଲେ ଦୁର୍ଗା ପୂଜା।କିଏ ନୁଆ ଡ୍ରେସ କିଣାରେ ବ୍ୟସ୍ତ ତ କିଏ ଘରସଫା ତ ଆଉ କିଏ ଚାଉଳ କୁଟାରେ।ପୁରୀ ଜିଲ୍ଲା ଅନ୍ତର୍ଗତ ମଧୁପୁର ଗାଁ।କୋଉ ଅନାଦି କାଳରୁ ଖୁବ୍ ଧୂମ୍ ଧାମରେ ପାଳନ ହେଇ ଆସୁଛି ଏଠି ଦୁର୍ଗା ପୂଜା।

ସକାଳର ସୁନେଲି କିରଣରେ ବିଛାଡି ହେଇ ଯାଇ ଥାଏ ନୂଆ ଆଶା ଆଉ ଭରସା ର ଗାଲିଚା।ରାତି ଅଧରୁ ଝିଅ ବୋହୂ ମାନେ ଉଠି ସଜବାଜ ହେଲେଣି ମା ଙ୍କୁ ସ୍ୱାଗତ କରିବା ଲାଗି।ଘରେ ଘରେ ପିଠା ପଣା ର ମହ ମହ ବାସ୍ନା।

ସକାଳୁ ଆରମ୍ଭ ହେଲା ପ୍ରାତଃ ପୂଜା।ରଘୁ ପଣ୍ଡିତ ନୁଆ ପାଟ ମଠା ପିନ୍ଧି ପୂଜାରେ ବ୍ୟସ୍ତ।ସମସ୍ତେ ନିଜ ନିଜ ମାନସିକ କରି ମା ଙ୍କୁ ଭୋଗ ଲଗାଇ ନିଜର ଓ ପରିବାର ର ସୁଖ କାମନା କରୁ ଥାନ୍ତି।ହେଲେ ସମସ୍ତଙ୍କ ଅଗୋଚରରେ ଉର୍ମି ସବୁ ଦିନ ପରି ନିରବ ଆଉ ଶିଥିଳ।ଯେମିତି ତାର କୌଣସି ଅପେକ୍ଷା ନଥିଲା ଏଇ ପାର୍ବଣର ପର୍ବ ପାଇଁ।

ଦ୍ବିପହର ବେଳକୁ ମା ଙ୍କ ଦ୍ଵିତୀୟ ଧୂପ, ଅନ୍ନ ଭୋଗ ।ସ୍ୱୟଂ ରଘୁ ପଣ୍ଡିତେ ନିଜେ ଖଞ୍ଜା ଶାଳରେ।ମୁଣ୍ଡ ଉପରେ ସୂର୍ଯ୍ୟ ଖୁବ୍ ଜୋରେ ତେଜୀୟାନ୍ ହେଇ ହସୁଥାନ୍ତି।ମା ଙ୍କ ପାଇଁ ଯଥା ରୀତିରେ ଖେଚେଡ଼ୀ, ଡାଲମା, ଖିରି,ପୁରୀ,ପିଠା ସବୁ ପ୍ରସ୍ତୁତ।ଏଥର ମାଆଙ୍କୁ ଖାଲି ଅନ୍ନ ଲାଗି ହେବ,ମା ଭୋଗ ପାଇ ସାରିଲା ପରେ ସମସ୍ତେ ପାଇବେ।ସବୁ ବ୍ୟଞ୍ଜନ ଗୁଡିକୁ ପଣ୍ଡିତେ ନିଖୁଣ ଭାବରେ କଦଳୀ ପତ୍ରରେ ଢାଂକି ମାଆ ଙ୍କ ମନ୍ଦିରକୁ ଆଣିଲେ ଭୋଗ କରିବା ପାଇଁ।ହେଲେ ଏ କି ଅଘଟଣ!!ପଣ୍ଡିତେ ଆଶ୍ଚର୍ଯ୍ୟ।ଦେବୀଙ୍କ ଆସ୍ଥାନ ଶୂନ୍ୟ।

ଲୋକେ ନିଜ ନିଜ ଭିତରେ କଥାବାର୍ତା ଆରମ୍ଭ କରିଦେଲେ।କିଏ କହୁଥାଏ ଆରେ! ମା ବୋଧେ କୋପ କରିଛନ୍ତି,କିଏ କହୁଥାଏ ଏଇ ରଘୁ ପୁରୋହିତ କିଛି ଅନିଷ୍ଟ ନିଶ୍ଚେ କରି ଥିବା!!କିଏ କହୁ ଥାଏ କିଛି ବେନିୟମ ହୋଇଛି ବୋଧେ..ଏପରି ଅନେକ କିଛି।ଏତିକି ବେଳେ ଗାଁ ର ସବୁଠୁ ଛତରା ଟୋକା ସନାଁ, ଓରଫ ସନାତନ ପାଣିଗ୍ରାହୀ ଦୌଡ଼ି ଆସି କହି ପକାଇଲା ସେ ଦେଖିଛି, ଉର୍ମି କାଳେ ମା ଙ୍କୁ କାଖେଇ ନେଉଥିଲା ତା କାନି ଘୋଡେଇ।କଥାଟା ଯଦିଓ କାହାରି ହଜମ ହୋଉ ନଥିଲା ତଥାପି ସମସ୍ତେ ଭାବିଲେ,ଥରେ ଦେଖି ଆସିବାଟା ଠିକ୍ ହେବ।

ସମସ୍ତେ ଚାଲିଲେ ସନାଁ ଦେଖଉଥିବା ବାଟ ଆଡେ।କଥାଟା ସତ ହେଲା,ଉର୍ମି ଗାଁ ଠାରୁ ଅଳ୍ପ ଦୂର ଏକ ପୋଖରୀ କୂଳରେ ଠିଆ ହେଇ ଥାଏ ସ୍ଥାଣୁ ପରି।କିଏ କିଛି କାରଣ ବୁଝିବା ଆଗରୁ ଆରମ୍ଭ ହୋଇ ଗଲା ଉର୍ମି ଉପରେ ପାଶବିକ ଅତ୍ୟାଚାର।କିଏ ବିଧେ ଦେଉ ଥାଏ ତ, କିଏ ଗୋଇଠା, କିଏ ଅଲକ୍ଷଣୀ କହୁ ଥାଏ ତ କିଏ ଚୋରଣୀ ପୁଣି କିଏ ଘୋଷାରି ଦେଉ ଥାଏ ତା ଚୁଟି କେରା।ହେଲେ ତଥାପି ସେ ନୀରବ।ଗୋଇଠା, ବିଧା ଚୁଟି ଘୋସରା ହେଲା ପରେ ଵି ସେ ଚୁପ।ମାଡ଼ ରେ ଦିହ ହାଥ ଆବୁ ଫଳି ଯାଇ ଥାଏ।ୟା ଭିତରେ ପୋଲିସ ଆସି ପହଂଚି ଯାଇଥାଏ ସେ ସ୍ଥାନ ରେ।ପୋଲିସ ସହ ପହଂଚି ଥାନ୍ତି ହରି କନେଷ୍ଟବଳ।ସେ ଉର୍ମି ବାପଘର ଗାଁର।ଉର୍ମି କୁ ଦେଖି ତାଙ୍କ ମନରେ ଖୁବ୍ ଦୟା ହେଲା।ପୋଲିସ ବାବୁଙ୍କୁ କହି ସେ ପରିସ୍ଥିତି କୁ ସମ୍ଭାଳିବା ଉଦେଶ୍ୟ ରେ ଉର୍ମିକୁ ନେଇ ଚାଲି ଗଲେ ଥାନାକୁ।ଥାନାରେ ପୋଲିସ ବାବୁଙ୍କ ଆଗରେ ଉର୍ମିକୁ ବୁଝେଇ କହିଲେ,ମା ରେ ସତ କହ.. ତୁ କଣ ସତରେ ମୂର୍ତ୍ତି ଚୋରି କରିଛୁ?ମୁଁ ତୋ ବାପ ସମାନରେ ମାଆ ସତ କହ, ତୋର କିଛି ହେବନି।ମୁଁ ଅଛି ପରା।ଉର୍ମି ସେଇ ସ୍ନେହ ବୋଳା କେଇ ପଦ କଥାରେ ମୁଣ୍ଡକୁ ଉଠାଇ ଛଳ ଛଳ ଆଖିରେ କହିବା ଆରମ୍ଭ କଲା ତା କାହାଣୀ ହରି ମଉସା ଆଉ ପୋଲିସ ବାବୁଙ୍କ ଆଗରେ।

ମୁଁ ଜଣେ ସାଧା ସିଧା ଖଟି ଖିଆ ମାଇପି ବାବୁ।ପରିବାର ବୋଲି କହିଲେ ଗୋଟିଏ ଝିଅ ଦେବୀ।ରୁପରେ ଯେମିତି ଗୁଣ ରେ ଵି ସେମିତି।ଏଇ ଆଶ୍ୱିନ ମାସ ଦେବୀ ପୂଜା ସମୟରେ ଜନ୍ମ ବୋଲି ବଡ଼ ସରାଗରେ ତା ନାଁ ରଖି ଥିଲି ଦେବୀ।ପିଲାଟି ବେଳୁ ମୋ ଦେବୀ ବାପ ଛେଉଣ୍ଡ।ମୁଁ ତାର ସବୁ କିଛି।ଦୁନିଆ କହିଲେ ମୋ ଦେବୀ ଦି ଜଣଙ୍କୁ ବୁଝେ ଗୋଟେ ତା ଜନ୍ମ କଲା ମା,ମାନେ ମୁଁ ଆଉ ଗୋଟେ ତା ଦୁର୍ଗା ମାଆ।ଖୁବ୍ ସରଳ ଆଉ ଧର୍ମ ବିଶ୍ୱାସୀ ଥିଲା ମୋ ଦେବୀ।ଛୁଆଟି ବେଳୁ ମାଆ ଉପରେ ତାର ଅନେକ ବିଶ୍ୱାସ।ସକାଳୁ ଉଠି ମା ଫୁଲ ମାଳ ତିଆରିଠୁ ଆରମ୍ଭ ହୁଏ ତା ଦିନ ଆଉ ସନ୍ଧ୍ୟା ଆଳତୀ ରେ ହୁଏ ତା ଦିନ ଶେଷ। କହୁ କହୁ ଗମ୍ଭୀର ହେଇ ଆସିଲା ଉର୍ମି।ଛଳ ଛଳ ହେଇ ଆସିଲା ତା ଆଖି ଦୁଇଟା।ବାଷ୍ପ ରୁଦ୍ଧ ହେଇ ଆସିଲା ତା କଣ୍ଠ,ଲୁହକୁ ଢ଼ୋକି ତଥାପି କହିଲା, ଆଜିକୁ ଠିକ୍ ତିନି ବର୍ଷ ତଳର କଥା ବାବୁ, ପାର୍ବଣ ଋତୁ,ଅଷ୍ଟମୀ ସନ୍ଧ୍ୟାର କଥା, ଝିଅ ମୋର ସବୁଦିନ ପରି ସଞ୍ଜ ଆଳତୀ ଦେବା ପାଇଁ ଯାଇ ଥାଏ ମାଆଙ୍କ ମନ୍ଦିରକୁ ଆଉ ମୁଁ ମୋ ସବୁ ଦିନିଆ କାମରେ ଯାଇ ଥାଏ ପାଖ ଗାଁ କୁ।ଘରକୁ ଫେରୁ ଫେରୁ ସଞ୍ଜ ଗଡ଼ି ମୁହଁ ଅନ୍ଧାର ହେଇ ଆସି ଥାଏ।ହେଲେ ଘରକୁ ଆସିଲା ପରେ ଦେଖିଲି ମୋ ଦେବୀ ଘରେ ନାହିଁ।ବହୁତ ଖୋଜିଲି ତା ସାଙ୍ଗ ସାଥୀ ସଭିଙ୍କୁ ପଚାରିଲି, ମୋ ଦେବୀକୁ ଦେଖିଛ?ହେଲେ ସମସ୍ତଙ୍କ ଠାରୁ ସେଇ ନାସ୍ତିବାଣୀ।ମନଟାରେ ଭୁଆଶୁଣି ଝିଅର ନିଖୋଜ ଚିନ୍ତା ଜଣେ ମାଆ ହିଁ ବୁଝି ପାରିବ ବାବୁ।ଶେଷରେ ଦୌଡିଲି ମନ୍ଦିର ଆଡେ କାଳେ ରହି ଯାଇଥିବ ସେଠି ମୋ ଦେବୀ।ବଡ଼ ମନ୍ଦିରଟା ବାବୁ, ବହୁତ ଖୋଜିଲି ଶେଷରେ ଖୋଜି ପାଇଲି ଦେବୀ କୁ... ଦେବୀ ମୋର ମନ୍ଦିର ପଛ ବେଢ଼ା କାନ୍ଥ କୁ ଆଉଜି ବସି ଧକଉ ଥାଏ।ଅଧା ବୁଜା ଆଖି,ତା ବେଶ ଦେଖି ଚମକି ପଡିଲି ବାବୁ..ଶରୀର ଟା ତାର ଥଣ୍ଡା...ହେଲେ ଗମ୍ ଗମ୍ ଝାଳ। ଦେହ ରୁ ବୋହି ଯାଉ ଥାଏ ଲହୁ,ଆଖିରୁ ଲୁହ।ଚୁଟି ମୁକୁଳା ଆଉ ଦେହ... ଆଁ..... ଆଁ... କହି ପାରିଲାନି ଉର୍ମି।କିଛି ସମୟ ପରେ ପୁଣି ଆରମ୍ଭ କଲା,ଆଖିରୁ ଦୁଇ ଧାର ଲୁହ ଗଡେଇ ଦେଇ ମତେ ଚାପି ଧରିଲା ମୋ ଉର୍ମି, ସତେ ଯେମିତି ମତେ ହିଁ ଅପେକ୍ଷା କରିଥିଲା ସେ ପଦେ କଥା କହିବାକୁ। ମତେ କୁଣ୍ଢେଇ ପକେଇ କହି ପକାଇଲା ସନାଁ... ସନାଁ..ସେ ରାକ୍ଷସ ଏମିତି,.. ମୋର....ବାସ୍ କ୍ଷୀଣ ହେଇ ଆସିଲା ମୋ ଦେବୀର ସ୍ୱର।ଉଡି ଗଲା ତା ପ୍ରାଣ ବାୟୁ।ନିସ୍ତେଜ ହେଇ ଗଲା ତା କଥା କୁହା ଆଖି ହେଲେ ରହି ଗଲା ଖୋଲା।ସତେ ଯେମିତି ନ୍ୟାୟ ପାଇଁ ମତେ ଅଳି କରୁଥିଲେ ଆଖି ହଳକ।ଉଡ଼ିଗଲା ତା ପ୍ରାଣ ବାୟୁ।ତା ଶବ ଟାକୁ ଧରି ଘର ଘର ବୁଲିଲି, ନ୍ୟାୟଟିକେ ପାଇଁ କେତେ କାକୁତି ମିନତୀ ହେଲି,କେତେ ଲୁହ ନିଗାଡ଼ିଲି ଏଇ ମନ୍ଦିର ବେଢାରେ।ହେଲେ ନ୍ୟାୟ ଆମ ଗରିବଙ୍କ ଭାଗ୍ୟରେ କାହିଁ ବାବୁ?ସନାଁ ରାତି ରାତି ମତେ ଧମକ ଦେଲା, ଯଦି ବେଶି ଖୋଳ ତାଡ କରିବୁ ତେବେ ତୋ ଅବସ୍ଥା ଵି ତୋ ଝିଅ ପରି ହେବା।

ତମେ କୁହ ବାବୁ ଯୋଉ ମା ଜଗତର ମା ହେଇ ମୋ ଝିଅକୁ ସାହା ହେଲାନି,ତା ବେଢ଼ାରେ ତା ଝିଅର ଏ ଅବସ୍ଥା ତା ଆଖି ଦେଖି ପାରିଲା, ତା ଛାତି ସହି ପାରିଲା,ଯୋଉ ମା ଶକ୍ତି ସ୍ୱରୁପିଣୀ ହେଇ ମଧ୍ୟ ଶକ୍ତିହୀନ ହେବା ଭଳି ଚୁପ ହୋଇ ନିରବ ଦର୍ଶକ ସାଜି ପାରିଲା, ମୁଁ ତାର କାହିଁକି ପୂଜା କରିଥାନ୍ତି? ଦୀର୍ଘ ତିନି ବର୍ଷ ଅପେକ୍ଷା କଲି ବାବୁ,କେତେ ନେହୁରା ହେଲି,କେତେ ଏଇ ଦେବୀ ପାଖେ ମାନସିକ କରିଛି ମୋ ଝିଅ ର ଯିଏ ଏ ଦୁର୍ଦ୍ଦସା କରିଚି ତାର ଅନ୍ତ ହେଉ...ହେଲେ ସବୁ ନିଷ୍ଫଳ।ଆଉ କେତେ ମୋର ଧୈର୍ଯ୍ୟ ବାବୁ।ଶେଷ ରେ ଏଇ ପାସାଣ ମୂର୍ତ୍ତୀ ଟାକୁ ବିସର୍ଜନ କରିବି ବୋଲି ନିଷ୍ପତି ନେଲି।କାଳେ ଭବିଷ୍ୟତ ରେ ଆଉ କୋଉ ଝିଅର ସୁରକ୍ଷାର ଭରସା ଦେଇ ସୁରକ୍ଷା କରି ନ ପାରି ମୋ ଭଳି ଆଉ କୋଉ ମା ର ଆସ୍ଥା ହରେଇ ନ ଦେଉ।ସେଥିପାଇଁ ଆଜି ରାଗ ଆଉ ଅଭିମାନରେ ମୂର୍ତ୍ତିଟାକୁ ପାଣିରେ ପକେଇଦେଲି ବାବୁ।

ମଉସାଙ୍କ ସହ ପୋଲିସ ବାବୁ ନୀରବରେ ଶୁଣୁ ଥିଲେ ଉର୍ମିର ଛାତି ତଳ କୋହକୁ।ଭରି ଆସୁ ଥିଲା ସଭିଙ୍କ ଆଖି।ଉର୍ମିର ଦୁଃଖ ଆଉ ଅଭିମାନର ଢେଉ ସବୁ ପିଟି ହେଇ ଯାଉ ଥାଏ ସଭିଙ୍କ ଛାତିରେ।।

ପୋଲିସ ବାବୁ ବିଚାର କରୁଥିଲେ ଉର୍ମିର ଦୋଷ। ଯିଏ ନା ଚୋରଣୀ ଥିଲା, ନା ରାକ୍ଷସୀ, ନା ଅଲକ୍ଷଣୀ ସେ ତ କେବଳ ଗୋଟେ ଅସହାୟ ଆଉ ଅଭିମନୀ ମା ଥିଲା।ଯିଏ ନ୍ୟାୟ ଟିକେ ପାଇଁ ଯେତିକି ବିକଳ ଥିଲା ସେତିକି ଥିଲା ଲାଚାର।

ଏତିକି ବେଳେ ନୀରବତାକୁ ଭଙ୍ଗ କରି,ବାଜି ଉଠିଲା ଫୋନଟା।ସେପଟୁ ଖବର ଆସିଲା; ମାଆ ଙ୍କ ମୂର୍ତ୍ତି ସହି ସଲାମତ ପୋଖରୀରୁ ବାହାର କରା ଯାଇ ପୁନଃ ସ୍ଥାପନ କରାଗଲା।ହେଲେ ପୋଖରୀ ଭିତରେ ବୁଡି ସନାଁ;ଓରଫ ସନାତନ ପାଣିଗ୍ରାହୀ ମୃତ।

ପୋଲିସ ବାବୁ ବିଶ୍ୱାସ କରି ପାରୁ ନଥାନ୍ତି କାନକୁ।ଖବରଟାର ସତ୍ୟାସତ ଆଉ ଥରେ ଯାଞ୍ଚ କରି ଜୋରରେ ମୁଣ୍ଡିଆ ମାରି କହି ପକାଇଲେ,ଧର୍ମର ଜୟ ହେଉ..ଅଧର୍ମ ଉପରେ ଧର୍ମର ବାନା ଏମିତି ଉଡୁ ଥାଉ ମାଆ।

ଉର୍ମି ମୁଣ୍ଡକୁ ଆଉଁସି ଦେଇ କହି ଉଠିଲେ ପୋଲିସ ବାବୁ, ମାଆରେ ମନ ଉଣା କରନା।ସବୁ ସୁଧ ମୁଳ ହିସାବ କରି ଦେଇଛି ସେ ପାପନାଶିନୀ ।ସନାଁର ପୋଖରୀରେ ବୁଡି ମୃତ୍ୟୁ ହେଇଛି।ବୋକିଙ୍କ ପରି ଚାହିଁ ରହି ଥାଏ ଉର୍ମି।ଆଖିରୁ ଗଡ଼ି ଯାଉ ଥାଏ ତାର ମାଆ ପ୍ରତି କୃତଜ୍ଞତାର ଅଶ୍ରୁ ସବୁ।

**ସ୍ୱାଗତିକା ମିଶ୍ର**

ହିସାବ କିରଣ ପୂଜା

Rate the content


Originality
Flow
Language
Cover design

Comments

Post

Some text some message..