ସନେଟ -୫୧
ସନେଟ -୫୧
ବର୍ଷାବିହୁନେ
କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ
କୁମାର ପୁନେଇ ଚନ୍ଦ୍ରହାସ ଭଜିଅଛି
ମ୍ଳାନ ଏ ବରଷ, ଯେଣୁ ସଦା ଝରୁଅଛି ।।
ବେଦନା ଭରା ବରଷା ବଉଦ ଲୋଚନୁ
ପୋଛିଦେଇ ଚିର ପୋଷା-ଆଶା ଚାଷୀମନୁ ।।
ଶ୍ୟାମ ଶସ୍ୟ ସ୍ମିତହାସ୍ୟ କେଦାରେ କେଦାରେ -
ନିରେଖି, ହ୍ଳାଦନ ଊର୍ମ୍ମି ସମସ୍ତ ଚିତ୍ତରେ - ।।
ଖେଳୁଥିଲା ଝସ ଯଥା ସରସୀର ନୀରେ
କିନ୍ତୁ ସ୍ପର୍ଶେ କ୍ଳାନ୍ତି ଯଥା କୁମାରୀ ଶରୀରେ - ।।
ଚିରହାସ୍ୟମୟୀ ମୁଖେ କର୍ମର ବିପାକେ
ଛାଏ ଅମା ଅନ୍ଧକାର ଆଜି ବହୁ ଶୋକେ ।।
ଜୀବନ ଯାପନ କରେ ବୁଭୁକ୍ଷୁ ଜନତା
ଭାନୁ କୋପେ ଦଗ୍ଧ ଯେଣୁ ଶସ୍ୟ ପତ୍ରଲତା ।।
ବିଶୁଷ୍କ କଣ୍ଠରୁ ସ୍ଫୁରେ ଦରଦୀ "ଲାଲ" ର
ଶୋକ କମୋଦୀ ରାଗିଣୀ ରଜନୀ ବାସର ।।
ସମାପ୍ତ