STORYMIRROR

Gayatri Singh

Tragedy Others Children

3  

Gayatri Singh

Tragedy Others Children

କାଶତଣ୍ଡିର ହସ

କାଶତଣ୍ଡିର ହସ

2 mins
206

ବିଲ ହୁଡା ଉପରେ ଚଇତି ଗୁମସୁମ ହୋଇ ବସିଛି। ବାଆଁ ହାତରେ ପୁରୁଣା ଛତା ଟିଏ ଆଉ ଡାହାଣ ହାତରେ ବାଡ଼ି ଟିଏ।ଛେଳି ମାନଙ୍କୁ ଚରିବା ପାଇଁ ଛାଡି ଦେଇ ଭଦୁଅ ଆକାଶକୁ ଚାହିଁ ରହିଛି। ଏଇ ସାଙ୍ଗେ ସାଙ୍ଗେ ମୁଣ୍ଡ ଫଟା ଖରା ତ କେତେବେଳେ କଳାହାଣ୍ଡିଆ ମେଘ ମାଡି ଆସୁଛି । ତା ଜୀବନ ଟା ବି କଳାହାଣ୍ଡିଆ ମେଘ ପରି। ଆଉ ଆଖି ଦୁଇଟି ଶ୍ରାବଣର ଝର । ବାପା ତ ଆଗରୁ ଯାଇଥିଲେ କିଡନୀ ରୋଗରେ । ମା' ବି ଚାଲିଗଲା କୋରନା ରେ । ଏଇ ଛେଳି ଚରାଇବା ହିଁ ତାଙ୍କର ବେଉସା ଥିଲା। ପ୍ରଥମେ ବାପା ଚରାଉଥିଲେ। ବାପା ବାହାରକୁ କାମ କରିଗଲେ, ମା ଛେଳି ମାନଙ୍କୁ ଚରାଇବା ପାଇଁ ନେଇଯାଏ । ଆଉ ମା ସହିତ ସେ ବି ଚାଲିଯାଏ । ମା ଝିଅ ମିଶି ବିଲ ବନ ରେ ବୁଲି ବୁଲି ଛେଳି ଚରାନ୍ତି ତା ସହିତ କିଛି ଜଙ୍ଗଲୀ ଖାଦ୍ୟ ଆଉ ଜାଳେଣି ମଧ୍ୟ ସଂଗ୍ରହ ହୋଇଯାଏ । ଛେଳି ଚରାଇ ଫେରିବା ବେଳେ ସେ ସବୁ ବଜାରରେ ବିକ୍ରୀ କରି ବେଶ ଦୁଇ ପଇସା ମିଳିଯାଏ।ଆଉ ବାପା ଙ୍କ ରୋଜଗାର ମିଶି ପରିବାର ଖୁସିରେ ଗୁଜୁରାଣ ହୋଇଯାଏ । ଚଇତି ପାଇଁ ତା ବାପା ମା ର ସ୍ୱପ୍ନ ବହୁତ । ଧୀରେ ଧୀରେ ଚଇତି ବଡ ହେଉଛି, ତା'ର ଆବଶ୍ୟକତା ମଧ୍ୟ ବଢୁଛି। ତେଣୁ ସେମାନଙ୍କୁ ଆହୁରି ପରିଶ୍ରମ କରିବାକୁ ପଡିବ ଆହୁରି ପଇସା ରୋଜଗାର କରିବାକୁ ପଡିବ। ସବୁ ପିଲାଙ୍କ ପରି ସେମାନେ ବି ତାକୁ ସ୍କୁଲ ଛାଡିବେ,ସେ ପାଠ ପଢିବ । ଏମିତି କେତେ କଥା ବିଲ ହୁଡା ଉପରେ ବାପା ମାଆ ଙ୍କ ମଝିରେ ବସି ଶୁଣେ ଚଇତି ।ହେଲେ ସବୁ ସ୍ୱପ୍ନ ତାର ଧୋଇନେଲା ଶ୍ରାବଣ ର ଝର। ଯାହା କିଛି ଆଶା ସଞ୍ଚିଥିଲା ବୋହିଗଲା ଭଦୁଅଁ ଧାର ରେ। ନିରୀମାଖି ହୋଇ ଚାହିଁଛି ନିର୍ମଳ ଆକାଶ ର ଠାଏ ଠାଏ ବାଦଲ ମାଳା କୁ। ଆଜି ସେ ଏକଲା ହେଇଯାଇଛି । ଚଇତି ଗୋଟିଏ ଲୟ ରେ ଚାହିଁ ରହିଛି ବିଲ ହୁଡାରେ ଖୁନ୍ଦି ହୋଇ ରହିଥିବା କାଶତଣ୍ଡି ଆଡକୁ । ଖିଲ ଖିଲ ହୋଇ କାଶତଣ୍ଡି ହସୁଛି ।ମା' ର ଚଇତି ଡାକ ପବନରେ ଭାସି ଆସି ତା କାନରେ ବାଜି ପୁଣି ଫେରି ଯାଉଛି ଯେମିତି । ବାପା ମାଆ ଙ୍କ ସହିତ କେତେ ଯେ ହସଖୁସି ର ସମୟ ବିତିଛି ଏଇ କାଶତଣ୍ଡି ତା'ର ମୂକସାକ୍ଷୀ । ମା ଦଶଭୁଜା ଙ୍କ ଆବାହନ ରେ ଚତୁର୍ଦିଗ ପ୍ରକମ୍ପିତ । ସବୁଠି ଖୁସି ଲହଡି ମାରୁଛି । ହେଲେ ତା ଓଠରେ ହସ ନାହିଁ। କିନ୍ତୁ କାଶତଣ୍ଡି ଆଜି ବି ହସୁଛି ଆଗପରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy