ସଂଘର୍ଷ ମୟ ନାରୀ
ସଂଘର୍ଷ ମୟ ନାରୀ
ଦୁଇ ସାଙ୍ଗ କେତେ ବର୍ଷ ପରେ ଏକାଠି ବସି ସୁଖ ଦୁଃଖ ବାଣ୍ଟୁଥାନ୍ତି । ହଠାତ୍ କଥା ହେବା ସମୟରେ ନଜର ପଡ଼ିଲା ଅନ୍ୟଜଣେ ବାନ୍ଧବୀର ହାତ ଉପରେ ସାଙ୍ଗଟି ଆଶ୍ଚର୍ଯ୍ୟ ହୋଇ ଉଠି ପଡ଼ିଲା ବସିବା ସ୍ଥାନରୁ, ତୁ ଏମିତି ହାତ କଟା କଟି କରିଛୁ କଣ ପାଇଁ ?
ନିଜକୁ କଷ୍ଟ ଦେବାର କାରଣ କଣ ?
ସାଙ୍ଗଟିର ପ୍ରତ୍ୟୁତ୍ତର_
ମୋ ପ୍ରେମିକର ଅବହେଳା ଏବେ କୌଣସି ଯୋଗା ଯୋଗ ହୋଇପାରୁନି ।
ଅନ୍ୟ ସାଙ୍ଗଟି କହିଲା ,ନିଜ ଲକ୍ଷ୍ୟ, ଭବିଷ୍ୟ ଚିନ୍ତାର ଉର୍ଦ୍ଧରେ କଣ ତୋ ପ୍ରେମ , ଜନ୍ମ ଦେବା ବାବା ମା'ଙ୍କ ଠୁ ବେଶୀ ତୋ ପ୍ରେମିକ ?
ତୁ ବୁଝୁନୁ କଣ ପାଇଁ ତୁ ଯାହା କରୁଚୁ ସେ ସବୁ ପାଗଳାମି ଆଉ ମୂଲ୍ୟହୀନ ।
ଅନ୍ୟସାଙ୍ଗଟି କହିଲା "_
ତୁ ପ୍ରେମ କରିନୁ ତୋ ଜୀବନରେ ସେ ସମୟ ପରିସ୍ଥିତି ଆସିନି ତୁ କି ଜାଣିବୁ ମନ କଣ ହୁଏ କଥା ନ ହେଲେ !
ବୁଝେଇବାର ଚେଷ୍ଟା କରୁଥିବା ସାଙ୍ଗର ଆଖି ଛଳଛଳ ହୋଇ ଉଠିଲା । ନିଜକୁ ସମ୍ଭାଳି କୌଣସି ପ୍ରକାରେ କହିଲା ଶୁଣିବୁ ସଂଘର୍ଷ କଣ ?
ଅନ୍ୟ ସାଙ୍ଗର ଉତ୍ତର ହୁଁ ...
ସଙ୍ଗେସଙ୍ଗେ ସାଙ୍ଗଟି ଆରମ୍ଭ କରିଲା __
ମୋର ଏକ ବାନ୍ଧବୀ ମଧ୍ୟବିତ୍ତ ପରିବାରର ମାତ୍ର ଘରର ବଡ଼ ଝିଅ ହେତୁ ଭାରି ଗେହ୍ଲାରେ ବଢ଼ିଛି । ଅଭାବ କଣ ଦୁଃଖ କଣ ତା' ପାଖ ମାଡ଼ିନି କେବେ । ଦେଖିବାକୁ ଉଚ୍ଚ କୁଳର ସରଗର ଚାନ୍ଦପରି ମୁଖ ମଣ୍ଡଳ , ସୁନ୍ଦରତାର ସୀମା ନାହିଁ , ନୀଚ୍ଚ କୁଳରେ ଜନ୍ମ ବୋଲି କେହି ଦେଖି ଅନୁମାନ ମଧ୍ୟ କରି ପାରେନା ! ଓଠରେ ଖିଲିଖିଲି ହସ ଯେମିତି ସୁନ୍ଦର ସେତିକି ସ୍ନେହି ଆଉ ସରଳ । ଗୋଟିଏ ଚାଉଳରେ ଗଢା , ରୂପ ଗୁଣରେ କେହି ଖୁଣି ପାରିବେନି । ହସ ଖୁସିରେ ବଡ଼ ହେବାରେ ଲାଗିଥାଏ । ଏତେ ଗେହ୍ଲା ଯେ ଘରର କାହାର ହେ...... ପଦରେ ଛଳଛଳ ଲୁହ ବାପା ମା ସେଥି ପାଇଁ ଗୋଟେ ଦିନ ନିଜଠୁ ଦୂରକୁ ଛାଡନ୍ତିନି ।
ଯୌବନ ଅବସ୍ଥା , ସରଳ ମନ କାହା ପ୍ରେମକୁ ସହଜରେ ଗ୍ରହଣ କରିପାରେ । ତା ଜୀବନରେ ପ୍ରେମ ଆସିଲା ଜୀବନ ଦୁନିଆ ଜାଣିନଥିଲା ଝିଅଟି ପ୍ରେମକୁ ଆଦରି ନେଲା । ପ୍ରଥମ ତ ବହୁତ୍ ହସ ଖୁସି କଥାରେ ନାହିଁ "ନୂଆ ବେଳେ କେତେ ଆଦର" ଠିକ୍ ସେହି ପରି....
ଦୁହେଁ ଦୁହିଁଙ୍କ ଠୁ ବହୁତ୍ ଦୂରରେ ରୁହନ୍ତି ନିଜ ଉଚ୍ଚ ଶିକ୍ଷା ପାଇଁ । ପୁଅଟି ସିନା ଜାତିରେ ଉଚ୍ଚ କିନ୍ତୁ ଆର୍ଥିକ ସ୍ଥିତି ବହୁତ୍ ଦୁର୍ବଳ ଥାଏ କିନ୍ତୁ ଦୁହେଁ ଦୁହିଁଙ୍କୁ ଛୋଟ ଭାବନ୍ତିନି । ଦୂରରେ ରହିବା ହେତୁ ଭେଟିବା ପାଇଁ ବ୍ୟାକୁଳତା ଦୁହିଁଙ୍କ ମନରେେ । ଯେବେ ସାକ୍ଷାତ ହୁଅନ୍ତି ଉଭୟଙ୍କ ମନରେ ସୀମା ହୀନ ସୁଖ ଆହା ........କି ଆନନ୍ଦ ଯେତିକି ଖୁସି ବର୍ଷକ ପରେ ଦେଖା ହେବାର ସେତିକି ବେଦନା ଦିଶେ ଆଖିରେ ଲୁହ ଓଠରେ ହସ । ଦୁହେଁ ଏକାଠି ହେଲେ ସତରେ ସମୟଟା ନିଆରା । ଦୁହିଁଙ୍କ ମିଳନ ହୁଏ ଏହି ଦୁର୍ଗା ପୂଜା ଛୁଟିରେ । ଯେବେ ଦୁହେଁ ନିଜ ନିଜ ମହାବିଦ୍ୟାଳୟରୁ ଆସନ୍ତି ଘରକୁ ବର୍ଷକର ଅପେକ୍ଷା ପରେ । ଦୁହିଁଙ୍କ ମଧ୍ୟରେ ସାକ୍ଷାତ କରୁଣ ଆଉ ଶୃଙ୍ଗାର ରସ ଦୃଷ୍ଟିକୁ ଆସେ ନଅ ଦିନର ଛୁଟି ସରିବା ପରେ ମନରେ ପୁଣି ବିଚ୍ଛେଦର ଦୁଃଖ । ଏମିତି ମିଳନ ଆଉ ବିଚ୍ଛେଦ ହୋଇ ଦୁଇ ବର୍ଷ ହସ ଖୁସି, ଲୁହ, ରାଗ, ଅଭିମାନରେ କଟିଲା ।
ସମୟ ସହ ପୁଅଟିର ଅବହେଳା ଧୀରେ ଧୀରେ ଦିଶିଲା, ନା ଆଉ ସମୟ ଦେଲା ନା ପ୍ରେମ ଆଗ ପରି ରହିଲା । ଦୁହେଁ ପଢୁଥିବା ହେତୁ ପରସ୍ପରଙ୍କ ବୁଝାମଣା ରହୁଥିଲା । ସବୁ ପରେ ଝିଅଟି ମନେ ମନେ ଝୁରି ହୁଏ ପୂର୍ବ ବିତିଥିବା ସମୟ ଯୋଉଠି ତା ପାଇଁ ପ୍ରେମ ସମୟ ରହିଥିଲା ବାହାନା ନୁହେଁ କିନ୍ତୁ ମୁହଁ ଖୋଲି କୁହେନି ସହିଯାଏ ଦୁଇ ବୁନ୍ଦା ଲୁହରେ । ପରୀକ୍ଷା ଥାଏ ସବୁବେଳେ ପ୍ରେମିକର ସମୟ ତା ପାଇଁ କେବେ ଆସିବ । ଝିଅଟିର ଅନ୍ଧ ପରି ଭଲ ପାଇବା ପୁଅଟିର ସବୁ ଭୁଲ୍ ଅବହେଳାକୁ କ୍ଷମା ଦେଉଥାଏ ।
ପୁଅଟିର ଦାରିଦ୍ର ଆଉ ବିତି ଥିବା ଦୁଃଖଦ ଘଟଣା ଝିଅଟିକୁ ଆହୁରି ଆକର୍ଷିତ କରୁଥାଏ । ସମୟ ବିତିବା ସହ ଝିଅଟି ପ୍ରେମିକର ଅଭାବକୁ ଦୂରୀଭୂତ କରିବାର ପ୍ରାଣପଣେ ଚେଷ୍ଟା କରିବାକୁ ଲାଗିଲା ।ନିଜ ନୀତିଦିନିଆ ଖର୍ଚ୍ଚକୁ ମାରିଦେଲା , ପଢାରୁ କିଛି ସମୟ ବାହାର କରି ଯେଉଁ କିଛି ଅର୍ଥ ଉପାର୍ଜନ କରୁଥିଲା । ସେ ସବୁକୁ ନିଜ ସାଥୀର ଖୁସି ଆଉ ଆବଶ୍ୟକତା ପୂରଣ ପାଇଁ ଲଗାଇବାରେ ଲାଗିଲା । ପ୍ରେମିକର ସଫଳତା ଯେମିତି ତାର ସବୁ କିଛି ପାଲଟି ଗଲା ! ଆଗ ପଛ ବିଚାର ନକରି ସେ କର୍ତ୍ତବ୍ୟ ଭର୍ପୂର୍ ଭାବରେ ତୁଲାଉଥାଏ ତା ସହ ଭଗବାନଙ୍କ ପୂଜା ବ୍ରତ ଉପବାସ କରୁଥାଏ ମଙ୍ଗଳ ମନାସି ।ନିଜ ଖୁସିକୁ ତଣ୍ଟି ଚିପି ଦେଲା ଆଉ ନିଜ ଇଚ୍ଛାକୁ କେବଳ ପ୍ରେମିକର ଆବଶ୍ୟକତା ପୂରଣ ପାଇଁ । ନିଜ ଚିନ୍ତା ନଥାଏ କେମିତି ଖାଇବ କେମିତି ଭଲରେ ରହିବ ହସିବ ତା ପ୍ରେମିକ ବାସ୍ ସେଥିରେ ମାତିଥାଏ କେବେ ଭଉଣୀ ପରି ତ କେବେ ମାଆ ପରି ଆକଟ କରୁଥାଏ ତ କେବେ ବନ୍ଧୁ ହୋଇ ସମ୍ଭାଳି ଆସୁଥାଏ କେବେ ପ୍ରେମିକା ପରି ପ୍ରେମକୁ ଅଜାଡ଼ି ଚାଳିଥାଏ । ଯେମିତି ଦୀପର ସଳିତା ଆଉ ତେଲ ଜଳି ଜଳି ଆଲୋକ ଦିଅନ୍ତି ସେମିତି ଅହରହ ତିଳ ତିଳ ଜଳୁଥାଏ କିନ୍ତୁ ସବୁ ପରେ ପ୍ରେମିକ କେବେ ତାକୁ ବୁଝିବାର ଚେଷ୍ଟା କରିନି ନା ସମୟ ନା ସେ ଖୋଜୁଥିବା ପ୍ରେମ ସବୁର ଅବହେଳା ତା ସହ ଝିଅଟି ଛୋଟ ଜାତି ଯୋଗୁଁ ପୁଅ ପରିବାର ଲାଞ୍ଛନା ସହି ଝିଅଟି ମନେ ମନେ କାନ୍ଦୁଥାଏ । କଥାରେ ନାହିଁ ଗୋଟେ ପୁରୁଷର ସଫଳତା ପଛରେ ଗୋଟେ ନାରୀର ହାତ ।
ସବୁ ପରେ ଝିଅଟିର ଆଦର ଠିକ୍ ରୂପେ ଯତ୍ନ ପୁଅଟି ସଫଳ ହେଲା ପ୍ରେମିକାର ଖୁସି ମାଟିରେ ଗୋଡ଼ ଲାଗୁ ନଥାଏ ଖୁସିରେ ଆଖିରୁ ଲୁହ ଝରୁଥାଏ ଆଉ ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରୁଥାଏ ।
ଆଗ ପରି ପ୍ରେମିକର ଦାରିଦ୍ର ରହିଲାନି ସତ କିନ୍ତୁ ପୂର୍ବ ଅବହେଳା ବଢ଼ିବାରେ ଲାଗିଲା ନା ଥାଏ ସମୟ ନା ପ୍ରେମିକା ପ୍ରତି ସ୍ନେହ ଆଦର ବାସ୍ ବ୍ୟସ୍ତ ହେବାର ମିଛ ବାହାନା ଆଉ କାହାଣୀ ଯିଏ ଜୀବନର ପ୍ରତିଟି ମୁହୂର୍ତ୍ତରେ ଛିଡ଼ା ହେଉଥିଲା ତା ପ୍ରତି ଅବହେଳା ସତରେ ବହୁତ୍ କଷ୍ଟ ଦେଉଥାଏ । ଝିଅଟିକୁ ଦୂରତା ଆସିଗଲା ପୁଅଟି ସଫଳ ହେବା ପରେ ଫେରିଗଲା ତା ପରିବାର ପାଖକୁ ଭୁଲି ଗଲା ଝିଅଟିର ତ୍ୟାଗ ଆଦର ଯତ୍ନକୁ ଯିଏ ତାକୁ ଏ ଜାଗାରେ ପହଁଚିବାରେ ମୁଖ୍ୟ ଯିଏ ତାର ସବୁକୁ ସହି ତାକୁ ସାହାରା ଦେଇଥିଲା ।
ଝିଅଟି ଆଖିରେ ଅସୁମାରୀ ସ୍ବପ୍ନ ସଜେଇ ଦୁଃଖର କୂପକୁ ଠେଲି ଦେଇଥିଲା ପ୍ରେମିକଟି ପୂରଣ କରିବା ଦୂର ସେ କଥାକୁ ସେ ମନେ ବି ରଖିଲାନି ।
ଶେଷରେ ପ୍ରେମିକର ପ୍ରଶ୍ନ ତୁ କିଏ?
ମୁଁ ତତେ ନା ଚିହ୍ନେ ନା ଜାଣେ ...ଛୋଟ ଜାତିର ଝିଅ ତୁ... ତୋ ପାଇଁ ମୋ ସମ୍ମାନ ନଷ୍ଟ ହେବ ଦୂରେଇ ଯା ମୋତେ ଶାନ୍ତିରେ ରହିବାକୁ ଦେ ।
ଝିଅଟି ଚୁପ୍ ଚାପ୍ ଶୁଣୁ ଥାଏ ନା ଥାଏ ଶବ୍ଦ ନା କିଛି ପ୍ରତିକ୍ରିୟା ବାସ୍ ମନରେ ଉଠୁଥିବା କୋହ ଆଖି ଦେଇ ଝରି ଝରି ପୃଥିବୀ ମା'କୁ ଓଦା କରୁଥିଲେ ଝିଅଟି ଯେମିତି ପାଷାଣ ଖଣ୍ତ ପରି ବସି ଥାଏ ଆକାଶକୁ ଚାହିଁ ଯାହା ପାଇଁ ନିଜର ସର୍ବସ୍ୱ ସରିଲା ସେ ବି ତା ଛୋଟ କୁଳରେ ଜନ୍ମ ହେବାର ଉପେକ୍ଷା ଦେଇଗଲା । ଖାଇବା ବସିବା, ଶୋଇବା ସବୁ ବେଳେ ଭାଳି ହେଉଥାଏ ଲୁହରେ ଆରମ୍ଭ ଆଉ ଶେଷ ହୁଏ ଦିନ । ଯିଏ ଘରର ପଦେ ହେ ଶୁଣିନି ସେ ଆଜି ଲୁଚି ଘୁମୁରୁ କାନ୍ଦୁଚି ବଞ୍ଚି ଥାଇ ଶବ ପାଲଟି ଯାଇଛି ଯେମିତି । କିନ୍ତୁ ମରି ପାରିନି ବାପା ମାଆଙ୍କ ମୁହଁକୁ ଚାହିଁ କାହାକୁ କହି ପାରୁନି ତା ବେଦନା ଜୀବନର ଅକୁହା କାହାଣୀ ।
ପୁଣି ନିଜକୁ ସାଉଁଟିବାରେ ଲାଗିଲା ଭାଙ୍ଗିଥିବା ପ୍ରତିଟି ଟୁକୁଡା ଯୋଡ଼ିବାର ଚେଷ୍ଟାରେ । ପ୍ରେମରେ ସିନା ଅନ୍ଧ ଥିଲା ନିଜ ଲକ୍ଷ୍ୟରେ ସେତିକି ଦୃଢ଼ ଥିଲା ଦେଖେଇ ଦେବା ପାଇଁ ଦୁନିଆକୁ ନାରୀ ନା ଦୁର୍ବଳ ନା କାହାଠୁ କମ୍ ।
ସେ କୁହେ "_ " ଅଜା ଘା ନା ଦେଖି ହୁଏ ନା ଦେଖେଇ ହୁଏ " ତା ଅତୀତ ଠିକ୍ ସେହି ପରି ....
ବହୁତ ବାଧା ଆସେ ଜୀବନରେ ତାକୁ ସାମ୍ନା କରି ଆଗକୁ ବଢିବା ଉଚିତ୍ । ସେ ସିନା ପୁଅଟିର ପ୍ରେମ ଛଳନା ବୁଝି ପାରିଲାନି ଅନ୍ଧ ଥିଲା କଥାରେ ନାହିଁ _ "ଯିଏ ଯାହାକୁ ରସିଲା ସେ ତାକୁ ମଲ୍ଲି ଫୁଲ ପରି ବାସିଲା '' । ବହୁତ ବୁଝେଇବା ପରେ ବି ଝିଅଟି କାହା କଥା ଶୁଣି ନଥିଲା ତାର ଫଳ ଏ ।
ପ୍ରେମିକର ସଫଳତା ପରର ଏ ପରିବର୍ତ୍ତନ ଝିଅଟିକୁ ୩ ଟି ବସ୍ତୁ ସହ ତୁଲେଇ ଦେଲା ନିଜ ପରିବର୍ତ୍ତନ ପାଇଁ ।
ଆଳୁ , ଅଣ୍ଡା ଆଉ କଫି । ଯିଏ ଗରମ୍ ପାଣିରେ ନିଜକୁ ବଦଳେଇବାକୁ ବାଧ୍ୟ ହୁଅନ୍ତି ଆଳୁ ସିଝିବା ଆଗରୁ କଠିନ ଥାଏ ଆଉ ସିଝିବା ପରେ କୋମଳ , ଅଣ୍ଡା ଯିଏ କି ପୁରା ଆଳୁର ବିପରୀତ ସିଝିବା ପରେ ଆହୁରି କୋମଳ , ଶେଷରେ କଫି ଯିଏ କି ପରିସ୍ଥିତି ସହ ଗରମ ପାଣିରେ ନିଜକୁ ମହକାଇବା ସହ ପାଣିକୁ ବଦଳେଇ ଦେଲା । ଏମିତି ଉଦାହରଣ ଦେଇ ବୁଝେଇ ଥିଲେ ତା ବାପା ଝିଅର ଭାଙ୍ଗି ପଡ଼ିବା ଦେଖି । ଝିଅ ଏବେ ନିଜକୁ ସମ୍ଭାଳି ଆଗକୁ ବଢିବାର ନିଷ୍ପତି ନେଲା ।
ଏତିକି କହି ବୁଝାଉଥିବା ସାଙ୍ଗଟି ଛଳ ଛଳ ହୋଇ ଉଠିଲା ଯେମିତି ତା ମନରେ ଅନେକ ଦିନରୁ ସେ ବେଦନାକୁ ଲୁଚେଇ ଦେଇଥିଲା, କଥା ଶୁଣୁଥିବା ସାଙ୍ଗ ଆଖିରେ ବି ଲୁହ ଆସିଗଲା ।
କହି ଉଠିଲା ଅନ୍ୟ ସାଙ୍ଗଟିକୁ, ସତରେ ତା ତୁଳନାରେ ମୋ ଦୁଃଖ ତ କିଛି ନୁହେଁ । ମୁଁ ବୁଝିବାରେ ଭୁଲ୍ କଲି ଆଉ ତତେ ଏତେ ସବୁ କହି ଗଲି ଏପରି କହି କ୍ଷମା ମାଗିଲା ।
ପୁଣି କହିଲା, ସତ କହିଲୁ ସେ ପ୍ରେମିକା ଜଣଙ୍କ ଆଉ ତୁ ନୁହେଁ ତ ?
ବୁଝାଇ ଥିବା ସାଙ୍ଗଟି ଆଖିରୁ ଲୁହ ପୋଛି ଛାଡେ...... ନା ...କହି ହସିଦେଲା ।
ତା ଛଳ ଛଳ ଆଖିରେ ଯେମିତି ପୁଣି ଆଜି ବନ୍ୟା ଉଠିଛି ।
