Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

SIPRA NAMTA

Drama Others


3  

SIPRA NAMTA

Drama Others


ଦଗ୍ଧ ମନର କୋହ

ଦଗ୍ଧ ମନର କୋହ

6 mins 317 6 mins 317


ପ୍ରାତଃ ଭ୍ରମଣଟା ସ୍ବାସ୍ଥ୍ୟ ପାଇଁ ହିତକର ।ଏ କଥା ସମସ୍ତେ ଜାଣନ୍ତି କିନ୍ତୁ ସେ କାମଟା ସମସ୍ତେ କରିପାରନ୍ତିନି ।କେହି ସମୟ ପାଆନ୍ତିନି ତ କାହାର ସ୍ପୃହା ନ ଥାଏ ।

----ମୋର୍ଣ୍ଣିଙ୍ଗ ୱାକରେ ସମସ୍ତେ ଯାଉଛନ୍ତି ଏ କଲୋନୀର ତୁମେ ଟିକେ ଚାଲିବା ଅଭ୍ୟାସ କରୁନ ?କେତେ ଉପକାର ମିଳିବ ।ଆମରି ଘର ସାମ୍ନା ଦେଇ ସେମାନେ ଯାଉଛନ୍ତି ।

ଏଇଟା ଥିଲା ପତ୍ନୀ ସୁଷମାଙ୍କର ସବୁଦିନର କଥା ।ହେଲେ ସରୋଜ ବାବୁଙ୍କ କାନରେ ସେସବୁ ବାଇପାସ କରି ଚାଲିଯାନ୍ତି ଯେମିତି ଓଭରବ୍ରିଜ କ୍ରସ କରି ବସ ମୋଟର ପାରେଇଯାନ୍ତି ତାଙ୍କ ଘର ପାଖ ଛକକୁ ବେଖାତିର କରି ।

---ଓଃ.. କାହିଁକି କଟର କଟର ହେଉଛ ।ଆଜି ନୋହେଲେ କାଲି ତ ମରିବାକୁ ପଡିବ।ରୋଗରେ ହେଉ କି ଭଲରେ .....ନୋହେଲେ ଦିନେ କି ଦି ଦିନ ତଫାତରେ । ମୋର ତ ଏବେ କିଛି ଅସୁବିଧା ନାହିଁ ।ସକାଳ ମଜା ଟାକୁ ହାତ ଛଡା କରି ଏ ଥଣ୍ଡା କାକରରେ ଭିଜିବାକୁ ବିଲକୁଲ ଇଛା ନାହିଁ ।

ସରୋଜ ବାବୁ ଉଷୁମ ଚାଦର ଟିକୁ ଆଉ ଟିକେ ଭିଡି ନିଅନ୍ତି କାନ୍ଥ ଘଣ୍ଟାକୁ ଚାହିଁ ।

-----କାହିଁକି ସେ ଅମଙ୍ଗଳିଆ କଥା ଗୁଡାକ ତୁଣ୍ଡରେ ଧର ।ମୁଁ ଜାଣେ ପରା ସକାଳୁ ସକାଳୁ ଏମିତି କଥା କହି କନ୍ଦେଇବା ପାଇଁ ପଣ କର ତୁମେ ।ହେ ଠାକୁରେ ସର୍ବ ମଙ୍ଗଳ କର ।

                ସୁଷମା ଚାଲିଯାନ୍ତି ପ୍ରାତଃ ନିତ୍ୟକର୍ମ ଶେଷ କରିବାକୁ ।ତୁଳସୀ ପୂଜନ ,ଠାକୁର ବାସନ ମଜା ,ଠାକୁର ଘର ଝଟା ପୋଛା ,ଗୋସେଇଁଙ୍କ ମାଜଣା ,ସେବାପୂଜା ପାଇଁ ଚନ୍ଦନ ଘୋରା ,ସିନ୍ଦୁର ,ଧୂପ ଦୀପ ,ନୈବେଦ୍ୟ ,ଆଳତୀ ,ଚଅଁର ବୁଲା ଇତ୍ୟାଦି ସବୁ କାମ ସାରିବାକୁ ଅନ୍ୟୁନ ଦୁଇଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗେ ତାଙ୍କୁ ।ତା'ପରେ ପୋଥି ପାଠ , ଗୀତା,ଭାଗବତରାମାୟଣ ,ସ୍ତୋତ୍ର ପାଠ ଆଦିରୁ ଦୁଇ ଚାରି ଶ୍ଳୋକ ପଢିବାକୁ ହୁଏ ।ଶାଶୁ ଶ୍ୱଶୁର ସେତକ ଶିଖେଇ ଦେଇ ଯାଇଛନ୍ତି ।ଆଗ ପଛ କରି ପହିଲେ ଶାଶୁ ତା'ର ଦୁଇ ବର୍ଷ ପରେ ଶ୍ୱଶୁର ଚାଲି ଗଲେ ।ଶାଶୁଙ୍କ ଅନ୍ତେ ସେ କରୁଥିଲେ ସେବାପୂଜା କିନ୍ତୁ ତାଙ୍କ ଅନ୍ତେ ସୁଷମାଙ୍କ ଜିମାରେ ଆସି ପଡିଛି ।ଏଇତକ କାମ ନ ହୋଇପାରିଲେ ସବୁ ଅଧା ଅଧା ଲାଗେ ।ତେଣୁ ଯେତେ ସମୟ ଲାଗୁ ପଛେ ଧାରାବାହିକ ଭାବେ ସବୁ କାମ ଠିକ୍ରୂପେ କରିଦେଲେ ଆତ୍ମତୃପ୍ତର ଧାରେ ହସ ଫୁଟିଉଠେ ତାଙ୍କ ଓଠରେ । ପୂଜା କର୍ମ ସମ୍ପାଦନ ପରେ ଠାକୁର ଘର କବାଟାକୁ ଧୀରେ କି'ନା ଆଉଜେଇ ଆଣନ୍ତି ସେ ।ଏଥରରୋଷେଇ ଘର କବାଟ ଆଡକୁ ଚାହାଁନ୍ତି ସେ ।ଏଥର ପ୍ରସ୍ତୁତ ହେବାକୁ ପଡିବ ସାରା ଦିନର ପରିଚର୍ଯା ପାଇଁ ।ଆଉ କ୍ଷଣେ ହେଲେ ସରୋଜ ବାବୁଙ୍କର ଡକା ପଡିଯିବ ,ଚାହା ପାଇଁ ।ଘଣ୍ଟାରେ ଠିକ୍ ସାତ ବାଜିଗଲେ ଟେବୁଲ ଉପରେ ଚାହା କପ ଥୁଆ ହୋଇଥିବା ଦରକାର । ତା ପରେ ପରେ ଜଳଖିଆ ପର୍ବ ।ପର୍ବ ତ ନୁହଁ ଏକରକମ ବାଧ୍ୟବାଧକତା । ପିଲାମାନେ ଥିଲେ ବରଂ କାମ ଟିକେ ଚଳିଯାଉଥିଲା କିନ୍ତୁ ସେମାନେ ବାହାରକୁ ପଢିବା ପାଇଁ ଯିବା ଦିନରୁ ସରୋଜ ବାବୁଙ୍କର ଫରମାଇସ ଟା ବଢି ଯାଇଛି ।

--ଚାହା ଟା ଥଣ୍ଡା ହୋଇଗଲା ମ ଆଉ କପେ ଦିଅନ୍ତନି !

--ତୁମ ଅଫିସ ଟାଇମ ଦଶ ଟା ପୂର୍ବରୁ ଯାଇ ପହଞ୍ଚିବ ଟି ।ସମସ୍ତେ ଭାତ ଖାଇ ଯାଉଛନ୍ତି ।କିନ୍ତୁ ତମେ ଖାଇଵାକୁ ଦିନ ଦୁଇର ଅଭ୍ୟାସ ଗଲାନାହିଁ ।ଜଳଖିଆରେ ଚା ବିସ୍କୁଟ ଖାଇ ଚଳାଇଦେଲେ ହୁଅନ୍ତାନି ।ସାହେବୀ ଅର୍ଡର ଚାଲିଛି ।

----ତମେ ନ କଲେ ନାହିଁ ସେ ଟୋକାଟା ପରା ସବୁବେଳେ କହୁଛି ଘରେ ଆଣି ପହଞ୍ଚେଇ ଦେବ ।ହେଲେ ଖାଲି ତୁମ ହାତରନ୍ଧାର ସ୍ୱାଦ ପାଇଁ ମୁଁ ତାକୁ ମନା କରିଦିଏ ।ବେକାରରେ ଛାନିଆ ହେବା ତୁମର ପ୍ରକୃତି ।ମାତ୍ର ଦୁଇଜଣ ଆମେ , ଲଞ୍ଚ ପାଇଁ ଯଥେଷ୍ଟ ସମୟ ଅଛି ।ଆରାମରେ ବସିରାନ୍ଧିବ ।

ଏତିକି କଥାରେ ସୁଷମାଙ୍କ ସ୍ୱର ତୀକ୍ଷ୍ଣ ହୋଇଯାଏ ।

    

    କୋଉ ଦିନ ଦି ଜଣଙ୍କ ପାଇଁରାନ୍ଧିଛି ତୁମ ଘରକୁ ଆସିବା ଦିନ ଠାରୁ ? ?ସବୁଦିନ ତମର ଗୁହାଳ ଗୁହାଳ ଲୋକ ,ନିଜର ନ ହେଲେ ବି ଟେକା ସାଉଣ୍ଟା କେତେ ସବୁ ଆସି ଏଇଠି !!ମୁଁ ଆସିଲା ବେଳକୁ ଦିଅର, ନଣନ୍ଦ ,ଦେଢଶୂରଙ୍କ ପୁଅ ଝିଅ ,ମଳାଶୁରଙ୍କ ପୁଅ ,ତା ଉପରକୁ ନିଜର ପୁଣି ଦୁଇ ଦୁଇଟା ଛୁଆ ।କୋଉ ଜଞ୍ଜାଳ କମ ଥିଲା ?ସବୁ ଦିନେ ପୁଣି କିଛି ନା କିଛି ଗଲା ଅଇଲା କେହି ଜଣେ ଥିବେ ।ଜୀଵନର ଅଧା ତିନିପା ତ ଚାଲିଗଲା ଏଇ ହରଡ଼ ଘଣାରେ ।ନିଜ ପାଇଁ ସମୟ କାହିଁ ? କି ଖରା ,କି ବର୍ଷା ,କି ଶୀତ ସବୁଦିନେ ସେଇ ଧାରାବାହିକ କଥା ।ଗାଁରେ ଯାହା ଥିଲା ,ଥିଲା ହେଲେ ଏଇ ସହରରକୁ ଆସି ତ ଆହୁରି ଜଞ୍ଜାଳରେ ଘାଣ୍ଟିହେଲା ମଣିଷ ।ରାଜଧାନୀ ,ହେଡ କ୍ବାର୍ଟରରେ ଘର ବୋଲି ଯେଉଁ ଆତ୍ମସନ୍ତୋଷ ସେଇଟା ଖାଲି ତୁମର ଏକଚାଟିଆ ।ରାଗମିଶା ଅଭିମାନ ସୁଷମାଙ୍କର ।

ସୁଷମାଙ୍କର ରାଗିବାର କାରଣ ବି ଥାଏ ।ସରୋଜ ବାବୁଙ୍କ ଘରେ ପ୍ରାୟଃ କେହି ନା କେହି ଆସି ପହଁଚିଥାନ୍ତି ।ମେଡିକାଲ, ନର୍ସିଂହୋମ ଠାରୁ ଆରମ୍ଭ କରି ବାହାଘରିଆ ବଜାର ,ବୁଲାବୁଲି ,ସବୁ କାମରେ ସମୟ ଲାଗିବ, ତେବେରହଣି ଟା ତାଙ୍କ ଘରେ ହୁଏ ।ଯେଉଁ ସମୟର ରହଣି ସେତିକି ବେଳର ଭୋଜନଟା ବି ସେଇଠି ।କିଏ କୋଚିଂ ନେବ , କାହାର କଲେଜରେ ପାଠ ପଢା ପାଇଁ ଆଡମିସନ ଅଛି ,ସେ ଆସି ଏଠି ହାଜର ହେବେ ।ସବୁ କଥା, ସବୁ ସମସ୍ୟା ଆଉ ତା'ର ସମାଧାନ ସବୁ ଯେମିତି ଏଇଠି ଲେଖାହୋଇଛି ।କିନ୍ତୁ ସବୁବେଳେ ସରୋଜ ବାବୁକଥା କଥାରେ କୁହନ୍ତି , 'ଆମେ ତ ମାତ୍ର ଦି ଜଣ ' କାହାର ଯଦି ଟିକେ କାମ ପଡିଯାଉଛି ତ ସେମାନେ ସୁବିଧାରେ କରି ଟିକେ ଉପକାର ପାଆନ୍ତୁ ।

--ଆଜି ତୁମ ମାଉସୀଙ୍କ ପୁଅ ଆସୁଛନ୍ତି ବୋଲି ସ୍ମରଣ ଅଛି ତ ? ୟୁନିଭରସିଟିରେ କଣ କାମ ଅଛି ।ଶୀଘ୍ର ଖାଇଦେଇ ମଟନ ଟିକେ ଆଣିଦେଲେ ମୁଁ ପୁଣିରୋଷେଇ କରିବି ଯେ !

---ହଁ ..ହଁ ଏଇ ବାହାରିଲି କହି ସରୋଜ ବାବୁ ବାହାରିଯାଆନ୍ତି।

           ଏସବୁ ସରୋଜ ବାବୁଙ୍କ ନିତିଦିନିଆ ଘଟଣା ।ମାସର ଅର୍ଦ୍ଧାଧିକ ଦିନ ଲାଗିରହିଥାଏ ଆଉ ସରୋଜ ବାବୁ ସୁଷମାଙ୍କ କଥାକୁ ଅଣଶୁଣା କରି ନିଜ ଅଭ୍ୟାସରେ ରହିଥାନ୍ତି ।ସମୟ ତା ବାଟରେ ଆଗେଇଚାଲେ ।ଶରତ ଚାଲିଯାଇଛି ।ହେମନ୍ତର ଛୁଆଁ ସାମାନ୍ୟ କ୍ଳାନ୍ତି ଆଣିଦେଇଛି ସୁଷମାଙ୍କୁ ।ସବୁଦିନର ଅଭ୍ୟାସ ହେତୁ ସୁଷମା କାମ କରିଯାଆନ୍ତି ଥକ୍କା ମନ ଆଉ ଦେହରେ ।କିନ୍ତୁ ହଠାତ ଅସୁସ୍ଥ ହୋଇପଡନ୍ତି ସେ ।


   ହସ୍ପିଟାଲରେ ଦୁଇମାସ ରହିବା ପରେ ଘରକୁ ଆସିଲେ ସୁଷମା ।ତଥାପି ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ଆହୁରି ଦୀର୍ଘ ଦୁଇମାସ ଲାଗିଗଲା ।ସରୋଜ ବାବୁ ସୁଷମାଙ୍କର ଅସୁସ୍ଥତା ସମୟରେ ତାଙ୍କର ସେବା ଓ କର୍ତ୍ତବ୍ୟ ପରାୟଣତାର କଥା କୁ ମନେ ପକାଇ ଝୁରି ହେଉଥାନ୍ତି ।

---କାହିଁକି ଏମିତି ମୁହଁ ଶୁଖାଇ ବୁଲୁଛ ?ମୁଁ ତ ଭଲ ହୋଇଆସିଲିଣି ।ନିଜର ଦେହ ମୁଣ୍ଡର ଯତ୍ନ ନ ନେଇ କେମିତି କଳା ପଡ଼ିଗଲଣି ଦେଖୁଛ ।

 ସରୋଜ ବାବୁଙ୍କ ଛାତିରେ କଥା ଟା ବାଜିଯାଏ ତଥାପି ଈଷତ ହସି ୟାଡୁ ସ୍ୟାଡୁ କଥା କହି ସୁଷମାଙ୍କୁ ବୁଝାଇ ଦିଅନ୍ତି ।କିନ୍ତୁ ସୁଷମା ତାଙ୍କ ମିଛକୁ ଧରିପକାନ୍ତି ଚଟ କିନା ।

---ମୁଁ କଣ ଏତେ ଶୀଘ୍ର କୁଆଡେ ଚାଲିଯାଉଛି କି ?କିଛି କାମ ସାରିନାହିଁଯେ !!ପୁଅ ଝିଅଙ୍କ କାମ ସବୁ ବାକି ଅଛି ପରା !।ଦେହ ହୋଇଛି ଯେତେବେଳେ ଟିକେ ଖରାପ ହୋଇଗଲା ।ଆଉ କେଇଟା ଦିନ ପରେ ମୁଁ ସମ୍ପୂର୍ଣ୍ଣ ଠିକ୍ ହୋଇଯିବି ।

--- ଓଃ ହୋ ଟିକେ ତୁନପଡିଲେ ହୁଅନ୍ତାନି ।କାହିଁକି ସେ ଅମଙ୍ଗଳିଆ କଥା ଗୁଡାକ ଘୋଷି ହଉଛ କହିଲ ?ଚକ୍ଷୁ କୋଣରେ ପାଣି ଟୋପାର ସ୍ପର୍ଶ ଅନୁଭବ ହେଉଥିଲା ତାଙ୍କୁ ।

        ସରୋଜ ବାବୁଙ୍କୁ ରାତିରେ ନିଦ ହେଉନଥାଏ ।ସୁଷମାଙ୍କ କଥା ସବୁ କାନପାଖରେ ପ୍ରତିଧ୍ବନିତ ହେଉଥାନ୍ତି ।ସେ କଣ ସତରେ ସୁଷମାଙ୍କ ବିନା ଚଳିପାରିବେ ??ଏଇ ଦିନ କେତୋଟି ସେ ଯାହା ଅନୁଭବ କଲେ ସେଇତକ ତାଙ୍କୁ କୋରି ଖାଇଯାଉଛି ଆଉ ଯଦି ସୁଷମାଙ୍କର ସତରେ କିଛି ହୋଇଯାଏ ?ସେ ବଞ୍ଚିପାରିବେ ତ??ସୁଷମାଙ୍କ ପରି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ ବୋଲି ଏବେ ଏବେ ତାଙ୍କର ହୃଦବୋଧ ହେଉଛି ।ସେ ତାଙ୍କୁ କୋଉ କାମରେ କେବେ ବି ଅଣୁ ମାତ୍ରେ ସାହାଯ୍ୟ କରିନାହାନ୍ତି ।ବରଂ ତାଙ୍କ ଉପରେ ବୋଝ ଦେଇ ଦେଇ ତାଙ୍କକାମକୁ ବଢେଇଛନ୍ତି ତଥାପି ସୁଷମା କେବେ ଥକିଯାଇ ନାହାନ୍ତି କିମ୍ବା ମନା କରିନାହାନ୍ତି ।ଉଭୟ ଶାରିରୀକ ତଥା ମାନସିକ ଚାପ ଭିତରେ ଆଉଟୁ ପାଉଟୁ ହୋଇ ସେ ଆଜି ଶଯ୍ୟା ଶାୟୀ ।ଯୋଉ ବନ୍ଧୁ ବାନ୍ଧବ, ଗଲା ଆଇଲା ମାନେ କାମ ପଡିଲେ ଆସି ବସା ବାନ୍ଧୁଥିଲେ ତାଙ୍କ ଘରେ ସେମାନଙ୍କ ଭିତରୁ କାହାର ଦେଖା ଦର୍ଶନ ନ ଥିଲା । କିଏ କେମିତି ପାଖର ଦଣ୍ଡେ ମୁହଁ ମାରି ଚାଲିଯାଉଥାନ୍ତି । କିନ୍ତୁ ସରୋଜ ବାବୁ ଓ ସୁଷମା କେମିତି ରହୁଛନ୍ତି ,ସରୋଜ ବାବୁ ଏ ପରିସ୍ଥିତିରେ କେମିତି ମ୍ୟାନେଜ କରୁଛନ୍ତି ସେ କଥା ବୁଝିବାରେ କେହି ମୁଣ୍ଡ ଖେଳାଉ ନ ଥିଲେ । ପୁଅ ଓ ଝିଅ ଆସି ପନ୍ଦର ପନ୍ଦର ଦିନ ଭାଗ କରି ମାଆର ସେବା ଓ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଆସିଥିଲେ । ସେଇସବୁ କଥା ତାଙ୍କୁ ଭାରି କ୍ଷୁବ୍ଧ କରୁଥିଲା ଭିତରେଭିତରେ । ସତରେ ସେ କେବେ ପୁରୁଷୋଚିତ କାମ କରିଛନ୍ତି ? ନା କେବଳ ଅହଂ ଓ ଆଧିପତ୍ୟ ସାବ୍ୟସ୍ତ କରିଆସିଛନ୍ତି ଆଜି ପର୍ଯ୍ୟନ୍ତ ।ସୁଷମାଙ୍କ ଶଯ୍ୟା ଧାର ପାଖକୁ ଉଠିଆସନ୍ତି ସେ ।ତାଙ୍କ ହାତ ପାପୁଲି କୁ ନିଜ ଆଞ୍ଜୁଳା ମଧ୍ୟରେରଖି ସ୍ବଗତୋକ୍ତି କରନ୍ତି ସରୋଜ ବାବୁ ।

   ----ମୁଁ ତମକୁ ଠିକ୍ ଭାବରେ ବୁଝିପାରିଲି ନାହିଁ ସୁଷମା ମୋତେ ଟିକେ କ୍ଷମା କରିଦିଅ ।ମୁଁ ତମ ପ୍ରେମର କେବଳ ଫାଇଦା ଉଠାଇଛି ସତ ତମକୁ କେବେବି ମିଛରେ ହେଲେ ବି ପ୍ରଶଂସା ଟିକେ କରିପାରିନାହିଁ। ତମେ ମୋ ଦୁଃଖ, ସୁଖ ,ଅଭାବ ଅସୁବିଧା ଉଭୟ ଘଟଣାରେ ପ୍ରକୃତ ସାଥୀ ହୋଇଛ ।ଉପଯୁକ୍ତ ସହଧର୍ମିଣୀର ପରିଚୟ ଦେଇଛ କିନ୍ତୁ ମୁଁ ପାରିନାହିଁ ।ତମେ ଶୀଘ୍ର ଭଲ ହୋଇଯାଅ ସୁଷମା ।ମୋ ଅହଂକାରର ପଶ୍ଚାତପକୁ ଥରୁଟିଏ ସୁଯୋଗ ଦିଅ ତମ ନିୟମରେ ମୁଁରହିବି।ଆଉ ତମକୁ ପ୍ରଶ୍ନ କରିବାର ସୁଯୋଗ ଦେବିନି ।ତମେ ମୁଁ ସାଙ୍ଗ ହୋଇ ମୋର୍ଣ୍ଣିଙ୍ଗ ୱାକକୁ ଯିବା । ସୁଷମାଙ୍କ ମୁଣ୍ଡରେ ହାତ ବୁଲାଇ ଆଣୁ ଆଣୁ ନିଜ ଭୁଲ ବୁଝାମଣାର ଅନୁତାପ କରୁ କରୁ ଆଖି କୋଣରୁ ଦୁଇଟୋପା ଲୁହ ନିଗିଡି ଆସେ ସରୋଜ ବାବୁଙ୍କର ।ପୁରୁଷର ପୂଂଜୀଭୁତ ଦର୍ପ ଓ ଅହଙ୍କାର ସବୁ ଦଗ୍ଧ ହୋଇପରିଣତ ହୋଇ ସାରିଥାଏ ଅସୀମଯନ୍ତ୍ରଣାରେ ହୃଦୟର ଶକ୍ତ କବାଟ ଟା ଧୀରେ ଧୀରେ ଖୋଲୁଥାଏ ତାଙ୍କର ।



Rate this content
Log in

More oriya story from SIPRA NAMTA

Similar oriya story from Drama