ଭାରତ ମାତା
ଭାରତ ମାତା
ଜୟ ଭାରତ ମାତା ଚିର ବନ୍ଦିତା
ତୋ ଚରଣେ ନତ ମସ୍ତକ
ସ୍ନେହ ମୈତ୍ରୀ ଡୋରରେ ବନ୍ଧା ଏଠାରେ
ସଭିଏଁ ମାତାର ପୂଜକ ।
ମୁକୁଟ ପରାଏ ହିମାଳୟ ସୋହେ
ଚରଣ ପଖାଳେ ସାଗର
ନଦୀ ବନ ପର୍ବତ ଦେହେ ଶୋଭିତ
ଏସବୁ ତାର ଅଳଙ୍କାର ।
ମସ୍ଜିଦ ମନ୍ଦିର ଗୀର୍ଜା ଗୁରୁଦ୍ଵାର
ଗୀତା ବାଇବେଲ କୋରାନ
ଶରୀରରେ ଭିନ୍ନ ହୃଦୟେ ଅଭିନ୍ନ
ଗୋଟିଏ ଗର୍ଭରୁ ଜନମ ।
ପ୍ରେମେ ବନ୍ଧା ଏଠି କୁଡିଆ କି କୋଠି
ତ୍ରିରଙ୍ଗା ତଳେ ଏକ ସମ
ଆସି ଶତ୍ରୁ ହୋଇ ସାଜିଛି ସେ ଭାଇ
ତୁଟିଚି ମନୁ ସର୍ବ ଭ୍ରମ ।
ମହାନ ମୋ ଦେଶେ ଐକ୍ୟ ଭାବ ହସେ
ଗର୍ବିତ କୋଳେ ତା ସନ୍ତାନ
ହାରି ନାହିଁ କେବେ ମୁଣ୍ଡ ଟେକି ଭବେ
ଚାଲିଛି ଏଡି ବାଧାବିଘ୍ନ ।
ଭିନ୍ନ ବେଶଭୁଷା ଭିନ୍ନ ଏଠି ଭାଷା
ଗୁନ୍ଥା ଯେ ଗୋଟିଏ ମାଳରେ
ସଭିଏଁ ସମାନ ନିମ କି ଚନ୍ଦନ
ବୈରଭାବ ଭୁଲି ଅଚିରେ ।
ସର୍ବେ ଭବନ୍ତୁ ସୁଖୀ ହୃଦୟେ ରଖି
ନୟନେ ଭରେ ସୁଖ ସ୍ଵପ୍ନ
ବିଧାତା ପୟରେ କାମନା ଯେ କରେ
ମା କୋଳେ ଲଭେ ପୁନର୍ଜନ୍ମ ।।।
ପଦ୍ମାଳୟା