ଅଲୋଡ଼ା ରଜ
ଅଲୋଡ଼ା ରଜ
ଅନେକ ବାର କହିଥିଲି ବୋଉ
ଏଥର ରଜରେ ଫେରିବିନି ଗାଁକୁ
ଚାହିଁ ବସିବୁନି ତୁ ମୋ ବାଟ ଏଥର
କହିଥିଲି ନା ଏମିତି ନା ନା କହିବି
ହଠାତ ପହଂଚି ଯିବିନି ତୋ ପାଖେ
ତତେ ଟିକେ ଚମକେଇ ଦେବାକୁ
ଥରୁଟେ ହସି ଦେଇ କଣ ଜିଇଁ ଯିବୁ ଜୀବନ
ବାକି ତକ ଆୟୁଷ ଲେଖିଦେଇପାରିବୁ କି
ତୁ ଖୁବ ଖୁସିରେ ବୋଲି .....?
ଜାଣିଛି ମୁଁ ପହଁଚିଲା ପରେ
ତୁ ତନ୍ନ ତନ୍ନ କରି ଓଲଟାଇବୁ ପ୍ରତିଟି ପୃଷ୍ଠା
ମୋ ଆଖିରେ ଖୋଜିବୁ
ମୋ ଭଲ ମନ୍ଦର ଭାଷା
ତୋ କଲିଜା ଚିରି ହେଲା ପରି ସବୁ କାହାଣୀ
ମୁଁ ଲୁଚେଇଲା ପରେ ବି
ତୁ ପଢିନେବୁ ଟିକନିକ
ମୋ ନୀରବତାରୁ ଶବ୍ଦ ସାଉଁଟି
ମୁଁ ଜାଣିଛି ତୁ କହିବୁ
ବାପା ଅନେଇବସିଛନ୍ତି ତୋ ବାଟ
ମୋ ପସନ୍ଦର ନୀଳ ରଙ୍ଗ ସୁତି ଶାଢ଼ୀଟେ ବି
କିଣି ଆଣିଛନ୍ତି ବନା ଅଜା ଦୋକାନରୁ
ଏଥର ଭାଇ ମାନେ ବି ରଜରେ ଫେରିଛନ୍ତି ଘର
ଦୁଆର ମୁଁହରେ ବୁଢ଼ୀ ମାର ଅଂଧୁଣି ଆଖି ଦୁଇ ବି
ମୋରି ଅପେକ୍ଷାରେ......
କେତେବା ଜିଇଁବ ସେ ଆଉ ଜୀବନ ?
ନା ବୋଉ ଯେତେ କହିଲେବି
ଏଥର ରଜରେ ଫେରିବିନି ଘର
କଣ ପାଇବି ଚେନାଏ ଖୁସି ବଦଳେ
ବିରାଟ ଯନ୍ତ୍ରଣାକୁ ତୋ କାନ୍ଧରେ
ଲଦି ଦେଇ ଆସିବାକୁ ?
ବରଂ ଏମିତି କାଟିଦେ ତୁ ଏସନ ରଜଟା
ତୋ ମନକୁ ବୁଝେଇ ଦେ
ଯେମିତି ପ୍ରତିଥର ପଡିଶାଘର
ମିନି ଅପାକୁ କହି ଦେଉ
ତୋ ମନଗଢା ମୋ ସୁଖ ସୌଖିନର
ମିଛ କାହାଣୀ ସବୁ ...
ନିରୁପମା ବେହେରା (ଜୁଲି)
ଏଲ ଆଇ ସି କ୍ଵାଟର
ମଣ୍ଡୁଆ କେନ୍ଦୁଝର