ସତ ପାଲଟିଲା ସ୍ୱପ୍ନ
ସତ ପାଲଟିଲା ସ୍ୱପ୍ନ
କବିତା ଲେଖିବା ମୋ ନିଶା ଥିଲା ।ଜୀବନ ଓ ଜଞ୍ଜାଳ ଭିତରେ ସମୟ ବଦଳିଗଲା ବିବାହ ପରେ । ଲେଖିବା କମିଯାଇଛି ।ହେଲେ କବିତାକୁ କେବେ ଦୂରେଇଦେଇନି ।ପେଶା ରେ ଶିକ୍ଷୟିତ୍ରୀ ଥିଲି ହେଲେ ଏ କବିତା ନିଶା ଶିକ୍ଷୟିତ୍ରୀ ଓ କବି ଭାବେ ସମ୍ମାନୀତ ହେବାର ସୌଭାଗ୍ୟ ଦେଲା ।ମାର୍ଚ୍ଚ ମାସ ବିଦ୍ୟାଳୟ ଯିବା ସମୟରେ ଫୋନ୍ କଲ୍ ଆସିଲା ।ଖବର ଶୁଣି ଖୁସି ଲାଗିଲା ପରମ୍ପରା ସାହିତ୍ୟ ପରିଷଦ ,ନୟାଗଡ଼ ତରଫରୁ ସମ୍ମାନ ଦିଆଯିବ ।
ନିଜକୁ ଯୋଗ୍ୟ ମନେ କରିବା ମୋ କଳ୍ପନାର ବାହାରେ ।ବିଦ୍ୟାଳୟରୁ ଆସି ଶ୍ୱଶୁରଙ୍କୁ କହିଲି ।ବହୁତ ଖୁସି ହେଲେ କେମିତି ବା ନହେବେ ନିଜେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ସହିତ ଜଣେ ସୁକବି ଓ ଲେଖକ ଥିଲେ ।ହେଲେ ରୌପ୍ୟ ଜୟନ୍ତୀ ଉତ୍ସବର ଦିନ ଧାର୍ଯ୍ୟ ହେବା ସମୟରେ ମୋର ଦୁର୍ଘଟଣା ହୋଇଗଲା ଓ ମୋତେ ହସ୍ପିଟାଲ ନିଆଗଲା । ଭାବିଲି ଏ ଖୁସି ମୋ ଭାଗ୍ୟରେ ନାହିଁ କିନ୍ତୁ କରୋନା ମହାମାରୀ ଯୋଗୁଁ ଉତ୍ସବ ହୋଇପାରିଲା ନାହିଁ ।କିଛି ଦିନ ପରେ ସୁସ୍ଥ ହୋଇ ଫେରିଲି ଓ ରୌପ୍ୟ ଜୟନ୍ତୀରେ କବିତା ପଠନ କରିବାକୁ ଯାଇ ସମ୍ମାନୀତ ହେଲି ଆଦର୍ଶ ଶିକ୍ଷୟିତ୍ରୀ ଓ ସୁକବୀ ଭାବେ । ଆପଣ(ମୋ ଶ୍ୱଶୁର)ସେଇ ସ୍ବର୍ଣ୍ଣିମା ଆକାଶରେ ଉଜ୍ଜ୍ୱଳ ତାରକା ପାଲଟିଯାଇଛନ୍ତି । କାଳର ନିଷ୍ଠୁର ନିୟମ ପାଇଁ ଆପଣ ଆମଠାରୁ ଅନତି ଦୂରେ ।ପୁରସ୍କାର ପାଇବା ପରେ ଆପଣଙ୍କ ବୈଠକ ଘରରେ ପହଞ୍ଚିଲାବେଳକୁ ଚାରି କାନ୍ଥରେ ଲଗାଯାଇଥିବା ଆପଣଙ୍କ କୀର୍ତ୍ତିରାଜିର ଫୋଟୋ ସବୁ ସତେ ଯେମିତି ମତେ ଆଶୀର୍ବାଦ ଦେଉଥିଲେ ।
ଲୋତକପୂର୍ଣ୍ଣ ନୟନରେ ବୋଉ (ମୋ ଶାଶୁ )କହିଲେ ତୋ ଶ୍ୱଶୁର ଥିଲେ କେଡେ ଖୁସି ହେଇଥାନ୍ତେ ।ଲେଖକ କି କବି ତ ମୁଁ ନୁହେଁ ଏମିତି କବିତା ଲେଖିଦେଉଥିଲି ମୋ ବାବା ଓ ବୋଉଙ୍କ ପ୍ରେରଣା ରେ । ବିବାହ ପରେ ମୋ ସ୍ୱାମୀ , ମୋ ଶ୍ବଶୁରଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଆଜି ମୁଁ ଏହି ସ୍ଥାନରେ ।ଜାଣିନି ପରମ୍ପରା ଉତ୍ସବରେ ମୋର 'ମା' କବିତାଟି କାହା ହୃଦୟକୁ ସ୍ପର୍ଶ କରିଥିବ କି ନାହିଁ କିନ୍ତୁ ମୋ ଯମଜ ସନ୍ତାନ ମୋ ଜୀବନରେ ଆସିବା ପରେ ମୋତେ ମାତୃତ୍ବର ସ୍ୱାଦ ମିଳିଥିଲା ।
