Saroj Kumar Sahu

Inspirational

3  

Saroj Kumar Sahu

Inspirational

ଉଜ୍ବଲା

ଉଜ୍ବଲା

5 mins
7.3K


(ମହିଳାଙ୍କୁ ସମ୍ମାନ ନା ମହିଳାଙ୍କୁ ହଇରାଣ)

ହରିଆ ମାଁ ସେଦିନ ବେଶ ଖୁସିଥିଲା, ଛଅ ମାସ ତଳେ ପଂଚାୟତ ଅଫିସ ରୁ ଖବର ଆସିଲା ଯେ ତା ନାଁ ସରକାରଙ୍କ ତରଫ ରୁ ବଛାଯାଇଛି "ଉଜ୍ଵଳା" ଯୋଜନାରେ । ଯେଉଁ ଯୋଜନାରେ ସରକାରଙ୍କ ତରଫ ରୁ ମାଗଣାରେ ଗ୍ୟାସ ସିଲିଣ୍ଡର ଓ ଚୁଲ୍ହା ମିଳିବ ସର୍ବନିମ୍ନ ଆୟ ରୁ କମ ଆୟ ଥିବା ହିତାଧିକାରୀ ଙ୍କୁ । କେତେ ଦହଗଞ୍ଜ ହେବାକୁ ପଡୁଛି ରୋଷେଇବାସ କରିବାକୁ ତାକୁ । ଅଧିକ ପରିଶ୍ରମ କରି ଜଙ୍ଗଲ ରୁ କାଠ ସଂଗ୍ରହ କରୁଥିଲା ସେ । ସେ ପରିଶ୍ରମ ରୁ ମୁକ୍ତି ମିଳିବ ଏବେ । ସେ ଖୁସି ରେ ଆତ୍ମହରା ହେଇଯାଉଥିଲା । କାଠ ଚୁଲି ଜାଳିବା, ରୋଷେଇ କରିବା କଷ୍ଟ ଅନୁଭବ କରୁଥିଲା ସେ,ବାର୍ଦ୍ଧକ୍ୟ ହେତୁ । ଯାହାହେଉ ସରକାର ତା ପରି ଅନେକ ଗରିବ ଙ୍କ ଦୁଃଖ ଶୁଣିଛନ୍ତି ଆଜି । ମନେ ମନେ ସରକାର ଙ୍କୁ ଧନ୍ୟବାଦ ଦେଉଥିଲା ସେ । ଆଉ ପାଖ ପଡୋଶୀ ଙ୍କୁ ଖୁସିରେ ଜଣାଉଥିଲା, ଯେମିତି କୌଣସି ଗଡ଼ ଜିତିଛି ।

ମାସେ ପରେ ଜିଲା ପ୍ରଦର୍ଶନୀ ପଡ଼ିଆରେ ବିଶାଳ ଆୟୋଜନ ସଭା । ହରିଆ ମାଁ ପରି ଅନେକଙ୍କୁ ସେଦିନ ବଣ୍ଟା ଯିବ ସିଲିଣ୍ଡର ଓ ଚୁଲ୍ହା । ଖର୍ଚ୍ଚ କରି ବସ ରେ ଆସିଛି ମନ୍ତ୍ରୀଙ୍କ ହାତରୁ ଗ୍ରହଣ କରିବ । ସବୁଠୁ ଭଲ ଯେଉଁ ଲୁଗା ଖଣ୍ଡେ ଘରେ ଥିଲା, ପିନ୍ଧିକି ଆସିଛି । ଦୀର୍ଘ ଷାଠିଏ କିଲୋମିଟର ଦୂର ବନ ପାହାଡ଼ ଘେରା ଅଂଚଳ ରେ ତା'ରି ଗାଁ, ବସନ୍ତପୁର । ସକାଳୁ ସକାକୁ ଦି'ଗଣ୍ଡା ବାସି ପଖାଳ ପେଟରେ ପୁରାଇ ବାହାରିଲା ସହର ଅଭିମୁଖେ । ସକାଳ ଛଅ ଟା ରେ ବସ । ତାପରେ ଆଉ ବସ କିମ୍ବା ଅନ୍ୟ ସାଧନ ନାହିଁ, ସହର କୁ ଆସିବାର । ପୁଣି ବସ ଟି ଗାଁ ବାଟ ଦେଇ ଫେରେ ଚାର ଟା ବେଳେ । ଗୋଟେ ମାତ୍ର ଗାଡି ବୋଲି ବସ ଟା ଖଚାଖଚ ଭର୍ତ୍ତି ହୋଇ ସହରରେ ପହଁଚିଲା ନଅ ଟା ରେ । ପଦର୍ଶନୀ ପଡ଼ିଆରେ ମନ୍ତ୍ରୀଙ୍କ ମିଟିଂ ଅଛି ଦଶ ବଜେ । ପଂଚାୟତ ଅଫିସ ଚିଠି ନେଇ ଆସିଥିବାରୁ ହିତାଧିକାରୀ ଙ୍କ ପାଇଁ ସଂରକ୍ଷୀତ ଚୌକିରେ ବସି ପଡ଼ିଲା ହରିଆ ମାଁ । ଏଣେ ମନ୍ତ୍ରୀଙ୍କ ଆଗମନ ବିଳମ୍ବ ପାଇଁ ସଭାକାର୍ଯ୍ୟ ଆରମ୍ଭ ବି ହେଇ ପାରୁନି । ଭଲ ଉପଯୋଗୀ ଜିନିଷ ପାଇବାର ଆଶାରେ ସେ ଟାଣ ଖରାରେ ଶରୀରକୁ ବାଧୁଥିଲେ ମଧ୍ୟ ସେ ଅପେକ୍ଷା କରିଛି, କେତେବେଳେ ମିଳିବ ସେ ଗ୍ୟାସ ସିଲିଣ୍ଡର । ଅନେକ ପ୍ରତିକ୍ଷା ପରେ ମନ୍ତ୍ରୀ ଙ୍କ ଆଗମନ ହେଲା । ତା'ପରେ ସ୍ୱାଗତ ସମ୍ଭାଷଣ ଓ ସରକାରଙ୍କ ଉଜ୍ବଳା ଯୋଜନା ର ଉପଲବ୍ଧି ରେ ଲମ୍ବା ଭାଷଣ । ସେଇ ଲମ୍ବା ଚଉଡା ଭାଷଣ ସବୁ ହରିଆ ମାଁ ର ମୁଣ୍ଡ ଉପରୁ ପାର ହେଇଯାଉଥିଲା । ସଭା ଶେଷରେ ତାଲିକା ମୁତାବକ ଗୋଟେ ଗୋଟେ କରି ନାଁ ଡକାଗଲା, ମଞ୍ଚ ଉପରକୁ ଗ୍ୟାସ ସିଲିଣ୍ଡର ପ୍ରଦାନ ପାଇଁ । ହରିଆ ମାଁ ର ପାଳି ପଡ଼ିଲାରୁ ମଞ୍ଚ ଉପରକୁ ହରବର ହୋଇ ଧାଇଁଲା । ମନ୍ତ୍ରୀ ତା ହାତରେ ଖଣ୍ଡେ ଚିଠି ଓ ସିଲିଣ୍ଡର ଫଟୋ ଥିବା ଏକ ବଡ଼ କାର୍ଡ ବୋର୍ଡ଼ ଧରାଇଦେଲେ ଆଉ ପାଖରେ ଥିବା ବ୍ଲକ ବିଡ଼ିଓ କହିଲେ "ଏହି ଚିଠି ଟି ନେଇ ଆମ ବ୍ଲକ ଅଫିସ ପାଖରେ ଥିବା ଗ୍ୟାସ ଏଜେନ୍ସି ରୁ ତୁମ ଗ୍ୟାସ ଭର୍ତ୍ତି ସିଲିଣ୍ଡର ପାଇଯିବ" । ସେ ଭାବିଥିଲା ସତରେ ସିଲିଣ୍ଡର ଟା ଏଇଠୁ ମିଳିଲେ ଗାଁ କୁ ଧରିକି ଯିବ । ତା ଖୁସିରେ ଟିକେ ଭଟ୍ଟା ପଡିଲା ସଦୃଶ ମନେ ହେଉଥିଲା । ଆଜି ଚାରି ଟା ରେ ଗାଁ କୁ ଫେରି ଆସନ୍ତାକାଲି ବ୍ଲକ ଅଫିସ ପାଖ ଏଜେନ୍ସି କୁ ଯିବ ପୁଣି ଖର୍ଚ୍ଚ କରି । ଘରଠୁ ପନ୍ଦର କିଲୋମିଟର ।ତହିଁ ଆର ଦିନ ସେ ଗଲା, ସିଲିଣ୍ଡର ଓ ଚୁଲ୍ହା ନେଇକି ଆସିଲା । ସେ ଭିତରେ ତା'ରି ହାତରୁ ଖର୍ଚ୍ଚ ହୋଇ ସାରିଲାଣି ପାଞ୍ଚ ଶହ ଟଙ୍କା । ବହୁ କଷ୍ଟ ରେ ସଞ୍ଚୟ କରି ରଖିଥିଲା ସେ,ଏହି ପାଞ୍ଚ ଶହ ଟଙ୍କା । ତାର ଘର କହିଲେ କେବଳ ଗୋଟିଏ ମାତ୍ର କୋଠରୀ । ସେ ଭିତରେ ରନ୍ଧାବଢା,ଖିଆପିଆ ଏବଂ ଶୋଇବା ମଧ୍ୟ । ଗୋଟେ କୋଣରେ ଚୁଲହା ଓ ସିଲିଣ୍ଡର କୁ ଗାଁ ସ୍କୂଲ ମାଷ୍ଟର ଙ୍କ ପୁଅ ଖଞ୍ଜାଖଞ୍ଜି କରି ଗ୍ୟାସ ଚୁଲ୍ହା କେମିତି ଜଳେଇବ ବତେଇ ଦେଲା, ଭଲ ଭାବରେ । ଦୋ ଦୋ ପାଞ୍ଚ ହେଇ ଡରି ଡରି ସେଦିନ ରାତି ର ରୋଷେଇ କରି ପକେଇଲା । ଦେଖିଲା ଯେ ଏଥିରେ ରୋଷେଇ ଟା ସଅଳ ଓ ସୁବିଧା ରେ ହୋଇପାରୁଛି । ଖୁସି ରେ ସରକାରଙ୍କ ଯୋଜନା କୁ ସାବାସୀ ଦେଉଥିଲା ସେ । ରାତିରେ ହରିଆ ଓ ତା ବାପା କୁ ଖାଇବାକୁ ଦେଲା ବେଳେ ହରିଆ ମା ଭାରି ଖୁସି ଟିଏ ହେଇ କହିଲା ,ହଇ ହେ , ଶୁଣୁଛ ? ଆଜି ମୁ ଗେସ ରେ ସବୁ ରାନ୍ଧିଛି । କେମିତି ହେଇଛି ?" ହରିଆ ବାପା କିନ୍ତୁ ଗମ୍ଭୀର ଦିଶୁଥିଲେ । ସେ ଆଗରୁ ବାହାରୁ ଶୁଣିଛନ୍ତି ସେକଥା । କହିଲେ "ହରିଆ ବୋଉ, ଏଇ ଗ୍ୟାସ କେତେ ଦିନ ଯିବ ? ମାସେ ? ତା ପରେ କଣ ଫେର ଭର୍ତି ଟାଙ୍କି ଦେବେ ? ନା ପଇସା ଦେବାକୁ ହେବ ? କେଉଁଠୁ ଦେବା ? ଆମକୁ ତ ଅଣ୍ଟୁ ନାହିଁ, ଦେଖାଯାଉ କଣ କରିହେବ ।" ନିତିଦିନିଆ ତାର କାମ ଚାଲୁ ରହିଲା । ମାତ୍ର ଗ୍ୟାସ ର ସଦ ବ୍ୟବହାର ଓ ଅଭ୍ୟସ୍ତ ନ ଥିବାରୁ କୋଡିଏ ଦିନରେ ସିଲିଣ୍ଡର ଟା ଖାଲି ହୋଇଗଲା । ତାପରେ ସେଇ ପୂର୍ବବତ ଅବସ୍ଥା । କଷ୍ଟେ ମଷ୍ଟେ ଚଳେଇ ନେଲା ଆଉ ଦଶ ଦିନ, ପରବର୍ତ୍ତୀ ଭରା ସିଲିଣ୍ଡର ମିଳିବା ଯାଏ । ଦଶ ଦିନ ପରେ ପଇସା ଯୋଗାଡ଼ କରି ପହଁଚିଲା ଏଜେନ୍ସି ପାଖରେ । ମାତ୍ର ଗ୍ୟାସ ମିଳିଲା ନାହିଁ ତାକୁ । ମେନେଜର କହିଲା "ଏ ମାସର ଗ୍ୟାସ ତୁ ନେଇ ସାରିଛୁ, ଆଉ ମିଳିବ ନାହିଁ । ପୁଣି ଆସନ୍ତା ମାସ କୁ" । ହରିଆ ମାଁ ନାହିଁ କଲା । ମେନେଜର ର ଯୁକ୍ତି ଯେ ତୋ ନାଁ ରେ ଗ୍ୟାସ ଇସୁ ହେଇଛି ଓ ତୋ ଏକାଉଣ୍ଟ କୁ ସବସିଡି ଟଙ୍କା ବି ଯାଇଛି । ମାନେ ତୁ ନିହାତି ଏ ମାସର ଗ୍ୟାସ ନେଇଛୁ । କୌଣସି ହିସାବରେ ଆଉ ମିଳିବ ନାହିଁ । ହରିଆ ମାଁ କାନ୍ଦୁଣୁ ମାନ୍ଦୁଣୁ ହେଇ ଫେରି ଆସିଲା ଗାଁ କୁ । ତହିଁ ଆର ଦିନ ଆଉ କିଛି ଟଙ୍କା ଯୋଗାଡ କରି ପାଖ ଗାଁ ଧନିଆଁ ସାହୁ ଠୁ ଚଢା ଦରରେ ନଅ ଶହ ଟଙ୍କା ଦେଇ ଭର୍ତ୍ତି ସିଲିଣ୍ଡର ଟେ ନେଇ ଆସିଲା । ଗାଁ ରାସ୍ତା ଉନ୍ନତିକରଣ ରେ ମୁଲ ଲାଗି ଟଙ୍କା କିଛି ରୋଜଗାର କରିଥିଲା , ସେଥିରୁ ପ୍ରାୟ ପନ୍ଦର ଶହ ଯାଇ ସାରିଲାଣି ଗ୍ୟାସ ବାବଦରେ । ଗରିବ ବୋଲି ସରକାର ଯେଉଁ ବ୍ୟବସ୍ଥା ଟେ ତା ପାଇଁ କରିଥିଲେ, ସେଇଟା ତା ଉପରେ ବୋଝ ଉପରେ ନଳିତା ବିଡ଼ା ହୋଇ ଲଦି ହେଲା । ଟଙ୍କା ଯିବା ସହ ଗ୍ୟାସ ଗ୍ୟାସ ବଲି କେତେ ଯେ ହଇରାଣ ହେବାକୁ ନ ପଡିଛି ତାକୁ । ଏଥର ର ଗ୍ୟାସ ସରିଯିବା ପରେ ଆଉ ସେ ଭର୍ତ୍ତି କରିନି । ଘର ର ଗୋଟେ କୋଣ ରେ ପଡି ରହିଛି ସିଲିଣ୍ଡର ଟା । ଚୁଲହା ରେ ବି ପରସତେ ଧୂଳି ଜମି ସାରିଲାଣି । ହରିଆ ମାଁ ପୂର୍ବପରି ଯେମିତି କାଠ ଚୁଲିରେ ରୋଷେଇ କରୁଥିଲା ଆଜି ଯାଏ ସେମିତି କରୁଛି । ଜଙ୍ଗଲ ରୁ କାଠ ଓ ଝାଟିମାଟି ଗୋଟାଇ ଆଣି ତା କାମ ଚଳେଇ ନେଉଛି । 

ସତରେ ଏ ଉଜ୍ବଲା ଯୋଜନା ମହିଳାଙ୍କୁ ସମ୍ମାନ ନା ମହିଳାଙ୍କୁ ହଇରାଣ ଦେଉଛି, ଚିନ୍ତାର ବିଷୟ । ଯୋଜନା ଟି ବହୁତ ଭଲ ଉଦେଶ୍ୟ ନେଇ ପରିକଳ୍ପନା କରିଥିଲେ ମଧ୍ୟ ସଫଳ ରୂପାୟନ ହେଇ ପାରୁନି । ପ୍ରକୃତ ହିତାଧିକାରୀ ଯୋଜନା ର ଲାଭ ଉଠେଇବାର ବିଫଳ ହେଉଛି ।

●●● ସରୋଜ କୁମାର ସାହୁ

ଝାଡୁଆପଡା, ସମ୍ବଲପୁର


Rate this content
Log in

More oriya story from Saroj Kumar Sahu

Similar oriya story from Inspirational