କୀର୍ତ୍ତିଯସ୍ୟ ସଃ ଜୀବତି
କୀର୍ତ୍ତିଯସ୍ୟ ସଃ ଜୀବତି
ଦୁନିଆ ଛାଡିକି ଯିବ ଯେତେବେଳେ
ସଂଗେ ଯିବନି କିଛି
ଧନଦୌଲତ ଟଙ୍କା ଗହଣା
ଆଉ ଯାହା କିଛି ଅଛି ।
ଧୂଆଁ ହେଇ ତୁମେ ଉଡିବ କିମ୍ବା
ମିଶିବ ମାଟିର ସାଥେ
ଅମରତ୍ଵର ଚାବିଟିଏ କାହିଁ
ଅଛି କି ତୁମର ହାତେ ।
ମିଛ ଏ ଗର୍ବ ଅହଙ୍କାର,
ମିଛ ଏ ଆସ୍ଫାଳଣ
କେହି ତ ତୁମକୁ ରଖିବେନି ମନେ
ଯେତେ ହୁଅ ଧନବାନ ।
ତୁମ ଅର୍ଜିତ ସମ୍ପଦ ରାଶି
ଯାହାକୁ କରିବ ଦାନ
ଅକୃତଜ୍ଞ ସେହି ଲୋକମାନେ
ରଖିବେନି ସମ୍ମାନ ।
ପୁତ୍ର ହେଉ ବା କନ୍ୟା ହେଉ
ବା ଆତ୍ମୀୟ ସ୍ଵଜନ
ଯେତେ ଦେଇ ଥାଉ ଭରିବନି ପେଟ
ଆଉ ତାଙ୍କରି ମନ ।
ଚିରଞ୍ଜୀବି ରହିବ ତୁମେ
କର୍ମ କର ଭଲ
ସର୍ବ ଜନେ ରଖିବେ ମନେ
ହଜାର ବର୍ଷକାଳ ।
ମଣିଷଟିଏ ବଞ୍ଚିକି ରହେ
ସୁ ~ କାର୍ତ୍ତି ଆଉ ଯଶେ,
କାର୍ତ୍ତିମାନଙ୍କ କାର୍ତ୍ତି ଗାଥା
ରହଇ ଦେଶେ ଦେଶେ ।
ପାଇଲ ତୁମେ ଶ୍ରେଷ୍ଠ ଜନ୍ମ
ଏମିତି କର କାମ
ସଭିଙ୍କର ହୃଦୟ ମଧ୍ୟେ
ରହିବ ତୁମ ନାମ ।
ଈଶ୍ଵର ତାଙ୍କ ନିପୁଣ ହାତରେ
ଗଢିଲେ ମଣିଷ ଜାତି
ଦୁର୍ଲ୍ଲଭ ଏହି ମାନବ ଜୀବନ
କାର୍ତ୍ତିଯସ୍ୟ ସଃ ଜୀବତି ।