Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Swagatika Mishra

Tragedy

5.0  

Swagatika Mishra

Tragedy

ସମ୍ପର୍କର ରଙ୍ଗ

ସମ୍ପର୍କର ରଙ୍ଗ

7 mins
497


ଅଦିନିଆ ବର୍ଷାଟା ବାହାରେ ମନ ଖୋଲି ନିଗାଡ଼ି ଦେଉ ଥାଏ ମନର କୋହକୁ ।ଝରକା ପାଖରେ ଚା କପ ଟା ଧରି ଏକ ଲୟ ରେ ଚାହିଁରହି ଥାଏ ମୁକ୍ତା ।ବର୍ଷାକୁ ସେ ଖୁବ ଭଲ ପାଏ ତା ପିଲାଟି ଦିନରୁ ।ଅନ୍ଧାରିଆ କଳା ବାଦଲ ଉହାଡ଼ରେ ଝାପ୍ସା ହେଇ ଆସୁଥାଏ ବର୍ଷାର ଧାରା ସବୁ ।ହଠାତ ବାଜି ଉଠିଲା କଲିଙ୍ଗ ବେଲ।ଏଇ ସମୟରେ କିଏ ଆସିଲା ବୋଲି ଭାବି କୌତୁହଳ ସହ କବାଟ ଖୋଲିଲା ମୁକ୍ତା ।କବାଟ ଟା ଖୋଲୁ ଖୋଲୁ ସ୍ଥାଣୁ ପାଲଟି ଗଲା ସେ ।ନିଜ ଆଖିକୁ ନିଜେ ବିଶ୍ୱାସ କରି ପାରୁ ନ ଥାଏ ମୁକ୍ତା।ସାମ୍ନା ରେରଜତ ।ରଜତ ପାଣିଗ୍ରାହୀ ତା ଜୀବନର ଗୋଟେ ଅଧୁରା ଅଧ୍ୟାୟ ଯାହାକୁ ଦିନେ ସେ ଭଲ ପାଉ ଥିଲା ପାଗେଳୀଙ୍କ ପରି, ବାହାନା ଯୋଗଡୁ ଥିଲା ଥରୁଟେ ଦେଖିବା ପାଇଁ।ମରୁ ଥିଲା ଥରେ କଥା ହେବା ପାଇଁ ।

ରଜତକୁ ପ୍ରଥମ ଥର ପାଇଁ ଦେଖି ଥିଲା ତା କଲେଜ କ୍ୟାଣ୍ଟିନରେ ।ଛ ଫୁଟ ଉଚ୍ଚତା,ଚଉଡା ଛାତି, ସାବନାରଙ୍ଗ ଆଉ ଲମ୍ବା ନାକ ସାଙ୍ଗକୁ ତାର କଥା ହେବାର ଢଙ୍ଗ ତାକୁ ଖୁବ ଆକର୍ଷଣ କରିଥିଲା ।ପ୍ରଥମ ଦେଖାରେ ହିଁ ହୃଦୟ ଭିତରେ ସଅଂପି ଦେଇଥିଲା ଜାଗା ଖଣ୍ଡିଏ, ବନ୍ଧା ପକେଇ ଦେଇଥିଲା ତା ନିଦ, ହଜେଇ ଦେଇଥିଲା ତା ମନ ରଜତ ପାଖରେ ।ରଜତ ଓ ମୁକ୍ତା ଉଭୟ ସ୍ନାତକୋତର ଶିକ୍ଷାର୍ଥୀ ଥିଲେ । ପ୍ରଥମେ ବନ୍ଧୁତାର ହାତ ବଢ଼େଇ ଥିଲା ମୁକ୍ତା ।ବାସ ସେଇ ଦିନ ଠାରୁ ଦୁହେଁ ପାଲଟି ଯାଇଥିଲେ ଖୁବ ଭଲବନ୍ଧୁ ।ମୁକ୍ତା ଗୁନ୍ଥି ଚାଲି ଥିଲା ସପନ ସବୁ ଆଶାର ସୁତା ଖଣ୍ଡରେ ।ଏମିତି ବିତି ଚାଲିଲା ସମୟ । କଲେଜ ସରିବାକୁ ଆଉ ମାତ୍ର କେତେ ଦିନ ବାକି ଥାଏ ହେଲେ ମୁକ୍ତା କହି ପାରି ନ ଥାଏ ନିଜ ମନର କଥା ।କେମିତି କହିବ କୋଉଠୁ ଆରମ୍ଭ କରିବ ଭାବି ଭାବି ସେଦିନ ରାତି ସାରା ନିଦ ନଥାଏ ମୁକ୍ତାକୁ ।ଯେମିତ ହେଲେ କାଲି ସକାଳେ ସେରଜତକୁ ଖୋଲି କହିବ ତା ମନକଥା ।ସକାଳର ଅପେକ୍ଷା ରେ ମସଗୁଲ ହେଇ କଡ ଲେଉଟେଇ ରାତିଟାକୁ ଯେ କୌଣସି ମତେ କାଟିଲା ଭାରି କଷ୍ଟରେ ।ସକାଳୁ ନିଜକୁ ଆଇନାରେ ଦୁଇ ଚାରି ଥର ଦେଖି ନିଜକୁ ସଜେଇ ବାହାରି ଗଲା ରଜତ ସହ ଦେଖା କରିବା ପାଇଁ ।ଡର ଲାଜ ଆଉ ଭୟକୁ ଛାତି ତଳେ ଚାପି ସବୁ ସାହସ ଜୁଟେଇ ଏକ ନିଶ୍ୱାସରେ ମନକଥା ଖୋଲି କହି ଦେଲା ମୁକ୍ତା ।ରଜତ କିନ୍ତୁ ସିଧା ସଳଖ ଭାବେ ପ୍ରତ୍ୟାଖାନ କରିଥିଲା ମୁକ୍ତାର ପ୍ରେମ ନିବେଦନକୁ, ତା ଛଡା ତା ଘରେ ବି ଅନାଥ ଆଶ୍ରମର ଝିଅକୁ ବୋହୁ କରିବାକୁ କେହି ରାଜି ହେବେନି ବୋଲି ସ୍ପଷ୍ଟ ଭାବରେ ଜଣେଇ ମଧ୍ୟ ଦେଇଥିଲା।ବାସ !ମୁକ୍ତାର ପାଦ ତଳୁ ଖସି ଯାଇଥିଲା ମାଟି। ଆଖିରେ ବୋଲ ମାନୁ ନଥିଲା ଲୁହ ।ମନରେ ଭରି ଆସୁଥିଲା ନିଜକୁ ଘୃଣା କରିବା ପାଇଁ ଆଉ ଗୋଟାଏ କାରଣ ।ଦ୍ୱିତୀୟ ଥର ପାଇଁ ରଜତକୁ କୌଣସି ପ୍ରଶ୍ନ ନ ପଚାରି ବାଟ ଭାଙ୍ଗି ଚାଲି ଯାଇଥିଲା ମୁକ୍ତା ।ନୂଆ ସମ୍ପର୍କଟା ସୃଷ୍ଟି ହେବା ଆଗରୁ ହିଁ ସମାଧି ନେଇ ଥିଲା ପୁରୁଣା ସମ୍ପର୍କ ।ଏଇଠି କବର ନେଇଥିଲା ତାଙ୍କ ବନ୍ଧୁତ୍ୱ ।ଅଲଗା ହୋଇ ଯାଇଥିଲା ଉଭୟଙ୍କ ରାସ୍ତା ।ରଜତ ଯଦିଓ ଅନେକ ଥର ଚେଷ୍ଟା କରିଥିଲା ବନ୍ଧୁତା ରକ୍ଷା କରିବା ନିମନ୍ତେ ହେଲେ ମୁକ୍ତା କୌଣସି ସୁଯୋଗ ଦେଇ ନଥିଲା ।ଶେଷ ପରୀକ୍ଷା ଟା ସରିବା ପରେ ଉଭୟ ନିଜ ନିଜ କର୍ମକ୍ଷେତ୍ରରେ ବ୍ୟସ୍ତରହିଲେ ।ରଜତ ମଧ୍ୟ ରୂପବତୀ ଆଉ ଗୁଣବତୀ ଝିଅ ଟିଏ ଦେଖି ସଂସାର ବସେଇ ସାରିଥିଲା ମାତ୍ର ମୁକ୍ତାରହି ଯାଇଥିଲା ଏକା ଆଉ ତା ଏକେଲାପଣ ତାକୁ ଗ୍ରାସ କରି ସାରିଥିଲା ଚାରି ପଟୁ । ହଠାତ ରଜତ ପ୍ରଶ୍ନରେ ପ୍ରକୃତିସ୍ଥ ହେଲା ମୁକ୍ତା ।

-ଭିତରକୁ ଆସିବାକୁ କହିବନି ମୁକ୍ତା?

-ହଁ ହଁ ଆସ ରଜତ ।ବସ ।

ପୁଣି କୋଠରୀ ଭିତରେ ଛାଇ ଗଲା ଅଜବ ନିସ୍ତବ୍ଦତା ।ରଜତ ନିସ୍ତବ୍ଦତାକୁ ଭାଙ୍ଗିବାକୁ ଯାଇ ନିଜ ଆଡୁ କଥା ଆରମ୍ଭ କଲା।

-କେମିତି ଅଛ ମୁକ୍ତା ? ମତେ ମନେରଖିଚ ନା ଭୁଲି ଗଲଣି?

-ମତେ କ୍ଷମା କରି ଦିଅ ମୁକ୍ତା ।ମୁଁ ଅତୀତ ଘଟଣା ପାଇଁ ଲଜ୍ଜିତ। ତୁମକୁ ହାତ ଯୋଡି କ୍ଷମା ମାଗୁଛି ମୁକ୍ତା ସବୁ କିଛି ଭୁଲି ଯାଅ ।

ଦୀର୍ଘଶ୍ୱାସ ପକାଇ ମୁକ୍ତା ଆରମ୍ଭ କଲା,

-କେତେ ସହଜରେ କହିଦେଲ ରଜତ ସବୁକିଛି ଭୁଲି ଯିବା ପାଇଁ ।ଭୁଲିବା ଏତେ ସହଜ ହେଇ ଥିଲେ ମୁଁ ଆଜି ତୁମ ପରି ସଂସାର କରି ସୁଖର ଜୀବନଟିଏ ବିତେଇଥାନ୍ତି ଏମିତି ସାରା ଜୀବନ ଅନାଥ ହେଇ ବଂଚିବାକୁ କିଏ ଚାହେଁ !ଛାଡ଼ ସେସବୁ ରଜତ ;ପୁରୁଣା କଥା ଘାଣ୍ଟି ଆଉ କି ଲାଭ? ଆଜି କେମିତି ମୋ କଥା ମନେ ପଡିଲା ସେଇଟାକୁହ? ଏଇ ଆଠ ବର୍ଷ ଭିତରେ କେବେ ତ ମତେ ଖୋଜିନ? ଆଜି ହଠାତ? ରଜତ ମୁକ୍ତାର ହାତ ଟାକୁ ଧରି କହି ପକାଇଲେ ମତେ ବିବାହ କରିପାରିବ ମୁକ୍ତା?

-ଚମକି ପଡିଲା ମୁକ୍ତା।ହେଲେ ତମେ ତ ବିବାହିତ।ମୁଁ ଯଦି ଭୁଲ କହୁ ନଥାଏ ଆମ ଜୁନିଅର ଶ୍ରଦ୍ଧାକୁ ବୋଧେ ତମେ ବିବାହ କରିଛ ।ପୁଣି....

-ହଁ ମୁକ୍ତା।ହେଲେ ଶ୍ରଦ୍ଧା...ଶ୍ରଦ୍ଧା.... ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛି ସବୁଦିନ ପାଇଁ ।ହଁ ମୁକ୍ତା ଆଜିକୁ ଚାରି ମାସ ତଳେ ଗୋଟେ ଝିଅକୁ ଜନ୍ମ ଦେଇ ସେ ଚାଲିଯାଇଛି ସବୁଦିନ ପାଇଁ ।ବିଚରା ସେ ଛୁଆଟା କଥା ଭାବୁଛି ।କେମିତି ପାଳିବି ତାକୁ ଶ୍ରଦ୍ଧା ବିନା ।ତମ ଉପରେ ମୋର ପୁରା ବିଶ୍ୱାସ ଅଛି ମୁକ୍ତା ତମ ଠାରୁ ମତେ ଆଉ କିଏ ବା ଅଧିକ ବୁଝି ପାରିବ? ମୁଁ ଜାଣିଛି ତମେ ବି ଆଜି ଯାଏ ମୋ ପାଇଁ ହିଁ ବିବାହ କରିପାରିନ ।ପ୍ଲିଜ଼ ମୁକ୍ତା ଆଦରି ନିଅ ପିଲାଟାକୁ, ତମେ ହିଁ ପିଲାଟାକୁ ମାର ସ୍ନେହ ଦେଇପାରିବ ତାର ଆବଶ୍ୟକତା ପୁରା କରିପାରିବ ।ଥରେ ଖାଲି ମୋ ବିବାହ ପ୍ରସ୍ତାବରେ ରାଜି ହେଇଯାଅ ମୁକ୍ତା ।

-ମୁକ୍ତା ଆଖିରେ ଘୃଣା ଆଉ କ୍ରୋଧର ଲୁହ ।ତାସ୍ଛଲ୍ୟ ଭରା ଚାହାଣିରେ ଚାହିଁଲା ମୁକ୍ତା ।

-ଓ! ରଜତ ବାବୁ ତାହେଲେ ମତେ ବିବାହ କରିବାକୁ ଚାହୁଁଛନ୍ତି ତାଙ୍କ ଛୁଆର ଲାଳନ ପାଳନ କରିବାକୁ।କେତେ ସ୍ୱାର୍ଥପର ତମେ ରଜତ! ସବୁବେଳେ ନିଜ କଥା ଭାବି ଜାଣିଛ ନା? ମୁଁ ଆଜିବି ଅନାଥ ରଜତ। ମୋ ବାପା ମାଙ୍କର ଏଯାଏଁ ବି ଠିକଣା ମିଳିନି ।ତମ ଘରକୁ ଗଲେ ତମ ପରିବାର ସମ୍ମାନ ଉପରେ ଆଞ୍ଚ ଆସିବନି? ସେଦିନ କେତେ ସହଜରେ ତମେ ଓ ତମ ପରିବାର ମୋ ପ୍ରେମକୁ ପ୍ରତ୍ୟାଖାନ କରିଥିଲ ରଜତ, ମୁଁ ଅନାଥ ବୋଲି ।ଥରେ ଭାବି ଦେଖ ରଜତ,କେତେ ବାଧି ନ ଥିବ ସେ କଥା ପଦକ !ଜାଣିଛ ରଜତ କେତେ କଷ୍ଟ କରିଛି ମୁଁ ଏଇ ଦୁନିଆରେ ତିଷ୍ଠିବା ପାଇଁ ।ଗୋଟେ ଥର ମୋ ପ୍ରେମର ଗଭୀରତାକୁ ବୁଝିବାକୁ ଚେଷ୍ଟା କଲନି ତମେ।ଓଲଟା.....ବାଷ୍ପରୁଦ୍ଧ ହେଇ ଆସିଲା ମୁକ୍ତା ।ନିଜକୁ ଶକ୍ତ କରି ପୁଣି କହିଲା, ଗୋଟେ ଅନାଥ ପିଲାବି ତୁମ ଝିଅକୁ କି ସଂସ୍କାର ଦେଇ ପାରିବ!!ଯାଅ ରଜତ,ଚାଲିଯାଅ ;ଏଠି ବୃଥା ପରିଶ୍ରମ କରନା ।

-ମୁଁ ତ ଭାବି ଥିଲି ହୁଏତ ତମେ ମୋ ପ୍ରେମର ଗଭୀରତାକୁ ଏତେ ଦିନ ପରେ ଅନୁଭବ କରି ପାରିଥିବ ଆଉ ସେଥିପାଇଁ ବୋଧେ ମତେ ଆଜି ଖୋଜି ଏଠାରେ ପହଁଞ୍ଚିଛ । ହେଲେ ମୁଁ ସେଦିନ ବି ଭୁଲ ଥିଲି ଆଉ ଆଜିବି ।ମୁଁ ଆଉ କିଛି କଟୁ କଥା କହିବା ଆଗରୁ ତମେ ଚାଲି ଯିବାଟା ଭଲ ହେବ ରଜତ ।

-ମୁକ୍ତା.... ଥରେତ ମତେ ବୁଝିବାକୁ ଚେଷ୍ଟା କର।

_ବାସ ! ଚାଲି ଯାଅ ରଜତ ।

ନିରୁପାୟ ହେଇ ଭାରାକ୍ରାନ୍ତ ମନ ନେଇ ସେଦିନ ଫେରିଗଲା ରଜତ ।ଅତୀତର ପ୍ରେମ ପ୍ରତ୍ୟାଖାନର ସଠିକ ପ୍ରତିଶୋଧ ନେଇ ଥିଲା ମୁକ୍ତା ରଜତର ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ।ତଥାପି କେଉଁ ଗୋଟେ ଅଜଣା ଭୁଲ ପାଇଁ ଆନ୍ଦୋଳିତ ହେଉଥିଲା ତାର ମନ ।ନିଜକୁ ନିଜେ ଲଜ୍ୟା ବୋଧ ଯଦିଓ କରୁଥିଲା ତଥାପି ଆତ୍ମ ତୃପ୍ତି ପାଇବାର ବାହାନା ସଜାଡୁ ଥିଲା ।ହେଲେ କିଏ ଜାଣିଥିଲା ଵିଧିର ବିଧାନ ଆଉ କିଛି ଲେଖି ଥିଲା ତା ପାଇଁ ।

ପରଦିନ ସକାଳର ଜଳଖିଆ ସହ ଖବରକାଗଜ ଆଡଉ ଆଡଉ ନଜର ପଡିଲା ସଡ଼କ ଦୁର୍ଘଟଣା ଖବର ଉପରେ ।ବଡ଼ ବଡ ଅକ୍ଷରରେ ଲେଖା ହେଇଥିଲା, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଧ୍ୟାପକ ରଜତ ପାଣିଗ୍ରାହୀ ଗୁରୁତର।ଗୁରୁତର ଅବସ୍ଥାରେ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ।ଆଖିକୁ ବିଶ୍ୱାସ କରି ପାରୁ ନ ଥିଲା ମୁକ୍ତା । ନିଜକୁ ନିଜେ ଦୋଷୀ ମନେ କରି ଅବିଳମ୍ବେ ଏକମୁହାଁ ହେଇ ଦୌଡିଲା ଡାକ୍ତରଖାନା ଆଡ଼େ ।

ଡାକ୍ତରଖାନାରେ ନିଜକୁ ରଜତର ବାନ୍ଧବୀର ପରିଚୟ ପ୍ରଦାନ କରି ସମସ୍ତଙ୍କ ପରି ସେ ମଧ୍ୟ ଅପେକ୍ଷା କରି ଥାଏ ଡାକ୍ତରଙ୍କୁ ।ଯଥା ସମୟରେ ଡାକ୍ତର ବାହାରକୁ ଆସିଲେ ହେଲେ ମୁହଁରେ ନାସ୍ତି ବାଣୀ ।ଦେହରୁ ଅତ୍ୟନ୍ତରକ୍ତ ସ୍ରାବ ଓ ମୁଣ୍ଡରେ ଶକ୍ତ ଆଘାତ ହେତୁ ପରିସ୍ଥିତି ଜଟିଳ ।ହୁଏତ କୋମା ନଚେତ ମୃତ୍ୟୁ। ମୁକ୍ତା ଆଖିରୁ ଝର ଝର ହେଇ ଝରି ଯାଉଥିଲା ଲୁହ ।ହଠାତ ତାର ନଜର ପଡିଲା ସତୁରି ବର୍ଷର ବୃଦ୍ଧାଙ୍କ କୋଳରେ ରାହା ଧରି କାନ୍ଦୁ ଥିବା ନିଷ୍ପାପ କଅଁଳ ଶିଶୁଟା ଉପରେ ।ବୃଦ୍ଧା ଜଣଙ୍କ ନା ନିଜକୁ ସମ୍ଭାଳି ପାରୁ ଥିଲେ ନା ସେ ପିଲାକୁ ।ମୁକ୍ତାର କାନରେ ବାଜୁଥିଲା ଗଲା କାଲିର ରଜତଙ୍କ ନିବେଦନ ଆଉ ଅତୀତର ପ୍ରେମ ପ୍ରତ୍ୟାଖାନର ମୁଖ୍ୟ କାରଣ ଅନାଥ ଶବ୍ଦଟା।ତା ଆଖି ଆଗରେ ଅନାଥ ହେବାକୁ ଯାଉ ଥିଲା ଆଉ ଗୋଟେ ଜୀବନ।ମାଡି ଆସୁଥିଲା କଳାହାଣ୍ଡିଆ ମେଘ।ପିଲାଟାର ଭବିଷ୍ୟତକୁ ନିଜ ଭାଗ୍ୟ ସହ ତୌଲେଇ ଥରିଯାଉଥିଲା ତା ଦେହ । କୋରି ହେଇ ଯାଉ ଥିଲା ମୁକ୍ତା ହୃଦୟ ଭିତରଟା ।

ଧୀରେ ଧୀରେ ପାଦ ବଢ଼ାଇଲା ମୁକ୍ତା।ଥରେ ଆଖି ବୁଲେଇ ଆଣିଲା ତା ନିଷ୍ପାପ ମୁହଁଟା ଉପରେ ।ରଜତ ମୁହଁଟା ନାଚି ଉଠୁଥିଲା ତା ଆଖିରେ ।ଅତୀତକୁ ଏମିତି ଅବସ୍ଥାରେ ଭେଟିବ, ମୁକ୍ତା କେବେ ମଧ୍ୟ ଭାବି ନଥିଲା ।ସେ ଅନୁଭବ କରିଥିଲା ଅନାଥ ହେବାର କଷ୍ଟ ।ବଢିଲା ଝିଅ ଉପରେ ଦୁନିଆର ନଜର।ବଂଚିବା ପାଇଁ ସାହାରାର ଆବଶ୍ୟକତା ।ପରିଷେଶରେ ସମାଜର ଘୃଣ୍ୟ ଦୃଷ୍ଟି ଆଉ ଲାଞ୍ଚନା ।ପିଲାଟା ଏବେ ବି ରାହା ଧରି କାନ୍ଦୁ ଥିଲା ।ନିଜକୁ ସମ୍ଭାଳି ପାରିଲାନି ମୁକ୍ତା।

ରକ୍ତରୁ କାଳେ ସମ୍ପର୍କ ତିଆରି ହୁଏ ହେଲେ ଏଇ ସମ୍ପର୍କ ବି କେବେ କେବେ ରକ୍ତ ହେଇ ବୋହି ପାରେ ଛାତିରେ, ଲୁହ ହେଇ ନିଗିଡି ପାରେ ଆଖିରୁ ସେଦିନ ପ୍ରଥମ ଥର ପାଇଁ ଅନୁଭବ କରିଥିଲା ମୁକ୍ତା ।ମାତୃତ୍ୱର ମମତାରେ ଜୁଡ଼ୁବୁଡ଼ୁ ହେଇ କୋଳେଇ ନେଲା ପିଲାଟାକୁ ।ଛାତିରେ ଚାପି ଧରିଲା ମୁକ୍ତା ।ପିଲାଟା ବି କାନ୍ଦିବା ଠକ କରି ବନ୍ଦ କରି ଦେଲା ମାତୃତ୍ବର ସ୍ପର୍ଶ ପାଇ ।

ନର୍ସ ଡାକ ପକାଇଲେ ରୋଗୀ ତାଙ୍କ ଛୁଆକୁ ଖୋଜୁଛନ୍ତି ।ଅବସ୍ଥା ବହୁତ ଖରାପ ଜଲଦି ଛୁଆକୁ ଆଣି ଆସନ୍ତୁ ।ମୁକ୍ତା ବିଜୁଳି ବେଗରେ ଦୌଡିଲା ଛୁଆକୁ ଚାପି ଧରି ।

ରଜତ ଶୋଇରହିଥିଲା ଭୀଷଣ କଷ୍ଟ ଆଉ ଯନ୍ତ୍ରଣାରେ।ଅର୍ଦ୍ଧ ମୁଦ୍ରିତ ଆଖିରେ ମୁକ୍ତା ଆଉ ପିଲାକୁ ଏକାଠି ଦେଖି ହସିଦେଲା ଚେନାଏ ।କିଛି କହିବାକୁ ଚାହୁଁ ଥିଲା ବୋଧେ ହେଲେ ପାରିଲାନି ।ନିଜ ମଥାରେ ସିନ୍ଦୁର ଭରିବା ପାଇଁ ମୁକ୍ତା କହିବା ପରେ ପରିବାର ଲୋକଙ୍କ ସହାୟତାରେ ମୁକ୍ତା ସିନ୍ଥୀରେ ଭରି ଦେଇ ଥିଲା ଟୋପେ ଠାକୁରଙ୍କ ସିନ୍ଦୁର ।ମୁକ୍ତା ମଧ୍ୟ ମୁଣ୍ଡପାତି ମାନି ନେଇ ଥିଲା ଜୀବନର ନୂଆ ମୋଡ଼କୁ । ସମସ୍ତଙ୍କ ଆଖିରେ ଲୁହର ଲହରୀ।ରଜତ ବହୁ କଷ୍ଟରେ ହାତ ବୁଲେଇ ଆଣିଲା ଝିଅ ଆଉ ମୁକ୍ତା ମୁଣ୍ଡରେ ।ଆଉ ଶୋଇ ପଡିଲା ଶାନ୍ତିରେ ସବୁ ଦାଇତ୍ୱ ମୁକ୍ତାକୁ ସମର୍ପଣ କରିଦେଇ।

ଲୋଟି ପଡିଲା ରଜତ ଛାତିରେ ମୁକ୍ତା ।ସମ୍ପର୍କର ନୂଆ ପରିଭାଷା ଜୀବନକୁ ତାର ନୂତନ ରୂପରେ ଅନୁବାଦ କରି ସାରିଥିଲା ।ବିଧବା ହେବା ପାଇଁ ସିନ୍ଦୁର ନାଇବା ପରେ ମା'ନ ହେଇ ମଧ୍ୟ ମାତୃତ୍ୱର ସମ୍ପର୍କ ନିଭେଇବା ପାଇଁ ଲୁହ ପୋଛି ନିଜକୁ ପ୍ରସ୍ତୁତ କରିବାର ଥିଲା ମୁକ୍ତାକୁ ।


Rate this content
Log in

Similar oriya story from Tragedy