ଶୂନ୍ୟ(୦)
ଶୂନ୍ୟ(୦)
ସୌଭାଗ୍ୟଲକ୍ଷ୍ମୀ ଆଚାର୍ଯ୍ୟ
ଆଦ୍ୟରୁ ରେଖା ଟାଣି ଏକ ସରଳ ବୃତ୍ତାକାରରେ ଅନ୍ତ-
ବିଯୋଡ଼ ‘ନବମ’ ସଂଖ୍ୟା ଓ ଏକ ଯୋଡ଼ର ଆଧାର
ତନ୍ମଧ୍ୟରେ ସ୍ଥିତ ଏହି ଅସୀମ, ଅନନ୍ତ-
ଶୂନ୍ୟ, ମହାଶୂନ୍ୟର ଉପନିଷଦ, ବେଦାନ୍ତ!
ସକାଳର ଅରୁଣିମା ଛିଟା
ପ୍ରଦୋଷର ପରାଜିତ ରଙ୍ଗରେ ଭିଜା ଶୀତଳ ଶୋଣିତ
ନୀଳ ହ୍ରଦର ଅସୀମ ଶାନ୍ତିରେ ସୁପ୍ତ
ସାଗର ଲହରୀର ତାଣ୍ଡବରେ ହୃତ
ନୀଳ ଆକାଶର ରିକ୍ତତାରେ ରିକ୍ତ
ଛାୟା ପଥରକୁ ହେଳିରେ ବିସ୍ତୃତ
ତନ୍ମଧ୍ୟରେ ଏ ଶୂନ୍ୟ-ମହାଶୂନ୍ୟ-ବିଶାଳତାରେ ବ୍ୟାପ୍ତ ।
ଚପଳ ନାୟିକା-ଚଞ୍ଚଳ ଚାହାଣିର ଛଟା
‘ପ୍ରେମ ’ ଓ ‘ମୋହ’ ମଧ୍ୟେ ସଂକୀର୍ଣ୍ଣତାର ଜୁଆର ଭଟ୍ଟା
ସମ୍ପର୍କର ଚଉମୁହାଣିରେ, ସଂକଳ୍ପର ବୃକ୍ଷରାଜି ଗହଣରେ
ପତ୍ର ସବୁ ଝଡ଼ୁଥାଏ, ସମୀରଣ ପ୍ରବାହରେ
ପାଗ ପରିବର୍ତ୍ତନର ସନ୍ଦେଶ ଅନୂଠା ।
ଭଗ୍ନ, ଭାରୀ ହୃଦୟର ନିଃସଙ୍ଗତା
‘ମନ’ ଓ ‘ବିବେକ’ ଦ୍ଵନ୍ଦ୍ଵ- ନାହିଁ ଯେ ବିରାମ
କିଏ ଦେଖେ ଚକାଡୋଳା,
କାହା ପାଇଁ ସେ କୃଷ୍ଣବିବର-
ତନ୍ମଧ୍ୟରେ ସବୁ ଶୂନ୍ୟ-ମହାଶୂନ୍ୟ ।
ସ୍ବାର୍ଥର ମଞ୍ଚରେ ଭାବନାର କ୍ରୀଡ଼ା
ପାଷାଣ ଚୂରିବାରେ ହୃଦୟର ପୀଡା
ତର୍କ ଯାଏଁ ସୀମିତ ଯେ ଜ୍ଞାନ
ପ୍ରକୃତି ସହ ଲଢ଼ୁଥାଏ, ଅସଫଳ ବିଜ୍ଞାନ ।
ନିରୀହ ଜନତାଙ୍କ ଶବ ପରେ ଉଡ଼େ
ରାଜନୀତି ପତାକା
‘ଉତ୍ପତ୍ତି’, ପ୍ରଗତିର ନାମେ
ପରମାଣୁ ଧମାକା।
ଏବଂ ତା’ପରେ ସବୁ ଶୂନ୍ୟ-ମହାଶୂନ୍ୟ ।
‘ଆତ୍ମା’ ଖୋଜୁଥାଏ ‘ପରମାତ୍ମା’
ଲକ୍ଷ୍ୟରେ ବାରମ୍ବାର ପଥଭ୍ରଷ୍ଟ ହେଉଥାଏ-
ଆସ୍ଥା ଓ ବିଡ଼ମ୍ବନାର ଭିଡ଼ ମଧ୍ୟରେ
ଖୋଜୁଥାଏ ଏକ ‘ଶୂନ୍ୟ’
ଅନ୍ୟ ଏକ ‘ଶୂନ୍ୟ’ ।